Indus Valley Times

ବୌଦ୍ଧଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

 Breaking News

ବୌଦ୍ଧଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

February 15
10:47 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୨: ବୌଦ୍ଧଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଦୁଇ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିଥିବା ବେଳେ ଶିକ୍ଷା ସଚିବଙ୍କ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଗ୍ରହଣ କରିଥିଲେ । ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ୬ ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରୀ ସହ ଯୋଗ କରିବା ସହ ୬ଗୋଟି ନୋସ୍ମାଲ ଇନକ୍ରିମେଣ୍ଟ ପ୍ରଦାନ କରିବା ଓ ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତିକ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତୁରନ୍ତ ନିୟମିତ କରିବାକୁ ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ସଚିବଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।
ସୂଚନା ମତେ, ଏହି ଦାବିପୂରଣ ନେଇ କିଛି ଦିନ ତଳେ ଭୂବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗରେ ଦୀର୍ଘ ୧୭ ଦିନ ଧରି ଆନ୍ଦୋଳନରେ ବସିଥିଲେ । ସରକାର ପ୍ରତିଶୃତି ପରେ ଶିକ୍ଷକ, ଶିକ୍ଷୟତ୍ରୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ । ପ୍ରତିଶୃତି ର ଏକ ମାସ ବିତିଯାଇଥିଲେ ମଧ୍ୟ ସରକାର ଦୁଇ ଗୋଟି ଦାବିକୁ ଆଜି ପର୍ଯ୍ୟନ୍ତ ପୂରଣ କରିବାରି ନାହାନ୍ତି ତେଣୁ ପୂର୍ନବାର ସରକାରଙ୍କୁ ଜାଗ୍ରତ କରିବା ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।
ଏହାସ୍ୱତେ ଯଦି ସରକାର ଦାବିଗୁଡିକୁ ପୂରଣ ନ କରନ୍ତି ତାହାହେଳେ ଆସନ୍ତା ୧୫ ତାରିଖରେ ଜିଲ୍ଲାର ସମସ୍ତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ସୁଚନା ଦିଆଯାଇଛି ଏହାପରେ ଯଦି ସରକାର କୌଣସି ନିିଷ୍ପତି ଗ୍ରହଣ ନ କରନ୍ତି । ତାହାହେଲେ ଆସନ୍ତ ବିଧାନସଭା ସମୟରେ ଜିଲ୍ଲା ସଂଘ ରାଜ୍ୟ ସଂଘ ସହାୟତାରେ ରାଜରାସ୍ତା ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।
ଦାବୀପତ୍ର ସମୟରେ ସଂଘର ସଭାପତି ମାନସ ରଂଜନ ପୁରୋହିତ, ସମ୍ପାଦକ ପ୍ରଫୁଲ ପ୍ରଧାନ, ଉପଦେଷ୍ଟା ଜୟନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ରଂଜିନ ନାଏକ , ବିଜୟ ପ୍ରଧାନ, ଆନନ୍ଦ ବେହେରା, ସତ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।
