Indus Valley Times

ପ୍ରତିଶ୍ରୁତି ପାଳନ କଲେ ଜିଲ୍ଲା ପରିଷଦ ସଭ୍ୟ ଚାଞ୍ଚେର ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା

 Breaking News

ପ୍ରତିଶ୍ରୁତି ପାଳନ କଲେ ଜିଲ୍ଲା ପରିଷଦ ସଭ୍ୟ ଚାଞ୍ଚେର ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା

ପ୍ରତିଶ୍ରୁତି ପାଳନ କଲେ ଜିଲ୍ଲା ପରିଷଦ ସଭ୍ୟ ଚାଞ୍ଚେର ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଲା
April 13
10:03 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୪: ବୌଦ୍ଧ ବ୍ଲକ ଶଗଡା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ଥିବା ଚାଞ୍ଚେର ଗ୍ରାମରେ ମୋବାଇଲ ନେଟୱାର୍କ ନଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ,ଗତ ପଞ୍ଚାୟତ ନିର୍ବାଚନ ସମୟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଇଂ ରାକେଶ ତ୍ରିପାଠୀ ଲୋକଙ୍କ ପାଖରେ ପହଞ୍ଚି ଅସୁବିଧା କଥା ବୁଝିଥିଲେ ରାସ୍ତାଘାଟ ଅସୁବିଧା ସହିତ ମୋବାଇଲ ନେଟୱର୍କ ନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାର ଲୋକେ ଅଭିଯୋଗ କରିଥିଲେ।
ସେତେବେଳେ ଇଂ ଶ୍ରୀତ୍ରିପାଠୀ ମୋବାଇଲ ଟାୱାର ନିର୍ମାଣର ପ୍ରତିଶୃତି ଦେଇଥିଲେ।ତାଙ୍କରି ଉଦ୍ୟମରେ ସୋମବାର ଜିଓ ମୋବାଇଲର ଏକ ଟିମ ଶଗଡା ପଞ୍ଚାୟତର ଚାଞ୍ଚେର ଗ୍ରାମରେ ପହଞ୍ଚି ଶଗଡା ରାଜସ୍ୱ ନିରୀକ୍ଷକଙ୍କ ସହଯୋଗରେ ସ୍ଥାନ ନିରୂପଣ କରିବା ସହ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି।ସୂଚନା ଯୋଗ୍ୟ କି ମାଓ ଅଧ୍ୟୁଷିତ ଓ ଅପହଞ୍ଚ ଇଲାକାରେ ସରକାରୀ ଜମିରେ ମୋବାଇଲ ଟାୱାର ନିର୍ମାଣର ନିୟମ ରହିଛି।
ଏଠାରେ ଟାୱାର ସ୍ଥାପନ ହେଲେ ଚାଞ୍ଚେର, ବାରକୁଥୁଲି ଓ ଅନ୍ୟାନ୍ୟ ଗ୍ରାମର ଲୋକେ ମୋବାଇଲ ନେଟୱାର୍କର ସୁବିଧା ପାଇ ପାରିବେ ତେଣୁ ଟାୱାର ସ୍ଥାପନ ଉଦ୍ୟମ ଆରମ୍ଭ ଯୋଗୁଁ ସେହି ଅଞ୍ଚଳର ଜନସାଧାରଣ ମାନେ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।
ଶୌଚ ହେବାକୁ ମନାକରିବାରୁ ବୁଦ୍ଧଙ୍କୁ ହତ୍ୟା ,ଅଭିଯୁକ୍ତ ଗିରଫ
ବୌଦ୍ଧ,୧୩/୪: ବୌଦ୍ଧ ବ୍ଳକର ଖମାରିପଡା ଗ୍ରାମରେ ସାମାନ୍ୟ କାରଣରୁ ଜଣେ ବୃଦ୍ଧଙ୍କୁ ନୃସଂସ ଭାବରେ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଖମାରିପଡା ଗ୍ରାମର ଏକାଦଶୀ ନାଏକ (୬୦) ନିଜ ଜମିରେ କିଛି ପନିପରିବା ଫସଲ କରିଥିଲେ ।
