Indus Valley Times

ବର୍ଷା ଉଜାଡିଦେଲା ଚାଷୀର ପରିଶ୍ରମ, ଆଣ୍ଠୁଏ ପାଣିରେ ବୁଡି ରହିଛି ଧାନ ଫସଲ

 Breaking News

ବର୍ଷା ଉଜାଡିଦେଲା ଚାଷୀର ପରିଶ୍ରମ, ଆଣ୍ଠୁଏ ପାଣିରେ ବୁଡି ରହିଛି ଧାନ ଫସଲ

December 06
10:40 2021

କଟକ, ୬/୧୨: କେଉଁଠି ବର୍ଷା ମାଡ଼ରେ ଧାନ ଫସଲ ବିଲରେ ଭାସୁଛି, ତ ଆଉ କେଉଁଠି କୋବି ଓ ପନିପରିବା ଫସଲ ଉଜୁଡିବା ସ୍ଥିତିରେ। କଟକ ଜିଲ୍ଲାର ସବୁ ସ୍ଥାନରେ ଧାନ ଫସଲ ଉଜୁଡିବା ସ୍ଥିତିରେ ରହିଥିବା ବେଳେ ପନିପରିବା ଚାଷୀ ବି ଚିନ୍ତାରେ। ଯେଉଁମାନେ ସାମ୍ଭାବ୍ୟ ବାତ୍ୟା ଘୋଷଣା ଅନୁସାରେ ଧାନ କାଟି ଘରକୁ ନେଇ ଆସିଥିଲେ ସେମାନଙ୍କ ଫସଲ ବି ଘରେ ସୁରକ୍ଷିତ ରଖିବା ପାଇଁ ସ୍ଥାନ ନଥିବାରୁ ତା ମଧ୍ୟ ଓଦା ହୋଇଯାଇଛି।
ବାତ୍ୟା ସିନା ଟଳିଗଲା, ହେଲେ ଲଗାଣବର୍ଷା ସାଙ୍ଗକୁ କାଲୁଆ ପବନ ଯୋଗୁଁ ଜନଜୀବନ ବେହାଲ୍ ହୋଇଗଲାଣି। ପାଚିଲା ଧାନ ଜମିରେ ବର୍ଷାଜଳରେ ବୁଡ଼ି ରହିଛି। ତଳିଆ ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ଏପରି ସ୍ଥିତିରେ ଧାନଗଛ ସବୁ ପଚିଯିବା ସହିତ ଧାନ କେନ୍ଦା ଝଡ଼ି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି।
ଯଦି ପାଣିପାଗରେ ପରିବର୍ତ୍ତନ ନହୁଏ ତା’ହେଲେ ବର୍ଷାପାଣିରେ ଭିଜି ଧାନଗୁଡ଼ିକ ଗଜା ହେବା ସହିତ କଳା ପଡ଼ି ଫିମ୍ପି ମାରିଯିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜିଲ୍ଲାରେ କେତେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି ଓ ଏହାର ସ୍ଥିତି କ’ଣ ସେ ସଂପର୍କରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସମସ୍ତ ବ୍ଲକ୍ ଅଧିକାରୀଙ୍କୁ ରିପୋର୍ଟ ମାଗିଥିବା ସୂଚନା ଦେଇଛନ୍ତି।
ରିପୋର୍ଟ ଆସିବା ପରେ ଯଦିଓ କ୍ଷୟକ୍ଷତି ଆକଳନ ସ୍ପଷ୍ଟ ହେବ, ତେବେ ବର୍ଷା ଧାନ ଫସଲ ଉଜାଡି ଦେଇଥିବା ଚାଷୀମାନେ କହିଛନ୍ତି। କଟକ ଜିଲ୍ଲାର ନିଆଳି ବ୍ଲକ୍ରେ ସର୍ବାଧିକ ୯୬ମିଲିମିଟର, ଟାଙ୍ଗୀ-ଚୌଦ୍ବାରରେ ୬୫ମିମି, କଣ୍ଟାପଡ଼ା ଓ ବାଙ୍କୀ-ଡମପଡ଼ା ବ୍ଲକ୍ରେ ୪୫ ମିମି ଲେଖାଏ, ମାହାଙ୍ଗା ୩୮ମିମି, କଟକସଦର ୩୧ମିମି, ସାଲେପୁର ଓ ବାରଙ୍ଗରେ ୨୦ମିମି ଲେଖାଏ, ଆଠଗଡ଼ ଓ ନିଶ୍ଚନ୍ତକୋଇଲିରେ ୧୫ମିମି ଲେଖାଏ, ତିଗିରିଆରେ ୫ମିମି, ନରସିଂହପୁରରେ ୬ମିମି ଓ ବଡ଼ମ୍ବାରେ ମାତ୍ର ୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
