Indus Valley Times

ବନ୍ଦେ ଭାରତ’ ମିସନକୁ ଝଟକା, କେରଳ କାରୀପୁର ଏୟାପୋର୍ଟ ରନୱେରେ ସ୍ଲିପ୍ ହେଲା ଏୟାର ଇଣ୍ଡିଆ ବିମାନ, ୧୬ ମୃତ, ୧୨୩ ଆହତ

 Breaking News

ବନ୍ଦେ ଭାରତ’ ମିସନକୁ ଝଟକା, କେରଳ କାରୀପୁର ଏୟାପୋର୍ଟ ରନୱେରେ ସ୍ଲିପ୍ ହେଲା ଏୟାର ଇଣ୍ଡିଆ ବିମାନ, ୧୬ ମୃତ, ୧୨୩ ଆହତ

August 08
14:00 2020

କାରୀପୁର ୭।୮: କୋଭିଡ-୧୯ ଯୋଗୁ ବିଭିନ୍ନ ଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ସରକାର ହାତକୁ ନେଇଥିବା ‘ବନ୍ଦେ ଭାରତ’ ମିସନକୁ ଶୁକ୍ରବାର ଝଟକା ଲାଗିଛି। ଦୁବାଇରୁ ଭାରତୀୟଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆ ବୋଇଂ-୭୩୭ କେରଳ କୋଝିକୋଡ କାରୀପୁର ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରନୱେରୁ ସ୍ଲିପ ହୋଇ ଦୁଇ ଖଣ୍ଡ ହୋଇଯାଇଛି। ଫଳରେ ବିମାନର ଜଣେ ପାଇଲଟଙ୍କ ସମେତ ମୋଟ ୧୬ଜଣ ପ୍ରାଣ ହରାଇଛନ୍ତି।
ଦୁର୍ଘଟଣାରେ ୧୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ରିମସ୍ ଓ ମର୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫ୍ଲାଇଟ୍ ସଂଖ୍ୟା ଆଇଏକ୍ସ-୧୩୪୪ରେ ଦୁଇ ପାଇଲଟ୍, ୬ ଚାଳକ ଦଳ ସଦସ୍ୟ ଓ ୧୦ ଶିଶୁଙ୍କ ସମେତ ମୋଟ ୧୮୪ ଜଣ ଯାତ୍ରୀ ଥିଲେ। ବିମାନଟି ଦୁବାଇରୁ ଅପରାହ୍ନ ୪ଟା ୪୫ ମିନିଟ୍ରେ ଉଡାଣ କରିଥିବା ବେଳେ ସନ୍ଧ୍ୟା ୭ଟା ୪୫ ମିନିଟ୍ରେ କୋଝିକୋଡ ପହଞ୍ଚିଥିଲା। ତେବେ ଭୀଷଣ ବର୍ଷାଯୋଗୁ ରନ୍ୱେ ପିଛିଳ ଥିବାରୁ ବିମାନଟି ପ୍ରାୟ ୩୦ ଫୁଟ ପର‌୍ୟ୍ୟନ୍ତ ଖସଡି ଯାଇ ଦୁଇ ଖଣ୍ଡ ହୋଇଯାଇଛି।
ବିମାନରେ ନିଆଁ ଲାଗି ନଥିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଘଟଣାସ୍ଥଳରେ ରହି ଉଦ୍ଧାର ପରିଚାଳନା କରୁଥିବା ଏନଡିଆରଏଫ ଡିଜି କହିଛନ୍ତି। ବିମାନ ବନ୍ଦର ଏକ ପାହାଡ ଉପରେ ଅବସ୍ଥିତ ଥିବାରୁ ଏଠାରେ ବିମାନ ଟେବୁଲ ଟପ୍ ଅବତରଣ କରିଥାଏ। ଏଣୁ ବିମାନର ବେଗ ଅଧିକ ରହିବା ସ୍ୱଭାବିକ । ଯଦି ବିମାନରେ ନିଆଁ ଧରିଯାଇଥାନ୍ତା ତେବେ ଅକଳ୍ପନୀୟ କ୍ଷୟକ୍ଷତି ହୋଇଥାନ୍ତା ବୋଲି କହିଛନ୍ତି ଡିଜି। ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ୦୪୯୫-୨୩୭୬୯୦୧ ନମ୍ବରରେ ଫୋନ କରି ଯାତ୍ରୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇପାରିବ ବୋଲି କୋଝିକୋଡ ଜିଲ୍ଲାପାଳ କହିଛନ୍ତି। ଏହା ବ୍ୟତୀତ ୦୫୬୫୪୬୩୯୦୩, ୦୫୪୩୦୯୦୫୭୨ ଓ ୦୫୪୩୦୯୦୫୭୫ ନମ୍ବରରେ କଲ କରି ମଧ୍ୟ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ପାଇପାରିବେ।
ବିମାନ ଦୁର୍ଘଟଣା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଥିବା ବେଳେ ମୃତ ଯାତ୍ରୀଙ୍କ ପରିଜନଙ୍କ ନିମନ୍ତେ ଶୋକ ବ୍ୟକ୍ତ କରିଛନ୍ତି। ଘଟଣା ନେଇ ପ୍ରଧାନମନ୍ତ୍ରୀ ଟେଲିଫୋନ ଯୋଗେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ସହ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କ ଉଦ୍ଦାର ଓ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ନେଇ କଥା ହୋଇଛନ୍ତି। ଦୁର୍ଘଟଣାରେ ବିମାନର ସମ୍ମୁଖ ଭାଗରେ ଯାତ୍ରା କରୁଥିବା ଯାତ୍ରୀ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ରିମସ୍ ଓ ନିକଟସ୍ଥ ମର୍ସି ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।
ବିମାନ ଦୁର୍ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଦୁଃଖ ବ୍ୟକ୍ତ କରିବା ସହ ଏକ ଟ୍ୱିଟ୍ ବାର୍ତ୍ତାରେ ମୃତ ଯାତ୍ରୀଙ୍କ ପରିବାର ନିମନ୍ତେ ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ପୂର୍ବତନ ଏଆଇସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏକ ଟ୍ୱିଟ୍ ବାର୍ତ୍ତାରେ କୋଝିକୋଡ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଥିବା ବେଳେ ମୃତକଙ୍କ ପରିଜନ ନିମନ୍ତେ ଶୋକ ପ୍ରକାଶ କରିଛନ୍ତି। ଆହତଙ୍କ ନିମନ୍ତେ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାହୁଲ ଗାନ୍ଧି।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031