Indus Valley Times

ବାହାନଗା ଟ୍ରେନ୍ ଟ୍ରାଜେଡି, ଏବେ ଯାଏଁ ୧୭୦ ମୃତଦେହ ଚିହ୍ନଟ- ମୁଖ୍ୟ ଶାସନ ସଚିବ

 Breaking News

ବାହାନଗା ଟ୍ରେନ୍ ଟ୍ରାଜେଡି, ଏବେ ଯାଏଁ ୧୭୦ ମୃତଦେହ ଚିହ୍ନଟ- ମୁଖ୍ୟ ଶାସନ ସଚିବ

ବାହାନଗା ଟ୍ରେନ୍ ଟ୍ରାଜେଡି, ଏବେ ଯାଏଁ ୧୭୦ ମୃତଦେହ ଚିହ୍ନଟ- ମୁଖ୍ୟ ଶାସନ ସଚିବ
June 05
16:03 2023

ଭୁବନେଶ୍ବର,୫/୬: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଏଯାଏ ଚିହ୍ନଟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ସେ କହିଛନ୍ତି, ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ବର୍ତ୍ତମାନ ସୁଦ୍ଧା ୧୭୦ଟି ମୃତ ଶରୀରର ପରିଚୟ ମିଳି ସାରିଛି । ମୃତ ଶରୀର ନେବାକୁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀରର ପଠା ଯାଉଛି । ୧୯୯୯ ମସିହାରେ ପରେ ଆମେ ଏତେ ବଡ଼ ବିପତ୍ତିକୁ ସାମ୍ନା କଲୁ ।
ସ୍ଥାନୀୟ ଲୋକଙ୍କ ସହଯୋଗ, ରାଜ୍ୟ ପ୍ରଶାସନ ତତ୍ପରତା ଏବଂ ପାଖାପାଖି ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନକୁ ରକ୍ଷା କରାଯାଇ ପାରିଲା । ଦୁର୍ଘଟଣା ସ୍ଥଳକୁ ଆମେ ପୁଣି ଥରେ ତନ୍ନ ତନ୍ନ କରି ଯାଞ୍ଚ କରୁଛୁ । ଯଦି କିଛି କେଉଁଠି କିଛି ଅସୁବିଧା ଥିବ ତାକୁ ଦେଖା ଯାଉଛି । ମୃତ ଶରୀର ଗୁଡିକୁ କିଛି ଦିନ ପର‌୍ୟ୍ୟନ୍ତ ରଖିବା ପାଇଁ ଆମେ ବ୍ୟବସ୍ଥା କରାଯାଇଛି ।
ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀରକୁ ଚିହ୍ନିବା କଷ୍ଟସାଧ୍ୟ ହେଉଛି। ମୃତଦେହ ଚିହ୍ନଟ ହେବା ପରେ ହସ୍ତାନ୍ତର ପ୍ରକ୍ରିୟା ଚାଲିଛି । ଘରେ ମୃତଦେହକୁ ପହଞ୍ଚାଇବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଛି।
ସେ ଆହୁରି କହିଛନ୍ତି ଯେ, ଆହତମାନଙ୍କ ଚିକିତ୍ସା ଠିକ୍ ଭାବେ ଚାଲିଛି। ସେମାନଙ୍କ ପାଇଁ ରକ୍ତର ଅଭାବ ନାହିଁ, ସାରା ଓଡ଼ିଶାର ଲୋକେ ସ୍ୱତଃପ୍ରବୃତ୍ତ ଭାବେ ରକ୍ତ ଦେଇ ଚାଲିଛନ୍ତି, ସମସ୍ତଙ୍କ ସହଯୋଗ ପାଇଁ ଓଡ଼ିଶାରେ ରକ୍ତର ଅଭାବ ନାହିଁ।