ଜମି ନିକଟରେ କାଡା କେନାଲ ଯାଇଥିବାରୁ କେନାଲରୁ ପାଣି ନେଇ ଚାଷ କରିଆସୁଥିଲେ । ସେଥିପାଇଁ ସେ ପ୍ରତିଦିନ କେନାଲରୁ ପାଣି କାଟି ନିଜ ଜମିରେ ମଡାଉଥିଲେ ।
କିନ୍ତୁ ଗ୍ରାମର ନରେନ ପ୍ରଧାନ (୨୬) ପ୍ରତିଦିନ ଏକଦଶୀ ପାଣି କାଟୁଥିବା କେନାଲ ହୁଡାରେ ଆସି ଝାଡା ବସି ଚାଲିଯାଉଥିଲେ । ଏହାକୁ ନେଇ ଏକାଦଶୀ ପୂର୍ବରୁ ଅନେକ ଥର ନରେନକୁ କହିଥିଲେ । ଗତକାଲି ନରେନ ପୁଣି ସମାନ ସ୍ଥାନରେ ଝାଡ ବସିବାପରେ ଏହାକୁ ନେଇ ଏକଦଶୀଙ୍କ ସହିତ ତାଙ୍କ ବଚସା ହୋଇଥିଲା । ଉଭୟଙ୍କୁ ଗାଁ ଲୋକେ କଳିଗୋଳ ନହେବାକୁ ବାରଣ କରିଥିଲେ ।
ଏହାକୁ କେନ୍ଦ୍ର କରି ନରେନ ମନରେ ରାଗ ରଖି ଗତକାଲି ରାତି ରାତି ପ୍ରାୟ ୧୨ ଟାରେ ଏକାଦଶୀ ଗାଁ ମଣ୍ଡପ ଠାରେ ଶୋଇଥିବା ବେଳେ ଏକ ଟାଙ୍ଗିଆ ଦ୍ୱାରା ବେକକୁ ହାଣି ଦେଇ ଘରେ ଆସି ଶୋଇଯାଇଥିଲା । ଘଟଣା ସ୍ଥଳରେ ହିଁ ଏକାଦଶୀର ମୃତ୍ୟୁ ହୋଇଯାଇଥିଲା ।
ବୌଦ୍ଧ ପୋଲିସ ଖବରପାଇ ରାତିରେ ଖମାରିପଡା ଗ୍ରାମକୁ ଯାଇ ଅଭିଯୁକ୍ତ ନରେନକୁ ଘରୁ ଶୋଇଥିବାବେଳେ ଗିରଫ କରି ଥାନାକୁ ନେଇ ଆସିଥିଲା । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲୁ ପଠାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି ।
ବୌଦ୍ଧରେ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର
ବୌଦ୍ଧ,୧୩/୪ : ହରଭଙ୍ଗା ବ୍ଲକ ଅଧିନସ୍ଥ ସରସରା ଗ୍ରାମ ପୋଖରୀରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ,ମୁଣ୍ଡଳୀ କଟକ ଓଡ୍ରାଫ ଟିମ,ବୌଦ୍ଧ ଅଗ୍ନିଶମ ସେବା ସଂସ୍ଥାର ଏକ ମିଳିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସରସରାର ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇଥିଲେ ।
ଏନଡିଆରଏଫ ର ଇନିସପେକ୍ଟର ବିଶ୍ୱନାଥ ଚୌଧୁରୀ,ସବଇନିସପେକ୍ଟର ପ୍ରସାଦଙ୍କ ସହ ଅନ୍ୟ ସୁରକ୍ଷା ବଳ ଏହି ତାଲିମ ଶିବିରରେ ସାଧନ କର୍ମୀ ଭାବରେ ବିଭିନ୍ନ ଜୀବନ ରକ୍ଷାକାରୀ କୌଶଳ ଉପରେ ଟ୍ରେନିଙ୍ଗ ପ୍ରଦାନ କରିଥିଲେ । ମୁଖ୍ୟତଃ ବନ୍ୟା,ବାତ୍ୟା,ଭୂମିକମ୍ପ ସମୟରେ ନିଜ ଜୀବନକୁ କିଭଳି ବଞ୍ଚାଇ ପାରିବା,ବିଭିନ୍ନ ପ୍ରକାର ଦୁର୍ଘଟଣା ସ୍ଥଳରୁ କିଭଳି ଲୋକଙ୍କୁ ବଞ୍ଚାଯାଇପାରିବ ତାର କୌଶଳକୁ ପ୍ରଦର୍ଶନ କରିଥିଲେ ।
