Indus Valley Times

ଅଗ୍ନିଶମ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମକଡ୍ରିଲ କାର୍ଯ୍ୟକ୍ରମ

 Breaking News

ଅଗ୍ନିଶମ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମକଡ୍ରିଲ କାର୍ଯ୍ୟକ୍ରମ

April 18
11:25 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୪: ବୌଦ୍ଧ ଅଗ୍ନିଶମ ବିଭାଗ ପକ୍ଷରୁ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମକଡ୍ରିଲ ମାଧ୍ୟମରେ ଅଗ୍ନିକାଣ୍ଡ ଘଟିଲେ କିମ୍ବା ଅନ୍ୟ କୌଣସି ଦୁର୍ଘଟଣା ଘଟିଲେ କିପରି ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବ ତାହାଉପରେ ସଚେତନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଡା, ବିଜୟ ଦାଶ, ହସପିଟାଲ ମ୍ୟାନେଜର ଶଚ୍ଚିଦାନନ୍ଦ ପାଢୀ,ଏଏଫଓଙ୍କ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଡାକ୍ତରଖାନା କର୍ମଚାରୀମାନେ ଉପସ୍ଥିତଥିଲେ ।
ବିଜୁ ପଟ୍ଟନାୟକ ଶ୍ରାଦ୍ଧ ଉତ୍ସବ ପାଳିତ
ବୌଦ୍ଧ,୧୮/୪: ବିଜୁ ଜନତା ଦଳ ବୌଦ୍ଧ ନିର୍ବାଚନ ମଣ୍ଡଳି ପକ୍ଷରୁ ରବିବାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି । ସକାଳେ ସ୍ଥାନିୟ ବ୍ରିଜ ଛକ ଠାରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ପରେ କଲ୍ୟାଣ ମଣ୍ଡପ ଠାରେ ଏକ ଶ୍ରଦ୍ଧାଜଂଳି ସଭା ଅନୁଷ୍ଠିତ ହୋଇଥିଲା । ଏଥରେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ପ୍ରଭାସିନି ଦାସ, ଏନଏସି ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର, ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର. ସାଂସଦ ପ୍ରତିନିଧି ତାରେଣୀ ମହାପାତ୍ର, ଧୂରୀଣ ଦେହୁରୀ, ପୂର୍ବତନ ଉପାଧ୍ୟକ୍ଷ ବସନ୍ତ ସ୍ୱାଇଁ, ନିବାସ ଦାନୀ, ସୁବାସ ସାହୁ, ସଂଗ୍ରାମ ଦାଶ, କମଲ ଲୋଚନ ସାମଲ ପ୍ରମୁଖ ନବ ନିର୍ବାଚିତ କାଉନସିଲରମାନେ ଉପସ୍ଥିତଥିଲେ ।
