Indus Valley Times

ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଇ-କେୱାଇସି ସମସ୍ୟା ନେଇ ଯୋଗାଣ ସହାୟକ ସଂଘର ଦାବିପତ୍ର ପ୍ରଦାନ

 Breaking News

ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଇ-କେୱାଇସି ସମସ୍ୟା ନେଇ ଯୋଗାଣ ସହାୟକ ସଂଘର ଦାବିପତ୍ର ପ୍ରଦାନ

September 13
10:19 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୯: ବୌଦ୍ଧ ଜିଲ୍ଲା ଯୋଗାଣ ସହାୟକ ସଂଘ ପକ୍ଷରୁ ଇ-କେୱାଇସି କାର୍ଯ୍ୟରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନେଟୱର୍କ ସମସ୍ୟା ଯୋଗୁଁ ଇ -କେୱାଇସି ବାଧାପ୍ରାପ୍ତ ହେଉଛି ଓ ହିତାଧିକାରୀ ମାନେ ଯୋଗାଣ ସହାୟକ ମାନଙ୍କୁ ଦାୟୀ କରିବା ସହ ଦୋଷାରୋପ କରୁଛନ୍ତି ।
ଉକ୍ତ ସମସ୍ୟା ପାଇଁ ହିତାଧିକାରୀ ମାନେ ଇ-କେୱାଇସି ନକରି ଅସନ୍ତୋଷ ହୋଇ ଫେରି ଯାଉଛନ୍ତି । ସେଥିପାଇଁ ଯୋଗାଣ ସହାୟକ ମାନଙ୍କୁ ନୁତନ ଓ ଉନ୍ନତ ମାନର ସଫ୍ଟଓଏର ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି କୃପାସିନ୍ଧୁ ପ୍ରଧାନ, ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ, କୋଷାଧ୍ୟକ୍ଷ ସୌମ୍ୟ ରଞ୍ଜନ ଦାଶ,ଜିଲ୍ଲା କମିଟି ସଦସ୍ୟ ସ୍ଵାଧୀନ କୁମାର କର୍ମୀ, ଅନିମା ପ୍ରିୟଦର୍ଶିନୀ, ବଲ୍ଲଭୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଆସନ୍ତା ୨୫,୨୬ରେ ଜିଲ୍ଲା ନିଯୁକ୍ତି ମେଳା
ବୌଦ୍ଧ,୧୩/୯: ବୌଦ୍ଧ ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ଏଥିରେ ଅଦ୍ୟାବଧି ଚାଲୁଥିବା ପ୍ରଶିକ୍ଷଣ ଉପରେ ଆଲୋକପାତ କରାଯାଇଥିଲା।
ଏହି ଆର୍ଥିକ ବର୍ଷରେ ଥିବା ଟାର୍ଗେଟକୁ ପୂରଣ କରିବା ପାଇଁ କିଛି ଟ୍ରେନିଂ କମ୍ପାନୀଙ୍କୁ ଡକାଜାଇଥିଲା। ସେମାନେ ନିଜ ନିଜର ପାରଦର୍ଶିତା କମିଟି ଆଗରେ ଉପସ୍ଥାପନ କଲେ। ତନ୍ମଧ୍ୟରୁ ବିଭିଜି ଇଣ୍ଡିଆ କୁ ସ୍ପେଶାଲ ପ୍ରଯେକ୍ଟ ମୋବାଇଲ ରିପାୟାରିଙ୍ଗ ହାର୍ଡୱେର ଏବଂ ପୁରୁଷୋତ୍ତମ ଏଜୁକେସନାଲ୍ ଟ୍ରଷ୍ଟକୁ ଡୋମେଷ୍ଟିକ୍ ମେକାନିକ୍-ହୋମ୍ ଏପ୍ଲାୟନ୍ସେସ୍ ଟ୍ରେଡରେ ପ୍ରଶିକ୍ଷଣ ନିମନ୍ତେ ସିଦ୍ଧାନ୍ତ ନିଆଗଲା।
ଏତଦବ୍ୟତୀତ, ଜିଲ୍ଲା ନିଯୁକ୍ତି ମେଳା ଏହି ମାସ ୨୫ ଓ ୨୬ ରେ ଟାଉନହଲ୍ ଏବଂ ଭୈରବୀ ଡିଗ୍ରୀ କଲେଜରେ ଅନୁଷ୍ଠିତ ହେବ। ଏହା କିପରି ସଫଳତାର ସହ ସମ୍ପନ୍ନ ହେବ, ଏକ କମିଟି ମାଧ୍ୟମରେ ଏକ ଖସଡ଼ା ପ୍ରସ୍ତୁତ କରାଗଲା। ଶେଷରେ, ଜିଲ୍ଲା ଦକ୍ଷତା ତଥା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବୌଦ୍ଧରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ସିଏସଆର