ବୌଦ୍ଧରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର
ବୌଦ୍ଧ,୧୫/୨: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୪୫ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୪୨ ଗୋଟି ବ୍ୟକ୍ତିଗତ ମାମଲା ଓ ୩ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।
ରେଡକ୍ରସ ପାଣ୍ଠିରୁ ଜଣଙ୍କୁ ୫ ହଜାର ଟଙ୍କା ଦିଆଯାଇଥିବା ବେଳେ ୬ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୧ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ୧୩ ଗୋଟି ଅଭିଯୋଗର ତôତକାଳ ସାମଧାନ କରାଯାଇଥିଲା । ଏହି ଶିବିରରେ ଜିଲ୍ଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅଶି୍ୱନି କୁମାର ମେହେର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ , ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ
ବୌଦ୍ଧ,୧୫/୨: ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହେବାପରେ ପ୍ରଥମ ବୈଠକ ମନ୍ଦିର ପରିସରସ୍ଥ କଲ୍ୟାଣ ମଣ୍ଡପଠାରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ପ୍ରତିନିଧି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଜିଲ୍ଲାପାଳଙ୍କ ଉପସ୍ଥିତିରେ ନୂତନ ଭାବରେ ଗଠନ କରାଯାଇଥିବା ପରିଚାଳନା କମିଟିରେ ୧୫ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଥିବାବେଳେ ପ୍ରଥମ ବୈଠକରେ ସେମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ନେଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା ।
ମନ୍ଦିର ପରିଚାଳନା ପାଇଁ ୧୫ ଜଣ ସଦସ୍ୟଙ୍କୁ ୫ ଗୋଟି କମିଟିରେ ବିଭକ୍ତ କରାଯିବା ସହିତ ପ୍ରତ୍ୟେକ କମିଟିରେ ୩ ଜଣ ଲେଖାଏଁ ସଦସ୍ୟଙ୍କୁ ନିଆଯାଇଥିଲା । ବୈଠକରେ ଠାକୁରମାନଙ୍କ ନିତିକାନ୍ତିକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ପ୍ରତିଦିନର ନିତିକାନ୍ତି ପରିଚାଳନା ପାଇଁ ବିଶ୍ୱଜିତ ମିଶ୍ର,ସୂର୍ଯ୍ୟନାରାୟଣ ପଣ୍ଡା ଓ ବିଜୟ କୁମାର ମିଶ୍ରଙ୍କୁ ନେଇ କମିଟି ଗଠନ କରାଯାଇଥିଲା ।