ତେଣେ ଉଦ୍ଧାର କାର‌୍ୟ୍ୟ ସଂପର୍କରେ ସ୍ବତନ୍ତ୍ର ରିଲିଫ୍ କମିସନର୍ ସତ୍ୟବ୍ରତ ସାହୁ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସହ ସମସ୍ତେ ଲାଗିଯିବାରୁ ଅନେକ ଜୀବନ ବଞ୍ଚିଲା। ତ୍ୱରିତ ଉଦ୍ଧାର ଓ ଚିକିତ୍ସା ଯୋଗାଇବାରୁ ୧୨ଶହ ଲୋକଙ୍କ ଜୀବନ ବଞ୍ଚିଗଲା, ସ୍ଥାନୀୟ ଲୋକଙ୍କୁ ଯେତେ ସାବାସୀ ଦେଲେ ବି କମ୍ ହେବ। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମଙ୍କ କାମ ବି ପ୍ରଶଂସନୀୟ। ସରକାରଙ୍କ ଟିମ ସେଠି ସଙ୍ଗେ ସଙ୍ଗେ ପହଁଚିଥିଲା ୧୨ ଘଣ୍ଟାର ଗୋଲଡେନ ପିରିୟଡ଼ରେ ଆମେ ଭିତ୍ତିଭୂମିକୁ ପ୍ରସ୍ତୁତ କରି ପାରିଥିଲୁ ।
ଦୁର୍ଘଟଣାସ୍ଥଳରେ ଆସ୍କା ଲାଇଟ ଏବଂ ବିଭିନ୍ନ ଲାଇଟ ଲଗାଇ ବା ଦ୍ୱାରା ଆମକୁ ରେସକ୍ୟୁରେ ବଡ଼ ସହାୟକ ହୋଇଥିଲା ଏବଂ ଲୋକମାନଙ୍କୁ ହସ୍ପିଟାଲ ଆଣି ଚିକିତ୍ସା ଦେବାରେ ବି ସହାୟକ ହୋଇଥିଲା । ତେବେ ସ୍ଥାନୀୟ ଜନସାଧାରଣଙ୍କ କାମକୁ ଆମେ ଧନ୍ୟବାଦ ଦେଉଛୁ ଆଉ କୃତଜ୍ଞତା ଜଣାଉଛୁ। ସମ୍ମିଳିତ ଉଦ୍ୟମରେ ଏହି କାର‌୍ୟ୍ୟକୁ ସଫଳ କରାଯାଇଛି।
ଏଣେ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି, ଆମର ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମଙ୍କ କାର‌୍ୟ୍ୟ ଯୋଗୁ ୧୨ଶହରୁ ୧୫ ଶହ ଲୋକଙ୍କ ଜୀବନ ବଞ୍ଚିଗଲା । ତା ସହିତ ମେଡ଼ିକାଲ ବ୍ୟବସ୍ଥାକୁ ସଙ୍ଗେ ସଙ୍ଗେ ଆକ୍ଟିଭ କରାଯାଇଥିଲା । ଆମେ ଏହି ଘଟଣାରୁ ବହୁତ ବଡ଼ ଅଭିଜ୍ଞତା ପାଇଲୁ ।
ଆଗକୁ ଯଦି ଏଭଳି କିଛି ବଡ଼ ଘଟଣା ଘଟେ ସେତେବେଳେ ଆମକୁ ଏହି ଅଭିଜ୍ଞତା ଅନେକ ସହାୟକ ହେବ। ଦୁଇଟି ଟ୍ରେନ ରେ ପ୍ରାୟ ୧୫୦୦ ଲୋକ ଥିଲେ। ସେମାନଙ୍କୁ ଅନ୍ଧାର ଭିତରେ ଆଉ କମ ସମୟରେ ଉଦ୍ଧାର କରିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ସେଥି ମଧ୍ୟରୁ ୨୭୫ ଲୋକଙ୍କ ଜୀବନ ଯିବା ଆମକୁ ବହୁତ ବ୍ୟଥିତ କରିଛି । ପାଖଆଖ ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031