ବୌଦ୍ଧ: ଜିଲ୍ଲା ପୁଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବୌଦ୍ଧ,୧୮/୪: ବୌଦ୍ଧଜିଲ୍ଲା ପୁଲିସ ପକ୍ଷରୁ ଆଜି ସ୍ଥାନିୟ ଟାଉନ ହଲ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଶିବିରରେ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏସପି ଜ୍ଞାନରଂଜନ ମହାନ୍ତି, .ଏସ.ପି ରବିନ୍ଦ୍ର କୁମାର ରାଉତ, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ , ରିଜର୍ଭ ଇନିସ୍ପେକ୍ଟର ମଧୁସୁଦନ ମହାପାତ୍ର, ସର୍ଜେଣ୍ଟ ଦୁଷମନ୍ତ ସାହୁ ଏଡି.ଏସ.ପି ଧିରେନ କୁମାର ସ୍ୱାଇଁ, ସାଲେଷ୍ଟିନ ଟିଗା, ଦେବାଶିଷ ଧଳ,ବୌଦ୍ଧ ଥାନା ଅଧିକାରୀ ମାଧବନନ୍ଦ ନାୟକ, ଅଧ୍ୟାପକ ପ୍ରବିର ଦାସ,ଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ସଭାପତି ବୁଲୁ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ।
ବାଇକ ଦୁର୍ଘଟଣାରେ ଜଣେ ମୃତ , ଆଉଜଣେ ଗୁରୁତର
ବୌଦ୍ଧ,୧୮/୪:ବୌଦ୍ଧଥାନା ଅନ୍ତର୍ଗତ ଜଗନ୍ନାଥ ସଡକର ତସଲା ପଡିଆ ଠାରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସଙ୍କୁଲେଇ ପଂଚାୟତର ପାଣିଘରା ଗ୍ରାମର ସୁରେନ୍ଦ୍ର ବେହେରା(୨୬) ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାଇ, ପାଣିଘରା ଗ୍ରାମର ସୁରେନ୍ଦ୍ର ବେହରୋ ଓ ବୁଲୁରା ଗ୍ରାମର ଅନିଲ କର୍ମୀ ଏକ ବାଇକ ଯୋଗେ କୌଣସି କାର୍ଯ୍ୟରେ ବୌଦ୍ଧକୁ ଆସି ଜଗନ୍ନାଥ ସଡକରେ ଘରକୁ ଫେରୁଥିବା ସମୟରେ ରାମଗଡ ପଂଚାୟତ ପଲସପାଟ ତସଲା ପଡିଆ ଠାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା । ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନିଲର ଅବସ୍ଥା ଗୁରୁତର ହେବାରୁ ତାକୁ ବୁର୍ଲାକୁ ସ୍ଥାନ୍ତରିତ କରାଯାଇଛି । ବୌଦ୍ଧ ପୋଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କଲାପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।
ବୌଦ୍ଧ ସହରରେ ଟାଣ ଛାଇ ଖୋଜୁଛି ପଥିକ
ବୌଦ୍ଧ,୧୮/୪: ବୌଦ୍ଧଜିଲ୍ଲା ଗତ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଜିଲ୍ଲାର ତାପମାତ୍ରା ପ୍ରାୟ ୪୨ ଡିଗ୍ରୀ ରହୁଛି । ଏପରିସ୍ଥଳେ ଲୋକେ ଦିନ ନଅଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।
