Indus Valley Times

ବିଳମ୍ୱରେ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇଲେ ମନ୍ତ୍ରୀ, ୮ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

 Breaking News

ବିଳମ୍ୱରେ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇଲେ ମନ୍ତ୍ରୀ, ୮ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ବିଳମ୍ୱରେ ଯାଉଥିବା ଶିକ୍ଷୟିତ୍ରୀଙ୍କୁ ରାସ୍ତାରେ ଅଟକାଇଲେ ମନ୍ତ୍ରୀ, ୮ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ
June 27
16:09 2022

କୋଣାର୍କ, ୨୭/୬: ସ୍କୁଲ ସମୟ ଆରମ୍ଭ ହୋଇ ସାରିଥିଲା। ମାତ୍ର ଏପରି ସମୟରେ ୨ ଶିକ୍ଷୟିତ୍ରୀ କ୍ଲାସ୍ରେ ପାଠ ପଢ଼ାଇବା ବଦଳରେ ରାସ୍ତାରେ ସ୍କୁଟିରେ ଯାଉଥିଲେ। ହଠାତ୍ ଗଣଶିକ୍ଷା ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ି ହଡ଼ବଡ଼େଇ ଗଲେ ଶିକ୍ଷୟିତ୍ରୀଦ୍ୱୟ ।
ମନ୍ତ୍ରୀମହୋଦୟ ବିଳମ୍ବର କାରଣ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ମନ୍ତ୍ରୀ ତୁରନ୍ତ ସ୍କୁଲକୁ ଯାଇଥିବା ବେଳେ ଯାହା ଦେଖିଥିଲେ ତାହାକୁ ବିଶ୍ୱାସ କରିପାରି ନ ଥିଲେ।
ପାଠପଢ଼ା ସମୟରେ ସ୍କୁଲରେ ନ ଥିଲା ପାଠପଢ଼ାର ନାଁଗନ୍ଧ। ଏଥିରେ ଉତ୍କ୍ଷିପ୍ତ ହୋଇ ଯାଇଥିବା ମନ୍ତ୍ରୀ ସଙ୍ଗେ ସଙ୍ଗେ ଜଣେ ସିଆରସିଙ୍କ ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶକ୍ଷଅ ନୋଟିସ ଜାରି କରିବା ସହ ସେମାନଙ୍କ ଦରମା ବନ୍ଦ କରିଛନ୍ତି। ଏପରି ଘଟଣା ଆଜି ପିପିଲି ନିମାପଡା ମୁଖ୍ୟରାସ୍ତା ଜଗନ୍ନାଥପୁର ୟୁପି ସ୍କୁଲରେ ଘଟିଛି।
ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ସକାଳେ ନିମାପଡା ଗସ୍ତରେ ଯାଉଥିବା ସମୟରେ ପ୍ରାୟ ୧୦ଟା ୨୦ ପରେ ପିପିଲି ଟୋଲ ଗେଟ ଅତିକ୍ରମ କରୁଥିଲେ। ଏହି ସମୟରେ ୨ ଶିକ୍ଷୟିତ୍ରୀ ରାସ୍ତାରେ ସ୍କୁଟିରେ ଯାଉଦେଖି ମନ୍ତ୍ରୀ ନିଜ ଗାଡ଼ି ଅଟକାଇଥିଲେ।
ଏଥିସହ ସେମାନେ କେଉଁ ସ୍କୁଲର ଶିକ୍ଷୟିତ୍ରୀ ଓ ବିଳମ୍ବର କାରଣ କ’ଣ ବୋଲି ପଚାରିଥିଲେ। ମାତ୍ର ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନ ପାରି ମନ୍ତ୍ରୀ ତୁରନ୍ତ ସେମାନେ କାର୍ଯ୍ୟରତ ଥିବା ଜଗନ୍ନାଥପୁର ୟୁପି ସ୍କୁଲକୁ ଯାଇଥିଲେ। ସେଠାରେ ଦିନ ସାଢେ ୧୦ଟା ସମୟର ଯେଉଁ ଚିତ୍ର ଦେଖିଲେ, ସେଥିରୁ କିପରି ପାଠପଢ଼ା ହେଉଥିବ ତାହା ସ୍ପଷ୍ଟ ଭାବେ ଅନୁମାନ କରିପାରିଲେ ମନ୍ତ୍ରୀ।
