Indus Valley Times

ବୋମା ଖଞ୍ଜିବା ଅଭିଯୋଗରେ ୬ ଜଣ ଗିରଫ, ମାଓବାଦୀ ନାମରେ ମାଗିଥିଲେ ଚାନ୍ଦା

 Breaking News

ବୋମା ଖଞ୍ଜିବା ଅଭିଯୋଗରେ ୬ ଜଣ ଗିରଫ, ମାଓବାଦୀ ନାମରେ ମାଗିଥିଲେ ଚାନ୍ଦା

ବୋମା ଖଞ୍ଜିବା ଅଭିଯୋଗରେ ୬ ଜଣ ଗିରଫ, ମାଓବାଦୀ ନାମରେ ମାଗିଥିଲେ ଚାନ୍ଦା
December 09
20:49 2022

ରାୟଗଡ଼ା,୯/୧୨: ମାଓବାଦୀ ପରିଚୟ ଦେଇ ମାଗିଥିଲେ ୫ ଲକ୍ଷ ଟଙ୍କା ଚାନ୍ଦା। ଚାନ୍ଦା ନ ଦେଲେ ବୋମା ଲଗାଇ ଘର ଉଡ଼ାଇ ଦେବାକୁ ଦେଇଥିଲେ ଧମକ।
ଟଙ୍କା ଦେବାରେ ବ୍ୟବସାୟୀ କୁମାର ଶଙ୍କର ଗୋପାଳ ବିଳମ୍ବ କରିବା ପରେ ଦୁର୍ବୃତ୍ତମାନେ ଖଞ୍ଜିଥିଲେ ୭ଟି ବୋମା। ପୁଲିସ୍ ୭ଟି ବୋମାକୁ ଉଦ୍ଧାର କରି ନିଷ୍କ୍ରିୟ କରିଥିବା ବେଳେ ମାମଲାରେ ସଂପୃକ୍ତ ୬ ନକଲି ମାଓବାଦୀକୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କ ଘର ରାୟଗଡ଼ା ଜିଲ୍ଲାର କାଶୀପୁର ଓ କଳାହାଣ୍ଡି ଜିଲ୍ଲାର ଥୂଆମୂଳରାମପୁର ଅଞ୍ଚଳରେ।
ଗିରଫ ଦୁର୍ବୃତ୍ତ ଅନ୍ୟ କେଉଁ ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ପୁଲିସ୍ ଅଧିକ ତଦନ୍ତ କରୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା।
ଗତ ୭ ତାରିଖରେ ସୁଙ୍ଗେରର କୁମାର ଶଙ୍କର ଗୋପାଳଙ୍କ ଘରେ ବୋମା ଖଞ୍ଜା ଯାଇଥିବା କାଶୀପୁର ପୁଲିସ୍ ସୂଚନା ପାଇଥିଲା। ସୂଚନା ପରେ ରାୟଗଡ଼ା ପୁଲିସ୍ ଓ ସିଆରପିଏଫର ବୋମା ନିଷ୍କ୍ରିୟକାରୀ ଦଳ ସଂପୃକ୍ତ ଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ନେତୃତ୍ବରେ ଡିଭିଏଫ୍ ଯବାନ, ଜିଲ୍ଲା ପୁଲିସ୍, ସିଆରପିଏଫ୍ ଯବାନ ଯାଞ୍ଚ ସମୟରେ ଘରର ଛାତ ଉପରୁ ଗ୍ୟାସ୍ ସିଲିଣ୍ଡର୍, ବିଦ୍ୟୁତ୍ ତାର ଜବତ ହୋଇଥିଲା।
ଏହା ପରେ ଘରର ବିଭିନ୍ନ ସ୍ଥାନରେ ଖଞ୍ଜା ହୋଇଥିବା ୭ଟି ବୋମାକୁ ପୁଲିସ୍ ଉଦ୍ଧାର କରି ନିଷ୍କ୍ରିୟ କରିଥିଲା। ଗତ କିଛି ଦିନ ତଳେ ନକଲି ମାଓବାଦୀମାନେ ଫୋନରେ କୁମାର ଶଙ୍କର ଗୋପାଳଙ୍କୁ ଚାନ୍ଦା ମାଗିଥିଲେ। ଚାନ୍ଦା ଆଦାୟରେ ବିଫଳ ହେବା ପରେ ଏପରି କାଣ୍ଡ କରିଥିଲେ। ପୁଲିସ୍ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ରାୟଗଡ଼ା ଏସଡିପିଓ ଦିବ୍ୟଜ୍ୟୋତି ଦାଶ, କାଶୀପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ କରିଥିଲା।
ପୁଲିସ୍ ଟିମ୍ ୪୮ ଘଣ୍ଟା ମଧ୍ୟରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉରେ ୬ ଜଣଙ୍କୁ ଗିରଫ କରିଥିବା ବେଳେ ମାମଲାରେ ସଂପୃକ୍ତ ଅନ୍ୟ ୨ ଦୁର୍ବୃତ୍ତ ଫେରାର୍ ଅଛନ୍ତି। ଗିରଫ ଦୁର୍ବୃତ୍ତଙ୍କ ନିକଟରୁ ପୁଲିସ୍ ୫ଟି ଜିଲୋଟିନ୍, ୧୦ଟି ଡିଟୋନେଟର୍, ୪ ମୋବାଇଲ୍, ବିଦ୍ୟୁତ୍ ତାର, ଗ୍ୟାସ ସିଲିଣ୍ଡର୍ ଜବତ କରିଛି। ପୂର୍ବରୁ ଦୁର୍ବୃତ୍ତମାନେ କେରଳରେ ଏକ କ୍ରସର ୟୁନିଟରେ ଶ୍ରମିକ ଭାବେ କାମ କରୁଥିଲେ। ଗାଁକୁ ଫେରିବା ସମୟରେ ଅପରାଧ ଘଟାଇବା ଯୋଜନା ରଖି ବିସ୍ଫୋରକ ସାମଗ୍ରୀ ଆଣିଥିବା ପୁଲିସ୍ ସନ୍ଦେହ କରୁଛି। ଗିରଫ ୬ ଜଣଙ୍କୁ ପୁଲିସ୍ ଆଜି କୋର୍ଟ ଚାଲାଣ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031