Indus Valley Times

ବୌଦ୍ଧ:ରାମଲୀଳା ଯାତ୍ରା ନେଇ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ:ରାମଲୀଳା ଯାତ୍ରା ନେଇ ପ୍ରସ୍ତୁତି ବୈଠକ

January 15
11:11 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ:ରାମଲୀଳା ଯାତ୍ରା ନେଇ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୫/୧: ପବିତ୍ର ମକରସଂକ୍ରାନ୍ତି ଅବସରରେ ବୌଦ୍ଧର ଗଣପର୍ବ ଭାବରେ ମାନ୍ୟତା ଲାଭ କରିଥିବା ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଘୁନାଥ ମନ୍ଦିର ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଂଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିିଥି ଭାବରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ଜିଲ୍ଲା ଓକିଲ ସଂଘ ସଭାପତି ତାରେଣୀ କୁମାର ମହାପାତ୍ର , ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶଶାଙ୍କ ଶେଖର ମିଶ୍ର, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ,ବଣିକ ସଂଘ ସଭାପତି ସୁବାଷ ଚନ୍ଦ୍ର ସାହୁ, ରାମଲୀଳା ଯାତ୍ରାର ନିର୍ଦ୍ଦେଶକ ଭବାନିଶଙ୍କର ମହାପାତ୍ର, ନାଟ୍ୟକାର ହୃଦାନନ୍ଦ ମିଶ୍ର ମଞ୍ଚାସୀନ ଥିଲେ ।
ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ଚଳିତ ବର୍ଷ ବୌଦ୍ଧର ରାମଳିଳା ଯାତ୍ରକୁ ଧୁମଧାମରେ ପାଳନ କରିବାକୁ କହିବା ସହ ଏଥି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଥିଲେ । ଏହା ସହ ମହାନଦୀକୁ ସୁନ୍ଦର ଭାବେ ସାଜସଜ୍ଜା କରାଯିବା ସହ ଆଧ୍ୟତ୍ମିକ ଚେତନା ସୃଷ୍ଟି କରିବା ପାଇଁ ମହାନଦୀକୁଳରେ ଆଗାମୀ ଦିନରେ ବର୍ଷ ତମାମ ମହାନଦୀ ଆଳତି କରାଯିବ ବୋଲି ମତ ବ୍ୟକ୍ତ କରିଥିଲେ ।
ରଘୁନାଥ ମନ୍ଦିର ପରିସରକୁ ରାମଳିଳା ଯାତ୍ରା ପୁର୍ବରୁ ଦର୍ଶକଙ୍କୁ ଆକର୍ଷଣ କରିବା ପାଇଁ ସୁନ୍ଦର ସାଜସଜ୍‌ା କରାଯିବାକୁ ମଧ୍ୟ କହିଥିଲେ । ବୌଦ୍ଧ ସହରର ରାମଲୀଳା ଯାତ୍ରାର ପ୍ରସିଦ୍ଧି ରହିଥିବା ବେଳେ ବୌଦ୍ଧର ରାମଲୀଳା ଯାତ୍ରାରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ପରିବର୍ତ୍ତନ ହୋଇସାରିଥିଲେ ମଧ୍ୟ ଦୀର୍ଘ ୧୮ ଦିନ ବ୍ୟାପୀ ପାଳିତ ଏହା ହୋଇଆସୁଅଛି । ଅନ୍ୟତମ ଅତିଥିମାନେ ଚଳିତବର୍ଷ ଯାତ୍ରାକୁ ଶୃଙ୍ଖଳାର ସହ କରିବାକୁ କହିବା ସହ ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯିବାକୁ ମତପ୍ରକାଶ କରିଥିଲେ ।
ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ଯାତ୍ରା ଆୟୋଜନ ପାଇଁ ଆବଶ୍ୟକୀୟ ଅର୍ଥ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଚଳିତବର୍ଷ ଯାତ୍ରା ପାଇଁ ବ୍ୟୟ ଅଟକଳ ସଂପର୍କରେ ସୂଚନା ଦେଇଥିଲେ ।
ବୈଠକରେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା,ବୁଦ୍ଧିଜିବୀମାନେ ଉପସ୍ଥିତ ରହି ଯାତ୍ରା ଆୟୋଜନ ନେଇ ଗଠନମୂଳକ ପ୍ରସ୍ତାବ ସବୁ ଦେଇଥିଲେ । ଏହି ଅବସରରେ ବିଭିନ୍ନ ରାମଲୀଳା କମିଟିର କଳାକାରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଜ଼ିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ବୌଦ୍ଧ (ଓୟୁଜେ)ର କର୍ମକର୍ତ୍ତା ଚୟନ