ଟାଣ ଖରା ସାଙ୍ଗକୁ ଝାଜିଂ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏପରିସ୍ଥଳେ ବୌଦ୍ଧ ସହର ମଧ୍ୟରେ ଯାତାୟତ କରୁଥିବା ପଥିକ କ୍ଲାନ୍ତ ହୋଇ କେଉଁ ଗଛତଳେ ବିଶ୍ରାମ ନେବା ପାଇଁ ଚାହିଁଲେ ତାକୁ ଛାଇ ମିଳୁନାହିଁ ପଥିକକୁ ଛାଇ ଖୋଜିବାକୁ ପଡୁଛି । ଗତ କିଛି ବର୍ଷ ହେବ ସହରର ପ୍ରମୁଖ ରାସ୍ତା ଗୁଡିକ ପ୍ରଶସ୍ତି କରଣ କରାଯାଉଛି । ଯାହାଫଳରେ ବହୁ ମୂଲ୍ୟବାନ ଗଛ ସବୁ କାଟିବାକୁ ପଡିଥିଲା ।
ଫଳରେ ବର୍ତ୍ତମାନ ସେହିସବୁ ସ୍ଥାନ ଗୁଡିକ ଟାଙ୍ଗରା ଦିଶୁଛି । ସହରର ବାଘଗୁଡା ଛକ ଠାରୁ ହାତୀଶାଳ ଛକ, ନୂଆଁସାହି ଛକ ଠାରୁ ହାତୀଶାଳ ଛକ ଓ ନୂଆସାହି ଛକ ଠାରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାରେ ଗଲେ କାଁ ଭାଁ କେଉଁଠି ଗଛ ପଡୁଛି ।
ଟାଣ ଖରାରେ ଚାଲି ଚାଲି ଯାଉଥିବା ପଥିକମାନେ ଖରାରୁ ହାଲିଆ ହୋଇ କେଉଁଠି ଟିକିଏ ବିଶ୍ରାମ ନେବାକୁ ଚାହିଁଲେ ପ୍ରଥମେ ସେମାନେ କେଉଁଠି ଗଛ ଅଛି ଦେଖିବାକୁ ପଡୁଛି ।
ଯଦି ଓ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଏହି ରାସ୍ତା ଗୁଡିକରେ ବୃକ୍ଷ ରୋପଣ କରାଯାଇଛି । ଗଛ ଗୁଡିକ ଛୋଟ ଥିବାରୁ ଛାଇ ଦେଇପାରୁନାହିଁ । ବୌଦ୍ଧଗଡଜାତ ରାଜାଙ୍କ ସମୟରେ ରାସ୍ତା କଡମାନଙ୍କରେ ଆମ୍ବ, ଲିମ୍ବ, ଜାମୁ, କୃଷ୍ଣଚୂଡା, ବର ଓ ପିପଲ ଭଳି ଗଛ ଲଗାଉଥିଲେ । ଯାହାଫଳରେ ରାସ୍ତା ଗୁଡିକ ଛାଇ ହୋଇ ରହୁଥିଲା ।
ହେଲେ ରାସ୍ତା ପ୍ରଶସ୍ଥି କରଣ ପାଇଁ ଶହ ଶହ ବର୍ଷର ପୁରୁଣା ଗଛ ସବୁ କଟାଯିବାକୁ ପଡୁଛି । ଯେଭଳି ଭାବରେ ରାସ୍ତାରୁ ଗଛ କଟାଯାଇଛି । ସେଭଳି ମାତ୍ରାରେ ଗଛ ଲଗାଯାଇନଥିବାର ଅଭିଯୋଗ ହେଉଛି । ଏପରିକି ଗଛ କାଟିବା ପୂର୍ବରୁ ଆଗୁଆ କିପରି ଗଛ ଲଗାଯିବ ସେନେଇ କୈାଣସି ଯୋଜନା ମଧ୍ୟ ହୋଇପାରିଲା ନାହିଁ ।
ସବୁଜ ସୁନ୍ଦର ବୌଦ୍ଧ ନାରା ଦିଆଯାଉ ଥିବା ବେଳେ ବର୍ତ୍ତମାନ ସହରକୁ ଦେଖିଲେ ନାରା କେବଳ କଥାରେ ରହିଗଲା ଭଳିମନେ ହେଉଛି । ଚାରିଆଡେ କେବଳ କଂକ୍ରିଟମୟ ଦେଖାଯାଉଛି । ଯାହାଫଳରେ ସହରରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି ।

ସ୍କୁଲ ହତା ସାଜିଛି ମଦୁଆଙ୍କ ଆଡ୍ଡାସ୍ଥଳି
ବୌଦ୍ଧ,୧୮/୪: ବୌଦ୍ଧଜିଲ୍ଲାରେ ବେଆଇନ ଭାବରେ ମଦ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ବେଆଇନ ମଦକାରବାରକୁ ରୋକିବାରେ ପ୍ରଶାସନର ଆନ୍ତରିକତାର ଅଭାବ ଦେଖିବାକୁ ମିଳୁଛୁ । ଯାହାଫଳରେ ଜିଲ୍ଲା ଦିନକୁ ଦିନ କୁଚିଆ ମଦ ଦୋକାନ ବୃଦ୍ଧି ସଂଖ୍ୟା ପାଇବାରେ ଲାଗିଛି ।
