Legatus

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟିତ: ମୁଖ୍ୟମନ୍ତ୍ରୀ କହିଲେ, ଭାଷାର ଉନ୍ନତି ପାଇଁ ମିଳିମିଶି କାମ କରିବା

 Breaking News

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟିତ: ମୁଖ୍ୟମନ୍ତ୍ରୀ କହିଲେ, ଭାଷାର ଉନ୍ନତି ପାଇଁ ମିଳିମିଶି କାମ କରିବା

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟିତ: ମୁଖ୍ୟମନ୍ତ୍ରୀ କହିଲେ, ଭାଷାର ଉନ୍ନତି ପାଇଁ ମିଳିମିଶି କାମ କରିବା
February 03
12:49 2024

ଭୁବନେଶ୍ୱର, ୩/୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ ଉଦଘାଟିତ ହୋଇଛି। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି।
ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
ଓଡ଼ିଆ ଭାଷାର ପ୍ରଚାର, ସଂରକ୍ଷଣ ଓ ପ୍ରସାର ପାଇଁ ଆଜି ଠାରୁ ଆରମ୍ଭ ହେଉଛି ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜଧାନୀର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ମାଟିରୁ ଆକାଶ ସାଜସଜ୍ଜାରେ ଭରିଯାଇଛି ଓଡ଼ିଆପଣ।
ଓଡ଼ିଆ ଭାବାବେଗକୁ ଛୁଇଁଲା ଭଳି ହୋଇଛି ପ୍ରତିଟି କାର୍ଯ୍ୟକ୍ରମର ପରିକଳ୍ପନା ଓ ଆୟୋଜନ। ଦେଶ ବିଦେଶରେ ଥିବା ଓଡ଼ିଆ ଶୁଭେଚ୍ଛା ଜଣାଇ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି।
ଐତିହ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ଅନୁଯାୟୀ ଫେବ୍ରୁଆରି ୩ରୁ ୫ ତାରିଖରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଉଛି। ଭାଷା ଅତୀତର ଅସ୍ତିତ୍ବ- ଭାଷା ହିଁ ଭବିଷ୍ୟତ।
ଏହି ପ୍ରସଙ୍ଗ ଆଧାରରେ ରାଜ୍ୟ ସରକାର ସମ୍ମଳିନୀର ରୂପରେଖ ପ୍ରସ୍ତୁତ କରିଛନ୍ତି। ଓଡ଼ିଆ ଭାଷାର ପ୍ରତିଟି ବିଭାଗକୁ ସମ୍ମଳନୀରେ ସ୍ଥାନ ଦିଆଯାଇଛି। ସମ୍ମିଳନୀରେ ମୋଟ୍ ୧୭ଟି ଅଧିବେଶନରେ ୧୦୦ରୁ ଅଧିକ ଖ୍ୟାତିସମ୍ପନ୍ନ ଭାଷାବିତ୍, ବୁଦ୍ଧିଜୀବୀ ଓ ବିଦ୍ବାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରିଟି କକ୍ଷ କରାଯାଇଛି।
ଏଥିରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ଅଧିବେଶନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଚାର ବିମର୍ଶ କରାଯିବ। ସମ୍ମିଳନୀରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓ ବହୁ ଜାତୀୟସ୍ତରର ବିଦ୍ୱାନ ଅଂଶଗ୍ରହଣ କରିବେ। ପ୍ରାଚୀନ, ମଧ୍ୟ ଓ ଆଧୁନିକ କାଳଖଣ୍ଡ ଉପରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ଉପସ୍ଥାପିତ ହେବ।
ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରି, ବସ୍ ଓ ମୋବାଇଲ୍ ବୁକ୍ଆର୍ଟ ମାଧ୍ୟମରେ ‘ଆସ ପଢ଼ିବା’ ଭଳି ଅନେକ କାର୍ଯ୍ୟକ୍ରମ ରହିଛି।
ଏହି ଅବସରରେ ଓଡ଼ିଆ ଭାଷା ଓ ଭାଷା ବିଜ୍ଞାନ କ୍ଷେତ୍ରକୁ ଅନନ୍ୟ ଅବଦାନ ପାଇଁ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ସମ୍ମାନ’ ପ୍ରଦାନ କରାଯିବ।
ଏତଦ୍ବ୍ୟତୀତ ଜ୍ଞାନପୀଠ, ପଦ୍ମ ପୁରସ୍କାର, ସାହିତ୍ୟ ଅକାଦେମି ପୁରସ୍କାର, କବୀର ସମ୍ମାନ ତଥା ରାଜ୍ୟ ଏକାଡେମିର ସର୍ବୋଚ୍ଚ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ଦିନ ୧୧ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା କାର୍ଯ୍ୟକ୍ରମ କରିଛି।
ସମ୍ମଳନୀର ସମସ୍ତ କାର୍ଯ୍ୟକ୍ରମ ଲାଇଭ୍ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏହାର ସ୍ମାରକୀ ସ୍ବରୂପ ‘ଅକ୍ଷର ଭୂମି’କୁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଭାଷାକୁ ଭିତ୍ତି କରି ରାଜଧାନୀରେ ‘ଏକାମ୍ର ଉତ୍ସବ’ର ଆୟୋଜନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930