Indus Valley Times

ଆସୁଛି ଦୁଇଟି ଲଘୁଚାପ, ୧୫ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

 Breaking News

ଆସୁଛି ଦୁଇଟି ଲଘୁଚାପ, ୧୫ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ବର୍ଷା

July 06
15:43 2022

ଭୁବନେଶ୍ୱର, ୬/୭ : ଉତ୍ତର ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷୁଛି । ଆଗ ପଛ ହୋଇ ଆହୁରି ଦୁଇଟି ଲଘୁଚାପ ହେବ । ଆସନ୍ତା ୯ ଓ ୧୩ ତାରିଖରେ ଦୁଇଟି ଲଘୁଚାପ ହେବ ।
ଏଥିଯୋଗୁଁ ୧୫ ତାରିଖ ଯାଏ ଲଗାଣ ବର୍ଷା ଜାରି ରହିବ । ୧୦ ଓ ୧୪ରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ ଦେଖାଇଛନ୍ତି ।
ପ୍ରଫେସର ଡା. ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ୯ ତାରିଖରେ ଗୋଟିଏ ଲଘୁଚାପ ହେବ । ମୌସୁମୀ ସକ୍ରିୟ ଥିବା ଓ ସମୁଦ୍ରରେ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହା ଅଧିକ ବର୍ଷା କରାଇପାରେ ।
୮ରୁ ୧୦ ତାରିଖ ଭିତରେ ପ୍ରବଳ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ୧୦ରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ତେବେ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ କମ୍ ରହିବ । ୧୩ରେ ରାଜ୍ୟରେ ଆଉ ଏକ ଲଘୁଚାପ ହେବ । ଏହା ଦକ୍ଷିଣ ଆଡ଼କୁ ଢଳି ରହିବ ।
ଏଥିପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହେବ । ୧୪ରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ ।
ଏବେ ଘୂର୍ଣ୍ଣିବଳୟ ଓ ଲଘୁଚାପ ସକ୍ରିୟ ଥିବାରୁ ବର୍ଷା ଜାରି ରହିବ । ଆଗକୁ ଲଘୁଚାପ ଥିବାରୁ ୧୫ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ଲଗାଣ ବର୍ଷା ହେବ ।
ଆସନ୍ତା ୧୦ ଦିନ ଭିତରେ ଦକ୍ଷିଣ ଓଡ଼ିଶାରେ ୧୮୦ ମିଲିମିଟର, ଉତ୍ତର ଓଡ଼ିଶାରେ ୮୦ମିମି ଓ ରାଜଧାନୀ ସମେତ ବାକି ଜିଲ୍ଲାରେ ୧୩୦ମିମି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ତେବେ ଚାଷୀଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ଅଧିକ ବର୍ଷା ସମ୍ଭାବନା ଥିବାରୁ ଜମିରୁ ପାଣି ନିଷ୍କାସନ ବ୍ୟବସ୍ଥା କରନ୍ତୁ ।
ଧାନ ତଳି ୧୫ ଦିନ ହୋଇଥିଲେ ଏହାକୁ ଲଗାଇ ପାରିବେ । ଜୁଲାଇ ଦ୍ୱିତୀୟ ସପ୍ତାହରେ ମକା ଲଗାଇ ପାରିବେ । ଅଣଧାନ ଫସଲ ଲଗାଇ ପାରିବେ । ଆଗରୁ ବୁଣାଧାନ ଲଗାଇଥିଲେ ଏହାର ବେଉଷଣ ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।
ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।
ଆରବ ସାଗର ଓ ବଙ୍ଗୋପସାଗରରୁ ମୌସୁମୀ ବାୟୁ ପ୍ରବାହ ଯୋଗୁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି । ୧୧ ତାରିଖ ଯାଏ ବର୍ଷା ଲାଗି ରହିବ ।
ସେହିଭଳି ଆସନ୍ତା ୮ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୧୧ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ ।
ଜୁଲାଇ ୧୩ ସୁଦ୍ଧା ଏହା ଗଭୀର ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ମହାନଦୀ, ବଂଶଧାରା ଓ ଋଷିକୂଲ୍ୟା ନଦୀ ଅବବାହିକାରେ ଅଧିକ ବର୍ଷା କରାଇବ ବୋଲି ସେ କହିଛନ୍ତି । ୧୨ରୁ ୧୫ ତାରିଖ ଭିତରେ ଧାନ ତଳି ଲଗାଇ ପାରିବେ ବୋଲି ଡ. ସାହୁ ପରାମର୍ଶ ଦେଇଛନ୍ତି ।
ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031