ବୌଦ୍ଧଜିଲାରେ ଗତ ଅପ୍ରେଲ ୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ତାଲିମ ଶିବିର ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରରୀକାଳୀନ ଅଧିଖାରୀ ଅବନୀକାନ୍ତ ସାହୁ, ତଦାରଖ କରିବା ସହିତ ପରିଚାଳନା କରିଥିଲେ ।
ତାଲିମ କାର୍ଯ୍ୟକ୍ରମ ଅବସରରେ ଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତ ବଳିୟାରସିଂହ,ମଡେଲ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ ତାଲିମାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶ୍ରୁତି ବେଦବାକ୍‌,ପ୍ରଜ୍ଞା ପରିମିତା,ଦେବସ୍ମିତା ମହାନ୍ତି ,ଋଷିନାଥ ନାୟକ,ମୃତ୍ୟୁଞ୍ଜୟ ପ୍ରଧାନ,ସୁଦାମ ଭୋଇ,ଦୀପକ କୁମାର ସାହୁ,ଶୁଭକାନ୍ତ ସ୍ୱାଇଁ,ସୁଜିତ ପ୍ରଧା.ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଭୁଦତ ବେହେରା ଓ ଏସ. ପ୍ରଧାନ ପ୍ରମୁଖ ତାଲିମ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ତାଲିମ କାର୍ଯ୍ୟକ୍ରମକୁ ଜିଲା ଜରୁରୀକାଳୀନ ବିଭାଗ ତଥା ଓସଡମାର ପ୍ରୋଗ୍ରାମ ଅଫିସର ଅଶୋକ କୁମାର ରଥ ପରିଚାଳନା କରିଥିଲେ ।
ବୌଦ୍ଧଜିଲାରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ
ବୌଦ୍ଧ,୧୩/୪ : କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇବର୍ଷ ହେଲା ଛାତ୍ରଛାତ୍ରୀମାନଙ୍କର ପାଠପଢା ବାଧାପ୍ରାପ୍ତ ହୋଇଥିଲା । ବର୍ତମାନ ସବୁ ବିଦ୍ୟାଳୟ ଖୋଲି ସାରିଛି । ତଥାପି କରୋନା ପ୍ରକୋପ କାଁ ଭାଁ ରହିଥିବାରୁ ସ୍ରୁଂର୍ଣ୍ଣ ସଚେତନତା ସହିତ କୋଭିଡ କଟକଣା ପାଳନ ପୂର୍ବକ ପିଲାଙ୍କୁ ପଢିବା ପାଇଁ ବିଦ୍ୟାଳୟକୁ ଯିବାକୁ ହେବ ।
ସରକାରଙ୍କ ନିର୍ଦ୍ଦେଶ ଆଧାରରେ ଜିଲାର କୋଣ ଅନୁକୋଣରେ ଥିବା ଛାତ୍ରଛାତ୍ରୀ,ଅଭିଭାବକ,ଅଭିଭାବିକା,ବିଦ୍ୟାଳୟ ପରିଚାଳନା କମିଟି ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ୧୨ ତାରିଖଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଜିଲ୍ଳାର ବୌଦ୍ଧ,ହରଭଙ୍ଗା ଓ କଣ୍ଟାମାଳ ବ୍ଲକ ପାଇଁ ତିନୋଟି ଶିକ୍ଷା ସଚେତନତା ରଥ ବୁଲିବା ଯୋଜନା ଶିକ୍ଷା ବିଭାଗ ପକ୍ଷରୁ କରାଯାଇଛି ।
