Indus Valley Times

ଫିଜ କମାଇବା ଦାବିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ସହ ଧାରଣା

 Breaking News

ଫିଜ କମାଇବା ଦାବିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଫାଟକ ସମ୍ମୁଖରେ ବିକ୍ଷୋଭ ସହ ଧାରଣା

July 26
19:13 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୭ : ବୌଦ୍ଧର ସର୍ବପୂରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବୌଦ୍ଧ ପଞ୍ଚାୟତ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି । କିଛିଦିନ ଧରି ଛାତ୍ରଛାତ୍ରୀମାନେ କଲେଜର ବାର୍ଷିକ ଫିଜ କମାଇବାକୁ ଦାବି କରିଆସୁଥିବାବେଳେ ସୋମବାର ଛାତ୍ର ଅଶାନ୍ତି ଉଗ୍ର ରୂପ ଧାରଣ କରିଥିଲା । ସୋମବାର ଦିନ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟକୁ ପାଠ ପଢିବାକୁ ନଯାଇ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ।
ମହାବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାକୁ ଆସିନଥିବାବେଳେ ବୌଦ୍ଧଥାନା ଅଧିକାରୀ ମାଧବାନନ୍ଦ ନାଏକ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ବୁଝାଶୁଝା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଫଳ କିଛି ହୋଇନଥିଲା । ଛାତ୍ରଛାତ୍ରୀମାନେ ଫିଜ କମାଇବାକୁ ଘୋଷଣା କିମ୍ବା ଲିଖିତ ପ୍ରତିଶୃତି ନପାଇବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି ନିଜ ଜିଦ୍ ରେ ଅଟଳ ରହିଥିଲେ ।
ଶେଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଣ୍ଟାମାଳ ବ୍ଲକକୁ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗଦେବାକୁ ଯାଉଥିବାବେଳେ ମହାବିଦ୍ୟାଳୟ ଫାଟକରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିôବା ଦେଖି ଗାଡି ଅଟଳାଇ ସେମାନଙ୍କ ସହିତ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ବର୍ଦ୍ଧିତ ଫିଜ ଯୋଗୁଁ ଗରିବ ଛାତ୍ରଛାତ୍ରୀମାନଙ୍କୁ କଷ୍ଟକର ହେଉଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ତେବେ ଏ ସଂପର୍କରେ ବିଚାର କରାଯିବ କହି ଧାରଣାରୁ ଓହରିବାକୁ ଛାତ୍ରଛାତ୍ରୀମାନଙ୍କୁ କହିବା ସତ୍ୱେ ମଧ୍ୟ ସେମାନେ ଲିଖିତ ପ୍ରତିଶୃତି କିମ୍ବା ତୁରନ୍ତ ଫିଜ ପ୍ରତ୍ୟାହାର ଘୋଷଣା ନକଲେ ଧାରଣାରୁ ଓହରିବୁ ନାହିଁ ବୋଲି ଜଣାଇଥିଲେ । ଶେଷରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଛାତ୍ର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଲୋଚନା କରି ବୃଦ୍ଧି କରାଯାଇଥିବା ମହାବିଦ୍ୟାଳୟ ଫିଜ ପ୍ରତ୍ୟାହାର ନେଇ ନିଷ୍ପତି ନେବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ଫୋନ ଯୋଗେ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ନିର୍ଦ୍ଦେଶ ଦେବାପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ ।
