Indus Valley Times

ଏନ୍‌ଏଚ୍‌-୧୬ରୁ ଜବରଦଖଲ ଉଚ୍ଛେଦ, ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ

 Breaking News

ଏନ୍‌ଏଚ୍‌-୧୬ରୁ ଜବରଦଖଲ ଉଚ୍ଛେଦ, ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ

ଏନ୍‌ଏଚ୍‌-୧୬ରୁ ଜବରଦଖଲ ଉଚ୍ଛେଦ, ଦୁଇ ପ୍ଲାଟୁନ୍ ପୁଲିସ ମୁତୟନ
November 05
11:22 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୫/୧୧: ଜାତୀୟ ରାଜପଥ-୧୬ର ରାସ୍ତା ଅଧିକାର ସୀମା (ରାଇଟ୍ ଅଫ୍ ୱେ) ମଧ୍ୟରେ ହୋଇଥିବା ବେଆଇନ ନିର୍ମାଣ ଓ ଜବରଦଖଲ ଉଚ୍ଛେଦ ପାଇଁ ଖୋରଧା ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଖୋରଧା ତହସିଲ ଅନ୍ତର୍ଗତ ଜଙ୍କିଆ ଥାନା ଅଧୀନ ମୁଣ୍ଡାଆମ୍ବ ଗ୍ରାମ ନିକଟରେ ବୁଧବାର ଏହି ଉଚ୍ଛେଦ ଅଭିଯାନ ଚାଲିଥିବାବେଳେ ଦୁଇ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀ ସହ ମହିଳା ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଏନ୍‌ଏଚ୍‌ଏଆଇର ଅଧିକାରୀମାନେ ବେଆଇନ ନିର୍ମାଣ ହଟାଇଥିଲେ।
ବୁଧବାର ସକାଳ ୧୦ଟାରୁ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଅଧିକୃତ ଅଧିକାରୀ ମାନଙ୍କ ଦ୍ୱାରା ଉଚ୍ଛେଦ କାର‌୍ୟ୍ୟ ଆରମ୍ଭ ହୋଇଥିଲା। ଜାତୀୟ ରାଜପଥର ରାସ୍ତା ଅଧିକାର ସୀମା ମଧ୍ୟରେ ରହିଥିବା ଜବରଦଖଲ ଓ ବେଆଇନ ନିର୍ମାଣ ହଟାଇବା ନିମନ୍ତେ ଏନ୍‌ଏଚ୍‌ଏଆଇର ବ୍ରହ୍ମପୁରସ୍ଥିତ ପ୍ରକଳ୍ପ କାର‌୍ୟ୍ୟାନ୍ୱୟନ ୟୁନିଟ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ପ୍ରଶାସନ ଓ ପୁଲିସର ସହଯୋଗ ଲୋଡ଼ିଥିଲେ।
ଏ ସଂକ୍ରାନ୍ତରେ ଖୋରଧା ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଗତ ନଭେମ୍ବର ୩ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଜଙ୍କିଆ ଥାନା ଅଧିକାରୀଙ୍କୁ ଆବଶ୍ୟକ ସଂଖ୍ୟକ ପୁଲିସ ଅଧିକାରୀ, କନଷ୍ଟେବଳ ଓ ହୋମ୍‌ଗାର୍ଡଙ୍କ ସହ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ରହିବାକୁ କୁହାଯାଇଥିଲା।
ଉଚ୍ଛେଦ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବା ଏବଂ ସମ୍ଭାବ୍ୟ ବିରୋଧ ଓ ଉତ୍ତେଜନାକୁ ଏଡ଼ାଇବା ପାଇଁ ଦୁଇ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀ ନିୟୋଜିତ ହୋଇଥିଲେ।
ନିର୍ଦ୍ଧାରିତ ସମୟ ସକାଳ ୮ଟା ସୁଦ୍ଧା ପୁଲିସ ବାହିନୀ ଜଙ୍କିଆ ଥାନାରେ ରିପୋର୍ଟ କରିବା ପାଇଁ ରାଜସ୍ୱ ନିରୀକ୍ଷକ ଓ ରାଜସ୍ୱ ଅଧିକାରୀଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଥିଲା।
ଖୋରଧାର ଅତିରିକ୍ତ ତହସିଲଦାର ତଥା ଓଡ଼ିଶା ରାଜସ୍ୱ ସେବା (ଓଆର୍‌ଏସ୍‌) ଅଧିକାରୀ ଡି. ଗୋପାଳ ରେଡ୍ଡୀଙ୍କୁ ଉଚ୍ଛେଦ ଅଭିଯାନ ପାଇଁ ନିୟୋଜିତ ପୁଲିସ ବାହିନୀର ଦାୟିତ୍ୱରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଥିଲା। ସେ ସମଗ୍ର ଉଚ୍ଛେଦ ପ୍ରକ୍ରିୟାର ତଦାରଖ କରିବା ସହ ଆଇନଗତ ପ୍ରକ୍ରିୟା ଅନୁଯାୟୀ କାର୍ଯ୍ୟ ସମ୍ପାଦନ ସୁନିଶ୍ଚିତ କରିଥିଲେ। ସେହିପରି ଖୋରଧା ଉପଖଣ୍ଡ ପୁଲିସ ଅଧିକାରୀ (ଏସ୍‌ଡିପିଓ) ଘଟଣାସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିବାବେଳେ ଜଙ୍କିଆ ପୁଲିସ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲା।
ସୂଚନାନୁଯାୟୀ, ଗତ ଅକ୍ଟୋବର ୨୩ ତାରିଖରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଜବରଦଖଲ ଉଚ୍ଛେଦ ନିମନ୍ତେ ପ୍ରଶାସନିକ ହସ୍ତକ୍ଷେପ ଓ ପୁଲିସ ସୁରକ୍ଷା ଲୋଡ଼ାଯାଇଥିଲା।
ଏହାକୁ ଆଧାର କରି ଅକ୍ଟୋବର ୨୬ ତାରିଖରେ ଖୋରଧା ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବରୁ ଉଚ୍ଛେଦ ସମୟରେ ସମ୍ଭାବ୍ୟ ବିରୋଧ ଓ ଉତ୍ତେଜନାର ଆଶଙ୍କା ଥିବାରୁ ରାଜସ୍ୱ ଓ ପୁଲିସ ବିଭାଗର ମିଳିତ ଉପସ୍ଥିତି ସୁନିଶ୍ଚିତ କରାଯାଇଥିଲା।
ତେବେ ପ୍ରଶାସନର ସୁଚିନ୍ତିତ ପ୍ରସ୍ତୁତି ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଉଚ୍ଛେଦ କାର୍ଯ୍ୟ ସମୟରେ କୌଣସି ଅପ୍ରୀତିକର ଘଟଣା କିମ୍ବା ଆଇନଶୃଙ୍ଖଳା ସମସ୍ୟା ଦେଖାଦେଇନଥିଲା। ଶାନ୍ତିପୂର୍ଣ୍ଣ ଭାବେ ସମଗ୍ର ଅଭିଯାନ ସମ୍ପନ୍ନ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30