Indus Valley Times

ନୂଆଗାଁ : ଶିଙ୍କୁଳିତଇଲା ଗ୍ରାମବାସୀଙ୍କୁ ଚୁଆପାଣି ଭରଷା: ଗ୍ରାମବାସୀଙ୍କୁ ଭୂଆଁ ବୁଲାଉଛନ୍ତି ନେତା ଓ ପ୍ରଶାସନ

 Breaking News

ନୂଆଗାଁ : ଶିଙ୍କୁଳିତଇଲା ଗ୍ରାମବାସୀଙ୍କୁ ଚୁଆପାଣି ଭରଷା: ଗ୍ରାମବାସୀଙ୍କୁ ଭୂଆଁ ବୁଲାଉଛନ୍ତି ନେତା ଓ ପ୍ରଶାସନ

November 26
20:10 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ ,୨୬/୧୧: ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ନୂଆଗାଁ ବ୍ଲକର ଅନେକ ଗ୍ରାମର ଗ୍ରାମବାସୀ । ଅସହାୟ ଗରିବ ଗୁରୁବା ଲୋକଙ୍କ ଚିତ୍କାର ନା ଶୁଣି ପାରୁଛି ପ୍ରଶାସନ ନା ଶୁଣି ପାରୁଛନ୍ତି ଲୋକପ୍ରତିନିଧି ।
ପ୍ରତିବର୍ଷ ନୂଆଗାଁ ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗର ଅସଲ ମୁଖା ଖୋଲୁଥିବା ସହ ଲୋକପ୍ରତିନିଧି ମାନେ ନିଜ ପନ୍ଚାୟତବାସୀଙ୍କ ପାଇଁ କେତେ ସମସ୍ୟା ଦୂର କରି ପାରୁଛନ୍ତି ତାହାର ପ୍ରତିଛବି ଆପେ ଆପେ ବାରି ହୋଇ ପଡୁଥିବା ବେଳେ ଚଳିତବର୍ଷ ମଧ୍ୟ ନିଜର ଅପାରଗତା ପଣିଆକୁ ଲୁଚାଇ ପାରିନାହାଁନ୍ତି ।
କଥାରେ ଅଛି “ଜଳ ହିଁ ଜୀବନ” ଠିକ୍ ସେହିପରି ଟିକେ ଜଳ ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଲାଣି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗୁମୀ ପଂଚାୟତ ଅନ୍ତର୍ଗତ ଶିଙ୍କୁଳିତଇଲା ଗ୍ରାମରେ। ଗ୍ରାମରେ ଦୁଇ ଦୁଇଟି ନଳକୂପ ଅଛି କିନ୍ତୁ ସେଥିରୁ ବାହାରୁଥିବା ଖାର ପାଣି ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥିବା ବେଳେ ଭାତ ରୋଷେଇ କଲେ ତାହାର ବର୍ଣ୍ଣ ହଳଦିଆ ପଡିଯାଉଥିବା ଗ୍ରାମବାସୀମାନେ କହିଛନ୍ତି।
ଖାଦ୍ୟ ପ୍ରସ୍ତୁତି, ପାନୀୟ ଏବଂ ଗାଧୋଇବା ପାଇଁ ଗ୍ରାମର ୧ କିଲୋମିଟର ଦୂରରେ ଥିବା ଏକ ନଦୀ ହିଁ ଏକମାତ୍ର ଭରସା ପାଲଟିଛି । ଯେଉଁଠି ଗାଧୋଉଛନ୍ତି ତା ପାଖରୁ ଚୁଆ ଖୋଳି ପାଣି ଆଣି ପିଇବା ସହ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ପ୍ରତିଦିନ ଗ୍ରାମର ମହିଳାମାନେ ସକାଳୁ ସକାଳୁ ଘରକାମ ସାରିଦେଇ ପିଲାମାନଙ୍କୁ ଧରି ଗାଧୋଇବାକୁ ଯାଆନ୍ତି ଏବଂ ଗାଧୋଇ ସାରି ହାଣ୍ତି ଓ ଗରା ଗୁଡିକରେ ପାଣି ଆଣି ରୋଷେଇ କରୁଥିବାର ଦୃଶ୍ୟ ବର୍ଷସାରା ଏହି ଗ୍ରାମରେ ଦେଖିବାକୁ ମିଳୁଛି ।
ଅନ୍ୟ ଗ୍ରାମ ଗୁଡିକ ଭଳି ଏହି ଗ୍ରାମରେ ସାମାନ୍ୟ ପୋଖରୀଟିଏ ନଥିବା ଜଣାପଡିଛି ଯାହାଫଳରେ ଲୋକମାନେ ନଦୀରେ ଗାଧୋଇଥାନ୍ତି। ଏହି ଗ୍ରାମର ଉଭୟ ପୁରୁଷ ଏବଂ ମହିଳା ମାନେ ନଦୀରୁ ପାଣି ଆଣିଥାନ୍ତି। ଏହି ଗ୍ରାମରେ ୪୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ପାଇଁ ଏମାନେ ବିଭିନ୍ନ ସମସ୍ୟା ଭୋଗୁଥିବା ଜଣାପଡିଛି। ଏପରିକି ଏହି ଗ୍ରାମକୁ ଯିବା ପାଇଁ ପକ୍କା ରାସ୍ତା ନଥିବା ବେଳେ ନଦୀ ଉପରେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିଲା ନାହିଁ। ବର୍ଷାଦିନେ ଏହି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡୁଥିବା ଜଣାପଡିଛି।
ତତସହିତ ଗ୍ରାମର ଲୋକମାନେ ଆଗରୁ ଖଲି ସିଲେଇ, ଚାଷ ଆଦି କାର‌୍ୟ୍ୟ ଉପରେ ନିର୍ଭର କରି ଚଳୁଥିବା ବେଳେ ବର୍ତମାନ ଜଙ୍ଗଲ ଜୀବଜନ୍ତୁ ଫସଲ ନଷ୍ଟ କରୁଥିବା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସେହିଭଳି ପାଖ ଜଙ୍ଗଲରୁ ଶାଳ ପତ୍ର ସଂଗ୍ରହ କରି ଖଲି ସିଲେଇ କରୁଥିବା ବେଳେ ସେଗୁଡିକୁ କିଛି କାଠମାଫିଆ କାଟି ନେଉଥିବାରୁ ସେ ରୋଜଗାରର ବାଟ ମଧ୍ୟ ବନ୍ଦ ହୋଇଗଲାଣି।
ଏ ବାବଦରେ ଗ୍ରାମବାସୀମାନେ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ଏଥିରେ କୌଣସି ସୁଧାର ଆସୁନାହିଁ। ତେବେ ପାନୀୟ ଜଳ ଏବଂ ରାସ୍ତା ସମସ୍ୟା ବାବଦରେ ସ୍ଥାନୀୟ ସରପଂଚ ବବୃ ମହାରଣାଙ୍କୁ ପଚାରିବାରୁ ଏ ଘଟଣା ବିଷୟରେ ମୁଁ ଆଗରୁ ଅବଗତ ଅଛି।
ଗୁମୀ ଗ୍ରାମ ନିକଟରୁ ଏହି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଯୋଜନା ଚାଲିଛି ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଏହି ଗ୍ରାମକୁ ପକ୍କା ସଡକ ନିର୍ମାଣ କରିବା ସହ ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି। ତେବେ ଏହି ଗ୍ରାମବାସୀଙ୍କୁ ବହୁ ଦିନରୁ ଦିଆଯାଇଥିବା ପ୍ରତିଶ୍ରୃତି ବାସ୍ତବରେ କେବେ କାର‌୍ୟ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031