Indus Valley Times

ବୋଇତବନ୍ଦାଣଉତ୍ସବଓବନ୍ଦରଦିବସରେମୁଖ୍ୟମନ୍ତ୍ରୀଙ୍କଯୋଗଦାନ

 Breaking News

ବୋଇତବନ୍ଦାଣଉତ୍ସବଓବନ୍ଦରଦିବସରେମୁଖ୍ୟମନ୍ତ୍ରୀଙ୍କଯୋଗଦାନ

November 16
00:36 2024

 ଶିଳ୍ପ ସମୃଦ୍ଧ ପାରାଦ୍ଵୀପ  ଅନ୍ତରାଳ ରେ  ଥିବା ଐତିହାସିକ, ଆଧ୍ୟାତ୍ମିକ, ପୋରାଣିକ ଭାବମୂର୍ତ୍ତି ଗବେଷଣା ଆବଶ୍ୟକ: ମୁଖ୍ୟମନ୍ତ୍ରୀ 

 ପାଇପ୍ ଯୋଗେ ଇନ୍ଧନ ଗ୍ୟାସ ପ୍ରକଳ୍ପ ୨୪.୮୯ କୋଟି ବ୍ୟୟ ଅଟକଳରେ ନିର୍ମିତ ତିନି ଲେନ୍ ବିଶିଷ୍ଟ   ଶହ ମିଟର ଦୀର୍ଘ ଭାରୀ ଯାନ କ୍ଷମତା ସମ୍ପନ୍ନ ପୋଲ ଭିତ୍ତପ୍ରସ୍ତର ସ୍ଥାପନ 

By Pravakar Sahoo

ପାରାଦ୍ଵୀପ ତା ୧୫.୧୧ – ରିଖ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି  ପାରାଦ୍ଵୀପ ପୋର୍ଟ ର ୱେଟ ବେସିନ ଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସ ରେ ଯୋଗଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ୱେଟ ବେସିନରେ ସପତ୍ନୀକ ପହଞ୍ଚିବା ପରେ ପାରମ୍ପରିକ ଲୋକନୃତ୍ୟ ସହିତ ତାଙ୍କୁ ହୋମା ମଣ୍ଡପ ନିକଟକୁ ପାଛୋଟି ଅଣାଯାଇଥିଲା । ଏହାପରେ ସେ ପାରମ୍ପରିକ କଳସ କୁ ପୂର୍ବରୁ ସୁସଜ୍ଜିତ ସାଧବ ସାଧବାଣୀ ଙ୍କୁ ହସ୍ତାନ୍ତର କରିଥିଲେ। ସାଧବ ମାନଙ୍କୁ ମେଲାଣି ଦେବା ଉଦ୍ଦେଶ୍ୟରେ ଓଡ଼ିଆ ଅସ୍ମିତାର ପ୍ରତୀକ ବୋଇତ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।  ପରେ ଏହି ଅବସରରେ ଆୟୋଜିତ ସଭାରେ ଉତ୍ସୁକ ଜନତାଙ୍କୁ ଅଭିବାଦନ ଜଣାଇ କହିଥିଲେ ଯେ,ଓଡ଼ିଶା ର ସମସ୍ତ ପର୍ବ ଧାର୍ମିକ ଭାବନା ସହ ଜଡିତ ଥିବାବେଳେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଇତିହାସ ସହ ସମ୍ପୃକ୍ତ। ସେହି ପୂର୍ବ ଗୌରବ ଓ ଇତିହାସ ଗାଥା କୁ ମନେପକାଇ ଦେବା ପାଇଁ ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷ ପାରମ୍ପରିକ ଭାବେ ଏହି ଉତ୍ସବ ପାଳନ କରିଆସୁଛନ୍ତି। କଳିଙ୍ଗ ର ମହାନ୍ ନୌବାଣିଜ୍ୟ ପରମ୍ପରା ଏ ମାଟିର ବୀର ସାଧବ ପୁଅ ମାନଙ୍କର ଦୁଃସାହସିକ ଜଳଯାତ୍ରା ସହ ପୃଥିବୀର ବିଭିନ୍ନ ଭୂଖଣ୍ଡ ସହ ବାଣିଜ୍ୟିକ ସମ୍ପର୍କ କୁ ଉନ୍ମୋଚନ କରେ। ପାରାଦ୍ଵୀପ ର ନାମ ସ୍ମରଣ କଲେ ଦେହରେ ଅଦ୍ଭୁତ ଶୀହରଣ ସୃଷ୍ଟି ହୁଏ।୧୯୬୨ ମସିହା ଜାନୁଆରୀ ମାସରେ  ବେଳାଭୂମିର ଶାନ୍ତ କମନୀୟ କ୍ରୋଡ଼ରେ ଯେଉଁଠି ଦିନେ ହେନ୍ତାଳର ଜଙ୍ଗଲ, ମଶା-ମାଛି, ସରୀସୃପ ଓ ସନ୍ତସନ୍ତିଆ ଭୂଇଁ ସୃଷ୍ଟି କରିଥିଲା ଅସ୍ବାସ୍ଥ୍ୟକର ପରିବେଶ, ସେଠାରେ ସୃଷ୍ଟି ହୁଏ ବିରାଟ ସୌଧମୟୀ ନଗରୀ, ଆଧୁନିକ ଓଡ଼ିଶାର ପ୍ରଗତି ଦ୍ବାର ଅର୍ଥନୀତିର କୋଣାର୍କ | 

