Indus Valley Times

କଲବଲ କଲାଣି ଅସହ୍ୟ ତାତି, ଆଜିଠୁ ୩ରୁ ୫ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା

 Breaking News

କଲବଲ କଲାଣି ଅସହ୍ୟ ତାତି, ଆଜିଠୁ ୩ରୁ ୫ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା

April 23
10:39 2022

ଭୁବନେଶ୍ୱର,୨୩/୪: କେବଳ ଗରମ ନୁହେଁ, ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ରାଜ୍ୟରେ ଅସମ୍ଭାଳ ଗରମ ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ୩ରୁ ୫ ଡିଗ୍ରୀ ବଢ଼ିଯିବ ।
ରାଜଧାନୀରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଶୁକ୍ରବାର ରାଜଧାନୀ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟରେ ଶନିବାରଠାରୁ ଗରମ ବଢିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ବି ଆକଳନ କରିଛନ୍ତି ।
ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଓ ଉତ୍ତର ଉପକୂଳରେ ତାପମାତ୍ରା ବଢିବ । ଶନିବାରରୁ ସୋମବାର ଯାଏ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ। ରାଜ୍ୟକୁ ବହୁଥିବା ପଶ୍ଚିମା ଗରମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା ଧୀରେ ଧୀରେ ବଢ଼ିବ । ୨୬ରୁ ମାସ ଶେଷ ଯାଏ ପ୍ରବଳ ଗରମ ହେବ ।
୨୭ରୁ ୨୯ ତାରିଖ ଭିତରେ ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ତାଳଚେରର କିଛି ସ୍ଥାନରେ ୪୬ଡିଗ୍ରୀ ଟପିଯିବ । ଉତ୍ତର ଆଭ୍ୟନ୍ତରରେ ମାସ ଶେଷ ଯାଏ ଏହା ବଢ଼ିବ ବୋଲି ସେ କହିଛନ୍ତି ।
ସେପଟେ ଶୁକ୍ରବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଥିଲା । ଭୁବନେଶ୍ୱରର ତାପମାତ୍ରା ୪୦.୮ ଡିଗ୍ରୀ ଥିଲା । ଏହି ୩ ସହରକୁ ଛାଡ଼ି ବାକି ସବୁ ସ୍ଥାନରେ ତାପମାତ୍ରା କମ୍ ଥିଲା ।
ତାଳଚେରରେ ୩୫.୬, ବଲାଙ୍ଗୀରରେ ୩୫.୭, ଟିଟିଲାଗଡରେ ୩୬, ବାଲେଶ୍ୱରରେ ୩୬.୯ ଓ ସୋନପୁରରେ ତାପମାତ୍ରା ୩୭ ଡିଗ୍ରୀ ଥିଲା ।
କିନ୍ତୁ ରାଜଧାନୀରେ ଅସହ୍ୟ ଗୁଳଗୁଳି ହୋଇଥିଲା । ମଧ୍ୟାହ୍ନରେ ବାହାରକୁ ଗଲେ ଦେହ ଓ ହାତ ପୋଡ଼ି ଯାଉଥିଲା । ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଗରମ ପବନ ବହୁଥିଲା ।
ଶନିବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031