Indus Valley Times

ଏଥର ଏଲଇଡି ପରଦାରେ ଧବଳେଶ୍ୱରଙ୍କ ଦର୍ଶନ: କଟକ ଜିଲ୍ଲାପାଳ

 Breaking News

ଏଥର ଏଲଇଡି ପରଦାରେ ଧବଳେଶ୍ୱରଙ୍କ ଦର୍ଶନ: କଟକ ଜିଲ୍ଲାପାଳ

November 02
17:47 2022

ଆଠଗଡ଼,୨/୧୧: ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା। ଝୁଲାପୋଲ ଅସୁରକ୍ଷିତ ଥିବା ଦର୍ଶାଇ ପୀଠ ଚାରିପଟେ ଲାଗୁ ହୋଇଛି ୧୪୪ ଧାରା। ପ୍ରଶାସନର ଏହି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଶକ୍ତ ଝଟକା ଦେଇଥିବା ବେଳେ ଏବେ ଏଥିରେ ମଲମ ଲଗାଇବାକୁ ଚେଷ୍ଟା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି।
ଏଥର ଚର୍ମଚକ୍ଷୁ ନୁହେଁ, ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ବାବାଙ୍କ ସମସ୍ତ ରୀତିନୀତି ସମ୍ପନ୍ନ କରାଯିବା ସହ ଗଜଭୋଗ ବି ଶ୍ରଦ୍ଧାଳୁ ପାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ।
ଏନେଇ ଜିଲ୍ଲାପାଳ କହିଛନ୍ତି, ଝୁଲା ପୋଲ ଅବସ୍ଥା ଯାହା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯାତାୟତ କରିବା ବିପଦସଙ୍କୁଳ । ଅନ୍ୟ କୌଣସି ମାର୍ଗରେ ବି ଶ୍ରଦ୍ଧାଳୁଙ୍କୁ ପୀଠକୁ ନିଆଯିବା ସମ୍ଭବ ନୁହେଁ । ତେଣୁ ୧୪୪ ଧାରା ଲାଗୁ କରାଯାଇଛି। ହେଲେ ଏଥିରେ ଭକ୍ତମାନେ ନିରାଶ ହେବାର ଆବଶ୍ୟକତା ନାହିଁ।
କାରଣ ଚଳିତ ବର୍ଷ ଭକ୍ତମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ ସିଧାସଳଖ କରି ନ ପାରିଲେବି ଭର୍ଚୁଆଲ ଦର୍ଶନ କରିପାରିବେ । ଏଥିନିମନ୍ତେ ଝୁଲା ପୋଲ ନିକଟରେ କରାଯିବ LED ଟିଭିର ବ୍ୟବସ୍ଥା । ଏଥିସହ ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଭକ୍ତଙ୍କ ମଧ୍ୟରେ ବିତରଣ ବ୍ୟବସ୍ଥା ବି କରାଯିବ । ଏହାବାଦ ଛୋଟ ଛୋଟ ଦୋକାନୀ ଧବଳେଶ୍ୱରଙ୍କ ନିକଟରେ ପ୍ରତିବର୍ଷ କରୁଥିବା ମେଳାକୁ ଚଳିତ ବର୍ଷ ବି ବନ୍ଦ କରାଯିବନି। ଜିଲ୍ଲା ପ୍ରଶାସନ ଏଥିନିମନ୍ତେ ସ୍ଥାନ ଚିହ୍ନଟ କରି ଦୋକାନୀମାନଙ୍କୁ ବିତରଣ କରିବ ।
ଜିଲ୍ଲାପାଳଙ୍କ ଏହି ଘୋଷଣା ପରେ ନିରାଶ ହୋଇ ପଡ଼ିଥିବା ଭକ୍ତଙ୍କ ମନରେ ଦେଖାଦେଇଛି ସାମାନ୍ୟ ଉତ୍ସାହ। ଅର୍ଥାତ ୧୪୪ ଧାରା ଜାରି ସତ୍ତ୍ୱେ ଏଲଇଡିରେ ବାବାଙ୍କ ଦର୍ଶନ ପାଇ ନିଜ ଗୁହାରୀ ଜଣାଇପାରିବେ ଓ ଆର୍ଶୀବାଦ ଭିକ୍ଷା କରିପାରିବେ ବୋଲି ଆଶା ରଖିଛନ୍ତି।
ଗୁଜରାଟରେ ଝୁଲା ପୋଲ ଟ୍ରାଜେଡି ପରେ ତତ୍ପର ହୋଇପଡ଼ିଥିବା ସ୍ଥାନୀୟ ପ୍ରଶାସନ କଲିକତାରୁ ବୈଷୟିକ ଟିମ୍ ଆଣି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ପୋଲରେ ଫାଟ ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ପ୍ରଥମେ ପୋଲ ବନ୍ଦ ହେବା ପରେ ଡଙ୍ଗାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା। ମାତ୍ର ପରେ ଏହା ସମ୍ଭବ ନୁହେଁ କହି ସମ୍ପୂର୍ଣ୍ଣ ରୂପେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଆଗମନକୁ ବନ୍ଦ କରିଦିଆଯାଇଛି।
ଏବେ ସେଠାରେ ପୁଲିସ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି । ଝୁଲାପୋଲରେ କଳଙ୍କି ଲାଗିଥିବା ସମସ୍ତ ସ୍ଥାନ ସହ ଫାଟ ବି ବୁଲି ଦେଖିଛନ୍ତି ଜିଲ୍ଲାପାଳ ।
ଝୁଲାପୋଲର ମରାମତି ପାଇଁ ଅନିର୍ଦ୍ଦିଷ୍ଟକାଳ ପର‌୍ୟ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବପର ନୁହେଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ପଞ୍ଚକ । ଶ୍ରଦ୍ଧାଳୁଙ୍କ କୋଳାହଳରେ ଯେଉଁ ଜାଗା ଫାଟି ପଡ଼ିବା କଥା, ସେଠାରେ ଆଜି ଖାଁ ଖାଁ ପରିବେଶ । ଦୂରଦୂରାନ୍ତରୁ ବାବାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ନିରାଶ ହୋଇ ଫେରୁଥିବା ବେଳେ ପଞ୍ଚକରେ ଏଲଇଡି ମାଧ୍ୟମରେ ପାଇପାରିବେ ଦର୍ଶନ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031