ସେହିପରି ଠାକୁରମାନଙ୍କ ଯାନିଯାତ୍ରା ଶୃଙ୍ଖଳାର ସହିତ ପାଳନ ଶଙ୍କର ପ୍ରସାଦ ପୁରୋହିତ,ଦେବାଶିଷ ପୁରୋହିତ ଏବଂ ରଘୁନାଥ ଷଡଙ୍ଗୀଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ମନ୍ଦିର ପରିସରରେ ହେଉଥିବା ବିଭିନ୍ନ ଉତ୍ସବରେ ବ୍ୟବହୃତ ହେଉଥିବା ମନ୍ଦିରର ସାମଗ୍ରୀର ରକ୍ଷଣାବେକ୍ଷଣ ଏବଂ ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ସଂଗ୍ରହ ପାଇଁ ସଜ୍ଜନ କୁମାର ଅଗ୍ରୱାଲା,ଶମ୍ଭୁ ପ୍ରସାଦ ମିଶ୍ର ଓ ଆଶୁତୋଷ ମହାପାତ୍ରଙ୍କୁ କମିଟିରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମନ୍ଦିରର ଆୟବ୍ୟୟ ପାଇଁ ଅର୍ଥ କମିଟି ଗଠନ କରାଯାଇ ଶଶାଙ୍କ ଶେଖର ମିଶ୍ର, ସମ୍ପଦ କୁମାର ଅଗ୍ରୱାଲା ଓ ସତ୍ୟନାରାୟଣ ପାଣିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ମନ୍ଦିରର ଉନ୍ନୟନ ଓ ପରଷ୍କାର ପରିଛନ୍ନତା ପାଇଁ ମୃତ୍ୟୁଂଜୟ ମିଶ୍ର,ସତ୍ୟଜିତ ପଣ୍ଡା ଓ ଆଶୁତୋଷ ଦାଶଙ୍କୁ ନେଇ କମିଟି ଗଠନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ବୈଠକ ପ୍ରତ୍ୟେକ ମାସରେ ଥରେ ବସିବା ସହିତ ପ୍ରତ୍ୟେକ କମିଟି ନିଜର ଦାୟିତ୍ୱ ସଂପାଦନ ଓ ସମସ୍ୟା ସଂପର୍କରେ ବୈଠକରେ ଉପସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ମନ୍ଦିରରେ ଠାକୁରମାନଙ୍କ ନିତିକାନ୍ତି ଠିକ୍ ସମୟରେ ପାଳନ ସହିତ ବିଭିନ୍ନ ପ୍ରକାର ଉତ୍ସବ ଆୟୋଜନ କରାଗଲେ ଭକ୍ତମାନଙ୍କ ସମାଗମ ବୃଦ୍ଧି ପାଇବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଶ୍ରୀଗୁଣ୍ଡିଚା ଯାତ୍ରାକୁ ବାଦ୍‌ଦେଲେ ବର୍ଷତମାମ ମନ୍ଦିରରେ ଚନ୍ଦନ ଯାତ୍ରା,ଝୁଲଣଯାତ୍ରା,ଏକାଦଶୀ ବ୍ରତ,ନବାହ୍ନ ପାରାୟଣ,ଗୀତା ଜୟନ୍ତୀ,ହନୁମାନ ଜୟନ୍ତୀ ଓ ନବରାତ୍ର ଆଦି ଉତ୍ସବ ପାଳନ ହୋଇଆସୁଥବାବେଳେ ଏହି ଉତ୍ସବ ସବୁକୁ ଆକର୍ଷଣୀୟ ଭାବରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ବୈଠକରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ନିର୍ମାଣ ପାଇଁ ଜଙ୍ଗଲ ଜମି ଅନୁମତି ପ୍ରଦାନ କରିଥିବାରୁ ନାଗରିକ କମିଟି ପକ୍ଷରୁ କୃତଜ୍ଞତା
ବୌଦ୍ଧ,୧୫/୨: ଖୋର୍ଦ୍ଧା ବଲାଙ୍ଗୀର ରେଳପ୍ରକଳ୍ପ ନିର୍ମାଣରେ କ୍ଷତିଗ୍ରସ୍ତ ବୌଦ୍ଧଜିଲ୍ଲାର ଜଙ୍ଗଲ ଜମି ଅନୁମତି ନେଇ ଦୀର୍ଘଦିନ ହେଲା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ଲୁଚକାଳି ଖେଳ ଚାଲିଥିବାବେଳେ ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ନିର୍ମାଣରେ ବିଳମ୍ବିତ ତଥା ଅନଶ୍ଚିତତା ଦେଖାଦେଇଥିଲା । ଗତ ଦୁଇଦିନ ତଳେ କେନ୍ଦ୍ର ରେଳମନ୍ତ୍ରୀ ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ଆସୁଥିôବା ୬୮ କିଲୋମିଟିର ଜଙ୍ଗଲ ଜମିରେ ରେଳପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିବା ସୂଚନା ଦେବାପରେ ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବା ସ୍ପଷ୍ଟ ହୋଇପାରିଛି । ଏହି ଅନୁମତି ପାଇଁ ଦୀର୍ଘଦିନ ହେଲା ବୌଦ୍ଧର ବିଭିନ୍ନ ସଂଗଠନ ତଥା ନାଗରିକ କମିଟି ପକ୍ଷରୁ ଆନ୍ଦୋଳନ ଓ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ବୌଦ୍ଧର ବିଧାୟକ ରାଜ୍ୟ କ୍ୟାବିନେଟ୍‌ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ମନ୍ତ୍ରୀ ପଦବୀ ପାଇବା ପରେ ଜିଲ୍ଲାବାସୀଙ୍କ ଏହି ଦାବିକୁ ଗୁରୁତ୍ୱ ପ୍ରଦାନ କରି ନିଜର ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଡାକି ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଫଳରେ ରାଜ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଜଙ୍ଗଲ ମଧ୍ୟରେ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ପଡି ରହିଥିବା ଅନୁମତି ପ୍ରକ୍ରିୟାର ସମୀକ୍ଷା କରାଯାଇ ତୁରନ୍ତ ଏହାକୁ ଅନୁମୋଦନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଥିଲା । ବର୍ତମାନ କେନ୍ଦ୍ର ସରକାର ଅନୁମତି ନେଇ ସ୍ପଷ୍ଟ କରିବାପରେ ଏହି ପ୍ରତୀକ୍ଷିତ ରେଳ ପ୍ରକଳ୍ପ ପାଇଁ ସମସ୍ତ ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକ୍ରିୟା ଖୁବଶିଘ୍ର ଶେଷ ହେବାର ସମ୍ଭାବନା ରହିଛି ।
ରେଳପଥ ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ମିଳିବାପରେ ବୌଦ୍ଧ ନାଗରିକ କମିଟିର ଏକ ଜରୂରୀ ବୈଠକ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରଠାରେ ସଂପାଦକ ବିଶ୍ୱେଶ୍ୱର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ରାଜ୍ୟସରକାର,କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପ୍ରତି ଜନସାଧାରଣଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି ଏବଂ ଜନସାଧାରଣଙ୍କ ମିଳିତ ସହଯୋଗରେ ନାଗରିକ କମିଟିର ଆନ୍ଦୋଳନ ସଫଳ ହୋଇଥିବାରୁ ସମସ୍ତଙ୍କୁ ଏଥିପାଇଁ ନାଗରିକ କମିଟି ପକ୍ଷରୁ ମଧ୍ୟ କୃତଜ୍ଞତା ପ୍ରକାଶ କରାଯାଇଛି ।
ଷଷ୍ଠ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଡିସିଏ ଖୋର୍ଦ୍ଧା ଚାଂପିଆନ
ବୌଦ୍ଧ,୧୫/୨: ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ଷ୍ଟାଡିଅମ ଠାରେ ଚାଲିଥିବା ଷଷ୍ଠ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ଡିସିଏ ଖୋର୍ଦ୍ଧା ଓ ରାଇଜିଂ ଷ୍ଟୁଡେଣ୍ଟ କଟକ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଫାଇନାଲ ମ୍ୟାଚରେ ଟସ୍ ଜିତି ରାଇଜିଂ ଷ୍ଟୁଡେଣ୍ଟ କଟକ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୩୮ ରନ୍ ସଂଗ୍ରହ କରିଥିଲା । ଦଳ ତରଫରୁ ପ୍ରତ୍ୟୁଷ ପ୍ରଧାନ ୩୬ ବଲ୍‌ରୁ ୪୫ ରନ୍ ଓ ବିକ୍ରମ ସାମଲ ୨୮ ବଲ୍‌ରୁ ୩୫ ରନ୍ ସଂଗ୍ରହ କରିଥିଲେ ।