ଘରେ ପଶି ଗଣ୍ଡଗୋଳ ମାମଲା : ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୨୬/୭ :ବୌଦ୍ଧ ଜିଲ୍ଲା ମୁଖ୍ୟ ଦଣ୍ଡାଧିଶ ଅଧିକାରୀ (ସିଜେଏମ) ବିଶେଶ୍ୱର ବିଶ୍ୱପ୍ରକାଶ ରାଏ ଏକ ଗଣ୍ଡଗୋଳ ମାମଲାକୁ ସୋମବାର ଦିନ ବିଚାର କରି ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଥାନାର ସରସରା ଗ୍ରାମର ଅଭିଯୁକ୍ତ ଅର୍ଜୁନ ମହାଲିକ ଓ ତାଙ୍କ ଝିଅ ରିତାଂଜଳୀ ମହାଲିକ ଗ୍ରାମର ସସ୍ମିତା ସ୍ୱାଇଁ ପରିବାର ସହ ଗାଲିଗୁଲଜ କରିବା ସହିତ ଗଣ୍ଡଗୋଳ କରିଆସୁଥିଲେ ।
ଗତ ୧୪.୧୨.୨୦୧୩ ତାରିଖରେ ଅଭିଯୁକ୍ତ ଅର୍ଜୁନ ଓ ତାଙ୍କ ଝିଅ ରୀତାଂଜଳି ସସ୍ମିତାର ଘରକୁ ପଶି ଠେଙ୍ଗା ଓ ଟାଙ୍ଗିଆ ଦ୍ୱାରା ସସ୍ମିତା ଓ ତାଙ୍କ ସ୍ୱାମୀ ଗଙ୍ଗାଧର ସ୍ୱାଇଁ ଓ ଶଶୁର ରୁପଧାରୀ ସ୍ୱାଇଁଙ୍କୁ ଗାଳି ଗୁଳଜ କରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣ ଯୋଗୁଁ ଗଙ୍ଗାଧରଙ୍କ ଗୋଡ ଓ ହାତ ଭାଙ୍ଗି ଯାଇଥିବା ବେଳେ ଶଶୁର ରୁପଧରଙ୍କ ମୁଣ୍ଡରେ ହାଣି ଦେଇଥିବା ନେଇ ସସ୍ମିତା ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ବୌଦ୍ଧ ଥାନା ପକ୍ଷରୁ ଥାନା କେସ ନଂ ୨୫୧/୧୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରେ ମାମଲାଟି ବୌଦ୍ଧ ଜିଲ୍ଲା ବୌଦ୍ଧ ଜିଲ୍ଲା ମୁଖ୍ୟ ଦଣ୍ଡାଧିଶ ଅଧିକାରୀ (ସିଜେଏମ)ଙ୍କ ଅଦାଲତରେ ଏସଟି ୫୬/୧୬ ହୋଇ ବିଚାର ହୋଇଥିଲା । ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ରୀତାଂଜଳୀ ମହାଲିକ ଫେରାର ହୋଇଯାଇଥିଲା । ଫଳରେ ମାମଲାଟି ଅଭିଯୁକ୍ତ ଅର୍ଜୁନ ମହାଲିକଙ୍କ ପାଇଁ ବିଚାର ହୋଇଥିଲା ।
ମାମଲାରେ ସରକାରଙ୍କ ପକ୍ଷରୁ ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର କୋର୍ଟ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଅର୍ଜୁନ ମହାଲିକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ଦେବରଂଜନ ବିଶି ପରିଚାଳନା କରୁଥିଲେ ।
ବୌଦ୍ଧ:ଗୁଡଭେଲିପଦରରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ
ବୌଦ୍ଧ,୨୬/୭ : ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଳକର ଗୁଡଭେଲିପଦର ଗ୍ରାମପଞ୍ଚାୟତ ଠାରେ ସୋମବାର ଦିନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି ।
ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତିଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି ଶିବିରରେ ସମୁଦାୟ ୨୬୮ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୨୫୬ ଗୋଟି ବ୍ୟକ୍ତିଗତ ମାମଲା ହୋଇଥିବାବେଳେ ୧୨ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ଅଭିଯୋଗ ଗୁଡିକ ମଧ୍ୟରୁ ୧୩୮ ଗୋଟି ଅଭିଯୋଗକୁ ତକକଲା ଫଇସଲା କରାଯାଇଥିବା ବେଳେ ୧୪ ଗୋଟି ଅଭିଯୋଗ ସଂପର୍କରେ ଅନୁଧ୍ୟାନ କରାଯାଇ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକ ଲକ୍ଷ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।
ଏହି ଶିବିରରେ ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଉପଜିଲ୍ଲାପାଳ ସନତ କୁମାର ନାଏକ, ବିଡିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର ଧନଞୟ ସାହୁ, ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶିବିରକୁ ଜିଲ୍ଲା ଜରୂରିକାଳୀନ ଅଧିକାରୀ ଅବନୀକାନ୍ତ ସାହୁ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031