ବୌଦ୍ଧ,୧୩/୯:ବୌଦ୍ଧରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଏକ ସି. ଏସ. ଆର. କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଖେଳଣା, ଛୋଟ ଚୌକି, ଶିକ୍ଷଣୀୟ ଖେଳଣା ଆଦି ଶିଶୁ ମଙ୍ଗଳ ସମିତି ବୌଦ୍ଧ କୁ ହସ୍ତାନ୍ତର କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ସମ୍ବଲପୁର ମଣ୍ଡଳର ମଣ୍ଡଳ ଅଧ୍ୟକ୍ଷ ଅଜିତ କୁମାର ମେହେର, ଙ୍କ ଦ୍ୱାରା ସମାହିତ ହୋଇଥିଲା ।
ବୌଦ୍ଧ ଶାଖାର ମୁଖ୍ୟ ପ୍ରାଣବନ୍ଧୁ ବେହେରା ସହିତ ଶିଶୁ ମଙ୍ଗଳ ସମିତି, ବୌଦ୍ଧର ଅଧ୍ୟକ୍ଷ ଦାମୋଦର ସାହୁ,ସଭ୍ୟା ସଭ୍ୟା ରାଜୀବ କୁମାର ନାୟକ, ପୁଷ୍ପିତା ପ୍ରଧାନ, ପ୍ରିୟଦର୍ଶିନୀ ପୁରୋହିତ, ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
କତମ ସିଂ ଗ୍ରାମରୁ ନିଖୋଜ ବୃଦ୍ଧଙ୍କ ଗଳିତ ମୃତଦେହ ସାଲୁଙ୍କି ନଦୀ ମଧ୍ୟରୁ ଉଦ୍ଧାର
ବୌଦ୍ଧ,୧୩/୯:ବୌଦ୍ଧ ଥାନା ଟିକରପଡ଼ା ଗ୍ରାମ ପଞ୍ଚାୟତ କତମ୍ ସିଂ ଗ୍ରାମରୁ ୨୧ ଦିନ ତଳେ ନିଖୋଜ ବୃଦ୍ଧଙ୍କ ଗଳିତ ମୃତଦେହ କତମ୍ ସିଂ ଗ୍ରାମ ଠାରୁ ଅଳ୍ପ ଦୂରରେ ସାଲୁଙ୍କି ନଦୀ କୂଳରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ଜଡାପାଲ ଗ୍ରାମର ବିଷ୍ଣୁ ମହା ନନ୍ଦିଆ ନିଜ ଝିଅ ଜ୍ୱାଇଁଙ୍କ ଘରେ ଆଜକୁ ୩୦ ବର୍ଷ ହେବ କତମ୍ ସିଂ ଗ୍ରାମରେ ରହୁଥିଲେ ।
ଗତ ୨୧ ଦିନ ତଳେ ବିଷ୍ଣୁ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରି ତାଙ୍କର କୌଣସି ସନ୍ଧାନ ନପାଇ ନିରାଶ ହୋଇଥିଲେ । ବିଷ୍ଣୁଙ୍କ ଜ୍ୱାଇଁ ତଥା ଟିକରପଡ଼ା ଗ୍ରାମ ପଞ୍ଚାୟତର ପୁର୍ବତନ ସରପଞ୍ଚ ଫଗୁ ରଣବିଡା ଶ୍ବଶୁରଙ୍କୁ ଖୋଜିବା ପାଇଁ ତାନ୍ତ୍ରୀକଙ୍କ ସାହାରା ନେଇ ଗୁଣି ଗାରିଡି କରି ଖଟ ବୁଲାଇ ଥିଲେ ମଧ୍ୟ କୌଣସି ସନ୍ଧାନ ମିଳିପାରି ନଥିଲା ।
ଆଜି ସକାଳେ ସ୍ଥାନୀୟ ଲୋକେ ସାଲୁଙ୍କି ନଦୀର ଏକ ପଥର ଚେପାରେ ଏକ ଗଳିତ ମୃତଦେହ ଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକେ ମଧ୍ୟ ତାହା ବିଷ୍ଣୁ ମହାନନ୍ଦିଆଙ୍କ ବୋଲି ଚିହ୍ନଟ କରିଥିଲେ । ବୌଦ୍ଧ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବଘିଆପଡା ଫାଣ୍ଡି ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଚଳାଇଛି ।
ଗମ୍ଭାରୀପଦର ଗ୍ରାମରେ ଵର୍ଷା ପାଇଁ ଇନ୍ଦ୍ର ପୂଜା ଅନୁଷ୍ଠିତ
