Indus Valley Times

ଡିଜେ ଅପସଂସ୍କୃତିରେ ବ୍ୟାଧିଗ୍ରସ୍ତ ହେଉଛନ୍ତି ଯୁବ ସମାଜ

 Breaking News

ଡିଜେ ଅପସଂସ୍କୃତିରେ ବ୍ୟାଧିଗ୍ରସ୍ତ ହେଉଛନ୍ତି ଯୁବ ସମାଜ

November 29
13:53 2022

ସ୍ୱାଗତିକା ଭୂତିଆଙ୍କ ସ୍ୱତନ୍ତ୍ର ରିପୋର୍ଟ
ବର୍ତ୍ତମାନର ଯୁବପିଢିଙ୍କୁ ଭ୍ରମିତ କରୁଛି ଡିଜେ କଲଚର । ବାହାଘର ରୋଷଣୀ ହେଉ ବା ଭସାଣୀ, ସବୁଠି ଆଗେ ଖୋଜା ହେଉଛି ଡିଜେ ଗାଡି । ବିଶେଷ କରି ଛୋଟଛୋଟ ସହର ବା ଗାଁ ମାନଙ୍କରେ ଏହାର ଚାହିଦା ବେଶି ବଢ଼ିଚାଲିଛି । ଯୁବପିଢ଼ି ଡିଜେର ବିକଟାଳ ତାଳେ ତାଳେ ନାଚି ମତୁଆଲା ହେବାରେ ବେଶି ଖୁସି ଅନୁଭବ କରୁଥିବା ଦେଖାଯାଉଛି । ସେଥିପାଇଁ ଡିଜେ ବାଜାର ଚାହିଦାକୁ ଦେଖି ଡିଜେ ଗାଡିର ଦାମ୍ ବି ଆକାଶ ଛୁଆଁ ହୋଇଛି ।
ଯେକୌଣି ଉତ୍ସବ ଆୟୋଜନ ବିନା ଡିଜେ ବାଜାରେ କରିବାକୁ ଯୁବପଢ଼ି ଆଗ୍ରହ ପ୍ରକାଶ କରୁ ନାହାଁନ୍ତି । ଦୁର୍ଗା ପୁଜା ହେଉ ବା ଲକ୍ଷ୍ମୀ ପୁଜା ହେଉ କିମ୍ବା ଅନ୍ୟ ଯେକୌଣସି ପୁଜା ବା ବିବାହ ଭଳି ସାମାଜିକ ଉତ୍ସବ, ଯୁବପିଢ଼ିଙ୍କ ମତଲବ କେବଳ ଡିଜେ ସାଉଣ୍ଡ ଏବଂ ହାଇ ସାଉଣ୍ଡ ଓ ବାଣରେ ଥାଏ । ସେମାନଙ୍କ ଭିତରେ ନାଁ ଥାଏ ଟଙ୍କାକୁ ଖାତିର ନାଁ ଥାଏ କୌଣସି ଅଘଟଣ ଘଟିବାର ଭୟ ।
ତେବେ କାହିଁ ଯୁବପଢ଼ିଙ୍କ ଭିତରେ ଏଭଳି ବିକୃତ ମାନସିକତା? କେଉଁମାନଙ୍କ ପାଇଁ ଏହି ଡିଜେ କଲଚର ? କେଉଁ ଶ୍ରେଣୀର ଯୁବପଢ଼ିଙ୍କୁ ବେଶି ଆକୃଷ୍ଟ କରୁଛି ଏହି କଲଚର ? ଏହା ଦ୍ୱାରା ସମାଜରେ କି ପ୍ରକାରର କ୍ଷତି ହେଉଛି ? କାହିଁକି ଡିଜେ କଲଚର ପ୍ରତି ଆକର୍ଷିତ ହେଉଛନ୍ତି ଆଜିକା ଯୁବ ସମାଜ ? ଯାହା ଆଜିର ସମୟରେ ଯୁବପଢ଼ିଙ୍କ ଭବିଷ୍ୟତକୁ ନେଇ ବଡ଼ ଚିନ୍ତା ବଢ଼ାଇଛି ।