ସମୁଦ୍ର ର ଉତ୍ତଳ ଲହରୀ ମାଳା ମଧ୍ୟରେ ସୁଦୂର ଜାଭା, ସୁମାତ୍ରା ଇଣ୍ଡୋନେସିଆ, କମ୍ବୋଡିଆ , ସିଂହଳ, ଚୀନ ଆଦି ଦେଶକୁ ସାଧବ ପୁଅ ର ଜଳ ଯାତ୍ରା, ମା ମଙ୍ଗଳା ଙ୍କ  ଉଦ୍ଦେଶ୍ୟ ରେ ମାନସିକ, ବିପୁଳ ଧନ ରାଶି ସହ ସ୍ବଦେଶ ପ୍ରତ୍ୟାବର୍ତ୍ତନ, କଳିଙ୍ଗ ସଂସ୍କୃତି ର ପ୍ରଚାର ଓ ପ୍ରସାର ପୁଣି ଉପନିବେଶ ସ୍ଥାପନ ର ଚିତ୍ର ମନକୁ ସ୍ଵତଃ ପ୍ରଚାରିତ ହୁଏ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଆଜିର ଶିଳ୍ପ ସମୃଦ୍ଧ ପାରାଦ୍ଵୀପ  ର ଅନ୍ତରାଳ ରେ ଏହାର ଯେଉଁ ଐତିହାସିକ, ଆଧ୍ୟାତ୍ମିକ, ପୋରାଣିକ ଭାବମୂର୍ତ୍ତି ରହିଛି ତାହାର ଗବେଷଣା ଆବଶ୍ୟକ।ପାରାଦ୍ବୀପ ବନ୍ଦର ଆଜି ବିଶ୍ବ ରେ ଶ୍ରେଷ୍ଠ ବନ୍ଦର ମାନଙ୍କ ମଧ୍ୟରେ ଅନ୍ୟତମ। ସାମଗ୍ରୀ ପରିବହନ ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ତରଫରୁ ପାରାଦ୍ଵୀପ ବନ୍ଦର କୁ ସାଗର ଶ୍ରେଷ୍ଠ ସମ୍ମାନ ରେ ସମ୍ମାନିତ କରାଯାଇଛି। ନିଜ ନିର୍ବାଚନ ମଣ୍ଡଳୀ, ଯାହା କି ଖଣିଜ ସମ୍ପଦ ରେ ପରିପୂର୍ଣ୍ଣ, ତାହାର ସିଂହ ଭାଗ  ରପ୍ତାନୀ ପାରାଦ୍ଵୀପ ବନ୍ଦର ଦେଇ ହୋଇଥାଏ। ତେଣୁ ଏହାକୁ ଓଡ଼ିଶା ଅର୍ଥନୀତି ର ମୁଖଶାଳା କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।ଓଡ଼ିଶା ସରକାର କେବଳ ଖଣିଜ ପଦାର୍ଥର ରପ୍ତାନି ସୁଯୋଗକୁ ଦୃଷ୍ଟିରେ ନ ରଖ୍ ତାହାକୁ କିପରି ଶିଳ୍ପ ସଂପ୍ରସାରଣରେ ନିୟୋଜିତ ହୋଇପାରିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ରଖୁଛନ୍ତି  ।