ବୌଦ୍ଧ,୧୩/୯:ଵୌଦ୍ଧ ଵ୍ଲକ୍ ଗମ୍ଭାରୀପଦର ଗ୍ରାମରେ ଆଜି ଵର୍ଷା ପାଇଁ ଇନ୍ଦ୍ର ପୂଜା ଓ ହୋମ ଅନୁଷ୍ଠିତ ହୋଇଥିଲା । ଖମ୍ଵେଶ୍ଵରୀ ମନ୍ଦିର ପୀଠ ରେ ରୀତିନୀତି ଅନୁସାରେ ଇନ୍ଦ୍ର ଦେଵଙ୍କୁ ପୂଜା କରାଯାଇ ହୋମର ଆସର କରାଯାଇଥିଲା ।
ପୂଜା କାର୍ଯ୍ୟରେ ଗ୍ରାମର ଦୀପକ କୁମାର ଶୁକ୍ଳ ସହଯୋଗ କରିଥିଲେ । ଏହି ପ୍ରଥା ଵହୁ କାଳରୁ ଚାଲିଆସୁଅଛି । ପରିବେଶ ଟି ଵେଶ୍ ଉତ୍ସବ ମୁଖର ହୋଇଥିଲା । ସରଣ୍ଡା ଗ୍ରାମର ନରି ଭାଇ ଓ ଗମ୍ଭାରୀପଦର ଗ୍ରାମର କୃଷ୍ଣ ଗୁରୁ ଦଳ କୀର୍ତ୍ତନ କରିଥିଲେ । କର୍ତ୍ତା ଭାବରେ ଦୀପକ କୁମାର ଶୁକ୍ଳ ଓ ପୂଜକ-ତ୍ରୀଜିଵ୍ ପାଣିଗ୍ରାହୀ ଦାୟିତ୍ଵ ତୁଲାଇ ଥିଲେ ।
ବୌଦ୍ଧ ତାଏକୋଣ୍ଡୁ ଖେଳାଳୀ ଆଣିଲେ ଓଡ଼ିଶା ପାଇଁ ଗୌରବ
ବୌଦ୍ଧ,୧୩/୯: ଉତ୍ତରପ୍ରଦେଶ ର ଆଗ୍ରା ସ୍ଥିତ ହୋଲି ପବ୍ଲିକ ସ୍କୁଲ ପରିସରରେ ସେପ୍ଟେମ୍ବର ୮ରୁ୧୦ପର‌୍ୟ୍ୟନ୍ତ ଅନୁଷ୍ଠିତ ଜାତୀୟ ତାଏକୋଣ୍ଡୁ ପ୍ରତିଯୋଗିତାରେ ବୌଦ୍ଧ ତାଏକୋଣ୍ଡୁ ସଂଘର ୮ଜଣ ଖେଳାଳୀ କୋଚ୍ ଅଂଜିତ ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଓଡ଼ିଶା ତରଫରୁ ଖେଳି ମୋଟ ୧୧ଟି ସ୍ଵର୍ଣ୍ଣ ପଦକ ହାସଲ କରି ବୌଦ୍ଧ ତଥା ଓଡ଼ିଶା ପାଇଁ ଗୌରବ ଆଣି ଥିବାରୁ ଅଭିଭାବକ ତଥା କ୍ରୀଡ଼ାପ୍ରେମୀ ଙ୍କ ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି । ସବ୍ ଜୁନିଅର୍ ଟିମ୍ ପୁମ୍ସୀ ରେ ପ୍ରୀୟାନ୍ସି ପ୍ରିୟଦର୍ଶିନୀ ସାହୁ, ତୁଳସୀ ଶତପଥୀ, ଆକାଂକ୍ଷା ପ୍ରଧାନ, ଜୁନିଅର୍ ଇଣ୍ଡିଭିଜୁଆଲ ପୁମ୍ମସି ରେ ଅନ୍ୱେଷା ସାହୁ, ଜୁନିଅର୍ ପେଆର ପୁମସି ରେ ଚନ୍ଦ୍ର ପୂଜିତା ମିଶ୍ର ଓ ଅବିନାଶ ମେଣ୍ଡିଲୀ, ଜୁନିଅର୍ ବାଳିକା ଟିମ୍ ପୁମସୀ ରେ ଅଞ୍ଜେଲିନା ଲୁଗୁନ, ଚନ୍ଦ୍ର ପୂଜିତା ମିଶ୍ର ଓ ଅନ୍ୱେଷା ସାହୁ ଏବଂ ଜୁନିଅର୍ ବାଳକ ଟିମ୍ ପୁମ୍ସି ରେ ଜଗନ୍ମୟ ସାହୁ, ଅବିନାଶ ମେଣ୍ଡିଳୀ ଓ ଭବେସ ଚନ୍ଦ୍ର ଦିକ୍ଷୀତ ଭାଗନେଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପାଇଁ ସଫଳ ହୋଇପାରିଛନ୍ତି ।
ଅଞ୍ଜିତ କୁମାର ସାହୁ ଓଡ଼ିଶାର ଶ୍ରେଷ୍ଠ ପୁମ୍ସି କୋଚ୍ ଭାବେ ସ୍ଵତନ୍ତ୍ର ଭାବେ ସମ୍ମାନିତ ହୋଇଥିଲେ । ସଭାପତି ଯଜ୍ଞେଶ୍ଵର ମିଶ୍ର ଙ୍କ ସମେତ ସମସ୍ତ କମିଟି ମେମ୍ବର ଓ ଅଭିଭାବକ ତଥା ଜନସାଧାରଣ କୋଚ୍ ତଥା ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ରାଜପଥର ତିନିପୁଲିଆ ଠାରୁ ପଂଚାୟତ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା
