Indus Valley Times

ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଆହତଙ୍କୁ ଭେଟିବା ପାଇଁ ଗଲେ ହସ୍ପିଟାଲ

 Breaking News

ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଆହତଙ୍କୁ ଭେଟିବା ପାଇଁ ଗଲେ ହସ୍ପିଟାଲ

ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଆହତଙ୍କୁ ଭେଟିବା ପାଇଁ ଗଲେ ହସ୍ପିଟାଲ
June 03
18:13 2023

ବାହାନଗା/ବାଲେଶ୍ବର,୩/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଟ୍ରେନଯାତ୍ରୀଙ୍କୁ ଭେଟିଛନ୍ତି। ଆହତ ବ୍ୟକ୍ତି ଓ ସେମାନଙ୍କର ସଂପର୍କୀୟଙ୍କ ସହିତ କଥା ହୋଇ ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଡାକ୍ତରଖାନାରେ ଚିକିତ୍ସା ବ୍ୟବସ୍ଥା କେମିତି ଦିଆଯାଉଛି ସେ ନେଇ ମୋଦୀ ସମୀକ୍ଷା କରିଛନ୍ତି। ଅଧିକାଂଶ ଚିକିତ୍ସାଧୀନ ଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ସେମାନେ କେଉଁଠାରୁ ଆସୁଥିଲେ, କୁଆଡେ ଯାଉଥିଲେ ଓ ଚିକିତ୍ସା କିପରି ଚାଲିଛି ଆଦି ପ୍ରଶ୍ନ ପଚାରିଥିଲେ।
ଏହା ପୂବର୍ରୁ ପ୍ରଧାନମନ୍ତ୍ରୀ ମୋଦୀ ଦୁର୍ଘଟଣାସ୍ଥଳ ‘ବାହାନଗା’ରେ ଟ୍ରାକ୍ ଓ ବଗି ନିକଟକୁ ଯାଇ ପରିଦର୍ଶନ କରିଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଥିଲେ। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ଦୁର୍ଘଟଣା, ଉଦ୍ଧାର ଓ ଚିକିତ୍ସା ନେଇ ସମୀକ୍ଷା କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଥିଲେ।
ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ମୋଦୀ ଚାଲିଥିବା ରିଲିଫ କାର‌୍ୟ୍ୟର ସମୀକ୍ଷା କରିଛନ୍ତି। ସେ ସ୍ଥାନୀୟ କର୍ତ୍ତୃପକ୍ଷ, ବିପର‌୍ୟ୍ୟୟ ପ୍ରଶମନ ବାହିନୀର କର୍ମଚାରୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଦୁଃଖଦ ଘଟଣାରେ ସମସ୍ତ ପ୍ରକାର ସହାୟତା ଲାଗି ସରକାର ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ସ୍ଥାନରୁ କ୍ୟାବିନେଟ ସଚିବ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଆହତ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବାହାନଗାରେ ଅପରାହ୍ଣ ୩ଟା ୪୦ରେ ପହଞ୍ଚି ଥିଲେ। ସେଠାରୁ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ସେହିପରି ମୋଦୀଙ୍କ ଗସ୍ତ ସମୟରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଟ୍ରେନ୍ ଦୁର୍ଘଟଣାରେ ଏପର‌୍ୟ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚି ଥିଲା ବେଳେ ଆହୁରି ୭୦୦ ଆହତଙ୍କର ଚିକିତ୍ସା ବାଲେଶ୍ବର ଓ କଟକ ସମେତ ଅନ୍ୟ ଡାକ୍ତରଖାନାରେ ଜାରି ରହିଛି। ସେମାନଙ୍କର ମଧ୍ୟରୁ ଶତାଧିକ ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930