Indus Valley Times

ପ୍ରିକସନାରୀ ଡୋଜ୍ ନେବା ପାଇଁ ଲୋକଙ୍କ ଭିତରେ କମୁଛି ଆଗ୍ରହ, ସରିଆସୁଛି ମାଗଣା ଟିକା ସମୟ

 Breaking News

ପ୍ରିକସନାରୀ ଡୋଜ୍ ନେବା ପାଇଁ ଲୋକଙ୍କ ଭିତରେ କମୁଛି ଆଗ୍ରହ, ସରିଆସୁଛି ମାଗଣା ଟିକା ସମୟ

September 07
12:15 2022

ରାଉରକେଲା,୭/୯: କରୋନା ପ୍ରିକସନାରୀ ଡୋଜ୍ ନେବା ପାଇଁ ଲୋକଙ୍କ ଭିତରେ କମୁଛି ଆଗ୍ରହ । ସେପଟେ ସରିସରି ଯାଉଛି ମାଗଣା ଟିକାର ଅବଧି । ଟିକା ନେବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର‌୍ୟ୍ୟନ୍ତ ବାରମ୍ବାର ନିବେଦନ କରାଯାଉଛି। କିନ୍ତୁ ଜନସାଧାରଣ ଚିରାଚରିତ ଅବହେଳା ଜାରି ରଖିଛନ୍ତି। ସେପ୍ଟେମ୍ବର ଶେଷରେ ସରିଯିବ ମାଗଣା ତୃତୀୟ ଟୋଜ୍ ଟିକା ସମୟ । ତେଣୁ ଏହି ସମୟ ଭିତରେ ପ୍ରିକସନାରୀ ଡୋଜ୍ ନେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାଦାନ ଆରମ୍ଭ ହେବା ଦିନଠାରୁ ଆଜି ପର‌୍ୟ୍ୟନ୍ତ, ମୋଟ୍ ୩୩ ଲକ୍ଷ ୯୧ ହଜାର ୯ଟି ଟିକା ଦିଆଯାଇଛି। ଏଥିମଧ୍ୟରୁ ୧୬ ଲକ୍ଷ ୯ ହଜାର ୧୮୩ଟି ପ୍ରଥମ ଡୋଜ୍ ଦିଆଯାଇଥିବାବେଳେ ୧୪ ଲକ୍ଷ ୨୮ ହଜାର ୬୯୯ଟି ଦ୍ବିତୀୟ ଡୋଜ୍ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରଥମ ଡୋଜ୍ ନେଇସାରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍ ୧ ଲକ୍ଷ ୮୦ ହଜାର ୩୮୪ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇନାହାନ୍ତି। ଦ୍ବିତୀୟ ଡୋଜ୍ ଟିକା ନେବାରେ ଅବହେଳା ପ୍ରଦର୍ଶନ କରୁଥିବା ବ୍ୟକ୍ତି ଯେ ତୃତୀୟ ଡୋଜ୍ ଟିକା ନେବାକୁ ଆଗ୍ରହୀ ହେବେ, ଆଶା କରାଯାଇନପାରେ। ଏହା ହିଁ ପରିଲକ୍ଷିତ ହୁଏ। ଆଜି ପର‌୍ୟ୍ୟନ୍ତ ମାତ୍ର ୩ ଲକ୍ଷ ୪୩ ହଜାର ୧୨୭ ଜଣ ହିଁ ତୃତୀୟ ଡୋଜ୍ ଟିକା ନେଇଛନ୍ତି। ଏହି ସଂଖ୍ୟା ନିଶ୍ଚିତଭାବରେ ନୈରାଶ୍ୟଜନକ। ଅଧିକରୁ ଅଧିକ ସଂଖ୍ୟକ ବ୍ୟକ୍ତି ତୃତୀୟ ଡୋଜ୍ ଟିକା ନେବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ଏମିତିକି ଟିକା ନେବାକୁ ଯୋଗ୍ୟ ବ୍ୟକ୍ତିଙ୍କୁ ଫୋନ୍ କରି ସୂଚନା