ଉକ୍ତ ତିନି ଶିକ୍ଷା ସଚେତନତା ରଥକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପତାକା ଦେଖାଇ କରିଥିବାବେଳେ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝୀ,ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା,ଜିଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ କୁମାର ଦେହୁରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ଯୋଗେନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ବ୍ୟାଣ୍ଡ ବାଦନ ଓ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ୟ କରି ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ଏହି ଶିକ୍ଷା ସଚେତନତା ରଥ ଜରିଆରେ ପିଲାଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବା,ପୂର୍ବଭଳି କୋଭିଡ ନିୟମ ପାଳନ ସହିତ ବିଦ୍ୟାଳୟକୁ ଚଳଚଞ୍ଚଳ କରିବାକୁ ବାର୍ତା ପ୍ରଦାନ କରାଯାଇଅଛି ।
ବୌଦ୍ଧ ରାମଲୀଳାର ତୃତୀୟ ଦିବସ:ଶ୍ରୀରାମଙ୍କ ବନବାସ ଗମନ, ପୁତ୍ର ବିରହରେ ଦଶରଥଙ୍କ ପରଲୋକ
ବୌଦ୍ଧ,୧୨ା୪: ବର୍ଣ୍ଣାଢ୍ୟ ପରିବେଶ ଓ ପ୍ରବଳ ଜନଗହଳି ମଧ୍ୟରେ ବୌଦ୍ଧର ପ୍ରସିଦ୍ଧ ରାମଲୀଳା ଯାତ୍ରା ତୃତୀୟ ଦିବସରେ ପହଞ୍ଚିଛି । ଯାତ୍ରାର ଦ୍ୱିତିୟ ଦିବସରେ ମହାସମାରୋହରେ ରାମ ସୀତା ବିବାହ ଉତ୍ସବ ପାଳନ କରାଯାଇଛି ।
ଜିଲାପାଳ ଲଲାଟେନ୍ଦୁ ମିଶ୍ର, ରାମଲୀଳା ନାଟ୍ୟସଂସଦର ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ତହସିଲଦାର ଅବିନାଶ ପାଣ୍ଡିଆ,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ସ୍ଥପତି ସୁମନ ଷଡଙ୍ଗୀ ପ୍ରମୁଖ ଶ୍ରୀରାମଚନ୍ଦ୍ରଙ୍କ ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇ ବୁଟୁପାଲି ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପରମ୍ପରା ଅନୁଯାୟୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୀତାଙ୍କ ସ୍ୱୟଂମ୍ବର ସଭା,ଶିବଧନୁ ଭଙ୍ଗ ଓ ରାମସୀତା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ବରଯାତ୍ରୀ ଦଳଙ୍କୁ ବୁଟୁପାଳି ବାସୀନ୍ଦାଙ୍କ ପକ୍ଷରୁ ପ୍ରସାଦ ସେବନ କରାଯାଇଥିଲା । ପାଖାପାଖି ଅଞ୍ଚଳରୁ ଅନେକ ଶ୍ରଦ୍ଧାଳୁ ଏହି ପବିତ୍ର ବିବାହ ଉତ୍ସବ ଦେଖିବାକୁ ସାମିଲ ହୋଇଥିଲେ । ଯାତ୍ରାର ତୃତୀୟ ଦିବସରେ ଭଗବାନ ଶ୍ରୀରାମ ମାତା ସୀତାଙ୍କ ସମେତ ତାଙ୍କର ଅନ୍ୟ ଭାଇ ଏବଂ ବଧୁମାନଙ୍କୁ ଅଯୋଧ୍ୟାବାସୀଙ୍କ ପକ୍ଷରୁ ସ୍ୱାଗତ କରାଯିବା ପରେ ନାଟକ ରାମ ବନବାସ ଅନୁଷ୍ଠିତ ହୋଇଥିଲା ।