ଖୋର୍ଦ୍ଧା ଦଳ ତରଫରୁ ସୂର୍ଯ୍ୟ କୁମାର ଭୂତିଆ ୪ ଓଭରରେ ୨୧ରନ୍ ଦେଇ ୨ଟି ୱିକେଟ ନେଇଥିଲେ । ଅପରପକ୍ଷରେ ଖୋର୍ଦ୍ଧା ଦଳ ୧୩୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ୧୮.୬ ଓଭରରେ ୬ ୱିକେଟ ହରାଇ ୧୪୪ ରନ୍ କରିଥିଲା । ଦଳ ତରଫରୁ ଜ୍ୟୋତିରଞ୍ଜନ ବେହେରା ୪୯ ବଲ୍‌ରୁ ୪୭ ରନ୍ କରିଥିବାବେଳେ କଟକ ଦଳର ସ୍ପନ୍ଦନ ସାବତ ୪ ଓଭର ଖେଳି ୨୭ରନ୍ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ ।
ଫଳରେ ଡିସିଏ ଖୋର୍ଦ୍ଧା ୪ ୱିକେଟରେ ବିଜୟୀ ହୋଇ ଚାଂପିଆନ ହୋଇଥିଲା । ଆଜିର ମ୍ୟାଚକୁ ଅଂପାୟାର ଭାବେ ବିଶ୍ୱଜିତ ପୁରୋହିତ ଓ ବିଶ୍ୱମ୍ବର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ମହେଶ କୁମାର ମଲ୍ଲିକ ଦାୟିତ୍ୱ ତୁଲାଇଥିଲେ । ମ୍ୟାଚର ଧାରା ବିବରଣୀ ଶ୍ରୀଧର ବିଭାର ଓ ସୌରଭ ପତି ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗ ଦେଇ ଜିଲ୍ଲାରେ କ୍ରିକେଟର ଭିତ୍ତିଭୂମିର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ନିରଞ୍ଜନ ମେହେର ସଭାରେ ସଭାପତିତ୍ୱ କରିଥିବାବେଳେ ପ୍ରାରମ୍ଭିକ ସୂଚନା ବୌଦ୍ଧ ଡିସିଏର କାର୍ଯ୍ୟକାରୀ କମିଟି ସଦସ୍ୟ ଦିବ୍ୟଶଙ୍କର ରାଉତ ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଓସିଏ କୋଷାଧ୍ୟକ୍ଷ ବିକାଶ କୁମାର ପ୍ରଧାନ, ଓଡିଶା ରଣଜୀ ଦଳର ବ୍ୟାଟିଂ କୋଚ ରଶ୍ମିରଞ୍ଜନ ପରିଡା, ବଲାଙ୍ଗୀର ଜିଲ୍ଲା ଏଥଲେଟିକ ଆସୋସିଏସନ ସଂପାଦକ ହରିନାରାୟଣ ପୂଜାରୀ, ନୟାଗଡ କ୍ରିକେଟ ଆସୋସିଏସନ ସଂପାଦକ ସଂଗ୍ରାମ କେଶରୀ ଗୁମାନ ସିଂ, ଦେବଗଡ କ୍ରିକେଟ ଆସୋସିଏସନ ସଂପାଦକ ସୁଜୀତ କୁମାର ପ୍ରଧାନ, ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ସଂପାଦକ ଯୁଗଳ କିଶୋର ସାମଲ, ଉପ ସଭାପତି ଲମ୍ବୋଦର ପୁରୋହିତ, କାର୍ଯ୍ୟକାରୀ କମିଟି ସଦସ୍ୟ ସତ୍ୟପ୍ରକାଶ ଦାଶ, ଓଡିଶା ଦଳର ଟ୍ରେନର ମନୋଜ କୁମାର ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶ ଯୋଗଦେଇ କୃତି ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଶେଷ ଆକର୍ଷଣୀୟ ଅତିଥି ଭାବେ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ସୂର୍ଯ୍ୟମୟୀ ଉପସ୍ଥିତ ରହି ଖେଳାଳୀ ଓ ସମସ୍ତ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ବିଜୟୀ ଦଳ ଖୋର୍ଦ୍ଧାକୁ ଟ୍ରଫିସହ ୫୦ହଜାର ଟଙ୍କା ଓ ଉପ-ବିଜେତା ଦଳ କଟକକୁ ୩୦ ହଜାର ଟଙ୍କା ମୁଖ୍ୟଅତିଥି ଓ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।