ଅନେକ ସମୟରେ ଦେଖିବାକୁ ମିଳିଛି ରୋଷଣୀ ବେଳେ ଡିଜେ ଆଉ ବାଣକୁ ନେଇ ଅଘଟଣ ଘଟିବାର । ଏଇ ନିକଟରେ କେନ୍ଦ୍ରାପଡାର ବାଲିଆ ମେଲଣରେ କାର୍ତ୍ତିକେଶ୍ୱର ଭସାଣି ବେଳେ ଘଟିଥିବା ଘଟଣା ହିଁ ି ଉଦାହରଣ ପାଇଁ ଯଥେଷ୍ଟ । ଭସାଣି ବେଳେ ବାଣ ଫୁଟି ଯେଉଁ ବଡ଼ ଧରଣର ଅଘଟଣ ହେଲା, ଯେଉଁମାନଙ୍କର ଅମୂଲ୍ୟ ଜୀବନ ବଳିପଡିଗଲା ସେଥିପାଇଁ କାହାକୁ ଦାୟି କରାଯିବ ? ଭସାଣିରେ ବାଣ ଫୁଟାଇବାକୁ ଅନୁମତି ନଥିବା ସତ୍ୱେ କିଛି ଲୋକେ ଏହାକୁ ଅବମାନନା କରି ବାଣ ଫୁଟାଇ ଥିଲେ । ଆଉ ଗୋଟେ ବଡ଼ କଥା ହେଉଛି, ପୋଲିସ୍ ଉପସ୍ଥିତିରେ ଭସାଣି ହେଉଥିଲା ବାଣ ଫୁଟା ଚାଲିଥିଲା । ହେଲେ ସେହି ସମୟରେ ପୋଲିସ୍ ବି ବାରଣ କରିପାରିନଥିଲା । ପୋଲିସ୍ ପ୍ରଶାସନ ଉପସ୍ଥିତିରେ ବେଆଇନ୍ ଭାବେ ବାଣ ଫୁଟା ହେଉଛି କିନ୍ତୁ ପୋଲିସ୍ ଚୁପ୍ ଚାପ୍ ତାର ଡିୟୁଟି କରୁଛି । ସେହି ଯାଗାରେ ପୋଲିସ୍ କେଉଁ ପ୍ରକାର ଡିୟୁଟି କରୁଛନ୍ତି , ସେ ନେଇ ମଧ୍ୟ ଏକ ପ୍ରଶ୍ନ ଉଠୁଛି । ଯଦି ଯୁବପିଢ଼ିଙ୍କୁ ବା ସାଧାରଣ ଲୋକଙ୍କୁ ପୋଲିସ୍ ଏଭଳି ବେଆଇନ୍ କାମରୁ ନିବୃତ ରଖିପାରିବନି ବା ସଚେତନ କରିପାରିବନି, ତେବେ ପୋଲିସ୍ ର ପାରିବା ପଣିଆ କେଉଁ କାମକୁ ?
ଭାରତୀୟ ଦଣ୍ଡବିଧି ଆଇନ ବା ଆଇପିସି ଧାରା ଅନୁସାରେ ଶବ୍ଦ ବଜାଇବାରେ ମଧ୍ୟ କଟକଣା ରହିଛି । ରେସିଡେନ୍ସିଆଲ ଏରିଆ ବା ଆବାସିକ ଅଂଚଳ ପାଇଁ ଦିନରେ ୫୫ଡେସିବିଲ୍ ପାଇଁ ଅନୁମତି ରହିଛି । ଦିନ ସମୟ ଅର୍ଥାତ୍ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ । ଆଇପିସିର ଧାରାକୁ ଅବମାନ କଲେ ଏଥିରେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ସେହିଭଳି ବାଣ ଫୁଟାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର କଟକଣା ରହିଛି । କେଉଁଭଳି ବାଣ ଫୁଟାଯାଇବ ଓ କେଉଁଭଳି ବାଣ ବାରଣ ହୋଇଛି, ସେ ସମ୍ପର୍କରେ ନିର୍ଦ୍ଧର୍ିଷ୍ଟ ଗାଇଡ୍‌ଲାଇନ୍ ବା ମାର୍ଗଦର୍ଶିକା ରହିଛି ।
ଆଜିର ଯୁବ ସମାଜ ଶିକ୍ଷିତ ହୋଇ ମଧ୍ୟ ଅତ୍ୟାଧୁନିକ ଡିଜେ ଶବ୍ଦର ତାଳେ ତାଳେ ମତୁଆଲା ହେବା ପାଇଁ ପସନ୍ଦ କରୁଛନ୍ତି । ତେବେ ଯଦି ଦେଖିବା ବଡ଼ବଡ଼ ସହର ଅପେକ୍ଷା ଛୋଟ ଛୋଟ ସହରରେ, ଡିଜେ ଶବ୍ଦରେ କାନ ଫାଟୁଛି । ସେଇଠି ବେଶି ବିଶୃଙ୍ଖଳା ଘଟୁଥିବା ଖବର ଆସୁଛି । ଆବଶ୍ୟକ ବା ଅନୁମତି ଠାରୁବି ଅତ୍ୟଧିକ ଶବ୍ଦ ବଜାଇବାରେ ବେଶି ଆନନ୍ଦ ପାଉଛନ୍ତି ଯୁବପିଢ଼ି ।