ପିତୃ ସତ୍ୟ ପାଳନ କରିବା ପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହିତ ବନ ଗମନ କରିବା ପରେ ପୁତ୍ର ବିରହରେ ରାଜା ଦଶରଥଙ୍କ ପରଲୋକ ହୋଇଥିଲା ।
ଭବାନିଶଙ୍କର ମହାପାତ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନା ଓ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଉକୃଷ୍ଟ ଲେଖନୀ ଚାଳନାରେ ଯାତ୍ରାନୁଷ୍ଠାନର କଳାକାରମାନେ ନିଖୁଣ ଭାବରେ ପୌରାଣିକ କଥାବସ୍ତୁ ଅନୁଯାୟୀ ଚରିତ୍ର ଗୁଡିକୁ ପ୍ରଦର୍ଶନ କରିଥିଲେ । ୧୮ ଦିନର ଏହି ପ୍ରସିଦ୍ଧ ରାମଲୀଳା ଯାତ୍ରାରେ ଦିନ ଗଡିବା ସହିତ ଭକ୍ତଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।
ବୌଦ୍ଧ କଲେଜର ଇଂରାଜୀ ଅଧ୍ୟାପକ ସଂଜିବ କୁମାର ନାୟକଙ୍କ ଅକାଳ ବିୟୋଗ
ବୌଦ୍ଧ,୧୩/୪: ବୌଦ୍ଧ ପଞ୍ଚାୟତ କଲେଜର ଲୋକପ୍ରିୟ ଛାତ୍ରବତ୍ସଳ ଇଂରାଜୀ ଅଧ୍ୟାପକ ସଂଜିବ କୁମାର ନାୟକଙ୍କ ୫୫ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘଦିନରୁ ପାକସ୍ଥଳୀ ଓ କିଡନୀ ସମସ୍ୟା ସହ ସଂଗ୍ରାମ କରୁଥିବାବେଳେ ୧୦ ଦିନ ହେଲା କଟକ ଇଙ୍ଗ ମେଡିକାଲରେ ଚିକିତ୍ସିତ ହେଉଥିଲେ । ମଙ୍ଗଳବାର ସକାଳୁ ତାଙ୍କର ପରଲୋକ ହୋଇଯାଇଥିଲା । ଏହି ଖବର ପ୍ରଚାରିତ ହେବାପରେ ତାଙ୍କର ଅଧ୍ୟାପକ,ଅଧ୍ୟାପିକା ବନ୍ଧୁ,ଛାତ୍ରଛାତ୍ରୀ ଓ ବନ୍ଧୁ ମହଲରେ ଗଭୀର ଶୋକପ୍ରକାଶ ପାଇଥିଲା । ବୌଦ୍ଧ ପଞ୍ଚାୟତ କଲେଜଠାରେ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଦୁଇଗୋଟି ଶୋକସଭା ଅନୁଷ୍ଠିତ ହୋଇ ସଂଜିବ ନାୟକଙ୍କ ସ୍ମୃତି ଚାରଣ କରାଯାଇଥିଲା ।
ସ୍ୱର୍ଗତ ସଂଜିବ ବାବୁ ଜଣେ ଉତ୍ତମ ସଂଗଠକ ସହିତ କବି,ସାହିତ୍ୟିକ ଥିଲେ । ଇଂରାଜୀରେ ତାଙ୍କର ଅଗାଧ ଜ୍ଞାନ ରହିଥିଲା । ସୁବର୍ଣ୍ଣପୁର ଜିଲାରେ ପରିବାର ରହୁଥିବାବେଳେ ସେଠାରେ ତାଙ୍କର ଅନ୍ତେଷ୍ଟି କ୍ରିୟା କରାଯାଇଛି ।
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଟ୍ଟା ବଣ୍ଟନ ଉତ୍ସବ
ବୌଦ୍ଧ,୧୩/୪ : ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ (ଆଇକନିକ ) ସପ୍ତାହ ୧୧ ଏପ୍ରିଲ ରୁ ୧୭ ଏପ୍ରିଲ ପର‌୍ୟ୍ୟନ୍ତ ଚାଲିଛି କ୍ଷ ଏହି ଅବସରରେ ରେ ଅଦ୍ୟ ତା.୧୨.୪.୨୦୨୨ ରିଖ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୨ଟି ପଟ୍ଟା ବଣ୍ଟନ ଏବଂ ୩୦ଟି ସାର୍ଟିଫିକେଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ବବିତା ରାଣୀ ଦଳବେହେରା ଯୋଗ ଦେଇ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଜାତିଗତ ପ୍ରମାଣ ପତ୍ର ଏବଂ ହିତାଧିକାରୀ ଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ ।
