Indus Valley Times

ଦାୟିତ୍ବ ଗ୍ରହଣ କଲେ ନୂଆ ପୋଲିସ ଡିଜି ୱାଇ. ବି. ଖୁରାନିଆ, କହିଲେ- ‘ଅପରାଧ ନିୟନ୍ତ୍ରଣ ଆମ ପ୍ରାଥମିକତା’

 Breaking News

ଦାୟିତ୍ବ ଗ୍ରହଣ କଲେ ନୂଆ ପୋଲିସ ଡିଜି ୱାଇ. ବି. ଖୁରାନିଆ, କହିଲେ- ‘ଅପରାଧ ନିୟନ୍ତ୍ରଣ ଆମ ପ୍ରାଥମିକତା’

ଦାୟିତ୍ବ ଗ୍ରହଣ କଲେ ନୂଆ ପୋଲିସ ଡିଜି ୱାଇ. ବି. ଖୁରାନିଆ, କହିଲେ- ‘ଅପରାଧ ନିୟନ୍ତ୍ରଣ ଆମ ପ୍ରାଥମିକତା’
August 16
20:52 2024

କଟକ, ୧୬/୮ : ସାଇବର କ୍ରାଇମ, ମାଦକ ଦ୍ରବ୍ୟର ପ୍ରସାର ଓ ଅପରାଧ ମୁକାବିଲା ଦିଗରେ ପୁଲିସ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାସହିତ ଥାନାକୁ ଅଭିଯୋଗ ପାଇଁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟର ନୂଆ ପୁଲିସ ଡିଜି ୱାଇବି ଖୁରାନିଆ କହିଛନ୍ତି ।
ଆଜି କଟକସ୍ଥିତ ପୁଲିସ ମୁଖ୍ୟାଳୟଠାରେ ରାଜ୍ୟର ନୂଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରତିକ୍ରିୟା ଦେଇ ଶ୍ରୀ ଖୁରାନିଆ କହିଛନ୍ତି ଯେ, ରାଜ୍ୟବାସୀଙ୍କୁ ଉନ୍ନତମାନର ପୁଲିସ ସେବା ଯୋଗାଇବା ସବୁଠୁ ବଡ଼ କର୍ତ୍ତବ୍ୟ । ଆଗାମୀ ଦିନରେ ମାଦକଦ୍ରବ୍ୟର ପ୍ରସାର ଓ ଅପରାଧ ଉପରେ ପୁଲିସ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ । ସାମ୍ପ୍ରତିକ ପରିସ୍ଥିତିରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ସଫଳତାର ସହ ମୁକାବିଲା କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ଶାନ୍ତି ଶୃଙ୍ଖଳା ରକ୍ଷା, ଅପରାଧ ଦମନ, ଅପରାଧ ନିରାକରଣ ଉପରେ ଗୁରୁତ୍ୱ ଦିଆଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନକ୍ରମେ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପ୍ରାଥମିକତା ଦିଆଯିବ । ସମାଜର ଦୁର୍ବଳ ବର୍ଗ, ଶିଶୁ ଓ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଅପରାଧ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ଜାରି ରହିବ ତଥା ଓଡ଼ିଶା ପୁଲିସର ମୁଖିଆ ଦାୟିତ୍ୱ ଗ୍ରହଣ କରି ସେ ଗୌରବାନ୍ୱିତ ବୋଲି ଶ୍ରୀ ଖୁରାନିଆ କହିଛନ୍ତି ।
ଆଜି ଅପରାହ୍ନରେ ଶ୍ରୀ ଖୁରାନିଆ କଟକସ୍ଥିତ ପୁଲିସ ମୁଖ୍ୟାଳୟରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଅସ୍ଥାୟୀ ଡିଜି ଅରୁଣ କୁମାର ଷଡଙ୍ଗୀଙ୍କଠୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।
ଅନ୍ୟପକ୍ଷରେ, ଶ୍ରୀ ଖୁରାନିଆ ପୁଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଆଜି ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ସରକାର କିଭଳି ରାଜ୍ୟର ଦୁଇ ପ୍ରଶାସନିକ ମୁଖ୍ୟ ପଦବୀ (ମୁଖ୍ୟ ସଚିବ ଓ ପୁଲିସ ଡିଜି)ରେ ଦୁଇଜଣ ଅଣଓଡ଼ିଆ ଅଫିସରଙ୍କୁ ଅବସ୍ଥାପିତ କରିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତା କି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଥିବାବେଳେ ବିଜେପି ଏହାର ଜବାବ ରଖିଛି । ବିଜେପି ବିଧାୟକ ଅଗସ୍ତି ବେହେରା କହିଛନ୍ତି ଯେ, ଦକ୍ଷତା ଆଧାରରେ ଡିଜିପି ନିଯୁକ୍ତି ହୋଇଛି । ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ କାର‌୍ୟ୍ୟ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30