Indus Valley Times

ବିଷ ଜ୍ୱଳାରେ ୪ ମାସ କଲବଲ ହେବା ପରେ ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ଫୁଟିଲା ହସ

 Breaking News

ବିଷ ଜ୍ୱଳାରେ ୪ ମାସ କଲବଲ ହେବା ପରେ ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ଫୁଟିଲା ହସ

September 21
18:27 2021

କଟକ,୨୧/୯: ‘ମୋତେ ମାରିଦିଅ, ନ ହେଲେ ଡାକ୍ତରଖାନା ନେଇଯାଅ।’ ନାଗ ସାପ ବିଷର ଜ୍ୱଳା ସହି ନ ପାରି ୪ ମାସ ପୂର୍ବେ ଏପରି ଗୁହାରୀ କରୁଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଞ୍ଜୁଳା ମୁହଁରେ ଫୁଟିଛି ହସ। କଟକ ବଡ଼ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନୂଆ ଜୀବନ ପାଇପାରିଛି ଏହି କୁନି ଝିଅ ।
ଏଥିସହ ପଚି ଯାଇଥିବା ହାତଟିକୁ ମଧ୍ୟ ରକ୍ଷା କରାଯାଇପାରିଛି। କଟକ ବଡ଼ ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସିତ ହେବା ପରେ ଶେଷରେ ଆସନ୍ତାକାଲି ନିଜ ଘରକୁ ଫେରିଯିବ ସେ।
ଦିନେ ହସ ଭୁଲି ଯାଇଥିବା ମଞ୍ଜୁଳାର ହସ ହସ ମୁହଁ ଦେଖି ଏବେ ସମସ୍ତେ ଆଶ୍ୱସ୍ତ। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିଲେ ବି ଦୁଇ ଦୁଇ ଥର ଅପରେସନ ପରେ ମଞ୍ଜୁଳାର ହାତକୁ ରକ୍ଷା କରାଯାଇପାରିଛି।
ଗତ ଜୁନ୍ ମାସରେ ଘର ପାଖରେ ଖେଳୁଥିବା ବେଳେ ମଞ୍ଜୁଳାକୁ ଏକ ନାଗ ସାପ କାମୁଡି ଦେଇଥିଲା। ଏଥିଯୋଗୁ ତା’ ଡାହାଣ ହାତଟି ଫୁଲି ପଚି ଯାଇଥିଲା। ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ନବରଙ୍ଗପୁର ଓ ପରେ କୋରାପୁଟ ମେଡିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇ ପାରି ନ ଥିଲେ। ଏପରିକି ସାପ ବିଷ ଜ୍ୱଳା ସହି ନ ପାରି ତାକୁ ଜୀବନରୁ ମାରିଦେବାକୁ କାକୁତି ମୀନତି ହେଉଥିଲା କୁନି ଝିଅଟି। ସେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତା’ ଦୁଃଖକୁ ସହି ନ ପାରି ଆଖିରୁ ଲୁହ ଝରାଉଥିଲେ ତା’ ବାପାମା‘।
ଏ ନେଇ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପ୍ରଥମେ ମଞ୍ଜୁଳାକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏସସିବି ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିଲା ମଞ୍ଜୁଳା। ଏସସିବିରେ ତା’ର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଞ୍ଜୁଳାର ୨ ଥର ଅପରେସନ୍ ମଧ୍ୟ ହୋଇଛି। ଏବେ ମଞ୍ଜୁଳାର ପଚି ଯାଇଥିବା ହାତଟି ସମ୍ପୂର୍ଣ୍ଣ କାର‌୍ୟ୍ୟକ୍ଷମ ହୋଇ ନ ଥିଲେ ମଧ୍ୟ ବିପଦମୁକ୍ତ ଥିବା ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।
ଝିଅ ଭଲ ହେବ ବୋଲି ଆଶା ଛାଡ଼ି ଦେଇଥିବା ମଞ୍ଜୁଳାର ପରିବାର ଲୋକ ମଧ୍ୟ ଏବେ ଝିଅର ହସ ହସ ମୁହଁ ଦେଖି ବେଶ୍ ଖୁସି। ଏନେଇ ମଞ୍ଜୁଳାଙ୍କ ମା’ କହିଛନ୍ତି, “ଝିଅ ଧୀରେ ଧୀରେ ସୁସ୍ଥ ହେଉଛି। ଡାକ୍ତରଙ୍କ ପରିଶ୍ରମ ଯୋଗୁ ମୋ ଝିଅ ଭଲ ହେଲା। ଆମେ ସବୁବେଳେ ସେମାନଙ୍କ ନିକଟରେ କୃତଜ୍ଞ ରହିବୁ।”

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930