Indus Valley Times

ଗଭୀର ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା ୧୨ଘଣ୍ଟାରେ ନେବ ବାତ୍ୟାର ରୂପ

 Breaking News

ଗଭୀର ଅବପାତରେ ପରିଣତ ହେଲା ଅବପାତ, ଆସନ୍ତା ୧୨ଘଣ୍ଟାରେ ନେବ ବାତ୍ୟାର ରୂପ

October 23
10:31 2022

ଭୁବନେଶ୍ୱର,୨୩/୧୦: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ତୀବ୍ର ଅବପାତରେ ପରିଣତ ହେବ । ୨୪ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ ।
୨୫ ତାରିଖ ସକାଳୁ ବାଂଲାଦେଶରେ ପଶିବ ସି-ତ୍ରଙ୍ଗ । ଏହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ଦୁଇ ଦିନ ହାଲୁକାରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଦେଇଛି ।
ଆଇଏମ୍ଡି ଆକଳନ ଅନୁଯାୟୀ, ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତୀବ୍ର ଅବପାତ ହେବ । ପରେ ସାମାନ୍ୟ ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଆଡ଼କୁ ଗତି କରି ବାତ୍ୟା ରୂପ ନେବ ।
ବାତ୍ୟା ସୃଷ୍ଟି ପରେ ଉତ୍ତର ଓ ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ। ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ୱୀପ ଓ ସାଣ୍ଡୱିପ୍ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନରେ ଦର୍ଶାଯାଇଛି ।
ଓଡ଼ିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ । ବାତ୍ୟା ପ୍ରଭାବରେ ରବିବାର କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷିବ । ୭ରୁ ୧୧ ସେମି ବର୍ଷା ହୋଇପାରେ । ୨୪ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ କଟକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି ।
ଏନେଇ ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୨୪ ତାରିଖ ବିଳମ୍ବିତ ରାତି ବା ୨୫ ତାରିଖ ସକାଳୁ ବାତ୍ୟା ବାଂଲାଦେଶରେ ଲ୍ୟାଣ୍ଡଫଲ୍ କରିପାରେ । ବାତ୍ୟା ପ୍ରଭାବରେ ୨୩ରେ ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ଓ ଭଦ୍ରକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।
୨୪ ଅପରାହ୍ନରୁ ୨୫ ତାରିଖ ଭିତରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁରର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ଓଡ଼ିଶା ଠାରୁ ପ୍ରାୟ ୧୫୦କିମି ଦୂରରେ ବାତ୍ୟା ଅତିକ୍ରମ କରିବ ।
ବାତ୍ୟା ଯୋଗୁ ଉପକୂଳରେ ୬୦ରୁ ୮୦କିମି ବେଗରେ ପବନ ବହିପାରେ ବୋଲି ସେ ଆକଳନ କରିଛନ୍ତି । ବାତ୍ୟା ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବନି । ତଥାପି ସତର୍କତା ପଦକ୍ଷେପ ଭାବେ ୨୨ରୁ ୨୬ ତାରିଖ ଯାଏ ସମୁଦ୍ର ଓ ଚିଲିକା ଭିତରକୁ ଡଙ୍ଗା ଯିବା ନିଷେଧ କରାଯାଇଛି । ମତ୍ସ୍ୟଜୀବୀମାନେ ଭିତରକୁ ନ ଯିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶା ମେରାଇନ୍ ଓ ଫିସ୍ ରେଗୁଲେସନ ଆକ୍ଟ ଅନୁସାରେ ବିଜ୍ଞପ୍ତି ଜାରି କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031