ବେଷ୍ଟ ପ୍ଲେୟାର ଭାବେ ଖୋର୍ଦ୍ଧାର ଜ୍ୟୋତିରଞ୍ଜନ ବେହେରା, ମ୍ୟାନ ଅଫ ଦି ସିରିଜ ବିଶ୍ୱଭୂଷଣ ବିହାରୀ ଓ ଅଧିକ ସିକ୍ସ ମାରିଥିବା ଖେଳାଳୀ ରାକେଶ ପଟ୍ଟନାୟକ ଓ ଅମରଜିତ ଚୌଧୁରୀଙ୍କୁ ପୁରସ୍କୃତ କରାଯାଇଥିଲା । ଷଷ୍ଠ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅବସରରେ ପ୍ରାୟ ୭୦ ଜଣ ଶିଶୁ ଓ କିଶୋର କ୍ରିକେଟ ଖେଳାଳୀଙ୍କୁ ତାଲିମ ନେଇଥିବା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପକ୍ଷରୁ ନେଚର କ୍ୟାମ୍ପ
ବୌଦ୍ଧ,୧୫/୨: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ପ୍ରକୃତିକୁ ଜାଣିବା ଓ ତହାର ସଂରକ୍ଷଣ କରିବା ପାଇଁ ଏକ ନେଚର କ୍ୟାମ୍ପ ହରଭଙ୍ଗା ବ୍ଲକର ପୁରୁଣାକଟକ ଅନ୍ତର୍ଗତ ଯାଜପୁର ସଂରକ୍ଷିତ ଜଙ୍ଗଲରେ ଅନୁଷ୍ଠିତ ହୋଇଯାଇଛି ।
ଇକୋ କ୍ଲବର ସଂଯୋଜକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ନେତୃତ୍ୱରେ ଉଦ୍ଭିତ ବିଜ୍ଞାନ ବିଭାଗର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ ବାରବାଣି ଗ୍ରାମକୁ ଯାଇ ସେଠାରୁ ଜଙ୍ଗଲ ମଧ୍ୟରେ ଯାତ୍ରା କରି ସମସ୍ତ ବୃକ୍ଷମାନଙ୍କୁ ଚିହ୍ନିବା ସହ ଔଷଧୀୟ ବୃକ୍ଷମାନଙ୍କୁ ପ୍ରତ୍ୟକ୍ଷ ଭାବରେ ଚିହ୍ନଟ କରି ତାହାର ଗୁଣ ବିଷୟରେ ଜାଣିବାସହ ତାହାର ସ୍ଥିତାବସ୍ଥା ଅନୁଧ୍ୟାନ କରିଥିଲେ । ଜଙ୍ଗଲ ମଧ୍ୟରେ ଛାତ୍ରଛାତ୍ରୀମାନେ ୪ କିଲୋମିଟର ଯାତ୍ରା ମଣିପୁର ସଂରକ୍ଷିତ ଜଙ୍ଗଲରେ ତାଙ୍କର ଯାତ୍ରା ଶେଷ କରିଥିଲେ ।
ସେହି ଜଙ୍ଗଲରେ ଜୈବ ବିଭିନ୍ନତା ଉପରେ ଗବେଷଣା କରିବା ସହ ହର୍ବାରିୟମ ସଂଗ୍ରହ କରିଥିଲେ । ସେଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ଲୋଗାନ ଓ ବୃକ୍ଷ ଚିହ୍ନିବା ସଙ୍ଗିତ ଉପରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ରାସ୍ତାରେ ବିଭିନ୍ନ ସାପ ଓ ଜଙ୍ଗଲ ଜୀବ ଜନ୍ତୁଙ୍କ ପାଦଚିହ୍ନ ର ବିଭିନ୍ନ ଅଂଶ ଠାବ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବରେ ଜଙ୍ଗଲ ଅଧିକାରୀ ଗୋବର୍ଦ୍ଧନ ମେହେର,ଫରେଷ୍ଟ ଗାର୍ଡ ଶମ୍ଭୁ ପ୍ରସାଦ ସାହୁ ସାମିଲ ଥିଲେ । ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ନିଆଁରୁ ସୁରକ୍ଷା ଏବଂ ଜଙ୍ଗଲ ସାମଗ୍ରୀକ ସୁରକ୍ଷା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ଅଧ୍ୟାପିକା ଅମ୍ରିତା ମହାପାତ୍ର ଯୋଗଦେଇଥିଲେ । ବାରବାଣି ଓ ମଣିପୁର ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031