Indus Valley Times

ବିଜେଡିରେ ମିଶିଲେ ଭି.କେ ପାଣ୍ଡିଆନ୍, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ୍

 Breaking News

ବିଜେଡିରେ ମିଶିଲେ ଭି.କେ ପାଣ୍ଡିଆନ୍, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ୍

November 27
16:59 2023

ଭୁବନେଶ୍ବର,୨୭/୧୧: ଶେଷରେ ବହୁ କଳ୍ପନାଜଳ୍ପନା ଓ ଚର୍ଚ୍ଚାର ଅନ୍ତ ଘଟାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍।
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ‘ନବୀନ ଓଡ଼ିଶା’ ଓ ୫ଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ।ଗତ ଏକ ସପ୍ତାହ ଧରି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା କି ଭି.କେ.ପାଣ୍ଡିଆନ୍ କାର୍ତ୍ତିକ ପୂର୍ଣ୍ଣମୀ ଦିନ ବିଜୁ ଜନତା ଦଳରେ ଯୋଗଦେବେ।
ଗତକାଲି ଦଳର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଆସିବା ଲାଗି ଫୋନ୍ ଯିବା ଏବଂ ଶଂଙ୍ଖ ଭବନରେ ବିଶେଷ ବୈଠକର ଆହ୍ବାନ ଦିଆଯିବା ଏକ ପ୍ରକାର ନିଶ୍ଚିତ କରିଥିଲା ଯେ ଶ୍ରୀ ପାଣ୍ଡିଆନ୍ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଉଛନ୍ତି।
ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ୧୦.୧୫ ମିନିଟରେ ସେ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ, ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।
ପୁରୀ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ବିଜେଡି ନେତାଙ୍କୁ କହିଥିଲେ ଯେ ଶ୍ରୀ ପାଣ୍ଡିଆନ୍ଙ୍କର ପ୍ରଶାସନିକ କ୍ଷେତ୍ରରେ ଯେଉଁ ଅଭିଜ୍ଞତା ରହିଛି ତାହା ସେ ଦଳ ପାଇଁ ଏବଂ ରାଜ୍ୟର ବିକାଶ ଲାଗି ଉପଯୋଗ କରିବେ। ଶ୍ରୀ ପାଣ୍ଡିଆନ୍ ବିଜେଡି ଲାଗି ଏକ ଆସେଟ୍ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ ପ୍ରକାଶ କରିଛନ୍ତି।
ଉଳ୍ଲେଖଯୋଗ୍ୟ, ଗତ ଅକ୍ଟୋବର ୨୩ ତାରିଖରେ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଥିଲା ନୂଆ ନିଯୁକ୍ତି। ଏବେ ସେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି।
ଶ୍ରୀ ପାଣ୍ଡିଆନ୍ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ୨୦୦୦ ସେପ୍ଟେମ୍ବର ୭ରୁ ୨୦୨୨ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ତାଲିମ ନେଇଥିଲେ। ତାଲିମ ଶେଷ ହେଲା ପରେ ସେ ପ୍ରଥମେ କଳାହାଣ୍ଡିର ଧର୍ମଗଡ଼ରେ ଉପଜିଲ୍ଲାପାଳ ପଦବିରେ ନିଯୁକ୍ତ ହୋଇଥିଲେ। ସେ କଳାହାଣ୍ଡିରେ ୨୦୦୨ ଅଗଷ୍ଟ ୧ରୁ ୨୦୦୪ ଫେବ୍ରୁଆରି ୨୯ ପର୍ଯ୍ୟନ୍ତ କାର‌୍ୟ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୧ରୁ ଜୁନ୍ ୩୦ ଯାଏ ଓଡ଼ିଶା ନିର୍ବାଚନ ବିଭାଗରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ୨୦୦୪ ଜୁଲାଇ ୧ରୁ ୨୦୦୫ ଏପ୍ରିଲ ୩୦ ଯାଏଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଭାବେ କାର‌୍ୟ୍ୟ ତୁଲାଇଥିଲେ।
ସେହିପରି ଶ୍ରୀ ପାଣ୍ଡିଆନଙ୍କୁ ୨୦୦୫ ମେ’ ୧ରୁ ୨୦୦୭ ଏପ୍ରିଲ ୮ ଯାଏଁ ମୟୂରଭଂଜ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ଗଂଜାମ ଜିଲ୍ଲାପାଳ ଭାବେ ୨୦୦୯ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ କାମ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିବା ପରେ ୨୦୧୧ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ ହୋଇଥିଲେ।
ଏହି ପଦବିରେ ଥିବା ସମୟରେ ତାଙ୍କର କ୍ଷମତା କ୍ରମଶଃ ବୃଦ୍ଧି ହୋଇଥିଲା ଓ କାର୍ଯ୍ୟ ପରିସର ବ୍ୟାପକ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନ ସମୟରେ ସେ ପରୋକ୍ଷ ଭାବେ ଦଳର ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ୍ ଥିଲେ । ଏହାପରେ ଦଳ କ୍ଷମତାକୁ ଆସିବା ପରେ ତାଙ୍କୁ ୫-ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ଏହାପରେ ସେ ଆହୁରି ଅଧିକ କ୍ଷମତାଶାଳୀ ହୋଇଉଠିଥିଲେ। ସଂପ୍ରତି ସେ ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଗଣିତ ହେଉଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031