ଛୋଟ ସହର ଓ ବଡ଼ ସହରର ଯୁବପିଢିଙ୍କ ମାନସିକତାରେ କାହିଁକ ଏଭଳି ବଡ ବ୍ୟବଧାନ । ଏଥିପାଇଁ କ’ଣ ଶିକ୍ଷାଗତା ଯୋଗ୍ୟତା, ସଚେତନତା ପ୍ରଶାସନ ଦ୍ୱାରା ଢିଲା ଆଇନ୍ ପାଳନ ପ୍ରକ୍ରିୟା ଦାୟୀ ନୁହେଁକି ? ସମାଜ ଉପରେ ଏହାର କୁପ୍ରଭାବ ପଡ଼ୁନି କି ?ଯଦି ଜଣେ ହୃଦ୍ ରୋଗୀ ଡିଜେର ଏହି ଅତ୍ୟାଧୁନିକ ଶବ୍ଦ ପଖରେ ରହେ ତାର ଜୀବନ ବି ଚାଲିଯାଇ ପାରେ । ଉଚ୍ଚ ରକ୍ତଚାପ ରୋଗୀ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ ଏବଂ ବୟଷ୍କ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । କେତେକେତେ ପଶୁପକ୍ଷୀଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ । ଯଦି ଅତି ସାଧାରଣରେ ଅନୁଶୀଳନ କରିବା, ତେବେ କେତେ ଶିକ୍ଷିତ ଯୁବପିଢ଼ି ଏଭଳି କାର୍ଯ୍ୟରେ କରିଥାନ୍ତି, ଯେଉଁ ମାନଙ୍କ ଦ୍ୱାରା ସମାଜର ବା ପାଖପଡିଷାଙ୍କର କ୍ଷତି ହେବ ? କିନ୍ତୁ ଏଭଳି କାର୍ଯ୍ୟ ସେଇମାନଙ୍କ ପାଖରେ ଅଧିକ ଦେଖାଯାଏ ଯେଉଁମାନେ ପ୍ରକୃତ ଶିକ୍ଷାଗତା ଯୋଗ୍ୟତାରୁ ବଂଚିତ ହେଉଛନ୍ତି । ଶିକ୍ଷାଗତା ଯୋଗ୍ୟତା କହିଲେ, ପାଠପଢ଼ିବା ସହ ଅଭିଭାବକଙ୍କ ସଚେତନତା ମଧ୍ୟ ନିହାତି ଆବଶ୍ୟକ । ଆଉ ଆମ ଭାରତ ବର୍ଷରେ ଅନେକ ଛୋଟ ସହର ବା ଗାଁ ଅଛି ଯେଉଁଠି ସଠିକ୍ ଶିକ୍ଷା ପହଁଚିଂ ପାରୁନାହିଁ । ତେବେ ଏଥିପାଇଁ ସରକାର, ପ୍ରଶାସନ ସଚେତନ ହେବା ଅତ୍ୟନ୍ତ ଆବଶ୍ୟକ । ସରକାର ଯଦି ଏଭଳି କର୍ଯ୍ୟକୁ ସଠିକ୍ ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ଭିତରେ ଭିତ୍ତି ସଂଚାର କରିପାରନ୍ତେ ତେବେ ଯାଇ ଯୁବପିଢ଼ିଙ୍କ ଭିତରେ ଏଭଳି ମାନସିକତାରେ ପରିବର୍ତ୍ତନର ଆଶା ଆମେ ରଖିପାରିବା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031