Indus Valley Times

ବଦଳିଲେ ଫିରିଙ୍ଗିଆ ଥାନା ଅଧିକାରୀ, ମୁଖ୍ୟ କାର୍ଯ୍ୟାଳୟକୁ ହେଲେ ବଦଳି

 Breaking News

ବଦଳିଲେ ଫିରିଙ୍ଗିଆ ଥାନା ଅଧିକାରୀ, ମୁଖ୍ୟ କାର୍ଯ୍ୟାଳୟକୁ ହେଲେ ବଦଳି

ବଦଳିଲେ ଫିରିଙ୍ଗିଆ ଥାନା ଅଧିକାରୀ, ମୁଖ୍ୟ କାର୍ଯ୍ୟାଳୟକୁ ହେଲେ ବଦଳି
August 06
12:54 2023

ଫୁଲବାଣୀ,୬/୮ : ପୁଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣାରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ମାମଲାରେ ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି କିଛି ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନା ଉପରେ ଆକ୍ରମଣ କରିଥିଲେ । ଥାନା ଅଧିକାରୀ ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ପରିସରରେ ଯାହା ପାଇଲେ ଜାଳିଲେ। ଦୁଇଦିନ ଧରି ଏହି ପ୍ରସଙ୍ଗରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ଆଜି ହିଂସାତ୍ମକ ମୋଡ଼ ନେଇଥିଲା।
ଶତାଧିକ ଲୋକ ଥାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲ୍ଖାନାରେ ଗଚ୍ଛିତ ଗଞ୍ଜେଇ ବାହାରେ ଗଦାକରି ନିଆଁ ଲଗାଇ ଦେଇଥିଲେ। ଏହାସହ ଜବତ ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକେ ଥାନାରୁ କିଛି ବନ୍ଧୁକ ମଧ୍ୟ ଲୁଟି ନେଇଥିବା ପୁଲିସ କହିଛି। କିଛି ସମୟ ପାଇଁ ଥାନା ପରିସରରେ ନିଆଁ ହୁତ୍ ହୁତ୍ ହୋଇ ଜଳିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଫୁଲବାଣୀ ଏସ୍ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ଥାନାରେ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ପିଟିଥିଲେ। ଲୋକଙ୍କ ମାଡ଼ରେ ତହସିଲଦାର ଏମ୍. ଅନୁରାଧା, ସ୍ଥାନୀୟ ସାମ୍ବାଦିକ ସୁବ୍ରତ ମହାନ୍ତି ଆହତ ହୋଇଛନ୍ତି।
ଏସ୍ଡିପିଓ ସୁପ୍ରସନ୍ନ ମଲିକ ଏବଂ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିପରି ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି। କନ୍ଧମାଳ ଏସ୍.ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି କଡ଼ା ନଜର ରଖିଛନ୍ତି। ଫିରିଙ୍ଗିଆ ଥାନା ଏବଂ ଆଖାପାଖ ଅଞ୍ଚଳରେ ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଗତକାଲି ପୂର୍ବାହ୍ନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଏବଂ ତାଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଲାଣ କରୁଥିବା ଫିରିଙ୍ଗିଆ ଥାନାର ୨ ଜଣ ହୋମ୍ଗାର୍ଡଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଫିରିଙ୍ଗିଆ ବ୍ଲକ୍ କାର‌୍ୟ୍ୟାଳୟ ନିକଟରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟ ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଏସ୍ଡିପିଓ ସୁପ୍ରସନ୍ନ ମଲିକ ଏବଂ ତହସିଲଦାର ଏମ୍.ଅନୁରାଧାଙ୍କ ନେତୃତ୍ବରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ହେଲେ ଉତ୍ତ୍ୟକ୍ତ ଲୋକେ ଏସ୍ଡିପିଓ ଏବଂ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ।
ଏହି ଘଟଣାରେ ପୁଲିସ ହସ୍ତକ୍ଷେପ କରିବା ପରେ ଉଭୟ ପୁଲିସ ଏବଂ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା। ଏହାପରେ ପାଖାପାଖି ୫୦୦ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ସ୍ଥଳରୁ ଉଠିଯାଇ ସିଧା ଫିରିଙ୍ଗିଆ ଥାନା ଭିତରକୁ ପଶି ଯାଇଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକେ ଥାନାରେ ନିଆଁ ଲଗାଇଦେବା ସହିତ ଥାନା ପରିସରରେ ଥିବା ଜବତ ଚୋରା ବାଇକଗୁଡ଼ିକୁ ଭାଙ୍ଗିରୁଜି ପକାଇଥିଲେ। ନିଆଁରେ କେତେକ ଗାଡ଼ି ମଧ୍ୟ ଜଳିପୋଡ଼ି ଯାଇଛି।
ସୂଚନାଯୋଗ୍ୟ ଯେ ଗତ ୩ ତାରିଖ ଦିନ ଫିରିଙ୍ଗିଆ ଥାନା ଗାଡ଼ିରେ ୨ ଜଣ ହୋମ୍ଗାର୍ଡ଼ ଗଞ୍ଜେଇ ଭର୍ତ୍ତି କରି ନେଉଥିବା ବେଳେ ମାଶ୍ରିପଡ଼ା ନିକଟରେ ଲୋକେ ଗାଡ଼ିକୁ ଅଟକାଇଥିଲେ। ଖାନତଲାସ କରିବା ପରେ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ତେବେ ପୁଲିସ କାହିଁକି ଗାଡ଼ିରେ ଗଞ୍ଜେଇ ନେଉଥିଲା ଏବଂ କେଉଁ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ଲୋକେ ପଚରାଉଚରା କରିବା ପରେ ସମ୍ପୃକ୍ତ ୨ ଜଣ ହୋମ୍ଗାର୍ଡ଼ ‘ଆମେ କିଛି ଜାଣିନୁ, ଆଇଆଇସି ଆମକୁ ପଠାଇଛନ୍ତି’ ବୋଲି କହିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ଅବସ୍ଥାରେ ଥିଲେ।
ତେବେ ଘଟଣାର ଦୁଇ ଦିନ ପରେ ଅର୍ଥାତ୍ ଆଜି ସ୍ଥାନୀୟ ଲୋକେ ଆଇଆଇସିଙ୍କ ଗିରଫ ଏବଂ ପୁଲିସ ବିରୋଧରେ ତଦନ୍ତ ଦାବିରେ ଫିରିଙ୍ଗିଆ ବ୍ଲକ୍ ଅଫିସ ନିକଟରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟ ରାସ୍ତାରେ ଗଛ ପକାଇ ଅବରୋଧ କରିଥିଲେ।
ଦୀର୍ଘ ସମୟ ଧରି ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା। ବିକ୍ଷୋଭରେ ସାମିଲ ଜନତା ଥାନାଧିକାରୀଙ୍କୁ ଗିରଫ ଦାବି କରି ରାସ୍ତା ଅବରୋଧ ଚଳାଇଥିଲେ। ଅପରାହ୍ଣ ପ୍ରାୟ ୪ଟା ଯାଏ ରାସ୍ତା ଅବରୋଧ ଚାଲିଥିଲା। ତେବେ ପୁଲିସ ବଳପ୍ରୟୋଗ କରିବା ଏବଂ ମୃଦୁ ଲାଠିଚାଳନା କରିବାରୁ ଅପରାହ୍ଣରେ ଉତ୍ତେଜନା ଉଗ୍ର ରୂପ ଧାରଣ କରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031