ଦେଶର ବିଶିଷ୍ଟ ଶିଳ୍ପ ପତି ମାନଙ୍କ ସହ ନିକଟରେ ହୋଇଥିବା ଆଲୋଚନା ବିଷୟ ରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ଭାରତ ସରକାର ଓ ଓଡ଼ିଶା ସରକାର ଙ୍କ ପ୍ରତିବଦ୍ଧତା, ଶିଳ୍ପ ଉପଯୋଗୀ ଭିତ୍ତିଭୂମୀ ଏବଂ ଆନୁସଂଗିକ ସହଯୋଗକୁ ଦୃଷ୍ଟି ରେ ରଖି ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ ମାନେ ଓଡ଼ିଶା ରେ ପୁଞ୍ଜି ନିବେଶ ସହ ଶିଳ୍ପ ର ପ୍ରସାର କରିବାକୁ ଆଗ୍ରହୀ ବୋଲି କହିଥିଲେ। ଏଥି ନିମନ୍ତେ ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ପ୍ରଚେଷ୍ଟା ଜାରି ରହିବ। ଭାରତ ର ପ୍ରଧାମନ୍ତ୍ରୀଙ୍କର ଡାକରା ‘ପୂର୍ବୋଦୟ ରୁ ଭାରତ ଉଦୟ’ ନିମନ୍ତେ କାର୍ଯ୍ୟକାରୀ ଖସଡ଼ା ପ୍ରସ୍ତୁତ , ସାଗରମାଳା ଯୋଜନାରେ ବନ୍ଦର ଓ ପୋତାଶ୍ରୟ ର ଆଧୁନିକୀକରଣ, ନୂତନ ବନ୍ଦର ର ଭିତ୍ତିପ୍ରସ୍ତର ସ୍ଥାପନ, ଉପକୂଳ ଗୋଷ୍ଠୀ ଉନ୍ନୟନ ଇତ୍ୟାଦିର ସଫଳ ରୂପାୟନ ପାଇଁ ଉଦ୍ୟମ ଜରିରହିଛି।୧୫୦୦୦ କୋଟି ଅର୍ଥ ବିନିମୟରେ ତିଆରି ହେବ ଜାତୀୟ ଜଳ ପଥ ଯାହା ତାଳଚେର ଠାରୁ କଳିଙ୍ଗ ନଗର ଦେଇ ପାରାଦ୍ଵୀପ କୁ ଯୋଡିବା ସହ ପୁର୍ବୋଦୟ ର ବିକାଶ କରିବ।ସେହିପରି maritime India vision 2030 ଓ ଅମୃତ କାଳ ୨୦୪୭ ସୁଦ୍ଧା ଭାରତୀୟ ବନ୍ଦର କ୍ଷେତ୍ର ରେ ପ୍ରାୟ ୭୦ ଲକ୍ଷ କୋଟି ଟଙ୍କାର ନିବେଶ ଭାରତ ତଥା ଓଡ଼ିଶା କୁ ବିଶ୍ଵ ଦରବାର ରେ ପରିଚିତ କରାଇବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।  ।

