Indus Valley Times

ନିଲାମ ହେଲା ଅର୍ପଣ ଚାଉଳ, ମିଳିଲା ଏତିକି କୋଟି ଟଙ୍କା

 Breaking News

ନିଲାମ ହେଲା ଅର୍ପଣ ଚାଉଳ, ମିଳିଲା ଏତିକି କୋଟି ଟଙ୍କା

October 04
16:47 2024

ଭୁବନେଶ୍ୱର,୪/୧୦: ନିଲାମ ହେଲା ଅର୍ପଣ ଚାଉଳ। ପରିକ୍ରମା ପ୍ରକଳ୍ପବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା।
କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ। ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଲେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଆଜି ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା। ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହେଲା।
ଦୀର୍ଘଦିନ ଧରି ଅର୍ପଣ ଚାଉଳକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଛି। ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହା ‘ବି’ କାଟେଗୋରିରେ ଆସୁଥିବା ମାନ ଯାଞ୍ଚକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।
ତେଣୁ ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ ବୋଲି ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୋମବାର ଆବାସିକ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି।
ଏହି ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। କାରଣ ଅଧିକ ଦିନ ରହିଲେ ଚାଉଳର ମାନରେ ପ୍ରଭାବ ପଡ଼ିବ। ତେଣୁ ଆବଶ୍ୟକ ପ୍ରକ୍ରିୟା ପାଇଁ ଜିଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲାପାଳ ସ୍ବାଇଁ କହିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ତତ୍କାଳୀନ ବିଜେଡି ସରକାରଙ୍କ ପକ୍ଷରୁ ଅର୍ପଣ ରଥ ସାରା ରାଜ୍ୟରେ ବୁଲି ଭକ୍ତଙ୍କ ଠାରୁ ଚାଉଳ, ଗୁଆ, ଟଙ୍କା ଆଦି ଦାନ ସୂତ୍ରରେ ସଂଗ୍ରହ କରାଯାଇଥିଲା।
ପରବର୍ତ୍ତୀ ସମୟରେ ସଂଗୃହୀତ ଅର୍ପଣ ଚାଉଳକୁ ନେଇ ବିବାଦ ଦେଖାଦେଇଥିଲା। ଶେଷରେ ସରକାର ଏବଂ ସୁଆର ମହାସୁଆର ନିଯୋଗର ନିଷ୍ପତ୍ତି ଅନୁଯାୟୀ ଉକ୍ତ ଚାଉଳରେ କାନିକା ଓ ଖେଚୁଡି ପ୍ରସ୍ତୁତ କରାଯାଇ ଭକ୍ତଙ୍କୁ ବଣ୍ଟାଯାଇଥିଲା।
ତେବେ ର୍ନିବାଚନ ପରେ ସରକାର ପରିବର୍ତ୍ତନ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେହି କାନିକା, ଖେଚୁଡ଼ି ବଣ୍ଟନ ବନ୍ଦ କରିଦିଆଯାଇଥିଲା।
ଫଳରେ ବଳକା ରହିଥିବା ଚାଉଳ ସେହିପରି ପଡ଼ିରହି ନଷ୍ଟ ହେଉଥିଲା। ବିଭିନ୍ନ ମହଲରେ ଏନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଉକ୍ତ ଚାଉଳକୁ ମିଲ୍କୁ ପଠାଯାଇଥିଲା।
ତେବେ ବାକି ରହିଥିବା ଚାଉଳକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ସୋମବାର ଜିଲାପାଳ କହିଛନ୍ତି, ଯେଉଁ ଚାଉଳ ବଳକା ରହିଯାଇଛି ତାହା ମହାପ୍ରସାଦ ହେବା ଯୋଗ୍ୟ ନୁହେଁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଅନୁମୋଦନ ନିମନ୍ତେ ପ୍ରଦାନ କରାଯାଇଥିଲା।
ସରକାର ସମସ୍ତ ଘଟଣାକୁ ଅନୁଧ୍ୟାନ କରି ଅନୁମୋଦନ ଦେଇଛନ୍ତି। ସରକାରଙ୍କ ଅନୁମୋଦନ ଆସିବା ପରେ ରବିବାର ଏକ ବୈଠକ ହୋଇଥିଲା। ଗଚ୍ଛିତ ଥିବା ଅର୍ପଣ ଚାଉଳର ମାନ ପରୀକ୍ଷା କରାଯାଇଥିଲା।
ଏହା ଯଦିଓ ମଣିଷ ଖାଦ୍ୟ ଉପଯୋଗୀ ତେବେ ଏହାକୁ କୌଣସି ଅନୁଷ୍ଠାନକୁ ପ୍ରଦାନ କରାଯିବ ନାହିଁ। ନିଷ୍ପତ୍ତି ଅନୁସାରେ ଏହି ଚାଉଳକୁ ନିଲାମ କରାଯାଇ ତାହାର ବିକ୍ରି ଲବ୍ଧ ଅର୍ଥକୁ ଶ୍ରୀମନ୍ଦିରକୁ ଦାନ କରାଯିବ।
ଟେଣ୍ଡର ମାଧ୍ୟମରେ ଚାଉଳ ବିକ୍ରି କରାଯିବ। ଖୁବ୍ଶୀଘ୍ର ମିଲର୍ କିମ୍ବା ବ୍ୟକ୍ତିବିଶେଷ ଟେଣ୍ଡର ଯୋଗେ କିଣିବା ସହ ସ୍ପଟ ଭିଜିଟ ମଧ୍ୟ କରିପାରିବେ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପକ୍ଷରେ ସୁଆର ମହାସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି, ସରକାର ଯେତିକି ଚାଉଳ ଦେଇଥିଲେ, ସେଥିରୁ ପ୍ରାୟ ୪ହଜାର କୁଇଣ୍ଟାଲ ଚାଉଳରେ କାନିକା ଓ ଖେଚୁଡ଼ି କରି ଭକ୍ତଙ୍କୁ ବଣ୍ଟାଯାଇଛି।
ଯାହା କିଛି ରହିଯାଇଥିଲା, ତାହାକୁ ପ୍ରୋସେସିଂ ନିମନ୍ତେ ମିଲକୁ ପଠାଯାଇଥିଲା। ସେଗୁଡିକ ଭଲ ରହିଛି। ପ୍ରଶାସନ ଯଦି ନିର୍ଦ୍ଦେଶ ଦେବ ସେଥିରୁ କାନିକା, ଖେଚୁଡ଼ି କରି ଭକ୍ତଙ୍କୁ ବଣ୍ଟାଯିବ। ତେବେ ଯେଉଁ ସମୟରେ ଭକ୍ତଙ୍କୁ ବଣ୍ଟାଯାଉଥିଲା, ସେ ସମୟରେ ଯଦି ବନ୍ଦ କରାଯାଇ ନ ଥାନ୍ତା ତେବେ ଚାଉଳରେ କାନିକା ଖେଚୁଡି ପ୍ରସ୍ତୁତ ହୋଇ ବଣ୍ଟାଯାଇପାରିଥାନ୍ତା।
ଭକ୍ତଙ୍କୁ ମହାପ୍ରସାଦ ବଣ୍ଟାଯିବା ନେଇ ବ୍ୟବସ୍ଥା କରିବେ ବୋଲି ଆଇନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶାସନ ଚାହିଁଲେ ପୁଣିଥରେ ତାହା ବଣ୍ଟା ଯାଇପାରିବ ବୋଲି ମହାସୁଆର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930