Indus Valley Times

ଆଜିଠୁ ଏସିଆ କପ୍: ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ

 Breaking News

ଆଜିଠୁ ଏସିଆ କପ୍: ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ

ଆଜିଠୁ ଏସିଆ କପ୍: ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ
August 27
12:08 2022

ଦୁବାଇ, ୨୭/୮: ଶନିବାର ଠାରୁ ଆରମ୍ଭ ହେବ ଏସିଆ କପ୍‌ର ୧୫ତମ ସସ୍କରଣ । ଏହା ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଉଛି । କରୋନା ମହାମାରୀ ଯୋଗୁଁ ୪ବର୍ଷପରେ ୟୁଏଇରେ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି । ଗତ ୨୦୧୮ ସଂସ୍କରଣ ଦିନିକିଆ ଥିଲା । କିନ୍ତୁ ୨୦୧୬ ସଂସ୍କରଣ ପ୍ରଥମ ଥର ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯାଇଥିଲା ।
ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ ଗ୍ରୁପ୍ ବି’ର ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ସନ୍ଧ୍ୟା ୭.୩୦ ମିନିଟରୁ ଏହି ମ୍ୟାଚ୍ ଆରମ୍ଭ ହେବ । ଏସିଆ କପ୍ ପୂର୍ବ ଦିନିକିଆ ପ୍ରଦର୍ଶନ ଆଧାରରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ । ଦଳ ମୋଟ୍ ୫ ଥର ଚାମ୍ପିଅନ ହେବାର ଗୌରବ ଲାଭ କରିଛି । କିନ୍ତୁ ୨୦୧୬ ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଦଳର ପ୍ରଦର୍ଶନ ଏତେ ଭଲ ନଥିଲା । ଗୋଟିଏ ମ୍ୟାଚ୍ କେବଳ ୟୁଏଇ ନିକଟରୁ ବିଜୟୀ ହୋଇଥିଲା । ଏହି ସଂସ୍କରଣକୁ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିପାରି ନଥିଲା । ହେଲେ ୨୦୧୮ ଦିନିକିଆ ଫର୍ମାଟରେ ଆଫଗାନିସ୍ତାନ ଆକର୍ଷଣୀୟ ପ୍ରଦର୍ଶନ ସହ ଗ୍ରୁପ୍ ବି’ରେ ଟପ୍ପର ହୋଇଥିଲା । ଶ୍ରୀଲଙ୍କା ଗୋଟିଏ ବି ମ୍ୟାଚ୍ ଜିତି ପାରି ନଥିଲା । ଆଫଗାନିସ୍ତାନ ଠାରୁ ୯୧ ରନ୍ରେ ଏବଂ ବାଂଲାଦେଶ ଠାରୁ ୧୩୭ ରନ୍ରେ ପରାଜିତ ହୋଇଥିଲା ।
ଆଇସିସି ମାନ୍ୟତା ଅନୁସାରେ ଶ୍ରୀଲଙ୍କା ଏବେ ଅଷ୍ଟମ ସ୍ଥାନରେ ରହିଥିବାବେଳେ ଆଫଗାନିସ୍ତାନ ଦଶମ ସ୍ଥାନରେ ରହିଛି । ରସିଦ ଖାନ ଶ୍ରୀଲଙ୍କା ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଗତ ଆଇପିଏଲର କିଛି ମ୍ୟାଚ୍ରେ ସେ ଯେଉଁଭଳି ଅଲ୍ ରାଉଣ୍ଡ ପ୍ରଦର୍ଶନ କରି ଦଳକୁ ଜିତାଇଥିଲେ ତାହା ଦର୍ଶକ ଏ ପର‌୍ୟ୍ୟନ୍ତ ଭୁଲି ନାହାନ୍ତି । ଦାସୁନ ଶଣକାଙ୍କ ନେତୃତ୍ୱରେ ଶ୍ରୀଲଙ୍କା କିନ୍ତୁ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ।
ଦୁବାଇ, ସାରଜା ଦୁଇଟି ଭେନ୍ୟୁ
ଏହି ସଂସ୍କରଣ ଶ୍ରୀଲଙ୍କାରେ ଆୟୋଜିତ ହେବାର ଥିଲା । କିନ୍ତୁ ଦେଶରେ ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିବାରୁ ଶ୍ରୀଲଙ୍କା ବୋର୍ଡ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଅସମର୍ଥ ପ୍ରକାଶ କରିଥିଲା । ଶେଷରେ ୟୁଏଇକୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରାଯାଇଥିଲା । ୨୦୧୮ ସଂସ୍କରଣ ମଧ୍ୟ ୟୁଏଇରେ ଖେଳାଯାଇଥିଲା । ଏଥର ଦୁବାଇ ଓ ସାରଜା ଦୁଇଟି ଭେନ୍ୟୁରେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।
ଦିନିକିଆ, ଟି-ଟ୍ୱେଣ୍ଟିରେ ଭାରତ ଚାମ୍ପିଅନ