ଏହାପରେ ମୁଖ୍ୟମନ୍ତ୍ରୀ  ମାନ୍ୟବର ପ୍ରଧାମନ୍ତ୍ରୀଙ୍କର ସ୍ବପ୍ନ “ପ୍ରତିଟି ଘରେ ପିଏନ ଜି, ସୁରକ୍ଷିତ ଇନ୍ଧନ ଓ ଉନ୍ନତ ଜୀବନ” ଆଧାର ରେ ପାରାଦ୍ଵୀପବନ୍ଦର ଓ ବି ପି ସି ଏଲ୍ ର ସହଭାଗିତା ରେ ବନ୍ଦର ଅଞ୍ଚଳ ର ୭ ହଜାର ରୁ ଅଧିକ ଘର ନିମନ୍ତେ ପାଇପ୍ ଯୋଗେ ଇନ୍ଧନ ଗ୍ୟାସ ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ। ଯାହାଦ୍ଵାରା ୪୦ ପ୍ରତିଶତ କମ୍ ମୂଲ୍ୟ ରେ ପ୍ରତ୍ୟେକ ଘରେ ପି ଏନ ଜି ପହଞ୍ଚିପାରିବ। ଆହୁରି ମଧ୍ୟ ୨୪.୮୯ କୋଟି ବ୍ୟୟ ଅଟକଳରେ ନିର୍ମିତ ତିନି ଲେନ୍ ବିଶିଷ୍ଟ ୫  ଶହ ମିଟର ଦୀର୍ଘ ଓ ଭାରୀ ଯାନ କ୍ଷମତା ସମ୍ପନ୍ନ ପୋଲ ର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ। ଏହି ପୋଲ ରେ ପଦଚାରୀ ମାନଙ୍କ ପାଇଁ ରାସ୍ତା ସହ ରହିବ ନୂଆ ପାଇପ୍ ଲାଇନ୍ କରିଡ଼ର। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ  ଓଡିଶା ର ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ,ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,  ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ , ଜିଲ୍ଲାପାଳ ଶ୍ରୀ ଜେ ସୋନାଲ,  ଡି ଆଇ ଜି ଶ୍ରୀ ଚରଣ ସିଂ ମୀନା ପ୍ରମୁଖ ଉପସ୍ଥିତ ଥିଲେ । ପାରାଦୀପ ବନ୍ଦର ଅଧ୍ଯକ୍ଷ ଶ୍ରୀ ପି ଏଲ୍ ହରନାଧ ସ୍ବାଗତ ଭାଷଣ ଦେବା ସହ ପାରାଦୀପ ବନ୍ଦରର ଅଭୂତପୂର୍ବ ସଫଳତା ବିଷୟରେ କହିଥିଲେ। ପାରାଦୀପ ବନ୍ଦର ସମ୍ପ୍ରତି ଦେଶର 1 ନମ୍ବର ବୃହତ୍ ବନ୍ଦରରେ ପରିଣତ ହୋଇସାରିଛି । 2047 ମସିହା ସୁଦ୍ଧା ବନ୍ଦର ର କ୍ଷମତା 500 ନିୟୁତ ମେଟ୍ରିକ ଟନ୍ କୁ ବୃଦ୍ଧି କରାଯିବା ସହ ସମଗ୍ର ବିଶ୍ବରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବ ବୋଲି ସେ ଆଶା ପୋଷଣ କରିଥିଲେ। ଶେଷରେ ବନ୍ଦର ଉପାଧ୍ୟକ୍ଷ ଶ୍ରୀ ନୀଳଭ୍ର ଦାସଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବ ରେ ପାରାଦୀପ ବନ୍ଦର ର ସମସ୍ତ କର୍ମକର୍ତ୍ତା,ବିଭିନ୍ନ ବିଭାଗ ର ସରକାରୀ ଅଧିକାରୀ, ସ୍ଥାନୀୟ ଜନସାଧାରଣ, ସହରର ବରିଷ୍ଠ ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930