Indus Valley Times

ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ

 Breaking News

ଆଠ ମାସ ହେଲା ବିଏସଏନଏଲ ନେଟୱାର୍କ ଅଚଳ : ଅଧିକାରୀ ମାନଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଗ୍ରାମବାସୀ

February 19
22:36 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୯/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ସୁବର୍ଣ୍ଣଗିରି ପଞ୍ଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଯାହା ଫଳରେ ଗ୍ରାମବାସୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ କରାଯାଉ ନାହିଁ। ଉତ୍ୟକ୍ତ ଗ୍ରାମବାସୀ ବିଏସଏନଏଲ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୧୬ ମସିହାରୁ ସୁବର୍ଣ୍ଣଗିରି ଠାରେ ବିଏସଏନଏଲ ଟାଓ୍ବାର ବସିଛି।
କିନ୍ତୁ ଏହା ଠିକ ଭାବେ କାମ କରୁନାହିଁ। ଏବେ ପ୍ରାୟ ୮ ମାସରୁ ଉର୍ଦ୍ଧ ହେବ ବିଏସଏନଏଲ ନେଟୱାର୍କ ରହୁ ନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁବର୍ଣ୍ଣଗିରି, ପାଜିକେରି, ଜାକେଶୀ, ବାଣ୍ଡିଗୁଡା, ରାମନିଗୁଡା, ଭୀଷ୍ମଗିରି, କାମ୍ବରପଙ୍ଗା, ଲୁଦୁ, କୁଟିଗୁଡା, ଗାଜିନାଜୁ, ମୁଚଡ଼ି, ବୁଡୁକି, କାହମଗୁଡା ଭଳି ଆଖପାଖ ଗ୍ରାମରେ ପ୍ରାୟ ୭ ହଜାର ଲୋକ ରହୁଛନ୍ତି। ନେଟୱାର୍କ ନ ଥିବାରୁ ବିଭିନ୍ନ ପ୍ରକାର ଅନଲାଇନ କାମରେ ବାଧା ଉପୁଜିବା ସହ ଆମ୍ବୁଲାନ୍ସ ସହିତ ମଧ୍ୟ ଯୋଗାଯୋଗ କରି ହେଉନାହିଁ।
ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ଡାକ୍ତରଖାନାକୁ ନେବାକୁ ଅସୁବିଧା ହେଉଛି। ଗ୍ରାମବାସୀ ଦୀର୍ଘ ଦିନ ଧରି ଅଭିଯୋଗ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଏସଏନଏଲ ର ଡିଟିଏମ ଏବଂ ଅନ୍ୟ ଅଧିକାରୀ ସୁବର୍ଣ୍ଣଗିରି ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ। କାର୍ଯ୍ୟାଳୟ ଭିତରେ ଅଧିକାରୀ ମାନଙ୍କୁ ତାଲା ପକାଇ ଦେଇଥିଲେ ଗ୍ରାମବାସୀ।
ଏ ନେଇ କୋଟଗଡ ଥାନାକୁ ଖବର ଯିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପରୁ ଜବାନ ମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ସଦେଶ୍ୱର ପାଟମାଝି, ସୁବଳ ବାଗା ନାୟକ, ପଞ୍ଚଦେବ ପାଟଗୁରୁ, ବସନ୍ତ ପାଣିଗ୍ରାହୀ, ହରିହର ବଡ଼ଟିଆ, ସରୋଜ ପାଟମାଝୀ, ମାନସ ବଡ଼ଟିଆ, ଅରବିନ୍ଦ କୁମାର ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି।
କନ୍ଧମାଳର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ପରଲୋକ: ସମଗ୍ର ଅଞ୍ଚଳରେ ଶୋକର ଛାୟା
କନ୍ଧମାଳ, ୧୯/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ର ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ବ୍ରହ୍ମପୁର ଠାରେ ଚିକିତ୍ସିତ ହେଉଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ଦୁଇ ଦିନ ତଳେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା।
ସ୍ବର୍ଗତ ନାୟକ କଂଗ୍ରେସ ଦଳର ବରିଷ୍ଠ ନେତା ଥିଲେ। ସେ ୧୯୮୦,୧୯୯୧ ଓ ୧୯୯୬ରେ କଂଗ୍ରେସ ଦଳ ଟିକଟରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
ଏଥିସହ ସେ ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୫୨ ମସିହା ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ନାୟକ ମୂଳରୁ ଛାତ୍ର ରାଜନୀତି ସହିତ ସମ୍ପୃକ୍ତ ଥିଲେ। ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଉଚ୍ଚଶିକ୍ଷା ହାସଲ କରିବା ପରେ ଜାନକୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ନେତା ହିସାବରେ ତାଙ୍କର ଖ୍ୟାତି ରହିଥିଲା।
ତାଙ୍କର ବିୟୋଗ ଜିଲ୍ଲା କଂଗ୍ରେସରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡା। ମୃତ୍ୟୁଞ୍ଜୟଙ୍କ ପରଲୋକରେ କନ୍ଧମାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।ବୁଧବାର ଦିନ ଫୁଲବାଣୀରେ ତାଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା ।
ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉଦଯାପିତ : ହଜାର ହଜାର ଭକ୍ତଙ୍କ ସମାଗମ
ବାଲିଗୁଡା, ୧୯/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା\’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର ସମ୍ପାଦକ ଶିବରାମ ପ୍ରଧାନୀ ଙ୍କ ନେତୃତ୍ୱରେ ଶନିବାର ଠାରୁ ଆରମ୍ଭ ହୋଇ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି ।
ଏହି ଅବସରରେ ରୀତିନୀତି ଅନୁଯାଇ ଦେବତା ମହାସ୍ନାନ, ମଧ୍ୟ ରାତ୍ରୀରେ ଦେବତା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସହ ବିଭିନ୍ନ କର୍ମାରମ୍ଭ, ଦେବତା ନଗର ଭ୍ରମଣ, ଶୁଭଲଗ୍ନରେ ଦେବତା ସିଂହାସନ ଆରୋହଣ, ରତ୍ନମୁଦ ଉତ୍ସବ, ଘୃତଯଜ୍ଞ ପୂର୍ଣ୍ଣାହୁତି ଏବଂ ନାମଯଜ୍ଞ ପୂର୍ଣାହୁତି ସହ ସମଗ୍ର ନଗର କିର୍ତ୍ତନ ପରିକ୍ରମା କରାଯାଇଥିଲା ।
ଏଥିରେ ପୁରୋହିତ ଭାବେ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ରାମକୃଷ୍ଣ ଆଚାର୍ଯ୍ୟ, ନୀଳାଚଳ ମିଶ୍ର ଓ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିବା ବେଳେ କର୍ତ୍ତା ଭାବେ ଲୋକନାଥ ପାଢ଼ୀ, ମଦନ ମୋହନ ପାଢ଼ୀ ଓ ପ୍ରମୋଦ କୁମାର ସାହୁ (ମୁନା) ନିଜ ନିଜର କାର‌୍ୟ୍ୟ ସମ୍ପାଦନା କରିଥିଲେ । ଏହି ଅବସରରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930