Indus Valley Times

ଏସଡିଜେଏମଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଲେ ଜଜ୍

 Breaking News

ଏସଡିଜେଏମଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଲେ ଜଜ୍

November 28
17:28 2022

ବ୍ରହ୍ମପୁର,୨୮/୧୧: ଏକ ମାମଲାର ଶୁଣାଣି ଚାଲିଥିବା ବେଳେ SDJMଙ୍କୁ ଛୁରାରେ ଆକ୍ରମଣ କରିବାକୁ ଉଦ୍ୟମ କରିଛି ଜଣେ ଯୁବକ। ତେବେ ସୌଭାଗ୍ୟକୁ କୋର୍ଟ ରୁମ୍ରେ ଥିବା ଓକିଲମାନେ କୌଣସି ମତେ ଯୁବକଙ୍କୁ କାବୁ କରିବାରୁ ଏକ ବଡ଼ ଅଘଟଣ ଏଡ଼ାଇ ଦିଆଯାଇପାରିଛି। ଆଜି ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି।
ଘଟଣା ପରେ ପୁଲିସ ପହଞ୍ଚି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଯୁବକଙ୍କ ନାଁ ଭଗବାନ ସାହୁ ଓ ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। କୌଣସି ଏକ ମାମଲାରେ ସେ ଆଜି କୋର୍ଟକୁ ଆସିଥିଲେ ତେବେ ସୁରକ୍ଷା ବ୍ୟବସ୍ଥା ଢିଲାଥିବା ଦେଖି ଏସ୍ଡିଜେଏମ୍ଙ୍କ ଡାଏସ୍ ଉପରକୁ ଛୁରୀ ଧରି ଚଢ଼ି ଯାଇଥିଲେ। କୋର୍ଟକୁ ଆସିବା ବେଳେ ସେ ମଦ୍ୟପାନ କରିଥିବା ସୂଚନା ମିଳିଛି।
ଏନେଇ ପ୍ରତ୍ୟେକ୍ଷଦର୍ଶୀ ଆଇନଜୀବୀ କୁନାଲ ସାହୁ କହିଛନ୍ତି, କୋର୍ଟ ରୁମ୍ରେ ଏସ୍ଡିଜେଏମ୍ କୌଣସି କାମରେ ବ୍ୟସ୍ତ ଥିବା ବେଳେ ସମ୍ପୃକ୍ତ ଯୁବକ ଆକ୍ରମଣ କରିଥିଲା। ଯେହେତୁ ଆଜି ଆଇନଜୀବୀମାନେ ସତ୍ୟାଗ୍ରହ ଆନ୍ଦୋଳନ କରୁଥିଲେ, କୋର୍ଟ କାମରେ ଯୋଗ ଦେଇ ନ ଥିଲେ। ତେବେ କୋର୍ଟ ରୁମ୍ରେ ସମ୍ପୃକ୍ତ ଯୁବକ ଆକ୍ରମଣ ଉଦ୍ୟମ କରୁଥିବା ଜାଣିବା ପରେ ଆଇନଜୀବୀମାନେ ପହଞ୍ଚି ଥିଲେ। ଏହି ସମୟରେ ଜଜ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ହାବୁଡ଼ରୁ ରକ୍ଷା ପାଇବା ନିମନ୍ତେ ଉଦ୍ୟମ କରୁଥିଲେ। ତେବେ ବହୁ କଷ୍ଟରେ ଆଇନଜୀବୀମାନେ ସମ୍ପୃକ୍ତ ଯୁବକକୁ କାବୁ କରିବା ପରେ ଏକ ବଡ଼ ଅଘଟଣ ରୋକାଯାଇପାରିଥିଲା।
ଏନେଇ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି, ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ସମ୍ପୃକ୍ତ ଯୁବକ ଜଣକ ଛୁରୀ ଧରି ଜଜ୍ଙ୍କୁ ମାରିଦେବି କହି ଆକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ଜଜ୍ଙ୍କ ପାଖରେ ଥିବା ପିଅନ ଓ ପେଷ୍କାର ଏହି ଆକ୍ରମଣକାରୀକୁ କାବୁ କରିଥିଲେ। ପରେ ନିକଟରେ ଥିବା ପୁଲିସକୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ଓ ଓ ଛୁରୀକୁ ଜବତ କରାଯାଇଛି। ତାଙ୍କ ବୟସ ପ୍ରାୟ ୫୨ ବର୍ଷ ହେବ। ତାଙ୍କ ନାମରେ ୪ଟି ମାମଲା ଥିବା ଜଣାପଡ଼ିଛି। ତେବେ ସେ ଆଜି କାହିଁକି କୋର୍ଟକୁ ଆସିଥିଲେ ଓ ଜଜ୍ଙ୍କୁ ଆକ୍ରମଣ କଲେ ତାହାର ତଦନ୍ତ ଚାଲିଛି। କୋର୍ଟ ସୁରକ୍ଷା ନେଇ ପୂର୍ବରୁ ସିନିୟର ଅଫିସ୍ ମିଟିଂରେ ହୋଇଥିବା ଅଲୋଚନା ଅନୁଯାୟୀ ତଥା ଜିଲ୍ଲା ଜଜ୍ଙ୍କ ନିର୍ଦ୍ଦେଶ ମୁତାବକ ଗୋଟିଏ ହାବିଲଦାର ଓ ୪ ଜଣ କନଷ୍ଟେବଳ ମୁତୟନ ହୋଇଥିଲେ। ହେଲେ ସେମାନେ ଜିଲ୍ଲାଜଜ୍ଙ୍କ କୋର୍ଟରେ ମୁତୟନ ଥିଲେ। ନିକଟରେ ଥାନା ଥିବାରୁ ଏସ୍ଡିଏମ୍ କୋର୍ଟରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିଲା। ଏହି ଦୁଇଟି କୋର୍ଟ ଅଲଗା ଅଲଗା କ୍ୟାମ୍ପସରେ ରହିଛି। ଏବେ ଆଗକୁ କୋର୍ଟ ରୁମ୍ର ସୁରକ୍ଷା ବଢ଼ାଇବା ନିମନ୍ତେ ପଦକ୍ଷେପ ନିଆଯିବ।
ବ୍ରହ୍ମପୁର ଏସ୍ପି ଓ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031