Indus Valley Times

ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ସଂକଳ୍ପ ଶିବିର

 Breaking News

ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ସଂକଳ୍ପ ଶିବିର

ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ସଂକଳ୍ପ ଶିବିର
October 03
21:33 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩/୧୦: ଜାତୀୟ କଂଗ୍ରେସ ଦଳର ଅନ୍ୟତମ ଛାମୁଆଁ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଓ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ମିଳିତ ସହଯୋଗରେ ସାଂଗଠନିକ ସଂକଳ୍ପ ଶବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ସମରେନ୍ଦ୍ର ମହାକୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ,ବରିଷ୍ଠ କଂଗ୍ରେସ ନେତା ସଦାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
ଜିଲ୍ଲାର ତିନୋଟି ବ୍ଲକର ସଂଗଠନ ସଭାପତିଙ୍କ ସହ ସମସ୍ତ ୯ ଗୋଟି ଜୋନର ଜୋନାଲ ସଂଯୋଜକ ଓ ବିଭିନ୍ନ ପଞ୍ଚାୟତର ସଂଯୋଜକମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶିବିରରେ ପଞ୍ଚାୟତରାଜ ବ୍ୟବସ୍ଥାର ପ୍ରବର୍ତ୍ତକ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ମୁଖ୍ୟଅତିଥି ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀମିଶ୍ର ପଞ୍ଚାୟତରାଜ ବ୍ୟବସ୍ଥା କଣ ଓ କାହିଁକି ଏବଂ କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସଂପର୍କିତ ତଥ୍ୟ ବିଷଦ ଭାବରେ ଉପସ୍ଥାପନ କରିଥିଲେ ।
ବର୍ତମାନ ସେହି ବ୍ୟବସ୍ଥାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରି ଖୁଲମ ଖୁଲା ଦୁର୍ନୀତିର ପାହାଡ ସୃଷ୍ଟି କରିବାରେ ବ୍ୟସ୍ତ ରହିବାସହ ଦେଶ ଓ ରାଜ୍ୟ ଏକ ବିଷମ ପରିସ୍ଥିତି ଦେଇ ଗତି କରୁଥିବାରୁ ଧନୀ ଅଧିକ ବିତ୍ତଶାଳୀ ହେଉଥିବାବେଳେ ଗରିବ ଖଟିଖିଆ ତାର ସାମାନ୍ୟତମ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହ ଦିନକୁ ଦିନ ଅଧିକ ଗରିବ ହୋଇଚାଲିଥିବା ପ୍ରକାଶ କରିଥିଲେ । ପ୍ରତିବର୍ଷ ଜିଲ୍ଲାକୁ ଶହଶହ କୋଟି ଟଙ୍କା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆସୁଥିବାବେଳେ ଏହି ଅନୁଦାନକୁ ଅମଲା ଓ ମନ୍ତ୍ରୀ ସଲାସୁତୁରା କରି ଲୁଟିବାରେ ଲାଗିଛନ୍ତି ଏବଂ ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ ପଡି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରୀମିଶ୍ର ଅଭିଯୋଗ କରିଥିଲେ । ଏହି ମନରେଗା ଆଇନକୁ କଂଗ୍ରେସ ସରକାରରେ ଥିଲାବେଳେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆର୍ଥିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ କରିବାସହ ଯେଉଁମାନେ ଏହାର ଲାଭ ପାଇବେ ସେମାନଙ୍କ ପରିବାରକୁ ଶ୍ରମିକ ପରିବାର ଭାବରେ ଚିହ୍ନଟ କରି ଜବକାର୍ଡ ପ୍ରଦାନ କରାଯାଇ ବର୍ଷକୁ ଅତି କମରେ ଶହେ ଦିନର କାମ କାମ ଯୋଗାଇଦେବାକୁ ଲକ୍ଷ ରଖାଯାଇଥିଲା ।
ଯଦି ସରକାର ଜବକାର୍ଡ ପାଇଥିବା କୌଣସି ଶ୍ରମିକ ପରିବାରକୁ କାମ ଯୋଗାଇବାରେ ବିଫଳ ହୁଅନ୍ତି ତାହେଲେ ଉକ୍ତ ଶ୍ରମିକଙ୍କ ପରିବାରକୁ ଭତ୍ତା ପ୍ରଦାନ କରିବାକୁ ବାଧ୍ୟହେବେ ବୋଲି ଆଇନରେ ଉଲ୍ଲେଖ ରହିଛି । କିନ୍ତୁ ଶାସକଦଳ ଜାଣିଶୁଣି ଜବକାର୍ଡଧାରୀମାନଙ୍କ ଅର୍ଥକୁ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ହରିଲୁଟ କରୁଛନ୍ତି । ତେଣୁ ବର୍ତ୍ତମାନ ଜିଲ୍ଲାର ଜବକାର୍ଡଧାରୀଙ୍କୁ ସଚେତନ କରାଇବା ସହିତ ପ୍ରତ୍ୟେକ ଜବକାର୍ଡଧାରୀଙ୍କୁ ଜିଲ୍ଲା ପ୍ରଶାସନ କାମ ଯୋଗାଇଦେବ ନହେଲେ ଭତା ଦେବାକୁ ବାଧ୍ୟ କରାଯିବା ଦିଗରେ ଜିଲ୍ଲା କଂଗ୍ରେସ ଦଳ କାର୍ଯ୍ୟ କରିବ ସଭାପତି ଶ୍ରୀମିଶ୍ର ଆହ୍ୱାନ ଜଣାଇଥିଲେ ।
