Indus Valley Times

କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ

 Breaking News

କାଉଙ୍କ ମିଳନ ଦେଖିବାରୁ ଦୁଇ ଯୁବକଙ୍କୁ ମୃତ ଘୋଷଣା କଲେ ଆଦିବାସୀ ସମାଜ

July 31
18:16 2025

କୋରାପୁଟ, ୩୧/୭: ବିଜ୍ଞାନ ଯୁଗରେ ଏବେ ବି ବଞ୍ଚି ରହିଛି ଅନ୍ଧିବଶ୍ୱାସ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି।
ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଏହି ଗାଁରେ ଦୁଇଟି କାଉର ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହାଙ୍ଗା ପଡ଼ିଛି।
ଏଥିପାଇଁ ସେମାନେ ଆଦିବାସୀ ପରମ୍ପରା କଟକଣାର ଶିକାର ହୋଇ ବଞ୍ଚି ଥାଉ ଥାଉ ମରିଛନ୍ତି। କାଉଯୋଡି ଦେଖିବା ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇ ଶବ ରୂପେ ଦାହ କରାଯାଇଛି। ଡିଜିଟାଲ ଯୁଗରେ ଏଭଳି ଖବର ଆପଣଙ୍କୁ ବିଚଳିତ କରିପାରେ, କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ ।
ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗାଁରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଖବର ପ୍ରଚାର କରାଗଲା, ଆଉ ତାଙ୍କୁ ଦିନକ ପାଇଁ ୨ ଜଣଙ୍କୁ ଘରୁ ବାସନ୍ଦ କରାଗଲା । ଏହାପରେ ଘରେ ଆରମ୍ଭ ହୋଇଯାଇଥିଲା କାନ୍ଦବୋବାଳି। ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ, ସେହି ପ୍ରକ୍ରିୟାରେ ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତ୍ତଳିକା କୋକେଇରେ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଗଲା। ଏପରିକି ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିଲେ। ପରେ ବାହାରେ ରଖାଯାଇଥିବା ଦୁଇ ଯୁବକଙ୍କୁ ଗାଁକୁ ଅଣାଯାଇଥିଲା ।
ଆଦିବାସୀ ସମାଜର ବିଶ୍ବାସ ଯେ, କାଉଙ୍କ ମିଳନ ଦେଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଦେଖିଥିବା ଲୋକର ମୃତ୍ୟୁ ହୋଇଥାଏ । ଏନେଇ ଉଭୟ ପରିବାର କହିଛନ୍ତି ଏହା ଆମର ପରମ୍ପରା ନମାନିଲେ ଆମକୁ ବିପତ୍ତି ପଡିବ । ସବୁଠୁ ଆଶ୍ଚର‌୍ୟ୍ୟର କଥା ଦୁଇ ଯୁବକଙ୍କ ପରିବାର ଏହି ଶବ ଦାହ କାର‌୍ୟ୍ୟ ପାଇଁ ସାତ ହଜାର ଟଙ୍କା ବି ଖର୍ଚ୍ଚ କରିଛନ୍ତି। ତେବେ ପରମ୍ପରା ଓ ଅନ୍ଧବିଶ୍ୱାସ ନାଁରେ ଅନେକ ଲୋକେ ଏବେ ବୁଡ଼ି ରହିଥିବାର ଏହି ଘଟଣା ହେଉଛି ଜ୍ୱଳନ୍ତ ଉଦାହରଣ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930