Indus Valley Times

ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

 Breaking News

ପରଲୋକରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

October 04
09:26 2020

ଭୁବନେଶ୍ୱର,୪/୧୦ : ଆଉ ଶୁଣିବାକୁ ମିଳିବନି ‘ଶହେ ଘୋଡାକୁ ଶହେ ହାତୀ, ଏକା ଲଢିବେ ମହାରଥୀ’ । ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶନିବାର ଦିନ ବିଳମ୍ବିତ ରାତିରେ ପରଲୋକ ଘଟିଛି। ଶନିବାର ରାତି ୨ଟା ୩୬ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୫ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି।
ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସହ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ଲାଗି ବହୁ ସମର୍ଥକଙ୍କ ଭିଡ ଲାଗିଛି ।
ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ତିନି ଦିନ ଧରି ଶ୍ରୀ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଅବନତି ଦେଖାଦେଇଥିଲା ଓ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସେ ସେପ୍ଟେମ୍ବର ୧୯ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୂର୍ବରୁ ବହୁବିଧ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍ ଅଲଟିମେଟମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଖୋରାପଡ଼ା ଗାଁରେ ଜନ୍ମିତ ଶ୍ରୀ ମହାରଥୀ ନିଜର ନିଆରା କଥାବାର୍ତ୍ତା ଶୈଳୀ ପାଇଁ ପରିଚିତ। ଶ୍ରୀ ମହାରଥୀ ଛାତ୍ର ଜୀବନରୁ ରାଜନୀତି ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିଲେ। ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିରେ ତାଙ୍କୁ ଗିରଫ କରାଯାଇଥିଲା। ୧୯୭୭ ମସିହାରେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କଲେଜର ଛାତ୍ରସଂସଦ ସଭାପତିର ନିଜର ରାଜନୀତିକ କ୍ୟାରିୟର କରିଥିବା ଶ୍ରୀ ମହାରଥୀ ଆଉ ପଛକୁ ଫେରିନାହାନ୍ତି। ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ।

୧୯୯୫ ମସିହାରେ ଗୋଟିଏ ଥର ସେ ନିର୍ବାଚନରେ ପରାଜିତ ହୋଇଥିଲେ । ପରେ ସେ ଆଉ କେବେ ପରାଜିତ ହୋଇନଥିଲେ । ପିପିଲି ବିଧାନସଭା ଆସନରୁ ସେ ୨୦୦୦ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ୫ମ ଥର ନିର୍ବାଚିତ ହୋଇଛନ୍ତି । ମୋଟ୍ ୭ ଥର ବିଧାୟକ ହୋଇଛନ୍ତି ପ୍ରଦୀପ ମହରଥୀ । ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇଥିଲେ ।

୨୦୧୧ରୁ ୨୦୧୨ ମସିହା ଜାନୁଆରୀ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ, ୨୦୧୪ ମେ’ରୁ ୨୦୧୭ ମେ’ ପର୍ଯ୍ୟନ୍ତ କୃଷି ସହ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଏବଂ ୨୦୧୭ ମେ’ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପଞ୍ଚାୟତିରାଜ ମନ୍ତ୍ରୀ ହୋଇଥିଲେ ପ୍ରଦୀପ ମହାରଥୀ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031