ଶିବିରରେ ବରିଷ୍ଠ ସାମ୍ବାଦିକ ଶ୍ରୀଦାଶ ମନେରେଗା ଅର୍ଥକୁ ଅସଦ ଉପାୟରେ ବିନିଯୋଗ କରାଯାଇ ଯୋଜନାର ମୂଳ ଲକ୍ଷ୍ୟରୁ ବିଚ୍ୟୁତ କରାଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ । ସେହିପରି ବରିଷ୍ଠ ନେତା ଶ୍ରୀପ୍ରଧାନ ଆବାସ ଯୋଜନା,ମୋ କୁଡିଆ,ବିଜୁ ପକ୍କାଘର,ବାର୍ଦ୍ଧକ୍ୟ ଭତ୍ତା,ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ରାସ୍ତାଘାଟ ନିର୍ମାଣରେ ହରିଲୁଟ ଚାଲିଛି, ତେଣୁ ସୂଚନା ଅଧିକାର ଆଇନକୁ କଡାକଡି ଭାବରେ ଦଳୀୟ କର୍ମୀମାନେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।
ସଂକଳ୍ପ ଶିବିରରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । କଂଗ୍ରେସ ନେତା ପଙ୍କଜ କର୍ଣ୍ଣ,ପୋଲସ୍ତି ପ୍ରଧାନ,ବେଣୁଧର ମେହେର,ଗଣେଶ ଅଗ୍ରୱାଲା,ବିଶ୍ୱଜିତ ହରିପାଲ ଓ ଅର୍ଜୁନ ମହାନନ୍ଦିଆ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
ବୌଦ୍ଧ : କାର ସହ ଗଞ୍ଜେଇ ଜବତ ୧ ଗିରଫ
ବୌଦ୍ଧ,୩/୧୦: ବୌଦ୍ଧ ଅବକାରୀ ବିଭାଗ ରବିବାର ବୌଦ୍ଧ ଥାନା ଅନ୍ତର୍ଗତ ଲଇଗାଁ ଠାରେ ୧୨ କିଲୋ ଗଂଜେଇ ସହ କାରକୁ ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ମିଳିଥିବା ସୁଚନା ମୁତାବକ ଗଞ୍ଜେଇ ଚାଲାଣ ସଂପର୍କରେ ସୂଚନା ପାଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ଲଇଗାଁ ଠାରେ ଅବକାରୀ ତନଖି କାର୍ଯ୍ୟ ଚାଲୁ ରହିଥିଲା ।
ଏହି ସମୟରେ ଏକ ଟାଟା ଟିଗୋର କାର (ଓଡି- ୦୨-ବିଟି- ୬୨୩୧)କୁ ଅବକାରୀ କର୍ମଚାରୀ ମାନେ ଅଟକାଇ ତନଖି କରିଥିଲେ । ଗାଡିରୁ ୧୨ କେଜି ଗଞ୍ଜେଇ ଜବତ କରିବା ସହ ଗାଡି ଚାଳକ ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଗ୍ରାମର ନିରଞ୍ଜନ ସାହୁଙ୍କୁ ଗିରଫ କରିଥିଲେ ।
ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗାଡିକୁ ଜବତ କରିବା ସହ ଅଭିଯୁକ୍ତ ନିରଞ୍ଜନ ସାହୁ(୨୭)ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ତନଖି ସମୟରେ ବୌଦ୍ଧ ଅବକାରୀ ଇନିସପେକଟର ସାଗରିକା ପ୍ରଧାନ, ସ୍ପନ୍ଦନ କୁମାର ମହାନ୍ତି, ଏଏସଆଇ ରୁପେଶ ମୁଖି ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।
ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ସଫେଇ କର୍ମଚାରୀଙ୍କୁ ଭୋଜନ ପରସିଲେ ଜିଲ୍ଲାପାଳ
ବୌଦ୍ଧ,୩/୧୦: ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହର ଶେଷ ଦିବସ ରବିବାର ଦିନ ସଫେଇ ମିତ୍ର ସମ୍ମାନ ଅମୃତ ସମାରୋହ ସହ ବଡାଖାନା କାର୍ଯ୍ୟକ୍ରମ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହର, ଜିଲ୍ଲା ପ୍ରାଣୀଧନ ଚିକିସାô ଅଧିକାରୀ ଡା. ଅମିତାଭ ପଣ୍ଡା, ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରୀତିକାନ୍ତି ବଳିୟାରସିଂହ, ସହକାରୀ ଯନ୍ତ୍ରୀ ଆଦ୍ୟାଶା ମଲିକ, ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ ।
ଅତିଥିମାନେ ସଫେଇ କର୍ମଚାରୀମାନଙ୍କୁ ସମ୍ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ସହ ପ୍ରଶଂସା କରିବାସହ ନିଜ ହାତରେ ସଫେଇ କର୍ମଚାରୀଙ୍କୁ ସ୍ୱାଦିଷ୍ଟ ଭୋଜନ ପରଶି ଖାଇବାକୁ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁନିଲ ପ୍ରଧାନ କରିଚାଳନା କରିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031