ପିଲାମାନେ କ୍ଲାସରେ ବସିବା ବଦଳରେ ଏଣେତେଣେ ବୁଲୁଥିଲେ। ଶିକ୍ଷକମାନେ ଅଫିସ ଭିତରେ ଏକାଠି ବସି କଥା ହେଉଥିବା ବେଳେ ପ୍ରଧାନଶିକ୍ଷକ ଗାଡି ଧରି ବାହାରକୁ ଯିବାକୁ ବାହାରି ଥିଲେ। ପଚାରିବାରୁ ପରିବା ଆଣିବାକୁ ଯାଉଛି ବୋଲି ବି କହିବାକୁ ପଛାଇ ନ ଥିଲେ।
ଏହାଦେଖି ଆକ୍ସନ ମୁଡକୁ ଆସି ଯାଇଥିବା ମନ୍ତ୍ରୀ ସଙ୍ଗେ ସଙ୍ଗେ ଜଣେ ସିଆରସିଙ୍କ ସମେତ ୮ ଶିକ୍ଷକଙ୍କୁ କାରଣ ଦର୍ଶକ୍ଷଅ ନୋଟିସ ଜାରି କରିଛନ୍ତି। ଏଥିସହ ସେମାନଙ୍କ ଦରମା ବନ୍ଦ କରିବାକୁ ପୁରୀ ଡିଇଓ ଓ ପିପିଲି ବିଇଓଙ୍କୁ ଫୋନ୍ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ମୁଁ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ପିପିଲି ଟୋଲ ଗେଟ୍ ଦେଇ ଆସିବା ବେଳେ ପ୍ରାୟ ୧୦ଟା୨୦ରେ କିଛି ଶିକ୍ଷକଶିକ୍ଷୟିତ୍ରୀ ରାସ୍ତାରେ ଯାଉଥିବା ଦେଖିଲି।
ଏହାପରେ ସ୍କୁଲକୁ ଯାଇ ସାଢେ ୧୦ଟା ପର୍ଯ୍ୟନ୍ତ କ୍ଲାସ୍ ଆରମ୍ଭ ହୋଇ ନ ଥିବା ଦେଖିବାକୁ ପାଇଲି । ଅଫିସ ରୁମ୍ରେ ପ୍ରଧାନଶିକ୍ଷକ ଓ ୪ ଶିକ୍ଷକ ବସି ଗପ କରୁଛନ୍ତି।
ସଙ୍ଗେସଙ୍ଗେ ବିଇଓଙ୍କୁ ଡାକି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ସହ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି। ଖୁବ୍ କମ୍ ସ୍କୁଲରେ ଏପରି ଦେଖିବାକୁ ମିଳିଛି । ଅଚାନକ ସ୍କୁଲରେ ପହଞ୍ଚି ଯାଞ୍ଚ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ମନ୍ତ୍ରୀ ସମୀର ଦାସ ଗତ ସପ୍ତାହରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଥିଲେ। ବାଲେଶ୍ୱର ଜିଲ୍ଲାର ଏକ ସ୍କୁଲ ତୃତୀୟ ଶ୍ରେଣୀ ପିଲା ତିନିକ ପଣିକିଆ କହି ପାରି ନ ଥିବା ବେଳେ ମନ୍ତ୍ରୀ ସଙ୍ଗେସଙ୍ଗେ ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ସାଙ୍ଗକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସରକାରୀ ସ୍କୁଲରେ ପାଠପଢ଼ାର ମାନକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଏଥିପ୍ରତି ଶିକ୍ଷକଙ୍କ ଆନ୍ତରିକତାର ଅଭାବର ଏପରି ନମୁନା ଦେଖି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି ଗଣ ଶିକ୍ଷା ମନ୍ତ୍ରୀ। ମନ୍ତ୍ରୀଙ୍କ ଏପରି ହାବଭାବ ଦେଖି ଶିକ୍ଷକଶିକ୍ଷୟିତ୍ରୀଙ୍କ ମନରେ ଛନକା ପଶିଲାଣି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930