Indus Valley Times

ପରିଚାଳନା କମିଟି ବୈଠକ ଶେଷ: ନାଟମଣ୍ଡପରେ ଲାଗିବ ଏସି, ନିଆଗଲା ନିଷ୍ପତ୍ତି

 Breaking News

ପରିଚାଳନା କମିଟି ବୈଠକ ଶେଷ: ନାଟମଣ୍ଡପରେ ଲାଗିବ ଏସି, ନିଆଗଲା ନିଷ୍ପତ୍ତି

August 30
18:44 2024

ପୁରୀ, ୩୦/୮ : ଶ୍ରୀମନ୍ଦିର ନାଟ ମଣ୍ଡପରେ ଏୟାର କଣ୍ଡିସନ ବ୍ୟବସ୍ଥା ହେବ। ଭକ୍ତମାନଙ୍କ ସହଜ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ବୃଦ୍ଧବୃଦ୍ଧା ଓ ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଶ୍ରୀ ପାଢ଼ୀ କହିଛନ୍ତି, ଆଜିର ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନାଟ ମଣ୍ଡପରେ ଥିବା ଅଦରକାରି ସିନ୍ଦୁକ ଓ ଆଲ୍‌ମିରା ଗୁଡ଼ିକୁ ବାହାର କରିଦିଆଯିବ। ପରବର୍ତ୍ତୀ ସମୟରେ ସେବାୟତଙ୍କ ସହିତ କଥା ହେଲା ପରେ ଶୃଙ୍ଖଳିତ ବ୍ୟବସ୍ଥା କରାଯିବ। ବୃଦ୍ଧ/ବୃଦ୍ଧା, ମହିଳା ଓ ଛୋଟ ପିଲାଙ୍କ ପାଇଁ ଅଲଗା ଗୋଟିଏ ଧାଡ଼ି ବ୍ୟବସ୍ଥା କରାଯିବ। ପୁରୁଷମାନଙ୍କ ପାଇଁ ମଧ୍ୟ ଅଲଗା ଗୋଟିଏ ଧାଡ଼ି ବ୍ୟବସ୍ଥା କରାଯିବ।
ଧାଡ଼ି କେମିତି ରହିବ ଓ ଶ୍ରଦ୍ଧାଳୁମାନେ କେମିତି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ତାହା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି। ଏହାଛଡ଼ା ନାଟ୍ୟ ମଣ୍ଡପକୁ ଏୟାରକଣ୍ଡିସନିଂ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ ମିଳିଛି। ଏଏସ୍‌ଆଇ ସହିତ କଥା ହେଲା ପରେ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଓ ବୃଦ୍ଧ/ବୃଦ୍ଧାଙ୍କ ଦର୍ଶନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି। ସେମାନଙ୍କ ପାଇଁ ଅଲଗା କ’ଣ କିଛି କରିହେବ ସେ ଉପରେ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ଶ୍ରୀ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ନିଜସ୍ୱ ଏଫ୍‌ଏମ୍ ଚ୍ୟାନେଲ୍ ପ୍ରତିଷ୍ଠା ପାଇଁ ପରିଚାଳନା କମିଟି ନିତିଗତ ଭାବେ ଅନୁମୋଦ ମିଳିଛି। ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ। ଡିଜିଟାଇଜେସନ ହେବ ମହାପ୍ରଭୁଙ୍କ ଜମି। ଡିଜିଟାଇଜେଳସନ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଛି। ଓରସାକ ସହାୟତାରେ ସମସ୍ତ ଜମି ରେକର୍ଡ ଡିଜିଟାଇଜେସନ ହେବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ଶ୍ରୀ ପାଢ଼ୀ ଆହୁରି କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ କରାଯିବ। ଏଏସ୍‌ଆଇ ମରାମତି କାର‌୍ୟ୍ୟ ସାରିବା ପରେ ସୁନା ଛାଉଣୀ ହେବ। ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବ। ସୁନା ଛାଉଣୀ ପ୍ରସ୍ତାବକୁ ପରିଚାଳନା କମିଟି ଅନୁମୋଦନ ଦେଇଛି।
ଆଡ଼ପ ପହଣ୍ଡି ଅଘଟଣ ନେଇ ମୁଖ୍ୟପ୍ରଶାସକ କହିଛନ୍ତି, ଆଡ଼ପ ପହଣ୍ଡି ଅଘଟଣ ରିପୋର୍ଟ ଅସଂପୂର୍ଣ୍ଣ ଥିବା କହିଲେ ପରିଚାଳନା କମିଟି। ଆଉଥରେ ତର୍ଜମା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ଜଣିଆ କମିଟି ଆଜି ୯ଟି ପଏଣ୍ଟରେ ତାଙ୍କ ରିପୋର୍ଟ ଦେଇଥିଲେ। ୯ଟି ପଏଣ୍ଟରୁ ୮ଟି ପଏଣ୍ଟରେ ସହମତି ପ୍ରକାଶ ପାଇଛି। ତେବେ ଆଉଥରେ ତର୍ଜମା କରି ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି। ଭବିଷ୍ୟତରେ ଯେଭଳି ଏମିତି ଅଘଟଣ ନଘଟିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିବା ଶ୍ରୀ ପାଢ଼ୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930