Indus Valley Times

ଆହୁରି ଦୁଇ ଦିନ ଜେଲ୍ରେ ରହିବେ ଟୁଟୁ ନାୟକ : ଜାମିନ୍ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

 Breaking News

ଆହୁରି ଦୁଇ ଦିନ ଜେଲ୍ରେ ରହିବେ ଟୁଟୁ ନାୟକ : ଜାମିନ୍ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

November 06
17:11 2023

ଭୁବନେଶ୍ବର,୬/୧୧: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ୮ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ଅପଡେଟ୍ କେସ ଡାଏରି ଓ ପୁରୁଣା କେସ୍ ରେକର୍ଡ ଦାଖଲ ଲାଗି ତଲବ କରାଯାଇଛି।
ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା। ମାମଲା ରୁଜୁ ହେବା ପରେ ଟୁଟୁଙ୍କୁ ଖାରବେଳନଗର ଥାନାରେ ହାଜର ହେବା ପାଇଁ ପୁଲିସ ପକ୍ଷରୁ ନୋଟିସ୍ କରାଯାଇଥିଲା।
ଅପରାହ୍ନ ପ୍ରାୟ ୨ଟା ୧୫ରେ ସେ ଥାନାରେ ପହଞ୍ଚିଥିଲେ। ଏହା ପରେ ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ପରେ ଅପରାହ୍ନ ୪ଟା ୧୫ରେ ତାଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଖାରବେଳନଗର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସୂଚନା ଅନୁସାରେ, ମହିଳା ସାମ୍ବାଦିକଙ୍କ ଅଭିଯୋଗ ଆଧାରରେ ଶୁକ୍ରବାର ଖାରବେଳନଗର ଥାନାରେ କେସ୍ ନଂ-୫୫୩/୨୩ ଓ ଆଇପିସି ଦଫା-୩୪୧, ୩୫୪, ୩୨୩, ୨୯୪ରେ ମାମଲା ରୁଜୁ ହୋଇଥିଲା।
ଘଟଣା ଘଟିଥିବା ଶ୍ରୀୟା, ସ୍ବାତୀ ସିନେମା ହଲ୍କୁ ପୁଲିସ ଯାଇଥିଲା। ସେଠାରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା। ଅଭିଯୋଗକାରୀ ସାମ୍ବାଦିକା ଓ ଅନ୍ୟ କେତେକଙ୍କର ବୟାନ ରେକର୍ଡ କରାଯାଇଥିଲା। ପ୍ରାଥମିକ ତଥ୍ୟପ୍ରମାଣ ଆଧାରରେ ଅଭିଯୁକ୍ତ ଟୁଟୁଙ୍କୁ ଗିରଫ କରାଯାଇଥିଲା।
ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଅଭିଯୋଗକାରୀଙ୍କର ସିଆରପିସି ଧାରା-୧୬୪ ଅନୁସାରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯିବ ବୋଲି ଖାରବେଳନଗର ଥାନାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମହିଳା କମିସନ। ଗଣମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ନିଜ ଆଡ଼ୁ ମାମଲାକୁ ଗ୍ରହଣ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ତଦନ୍ତ କରିବା ସହ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଆସନ୍ତା ୨୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଟୁଟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଜି ପୂର୍ବାହ୍ନରେ ରାଜଧାନୀର ମହିଳା ସାମ୍ବାଦିକମାନେ ଡିସିପି ପ୍ରତୀକ ସିଂହଙ୍କୁ ଭେଟି ଦାବିପତ୍ର ଦେଇଥିଲେ।
ସୂଚନାଯୋଗ୍ୟ, ଗତକାଲି ଏକ ଫିଲ୍ମର ପ୍ରିମିୟର ସୋ’ର ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଶ୍ରୀୟା, ସ୍ବାତୀ ହଲ୍କୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଟୁଟୁ ହଲ୍ରୁ ବାହାରି ଯାଉଥିବା ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ସହ ଅସଦାଚରଣ, ଗାଳିଗୁଲଜ କରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031