ବି ଦିଆଯାଉଛି; ତଥାପି ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ସରୋଜ କୁମାର ମିଶ୍ର କହିଲେ, ଏଯାଏଁ କୋଭିଡ୍ ମହାମାରୀ ସଂପୂର୍ଣ୍ଣଭାବେ ଦୂର ହୋଇନି। କିନ୍ତୁ ଜନସାଧାରଣ ଏ ଦିଗକୁ ସଂପୂର୍ଣ୍ଣ ଅଣଦେଖା କରୁଛନ୍ତି। ନିଜେ ସଚେତନ ହେବାସହ ଅନ୍ୟକୁ ସଚେତନ କରି ବ୍ୟାପକ ମାତ୍ରାରେ ଟିକା ନେବା ନିତାନ୍ତ ଜରୁରୀ। ଟିକାଦାନ ମାତ୍ରାରେ ବୃଦ୍ଧି ଆଣିବାକୁ ବ୍ୟାପକ ପ୍ରୟାସ କରାଯାଉଛି। ଏଥିରେ ଜନସାଧାରଣ ସ୍ବେଚ୍ଛାକୃତଭାବେ ସାମିଲହେବା ଉଚିତବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସଂପ୍ରତି ଜିଲ୍ଲାର ୭୪ଟି କେନ୍ଦ୍ରରେ ଟିକା ଦିଆଯାଉଛି। ଏଥିମଧ୍ୟରୁ ୭୨ଟି ସରକାରୀ କେନ୍ଦ୍ର ଥିବାବେଳେ ଦୁଇଟି ବେସରକାରୀ ହସପିଟାଲରେ ମଧ୍ୟ ଟିକାଦାନ ଚାଲିଛି। ଏପର‌୍ୟ୍ୟନ୍ତ ମୋଟ୍ ୩୩ ଲକ୍ଷ ୮୧ ହଜାର ୯ ଟି ଟିକା ଦିଆଯାଇଥିବାବେଳେ ଏଥିମଧ୍ୟରୁ ୧୫ ଲକ୍ଷ ୨୩ ହଜାର ୯୨୫ ଟିକା ପୁରୁଷଙ୍କୁ ଓ ୧୫ ଲକ୍ଷ ୧୩ ହଜାର ୩୯୧ ଟିକା ମହିଳାଙ୍କୁ ଦିଆଯାଇଛି। ଏତଦ୍ବ୍ୟତୀତ ୫୬୬ଟି ଟିକା ଜିଲ୍ଲାରେ ବସବାସ କରୁଥିବା କିନ୍ନରଙ୍କୁ ଦିଆଯାଇଛି। ୬୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ ୪ ଲକ୍ଷ ୧୨ ହଜାର ୯୩୩ଟି ଟିକା ଦିଆଯାଇଥିବାବେଳେ ୪୫-୫୯ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ୬ ଲକ୍ଷ ୭୪ ହଜାର ୭୧୪ ଟିକା, ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ୧୭ ଲକ୍ଷ ୪୨ ହଜାର ୧୮୯ଟି ଟିକା, ୧୫ରୁ ୧୭ ବର୍ଷ ବୟସ୍କଙ୍କୁ ୧ ଲକ୍ଷ ୮୦ ହଜାର ୮୧୬ଟି ଟିକା ଏବଂ ୧୨ରୁ ୧୪ ବର୍ଷର ନାବାଳକ ନାବାଳିକାଙ୍କୁ ୧ ଲକ୍ଷ ୧୮ହଜାର ୪୨୧ଟି ଟିକା ଦିଆଯାଇଛି। ଜିଲ୍ଲାରେ ସର୍ବାଧିକ କୋଭିସିଲ୍ଡ ଟିକା ଦିଆଯାଇଛି। ମୋଟ୍ ୩୦ ଲକ୍ଷ ୩୧ ହଜାର ୬୩୫ ଟି କୋଭିସିଲ୍ଡ ଟିକା ଦିଆଯାଇଥିବାବେଳେ ୨ ଲକ୍ଷ ୨୬ ହଜାର ୬୯ଟି କୋଭାକ୍ସିନ ଟିକା ଓ ୧ ଲକ୍ଷ ୧୮ ହଜାର ୪୨୧ଟି କୋର୍ବେଭାକ୍ସ ଟିକା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031