Indus Valley Times

ଓଡ଼ିଶାରେ ତେଲ ଦର କମାଇବାକୁ ଓଡ଼ିଶା ସରକାର ଙ୍କୁ ପରାମର୍ଶ ଦେଲେ ନିରଞ୍ଜନ

 Breaking News

ଓଡ଼ିଶାରେ ତେଲ ଦର କମାଇବାକୁ ଓଡ଼ିଶା ସରକାର ଙ୍କୁ ପରାମର୍ଶ ଦେଲେ ନିରଞ୍ଜନ

July 31
12:26 2020

ଭୁବନେଶ୍ବର,୩୧/୭: କରୋନା ମହାମାରୀ ସମୟରେ ଲୋକଙ୍କ ଉପରୁ ଆର୍ଥିକ ବୋଝ କମାଇବା ପାଇଁ ଦିଲ୍ଲୀ ସରକାର ଯେପରି ଡିଜେଲ୍ ଉପରୁ ଭାଟ କମାଇଛନ୍ତି, ସେହିପରି ଓଡ଼ିଶା ସରକାର ବି କରିବା ଦରକାର। ଆଜି ରାଜ୍ୟ ସରକାରଙ୍କୁ ଏପରି ପରାମର୍ଶ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ସେ କହିଛନ୍ତି, ଦିନକୁ ଦିନ ଡିଜେଲ ଦର ବଢୁଥିବାରୁ ସାଧାରଣ ପରିବହନ ଭଡ଼ା ମଧ୍ୟ ବୃଦ୍ଧି ପାଉଛି। ଫଳରେ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ଏବେ ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ଲୋକଙ୍କୁ କିଛିଟା ନିସ୍ତାର ଦେବା ପାଇଁ ଓଡ଼ିଶା ସରକାର ଦିଲ୍ଲୀ ସରକାରଙ୍କ ପରି ପଦକ୍ଷେପ ନେବା ଦରକାର।


ଏକ ପ୍ରେସ୍ ବିବୃତି ଜାରି କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଵାଲ୍ ଡିଜେଲ ଉପରେ ଥିବା ୩୦% ଭାଟକୁ ହ୍ରାସ କରି ୧୬.୭୫% କରିଛନ୍ତି। ଫଳରେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ୮ ଟଙ୍କା ୩୬ ପଇସା କମିଯାଇଛି। ଏହାଦ୍ବାରା ଦିଲ୍ଲୀର ଜନସାଧାରଣ ଉପକୃତ ହେବେ ଓ ସାମଗ୍ରୀ ମୂଲ୍ୟ କମିବ। ଯାହାଫଳରେ ଅର୍ଥନୀତିର ଅଭିବୃଦ୍ଧି ବି ହୋଇପାରିବ। ଓଡିଶା ସରକାର ମଧ୍ୟ ଅର୍ଥନୈତିକ ସଙ୍କଟ ଭିତରେ ଗତି କରୁଛନ୍ତି। ତେଲ ଦର କମିଲେ ରାଜ୍ୟରେ ଅର୍ଥନୈତିକ ଗତିବିଧି ଆହୁରି ବୃଦ୍ଧି ପାଇବା ସହିତ ଦରଦାମ ବି ହ୍ରାସ ପାଇବ। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପିସିସି ସଭାପତି ଅନୁରୋଧ କରିଛନ୍ତି।
ଅନ୍ୟପଟେ ଅର୍ଥ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ଉପରେ କେନ୍ଦ୍ର ସରକାର ଅହେତୁକ ଉତ୍ପାଦ ଶୁଳ୍କ ବୃଦ୍ଧି କରିବାରୁ ତେଲ ଦର ବୃଦ୍ଧି ଘଟିଛି। ତୈଳ ଉପରେ ଭାଟ୍ ଟିକସ ହେଉଛି ରାଜ୍ୟର ସମ୍ବଳ। ସେହି ଦୃଷ୍ଟିରୁ ଗତ ମେ ମାସରେ ସରକାର ପେଟ୍ରୋଲ ଉପରେ ଭାଟ୍ ଦର ୨୬%ରୁ ୩୨% ଓ ଡିଜେଲ ଉପରେ ପୂର୍ବରୁ ଥିବା ୨୬% ବୃଦ୍ଧି କରି ୨୮% କରିଥିଲେ। ଏଥିରେ ରାଜ୍ୟ ସରକାର କିଛି ବି ଅଧିକ ଅର୍ଥ ପାଉନାହାନ୍ତି। ବରଂ ଅଧିକ ଅର୍ଥ କେନ୍ଦ୍ର ସରକାର ପାଉଛନ୍ତି। ପେଟ୍ରୋଲ ଓ ଡିଜେଲ୍ ବିକ୍ରି ହେଲେ ରାଜ୍ୟ ସରକାର ଟିକସ ପାଇଥାନ୍ତି। ଅଥଚ ତୈଳ ଉତ୍ପାଦନ ଉପରେ କେନ୍ଦ୍ର ସରକାର ରାଜସ୍ବ ପାଇଥାନ୍ତି। ଗତ ଜୁନ୍ ମାସର ହିସାବ ଦେଇ ସମ୍ପୃକ୍ତ ଅଧିକାରୀ କହିଛନ୍ତି, ଗୋଟିଏ ଲିଟର ପେଟ୍ରୋଲ ଉପରେ କେନ୍ଦ୍ର ସରକାର ୩୨ ଟଙ୍କା ୯୮ ପଇସା ନେଉଥିବାବେଳେ ରାଜ୍ୟ ସରକାର ମାତ୍ର ୧୮ ଟଙ୍କା ୮୩ ପଇସା ପାଉଛନ୍ତି।
ସେହିପରି ଡିଜେଲ୍ ଉପରେ କେନ୍ଦ୍ର ସରକାର ଲିଟର ପିଛା ୩୧ ଟଙ୍କା ୮୩ ପଇସା ପାଉଥିବାବେଲେ ରାଜ୍ୟ ସରକାର ୧୬ ଟଙ୍କା ୭୩ ପଇସା ପାଉଛନ୍ତି। ତୈଳ ଉପରେ କେନ୍ଦ୍ର ସରକାର ବାରମ୍ବାର ଉତ୍ପାଦ ଶୁଳ୍କ ବଢାଇଚାଲିଛନ୍ତି ଅଥଚ ରାଜ୍ୟ ସରକାର ସେପରି କରିନାହାନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031