ବୌଦ୍ଧ,୧୫/୧: ବୌଦ୍ଧ ଜିଲ୍ଲା ବୀରନରସିଂହପୁର ଜାତୀୟ ଉଦ୍ୟାନ ଠାରେ ଓୟୁଜେ ସହ ଅନୁବନ୍ଧିତ ଜିଲ୍ଲା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ବୌଦ୍ଧ (ଓୟୁଜେ )ର ସାଧାରଣ ଅଧିବେଶନ ଓ ୨୦୨୩-୨୫ ପାଇଁ କର୍ମକର୍ତ୍ତା ଚୟନ ବଲାଙ୍ଗୀର ଜିଲ୍ଲା ବରିଷ୍ଠ ସଦସ୍ୟ ସଦାଶିବ ସରାଫ ଉପସ୍ଥିତରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
ଏହି ଚୟନ କାର୍ଯ୍ୟକ୍ରମରେ ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ କରୁଣାକର ମେହେରଙ୍କୁ ମୋନାନୀତ କରାଯାଇଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶେଷଦେବ ଦାସଙ୍କୁ ମନନୀତ କରାଯାଇଥିଲା ।
ଜିଲ୍ଲା ସଭାପତି ଭାବେ କମ୍ଭୁଧର କ୍ଷେତି, ସାଧାରଣ ସମ୍ପାଦକ ମନରଞ୍ଜନ ନାଏକ ଓ କୋଷାଧକ୍ଷ୍ୟ ଭାବେ ନବକିଶୋର ମେହେର ଙ୍କୁ ମୋନନିତ କରାଯାଇଥିଲା, ଶେଷରେ ସାମ୍ବାଦିକ ନବକିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲି,ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକ ଯୋଗ ଦେଇଥିଲେ ।

ବୌଦ୍ଧ: ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୫/୧: ବୌଦ୍ଧରେ ଜିଲ୍ଲାସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଜିଲ୍ଲା ମୁଖ୍ୟାଳୟ କଚେରୀ ପଡିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି ଦିବସ ଉପଲକ୍ଷେ ରାମଧୂନ ,ପ୍ରଭାତଫେରୀ,ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ପୂର୍ବାହ୍ନ ୮.୩୦ ରେ ମୁଖ୍ୟଅତିଥିଙ୍କ ଦ୍ୱାରା ପରେଡ ପଡିଆଠାରେ ଜାତୀୟପତାକା ଉତ୍ତୋଳନ,ପୁଲିସବାହିନୀ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ମିଳିତ ପ୍ୟାରେଡ,ସାଂସ୍କୃତିକ କାର୍ଯ୍ୟକ୍ରମ ,ସରକାରଙ୍କ ବିଭିନ୍ନ ବିଭାଗୀୟ ଉନ୍ନୟନ କାର୍ଯ୍ୟକ୍ରମର ସଚେତନତା ବାର୍ତାବାହକ ପ୍ରଜ୍ଞାପନ ମେଢ ପଡିଆରେ ଅନୁଷ୍ଠିତ ହେବ ।
ଏହି ଦିବସ ଉପଲକ୍ଷେ ମୁଖ୍ୟଅତିଥିଙ୍କ ଦ୍ୱାରା ଜିଲା ମୁଖ୍ୟଚିକିତ୍ସାଳୟ.ଉପକାରାଗାରର ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବ । ଏହି ଅବସରରେ ଏନଏସି ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚର ଆୟୋଜନ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇ ସନ୍ଧ୍ୟାରେ ଟାଉନହଲଠାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ।
ବୈଠକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ବୈଠକର କାର୍ଯ୍ୟସୂଚୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବହେରା,ଅତିରିକ୍ତ ଏସପି ରବିନ୍ଦ୍ର କୁମାର ରାଉତ,ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର,ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ଉଦୟନାଥ ମାଝୀ,ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ,ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ,ତହସିଲଦାର ଦେବୀ ପ୍ରସାଦ ଦାଶ,ନିର୍ବାହୀ ଅଧିକାରୀ ବୌଦ୍ଧ ଏନଏସି ଇଂ.ମନୋରଂଜନ ପଣ୍ଡାଙ୍କ ସମେତ ବହୁ ଅଧିକାରୀ,ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା,ବରିଷ୍ଠ ନାଗରିକ ଯୋଗଦେଇଥିଲେ ।
