Indus Valley Times

ଇନଟ୍ରାକ୍ଲବ ଜୁନିଅର କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ: ଜିବିପି ଚାଂପିଆନ

 Breaking News

ଇନଟ୍ରାକ୍ଲବ ଜୁନିଅର କ୍ରିକେଟ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ: ଜିବିପି ଚାଂପିଆନ

December 29
10:24 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୧୨: ଓଡିଶା କ୍ରିକେଟ ଆସୋସିଏସନ ଦ୍ୱାରା ପ୍ରାୟୋଜିତ ଏବଂ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଇନଟ୍ରାକ୍ଲବ ଜୁନିଅର କ୍ରିକେଟ ଟୁର୍ଣ୍ଣାମେଂଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ଜିବିପି ଓ ଜେବିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଜିବିପି ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମ ଇନିଂସରେ ଜେବିସି ୨୫.୫ ଓଭର ଖେଳି ସମସ୍ତ ୱିକେଟ ହରାଇ ୧୩୮ ରନ୍ କରିଥିଲା । ଦଳ ପକ୍ଷରୁ ପ୍ରାଚୀନ ଦାଶ ୩୪ ବଲ୍‌ରୁ ୨୨ରନ୍ ଓ ଆଶୁତୋଷ ବାରିକ ୩୫ ବଲ୍‌ରୁ ୧୯ ରନ୍ ସଂଗ୍ରହ କରିଥିଲେ । ଜିବିପି ଦଳର ଅଂଶୁମାନ ନାଏକ ୫ଟି ଓ ଦେବାଶିଷ ବାଘ ୨ଟି ୱିକେଟ ଅକ୍ତିଆର କରିଥିଲେ ।
ଏହାର ଜବାବରେ ଦ୍ୱିତୀୟ ଇନିଂସରେ ଜିବିପି ଧୂଆଁଧାର ବ୍ୟାଟିଂ କରି ୨୩.୪ ଓଭରରେ ୬ ୱିକେଟ ହରାଇ ୧୪୧ରନ୍ କରିଥିଲା । ଫଳରେ ୪ ୱିକେଟରେ ଜିବିପି ଦଳ ବିଜୟୀ ହୋଇଥିଲା । ଦଳ ତରଫରୁ ଓମ ପ୍ରକାଶ ପ୍ରଧାନ ୭୬ ବଲ୍‌ରୁ ଅପରାଜିତ ୫୨ରନ୍ ଓ ଦେବାଶିଷ ବାଘ ୧୮ ବଲ୍‌ରୁ ୨୫ ରନ୍ କରିଥିଲେ । ଆଜିର ମ୍ୟାଚକୁ ଅଂପାୟାର ଭାବେ ଆଶୁତୋଷ ଦାଶ ଓ ବିଶ୍ୱଜିତ ପ୍ରଧାନ ଖେଳ ପରିଚାଳନା କରିଥିବାବେଳେ ଓସିଏ ସ୍କୋରର ଭାବେ ରବିନାରାୟଣ ସ୍ୱାଇଁ କାର୍ଯ୍ୟ ତୁଲାଇଥିଲେ । ଆଜିର ଫାଇନାଲ ମ୍ୟାଚରେ ଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ଉପ-ସଭାପତି ଲମ୍ବୋଦର ପୁରୋହିତ, କାର୍ଯ୍ୟକାରୀ ସଦସ୍ୟ ଅଜିତ କୁମାର ଦେହୁରୀ, ଦେବାଶିଷ ପୁରୋହିତ, ଜିଲ୍ଲା କ୍ରିକେଟ ଆସୋସିଏସନର ବରିଷ୍ଠ ସଦସ୍ୟ ଶେଖ୍ କଲିମୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଗତ ୬ ଦିନ ଧରି ଅନୁଷ୍ଠିତ ଇନଟ୍ରାକ୍ଲବ ଟୁର୍ଣ୍ଣାମେଂଟର ଅନ୍ତିମ ଦିବସରେ ପୁରସ୍କାର ବିତରଣୀ ଉତ୍ସବରେ ଅତିଥିମାନେ ବିଜୟୀ ଦଳକୁ ସିଲଭର ରନିଂ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ସିରିଜ ଭାବେ ଦେବାଶିଷ ବାଘ, ମ୍ୟାନ ଅଫ ଦି ମ୍ୟାଚ ଅଂଶୁମାନ ନାଏକ, ବେଷ୍ଟ ବୋଲର ଭାବେ ବାପୁନ ସାହୁ ଓ ବେଷ୍ଟ ବ୍ୟାଟ୍ସ ମ୍ୟାନ ଭାବେ ଦେବାଶିଷ ବାଘଙ୍କୁ ପୁରସ୍କୃତ କରାଯାଇଥିଲା ।