୧୯୮୪ ମସିହାରୁ ଏସିଆ କପ୍ ଆରମ୍ଭ ହୋଇଥିଲା । ଦିନିକିଆ ଫର୍ମାଟରେ ଶ୍ରୀଲଙ୍କାକୁ ହରାଇ ଭାରତ ପ୍ରଥମ ଚାମ୍ପିଅନ ହୋଇଥିଲା । ଏସିଆ କ୍ରିକେଟ୍ କାଉନସିଲ (ଏସିସି)ର ନିଷ୍ପତ୍ତିକ୍ରମେ ଯେଉଁ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳାଯିବ, ସେହିବର୍ଷ ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏହାପରେ ୨୦୧୬ ସଂସ୍କରଣ ଟି-ଟ୍ୱେଣ୍ଟି ହୋଇଥିଲା । ଭାରତ ୮ ୱିକେଟ୍ରେ ବାଂଲାଦେଶକୁ ହରାଇ ଚାମ୍ପିଅନ ହୋଇଥିଲା । ଭାରତ ସର୍ବାଧିକ (୧୯୮୪, ୧୯୮୮, ୧୯୯୦–୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮ ) ୭ ଥର ଚାମ୍ପିଅନ ହୋଇଥିବାବେଳେ ଶ୍ରୀଲଙ୍କା ୫ ଥର (୧୯୮୬, ୧୯୯୭, ୨୦୦୪, ୨୦୦୮, ୨୦୧୪) ଏବଂ ପାକିସ୍ତାନ ୨ ଥର (୨୦୦୦, ୨୦୧୨) ଜିତିଛି ।
ବିରାଟଙ୍କ ଉପରେ ନଜର
ଟି-ଟ୍ୱେଣ୍ଟିରେ ବିରାଟ କୋହଲିଙ୍କ ନାମରେ ସର୍ବାଧିକ ରନ୍ କରିବାର ରେକର୍ଡ ରହିଛି । ସେ ଏସିଆ କପ୍ରେ ୭ଟି ମ୍ୟାଚ୍ରୁ ୩୧୧ ରନ୍ (୩ଟି ଅର୍ଦ୍ଧଶତକ) ସଂଗ୍ରହ କରିଛନ୍ତି । ଅପରାଜିତ ୭୮ ସର୍ବାଧିକ ସ୍କୋର । ସେମିତି ବୋଲିଂରେ ପାକିସ୍ତାନର ଉମର ଗୁଲ ୬ଟି ମ୍ୟାଚ୍ରୁ ୧୧ଟି ୱିକେଟ୍ ହାସଲ କରିଛନ୍ତି । ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୋହଲି ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭଲ ଫର୍ମରେ ନାହାନ୍ତି । କିଛି ଦିନର ବିଶ୍ରାମ ପରେ ସେ ଏସିଆ କପ୍କୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଅଭ୍ୟାସରେ ସେ ବେଶ୍ ଚଳଚଞ୍ଚଳ ଜଣାପଡ଼ୁଛନ୍ତି । ନେଟ୍ସରେ ରୋହିତ ଶର୍ମାଙ୍କ ସହ ଛକା ଓ ଚୌକା ବର୍ଷା କରୁଥିବା ଦେଖିବାକୁ ମିଳୁଛି । ଆସନ୍ତା ୨୮ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ରହିଛି । ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।
ଭାରତୀୟ ଦଳର କଠିନ ଅଭ୍ୟାସ
ଗତ କିଛି ଦିନ ହେଲା ଭାରତୀୟ ଦଳ ଦୁବାଇରେ କଠିନ ଅଭ୍ୟାସ ଜାରି ରଖିଛି । ଅଭ୍ୟାସ ଦେଖିବା ପାଇଁ ସ୍ଥାନୀୟ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବରିଷ୍ଠ ଖେଳାଳି କୋହଲି, ରୋହିତଙ୍କ ସହ ଲୋକେଶ ରାହୁଲ, ପନ୍ତ, ପାଣ୍ଡ୍ୟା, କାର୍ତ୍ତିକ, ଭୁବନେଶ୍ୱର, ଅଭେଶ ଓ ଚହଲ ଦୀର୍ଘ ସମୟ ଧରି ନେଟ୍ସରେ ସମୟ ବିତାଉଥିବା ଦେଖିବାକୁ ମିଳିଛି ।
ଆହତ ୱାସିମ୍ ବାଦ୍
ରବିବାର ଖେଳାଯିବାକୁ ଥିବା ଭାରତ ବିପକ୍ଷ ଏସିଆ କପ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନକୁ ଆଉଏକ ଶକ୍ତ ଧକ୍କା ଲାଗିଛି । ପ୍ରମୁଖ ପେସ୍ ବୋଲର ସାହିନ ଆଫ୍ରିଦିଙ୍କ ପରେ ମହମ୍ମଦ ୱାସିମ୍ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି । ଗତ ଗୁରୁବାର ଆଇସିସି ଏକାଡେମୀ ଠାରେ ଅଭ୍ୟାସ ବେଳେ ୱାସିମ୍ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ସେ ଅଭ୍ୟାସରୁ ଦୂରେଇ ରହିଥିଲେ । ଏହାପରେ ତାଙ୍କ ଆହତ ସ୍ଥାନର ଏମ୍ଆର୍ଆଇ ସ୍କାନ୍ କରାଯାଇଥିଲା । ରିପୋର୍ଟରେ ଆହତ ସମସ୍ୟା ଜଟିଳ ଥିବା ଜଣାପଡ଼ିଥିଲା । ପାକିସ୍ତାନ କ୍ରିକେଟ୍ ବୋର୍ଡ଼ (ପିସିବି) ଆଜି ୱାସିମଙ୍କ ସ୍ଥାନରେ ହାସନ ଅଲିଙ୍କୁ ଦଳରେ ସାମିଲ୍ କରିଛି । ପୂର୍ବ ଘୋଷିତ ଦଳରୁ ତାଙ୍କୁ ପ୍ରଥମେ ବାଦ ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031