ଏପରିକି ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଧର୍ମାନୁଷ୍ଠାନ ନିକଟରେ କୁଚିଆ ଭାଟି ଖୋଲି ଶାନ୍ତ ପରିବେଶକୁ ଅଶାନ୍ତ କରାଯାଉଥିବାର ଅଭିଯୋଗ ହେଉଛି । ସ୍କୁଲ ଗୁଡିକ ଶିକ୍ଷାଦାନ ପରେ ବନ୍ଦ ରହୁଛି । ସ୍କୁଲ ବନ୍ଦ ପରେ ସ୍ଥାନଟି ନିଛାଟିଆ ହୋଇରହୁଛି । ଯାହାଫଳରେ ମଦୁଆମାନଙ୍କ ପାଇଁ ସୁରକ୍ଷିତ ଜାଗା ହେଉଛି ।
ବିଶେଷକରି ସନ୍ଧ୍ୟା ସମୟରେ ମଦୁଆମାନେ ମଦ୍ୟପାନ କରିବା ପାଇଁ ସ୍କୁଲ ପରିବେଶ ମଧ୍ୟରେ ପଶି ନିର୍ଭୟରେ ମଦ୍ୟପାନ କରୁଛନ୍ତି । ଏପରିକି ଅନେକ ଶିକ୍ଷାନୁଷ୍ଠାନ ମଦ୍ୟପଙ୍କ ଆଡ୍ଡାସ୍ଥଳି ପାଲଟିଛି ।
ମଦ୍ୟପାନ କଲା ପରେ ସେଠାରେ ମଦ ବୋତଲ ଗୁଡିକ ଫୋପାଡି ଚାଲିଯାଉଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିିଳିଛି ବୌଦ୍ଧ ସହରସ୍ଥିତ ଖଲିଆବଗିଚା ବିଦ୍ୟାଳୟରେ ।
ବିଦ୍ୟାଳୟଟି ସହରର ମଧ୍ୟ ଭାଗରେ ଜାତୀୟ ରାଜପଥ କଡରେ ରହିଥିବା ବେଳେ ବିଦ୍ୟାଳୟର ପାଚେରୀର ଉଚ୍ଚତା କମ ରହିଛି । ଯାହାଫଳରେ ମଦ୍ୟପମାନେ ପାଚେରୀ ଡେଇଁ ନିର୍ଭୟରେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରି ସେଠାରେ ମଦ୍ୟପାନ କରି ବୋତଲ ଗୁଡିକ ସେଠାରେ ପକାଇ ଚାଲିଯାଉଛନ୍ତି ।
ଏନେଇ ବିଦ୍ୟାଳୟ କତୃପକ୍ଷ ବିଭିନ୍ନ ସମୟରେ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହାର ପ୍ରତିକାର ପାଇଁ ଆସନ୍ତା ସୋମବାର ଦିନ ବିଦ୍ୟାଳୟ ପରିଚାଳନା କମିଟିର ଏକ ବୈଠକ ହେବାର ନିଷ୍ପତି ନିଆଯାଇଛି । ଅନ୍ୟପାଖରେ ଜିଲ୍ଲାରେ ଅବକାରୀ ବିଭାଗ ନିଷ୍କ୍ରିୟ ରହିଛି ।
ବେଆଇନ ମଦ କାରବାରକୁ ରୋକିବା ପାଇଁ ବିଭାଗର ଆନ୍ତରିକତାର ଅଭାବ ଦେଖିବାକୁ ମିଳୁଛି । କେବଳ ଧର୍ମକୁ ଆଖି ଠାର ସଦୃଶ୍ୟ କାଭାଁ ଚଢାଉ କରି ନିଜର କାର୍ଯ୍ୟ ସଂପାଦନ କରୁଛି ।
ଯଦି ବିଭାଗର ଏଭଳି କାର୍ଯ୍ୟ ଚାଲେ ତାହାହେଲେ ଜିଲ୍ଲାରେ ଆଗାମୀ ଦିନରେ ବେଆଇନ ମଦ ଦୋକାନ ବୃଦ୍ଧି ହେବା ସହିତ ଆଇନଶୃଙ୍ଖଳା ଉପରେ ତାହାର ପ୍ରଭାବ ପଡିବ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031