Indus Valley Times

ଓଡିଶାରେ ହେବ ପ୍ରବାସୀ ଭାରତୀୟ ଦିବସ, ତିନି ଦିନ ଧରି ଚାଲିବ କାର୍ଯ୍ୟକ୍ରମ

 Breaking News

ଓଡିଶାରେ ହେବ ପ୍ରବାସୀ ଭାରତୀୟ ଦିବସ, ତିନି ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଓଡିଶାରେ ହେବ ପ୍ରବାସୀ ଭାରତୀୟ ଦିବସ, ତିନି ଦିନ ଧରି ଚାଲିବ କାର୍ଯ୍ୟକ୍ରମ
October 20
09:51 2024

ଭୁବନେଶ୍ୱର,୨୦/୧୦ : ୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ସ୍ଥାନୀୟ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ସମାରୋହ ଆୟୋଜନ ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ଏହି କାର୍ଯ୍ୟକ୍ରମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଭାଗନେବେ। କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହିର୍ବ୍ୟାପାର ମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ, ଦେଶବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରବାସୀ ଭାରତୀୟ ଯୋଗଦେବେ।
ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ୩ୟ ଦିବସରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ। ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ଯୋଗଦେଇ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସ୍‌ର ଡିଜିଟାଲ ଫ୍ଲାଗଅପ୍ କରିବା କାର୍ଯ୍ୟକ୍ରମ ରହିଛି। ସମସ୍ତ ଦିବସରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ।
ସମାରୋହକୁ ସୁଚାରୁରୂପେ ଅନୁଷ୍ଠିତ କରିବା ପାଇଁ ପରିଚାଳନା କମିଟି (ଷ୍ଟିଅରିଂ କମିଟି) ଏବଂ କାର‌୍ୟ୍ୟନିର୍ବାହୀ କମିଟି ଗଠନ କରାଯାଇଛି। ପରିଚାଳନା କମିଟିରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟିକ, ପାସ୍‌ପୋର୍ଟ ଏବଂ ଭିଜା ଡିଭିଜନ ତଥା ଆନ୍ତର୍ଜାତିକ ବ୍ୟାପାର ସଚିବ ଅଧ୍ୟକ୍ଷ ଥିବାବେଳେ ବିଭିନ୍ନ ମନ୍ତ୍ରଣାଳୟର ୭ଜଣ ସଚିବଙ୍କ ସମେତ ଓଡ଼ିଶାରୁ ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦସ୍ୟ ରହିଛନ୍ତି।
ସେହିପରି କାର୍ଯ୍ୟନିର୍ବାହୀ କମିଟିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହବିଭାଗ) ଅଧ୍ୟକ୍ଷ ଥିବାବେଳେ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ସଦସ୍ୟ ରହିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଉପକମିଟି ମଧ୍ୟ ଗଠନ କରାଯାଇଛି। ସମସ୍ତ କମିଟିରେ ଓଡ଼ିଶା ସମେତ ବହିର୍ବ୍ୟାପାର ମନ୍ତ୍ରଣାଳୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି।
ପ୍ରବାସୀ ଭାରତୀୟ ଏବଂ ଅତିଥିଙ୍କ ରହଣି, କାର୍ଯ୍ୟକ୍ରମସ୍ଥଳର ପ୍ରସ୍ତୁତି ଓ ପରିଚାଳନା, ସହର ସୌନ୍ଦର୍ଯ୍ୟକରଣ, ପରିବହନ, ସାଂସ୍କୃତିକ କାର୍ଯ୍ୟକ୍ରମ, ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା, ଜରୁରିକାଳୀନ ସହାୟତା, ଗଣମାଧ୍ୟମ ଓ ଲୋକସମ୍ପର୍କ, ପ୍ରଦର୍ଶନୀ, ବିଭିନ୍ନ ଦେଶର ଷ୍ଟଲ, ଅଭ୍ୟର୍ଥନା, ଅର୍ଥ, ଇ-ଗଭର୍ନାନ୍ସ ଓ ଆଇଟି, ଖାଦ୍ୟ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଅତିଥିମାନଙ୍କ ଯାତାୟାତ ଆଦି ନିମନ୍ତେ ଉପ କମିଟିମାନ ଗଠନ କରାଯାଇଛି।
ସମାରୋହର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁବାର ସମୀକ୍ଷା କରିଛନ୍ତି। ମୁଖ୍ୟ ଶାସନ ସଚିବ କହିଛନ୍ତି, ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବା ଆମ ପାଇଁ ସମ୍ମାନର ବିଷୟ। ଯେପରି ଏହି ଦିବସ ସଫଳତାର ସହ ଆୟୋଜନ ହେବ, ସେଥିପାଇଁ ସମସ୍ତଙ୍କୁ ମିଳିତ ଭାବେ ଉଦ୍ୟମ କରିବାକୁ ପଡ଼ିବ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତବିଭିନ୍ନ ବିଭାଗର ପ୍ରମୁଖ ସଚିବ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031