ରେଢାଖୋଲ ରେଲ ଷ୍ଟେସନରେ ସାର ରଖିବା ପାଇଁ ର‌୍ୟାକ ନିର୍ମାଣ କରିବାକୁ ଭାରତୀୟ କିଷ।।ନ ସଂଘ ପକ୍ଷରୁ ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୯/୧୨; ରେଢାଖୋଲ ରେଲ ଷ୍ଟେସନରେ ସାର ରଖିବା ପାଇଁ ର‌୍ୟାକ ନିର୍ମାଣ କରିବା ସମେତ ଏକ ତିନି ଦଫା ଦାବିପତ୍ର ଭାରତୀୟ କିଷାନ ସଂଘ ପକ୍ଷରୁ ରେଲ ବିଭାଗର ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ କିଷାନ ସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଡିଆରଏମଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।
ଦାବିପତ୍ରରେ ଜଣାଇଛନ୍ତି ଯେ ବୌଦ୍ଧ, ସୋନପୁର ଜିଲ୍ଲା ସମେତ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଆଦି ଅଂଚଳର ଚାଷୀଙ୍କ ପାଇଁ ଉଦ୍ଦଷ୍ଟି ସାର ରେଢାଖୋଲ ଷ୍ଟେସନରେ ର‌୍ୟାକ ନଥିବା ହେତୁ ସିଧା ବଲାଙ୍ଗିର ଚାଲିଯାଉଛି ।
ଫଳରେ ସାର ପାଇବା ପାଇଁ ବଲାଙ୍ଗିର ଉପରେ ଏ ଅଂଚଳର ଚାଷୀ ନିର୍ଭର କରୁଛନ୍ତି । ସମୟ ସମୟରେ ଏ ଅଂଚଳର ପାଇଁ ଉଦ୍ଦିଷ୍ଟ ସାର ବଲାଙ୍ଗିର ଚାଷୀଙ୍କ ଠାରୁ ବଳିଲେ ଏ ଅଂଚଳ ଚାଷୀଙ୍କୁ ଦିଆଯାଏ ନଚେତ ନାହିଁ । ସାର ଅଭାବରେ ବୌଦ୍ଧଜିଲ୍ଲାର ଚାଷୀ ବାରମ୍ବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରନ୍ତି ଓ ଆଇନ କାନୁନ ପରିସ୍ଥିତି ସୃଷ୍ଟିହୁଏ । ଏହା ଛଡା ବଲାଙ୍ଗିର ଠାରୁ ସାର ଆଣିବା ଦ୍ୱାରା ଚାଷୀ ଅଯଥା ଅତ୍ୟାଧିକ ଖର୍ଚ୍ଚାନ୍ତ ହୋଇଥାଏ ।
ଏଣୁ ରେଢାଖୋଲ ରେଲଷ୍ଟେସନରେ ସାର ଗଚ୍ଛିତ ରଖିବା ପାଇଁ ତୁରନ୍ତ ଏକ ର‌୍ୟାକ ନିର୍ମାଣ କରାଯାଉ ବୋଲି ଦାବି କରିବା ସହିତ ରେଢାଖୋଲ ଷ୍ଟେସନରେ ରାଜସ୍ୱ ଆୟ ହେଉଥିବାର ପ୍ରାୟ ୭୫ ପ୍ରତିଶତ ବୌଦ୍ଧ ଅଂଚଳର ଯାତ୍ରୀ ଦେଇଥାନ୍ତି ।
କିନ୍ତୁ ତାଙ୍କରି ସୁବିଧା ପ୍ରତି କୌଣସି ଧ୍ୟାନ ଦିଆନ ଯିବା ଦୁଃଖର ବିଷୟ । ଏ ଅଂଚଳର ଯାତ୍ରୀ ଜାତୀୟ ରାଜପଥରେ ଓହ୍ଲାଇ ପାଦଚଲା ରାସ୍ତାରେ ମାତ୍ର କେଇ ମିଟର ଯାଇ ଷ୍ଟେସନରେ ପଂହଚି ପାରୁଥିଲେ । କିନ୍ତୁ ଦୁଇ ନମ୍ବର ପ୍ଲାଟ ଫର୍ମ ନିର୍ମାଣ ହେବା ପରେ ଉକ୍ତ ରାସ୍ତାକୁ ସଂପର୍ଣ୍ଣ ବନ୍ଦ କରି ଦିଆଯାଇଛି । ବର୍ତ୍ତମାନ ଷ୍ଟେସନ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ସୁଣ୍ଡିମୁଣ୍ଡା ଛକରେ ବସ ସବୁ ରହୁଥିବାରୁ ଯାତ୍ରୀମାନେ ପିଲାଛୁଆ ଓ ଜିନିଷ ପତ୍ର ଧରି ଦୁଇ କିଲୋମିଟର ଯାତ୍ରା କରିବା ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଜାତୀୟ ରାଜ ପଥରୁ ଓହ୍ଲାଇ ଯାତ୍ରୀ ସୁଉଚ୍ଚ ଷ୍ଟେସନକୁ ପାଦରେ ଯିବା ଆସିବା କରୁଛନ୍ତି । ଯାହାଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏଣୁ ଯାତ୍ରୀଙ୍କ ସୁବିଧା ପାଇଁ ପାଦଚଲା ରାସ୍ତା ନିର୍ମାଣ କରାଯାଉ । ଚାଷୀମାନେ ଦେଶର ଅନ୍ନଦାତା । ସେମାନେ ବିଭିନ୍ନ ପ୍ରଗତି ଶିଳ ରାଜ୍ୟକୁ ଯାଇ ତାଙ୍କର ଚାଷ ପ୍ରଣାଳୀ ଅନୁକରଣ କରି ନିଜର ଚାଷ ଅନୁରୁପ ଭାବରେ ପରିବର୍ତ୍ତନ କରନ୍ତି ଓ ଅଧିକ ଅମଳ କରନ୍ତି ।