‘ଜୱାଦ୍’ ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ସାରା ଜିଲ୍ଲାରେ ଧାନ ଓ ପରିବାଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ଏବର୍ଷ ଭଲ ଧାନ ଫସଲ ହୋଇଥିଲା। କ୍ଷେତରେ ବର୍ଷତମାମ୍ କରିଥିବା ହାଡ଼ଭଙ୍ଗା ପରିଶ୍ରମର ଫଳ ପାଚିଲା ଧାନ ଓ ଏବର୍ଷ ଭଲ ଫସଲ ହେବ। ସେହି ଆଶା ବାନ୍ଧିଥିବା ଚାଷୀ ମୁହଁରୁ ଏବେ ହସ ଉଡ଼ିଯାଇଛି। ଏହି ଅଦିନିଆ ବର୍ଷା ବର୍ଷକର ପରିଶ୍ରମକୁ ଉଜାଡି ଦେଇଥିବା ଚାଷୀ ଅଭିଯୋଗ କରିଛନ୍ତି। କେବଳ ଧାନ ଚାଷ ନୁହେଁ, ପନିବରିବା ଚାଷୀ ବି ଫସଲ ଉଜୁଡ଼ିବା ଚିନ୍ତାରେ ବସିଛନ୍ତି।
ଏଥି ଯୋଗୁଁ ବ୍ୟାଙ୍କ, ଘରୋଇ ସଂସ୍ଥା ଓ ଗାଁ ମହାଜନଙ୍କ ଠାରୁ ଆଣିଥିବା ଋଣ ଚାଷୀମାନେ କିପରି ପରିଶୋଧ କରିବେ ସେଥିନେଇ ଚିନ୍ତାରେ ପଡ଼ିଛନ୍ତି। ଅଧିକ ବର୍ଷା ହେଲେ ଶୀତଦିନିଆ ପନିପରିବା ଯଥା; କୋବି, ଟମାଟର, ବିନ୍, ଭେଣ୍ଡି ଆଦି ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। କେତେକ ତଳିଆ ଅଞ୍ଚଳରେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଜଣାଯାଇଛି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ନିଆଳି, କଣ୍ଟାପଡ଼ା, ନିଶ୍ଚିନ୍ତକୋଇଲି, ମାହାଙ୍ଗା,ସାଲେପୁର, ସଦର, ବାଙ୍କୀ, ବାରଙ୍ଗ, ଆଠଗଡ଼ ଆଦି ସବୁ ବ୍ଲକ୍ରେ ଧାନ ଚାଷ ଉଜୁଡିବା ଆଶଙ୍କା ଦେଖାଦେଇଛି। କୃଷି ବିଭାଗ ରିପୋର୍ଟ ଅନୁସାରେ ଖରିଫ୍ ଋତୁରେ କଟକ ଜିଲ୍ଲାରେ ୧ଲକ୍ଷ ୩୩ହଜାର ୬୪୫ ହେକ୍ଟର୍ ଚାଷ ଜମିରେ ଧାନ ଫସଲ କରାଯାଇଛି।
ସେଥିରୁ ମାତ୍ର ୨୭ହଜାର ହେକ୍ଟର୍ ଚାଷ ଜମିରୁ ଧାନ ଅମଳ କରାଯାଇଥିବା ବେଳେ ବାକି ୧ଲକ୍ଷ ୬ହଜାର ୬୪୫ ହେକ୍ଟର୍ ଚାଷ ଜମିରୁ ଧାନ ଅମଳ ହୋଇପାରିନି। ବର୍ଷାରେ ଅଧିକାଂଶ ବ୍ଲକ୍ରେ ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ଖାଲୁଆ ଜମିରେ ପାଚିଲାଧାନ ପାଣିରେ ବୁଡ଼ି ରହିଛି। ତେବେ ଜିଲ୍ଲାରେ କେତେ ଧାନଚାଷ ପ୍ରଭାବିତ ହୋଇଛି ତାକୁ ନେଇ ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ସମସ୍ତ ବ୍ଲକ୍ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031