ବୌଦ୍ଧ,୧୩/୯: ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ଦୃତଗତିରେ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ଜନସାଧାରଣ ଅଭିଯୋଗ କରୁଥିଲେ ମଧ୍ୟ ସଂପୃକ୍ତ ଠିକାସଂସ୍ଥା ଗୁଡିକ କର୍ଣ୍ଣପାତ କରୁନାହାନ୍ତି । ଜିଲ୍ଲାର ହରଭଙ୍ଗା ବ୍ଲକର ବିରନରସିଂହପୁର ପଂଚାୟତରେ ଦେଖିବାକୁ ମିଳିଛି ।
ଗ୍ରାମବାସୀଙ୍କ ଅଭିଯୋଗ ମତେ, ବୌଦ୍ଧଜିଲ୍ଲା ଦେଇଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ବିରନରସିଂହପୁର ଗ୍ରାମର ତିନିପୁଲିଆ ଛକରୁ ପଂଚାୟତ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଉପରେ ରେଳପଥ ଯାଇଛି । ତଳେ ଜନସାଧାରଣ ଯିବା ଆସିବା ପାଇଁ ରେଳ ବିଭାଗର ଠିକା ସଂସ୍ଥା ପକ୍ଷରୁ ଯେଉଁ ରାସ୍ତା ନିର୍ମାଣ କରାଯାଇଥିଲା । ସେହିରାସ୍ତାଟି ଗଡାଣିଆ ଥିବାରୁ ସାମନ୍ୟ ବର୍ଷା ହେଲେ ସେଠାରେ ବର୍ଷା ପାଣି ଜମା ହୋଇ ରହିଯାଉଥିଲା ।
ଫଳରେ ଜନସାଧାରଣ ଯିବା ଆସିବା କଷ୍ଟକର ହୋଇ ପଡିଥିଲା । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ଠିକାସଂସ୍ଥା ପକ୍ଷରୁ ସେଠାରେ ଏକ ଡ୍ରେନ ନିର୍ମାଣ କରାଯାଇ ପାଣିକୁ ଗୌଉଡୁଣୀ ନାଳକୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଥିଲା । ହେଲେ ବର୍ତ୍ତମାନ ଗୌଡଣୀନାଳର ପାଣି ବଢିଲେ ଡ୍ରେନଦେଇ ପାଣି ରାସ୍ତା ଉପରକୁ ଆସୁଛି । ଯାହାକି ଏକ ବଡ ସମସ୍ୟା ଦେଖାଦେଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଡ୍ରେନ ନିର୍ମାଣରେ ତୃଟି ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା ଅଭିଯୋଗ କରିଛନ୍ତି ।
ଏହି ରାସ୍ତା ଉପରେ ପଂଚାୟତର ବିରାମଚନ୍ଦ୍ରପୁର,ହାଟଗାଁ, ମଙ୍ଗଳପୁର, ଘୋରଡା, ବିରନରସିଂହପୁର, ମହୁଲବୁରି, ମହାକୁଡପାଲି,କରଡି,ନୂଆଁପଡା, ଚମ୍ପାମାଳୀ ଗ୍ରାମର ଲୋକମାନେ ଯିବା ଆସିବା କରିଥାନ୍ତି ।
ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ଯାଇଥାନ୍ତି । ପଂଚାୟତବାସୀ ଚାଉଳ ଓ ବୃଦ୍ଧ, ବୃଦ୍ଧାମାନେ ଭତାପାଇଁ ଏହି ରାସ୍ତା ଦେଇ ପଂଚାୟତକୁ ଯାଇଥାନ୍ତି । ସବୁବେଳେ ପୋଲତଳେ ପାଣି ଜମା ହେବା ଫଳରେ ରାସ୍ତା ଉପରେ ଶିଉଳି ଜମାଟ ବାନ୍ଧି ଯାଉଛି । ଯାହାଫଳରେ ସେଠାରେ ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ଦେଖାଦେଇଛି । ତେଣୁ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏହାର ସମାଧାନ କରିବାକୁ ପଂଚାୟତବାସୀ ଦାବି କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930