ଏହି କାର୍ଯ୍ୟକ୍ରମ ତହସିଲଦାର ଅବିନାଶ ପାଣ୍ଡିଆ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପାଣ୍ଡିଆ ଏହି ସପ୍ତାହ ର ଉଦ୍ଦେଶ୍ୟ ବିଷୟରେ ସମ୍ୟକ ଧାରଣ ଦେବା ସହ ଜନସାଧାରଣ, ଛାତ୍ରଛାତ୍ରୀ ଏଥିରେ ଉପକୃତ ହୋଇପାରୁଛନ୍ତି ଏବଂ ଏଥିପାଇଁ ଲୋକଙ୍କୁ ଆଉ ତହସିଲ ଅଫିସ କୁ ବାରମ୍ବାର ଯିବାକୁ ପଡ଼ୁ ନାହିଁ ବୋଲି ମନ୍ତବ୍ୟ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନା, ମହମ୍ଦ ରଜେ ରସୁଲ,ଆର. ଆଇ. ବୌଦ୍ଧ ଉମାଶଙ୍କର ସାହୁ, ଆର. ଆଇ. ବାଉଁସୁଣି ସୁଜିତ କୁମାର ସାହୁ ଯୋଗ ଦେଇ ଏହି ବଣ୍ଟନ ରେ ସହଯୋଗ କରିଥିଲେ । ଶେଷରେ ଶ୍ରୀ ପାଣ୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
୩୯ ତମ ସପ୍ତାହରେ ‘ଉତ୍ସର୍ଗ’ ପକ୍ଷରୁ ରନ୍ଧା ଖାଦ୍ୟ ବଂଟନ
ବୌଦ୍ଧ,୧୩/୪: ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶତାଧିକ ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ଓ ଅସହାୟ ମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି ।
‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ୩୯ ତମ ସପ୍ତାହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ କଣ୍ଟାମାଲ ସିଡିପିଓ ଜ୍ୟୋସ୍ନା ରାଣୀ ପାଢ଼ୀ ଯୋଗଦେଇ ଅସହାୟ ମାନଙ୍କୁ ଖାଦ୍ୟ ବଂଟନ କରିଥିଲେ ।
କୋଭିଡ ମହାମାରୀ ଆରମ୍ଭରୁ ଗତ ତିନି ବର୍ଷ ହେଲା ଅନୁଷ୍ଠାନ ପକ୍ଷରୁ ଅସହାୟ ଓ ନିରାଶ୍ରୟଙ୍କୁ କ୍ରମାଗତ ରନ୍ଧା ଖାଦ୍ୟ ବଂଟନ ସହିତ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ କରାଯାଉଅଛି ।
ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ମିଥୁନ ସାହୁ, ଶାନ୍ତନୁ ପଟ୍ଟନାୟକ, ନାରାୟଣ ପ୍ରସାଦ ଅଗ୍ରୱାଲ, ଜୟନାରାୟଣ ମହାନ୍ତି, ସତ୍ୟନାରାୟଣ ପାଣି, ଡ଼ିଆଇପିଆରଓ ରିତାକାନ୍ତି ବଳିୟାରସିଂ, ଟିଟୁ ଅଗ୍ରୱାଲ , ମିଥୁନ ନାୟକ, ଦୀପକ ଅଦର, ଇମତିୟାଜ଼ ଖାଁ , ଦୀପକ ମହାରଣା ପ୍ରମୁଖ ଖାଦ୍ୟ ବଂଟନ କାର‌୍ୟ୍ୟକ୍ରମରେ ସାମିଲ ହୋଇ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031