ସେଥିପାଇଁ ରେଳ ବିଭାଗ ତାଙ୍କର ରେଳଯାତ୍ରା ପାଇଁ ରିହାତି ଦିଆଯାଇଥାଏ । କିନ୍ତୁ କୋଭିଡ ଯୋଗୁଁ ତାହା ବନ୍ଦ କରି ଦିଆଯାଇଛି । ଏଣୁ ରେଳ ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ ପୁନର୍ବାର ରିହାତି ଦିଆଯାଉ ନଚେତ ଆଗାମୀ ଦିନରେ ଭାରତୀୟ କିଷାନ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଚିତାବନି ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ସଭାପତିଙ୍କ ସମେତ ଦୁତିବାହନ କମ୍ପ,ତପନ ଡାଙ୍ଗ,ସୁଶିଲ ଭୋକ୍ତା, ଆରତ ଧଳ, ସଦାନନ୍ଦ ସାହୁ,ନରହରି ପ୍ରଧାନ ପ୍ରମୁଖ ସାମିଲଥିଲେ ।
ସର୍ବ ଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ତୀରନ୍ଦାଜ ପ୍ରତିଯୋଗିତାରେ ବୌଦ୍ଧର ସୌମ୍ୟାଶ୍ରୀ ସାହୁ
ବୌଦ୍ଧ,୨୯/୧୨: ପଞ୍ଜାବ ରାଜ୍ୟ ଅନ୍ତର୍ଗତ ଭଟିଣ୍ଡା ଜିଲ୍ଲା ତଲୱଣ୍ଡି ସାବୋ ଠାରେ ଗୁରୁକାଶୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନ୍ତଃ ବିଶ୍ୱବିଦ୍ୟାଳୟ ତୀରନ୍ଦାଜ ଚମ୍ପିୟାନସିପ ଗତ ୨୩ ତାରିଖ ଠାରୁ ୨୮ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା,ଏଥିରେ ସମ୍ବଲପୁର ଇନଷ୍ଟିଚ୍ୟୁଟ ଇନଫରମେସନ ଏଣ୍ଡ ଟେକ୍ନୋଲୋଜିରେ ଅଧ୍ୟୟନ ବୌଦ୍ଧର ସୁଶ୍ରୀ ସୌମ୍ୟଶ୍ରୀ ସାହୁ ଅଂଶଗ୍ରହଣ କରିଥିଲେ, ମହିଳା ବର୍ଗ ଇଣ୍ଡିଆନ ରାଉଣ୍ଡରେ ୩୩୫ଜଣ ଛାତ୍ରୀ ଭାଗ ନେଇଥିଲେ,ସୁଶ୍ରୀ ସାହୁ ୭୨ତମ ସ୍ଥାନରେ ରହି ଓଡିଶା ଓ ବୌଦ୍ଧ ଜିଲ୍ଲାର ଗର୍ବ ଆଣିଛନ୍ତି,ସେ ଆଜି ବୌଦ୍ଧ ବସଷ୍ଟାଣ୍ଡ ରେ ପହଂଚିବା ପରେ ତାଙ୍କୁ ଏବଂ କୋଚ ସୁଧନ୍ୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା,ଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ସୂର୍ଯ୍ୟକାନ୍ତ ଦଳବେହେରା, ସମ୍ପାଦକ ଅର୍ଜୁନ କହଁର, ଭାରତ ସ୍ୱାଭିମାନ ଟ୍ରଷ୍ଟର ଜିଲ୍ଲା ପ୍ରଭାରୀ ଦେବାଶିଷ ପୁରୋହିତ, ହାବିଲଦାର ଓ କନେଷ୍ଟବଲ ସଂଘର ସମ୍ପାଦକ ହୃଷିକେଶ ମେହେର, ସମାଜସେବୀ ବିସିକେଶନ ପ୍ରଧାନ, ଅକ୍ଷୟ ମହାକୁଡ଼ ଉପସ୍ଥିତ ରହିଥିଲେ, ସୁଶ୍ରୀ ସାହୁଙ୍କ ପିତା ବିଶ୍ୱରଞ୍ଜନ ସାହୁ ଏବଂ ମାତା ଡାକ୍ତର ସଲିଳଵାଲା ସାହୁ ବୁଟୁପାଲି ଅଧିବାସୀ ଅଟନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031