ବୌଦ୍ଧ ମହୋତ୍ସବ , ପଲ୍ଳିଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ତୃତୀୟ ସଂନ୍ଧ୍ୟା;ଶାଶ୍ୱତ ଯୋଶୀ ଓ ସାଥିଙ୍କ ନୃତ୍ୟରେ ଝୁମିଲେ ଦର୍ଶକ
ବୌଦ୍ଧ,୧୫/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଚାଲିଥିବା ବୌଦ୍ଧ ମହୋତ୍ସବ ପଲ୍ଳୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀର ଆଜି ତୃତୀୟ ସଂନ୍ଧ୍ୟା । ତୃତୀୟ ସନ୍ଧ୍ୟାରେ ଅତିଥିଭାବେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଓ ତାଙ୍କ ଧର୍ମପତ୍ନୀ ଅନସୂୟା ସାହୁ, ଜିଲ୍ଲାଦୌରଜଜ ବିକ୍ରମ କୁମାର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ସୁଜାତା ପ୍ରଧାନ, ଓ ଆରକ୍ଷୀ ଅଧିକ୍ଷକ ପ୍ରହ୍ଳାଦ ସହାୟ ମିନା ଓ ତାଙ୍କ ଧର୍ମପତ୍ନୀ ଅଶା ମିନା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ତୃତୀୟ ଦିନ ସାଂସ୍କୃତିକ ସନ୍ଧ୍ୟାରେ ଶାଶ୍ୱତ ଯୋଶୀ ଓ ସାଥିଙ୍କ ନୃତ୍ୟ ପରିବେଷଣ ହୋଇଥିବା ବେଳେ ଦର୍ଶକ ବିଳମ୍ପିତ ରାତି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ । ଏହା ସହ ଲକ୍ଷ୍ୟ କଳା ପକ୍ଷରୁ ସୋଲ ନୃତ୍ୟ, ଶିବାୟ ନୃତ୍ୟୁ ଗ୍ରୁପ ଢେଙ୍କାନାଳ ପକ୍ଷରୁ ଫ୍ୟୁଜନ ଡେନସ କ୍ରିଷ୍ଣା, ବଡବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଗନ୍ଧରାଢୀ କଳା ପରିଷଦ ଜଗତି ପକ୍ଷରୁ ଆଦିବାସୀ ନୃତ୍ୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧ ପକ୍ଷରୁ ମାଇଥୋଲୋଜିକାଲ ନୃତ୍ୟୁ ,ଗୌରି ଶଙ୍କର ପବ୍ଳିକ ସ୍କୁଲ ପକ୍ଷରୁ ସମ୍ବଲପୁରି ନୃତ୍ୟ, ଜାଭିୟର ସ୍କୁଲ ପକ୍ଷରୁ ଗଣେଶ ବନ୍ଦନା ପରିବେଷଣ କରାଯାଇଥିଲା । ମଂଚ ପରିଚାଳନା କରିଥିଲେ ରାଜ୍ୟ ସଂସ୍କୃତି ପରିଷଦର ଉପସଭାପତି ଅବନୀ ମିଶ୍ର । ସକାଳେ ମହୋତ୍ସବ ପଡିଆରେ ମୁକ୍ତାକାଶ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୮୧୯ ଜଣ ଛାତ୍ର ଛାତ୍ରୀ ଓ ୧୦୮ ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀ ଯୋଗ ଦେଇ ହକି ଉପରେ ଚିତ୍ରାଙ୍କନ କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ନିଜେ ଜିଲ୍ଲାପାଳ ଶ୍ରୀ ସାହୁ ଛାତ୍ର ଛାତ୍ରୀଙ୍କ ସହ ତଳେ ବସି ଚିତ୍ର ଅଙ୍କନ କରିଥିଲେ । ଚଳିତ ବର୍ଷ ଜିଲ୍ଲା ମହୋତ୍ସବ ପଡିଆକୁ ସୁନ୍ଦର ଭାବେ ସାଜସଜ୍ଜା ହୋଇଥିବା ବେଳେ ଅଧିକ ଆର୍କଷଣୀୟ କରିବା ପାଇଁ ପଲ୍ଲିଶ୍ରୀ ମେଳା ସହିତ ଯୋଡି ହୋଇଛି ବୟନିକାର ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ।
ମହୋତ୍ସବରେ ଚଳିତ ବର୍ଷ ୨୩୦ ଗୋଟି ଷ୍ଟଲ ଖୋଲାଯାଉଥିବାବେଳେ ସେଥିମଧ୍ୟରେ କେବଳ ବୟନିକା ପକ୍ଷରୁ ୧୧୨ ଟି ଷ୍ଟଲ ଖୋଲାଯାଇ ବିଭିନ୍ନ ସମାଗ୍ରୀ ବିକ୍ରୟ କରାଯାଉଛି । ମହୋତ୍ସବରେ ଚଳିତ ବର୍ଷ କଳାହାଣ୍ଡି ଓ ବାଲେଶ୍ୱର ର କାଠ କାରିଗରୀ , ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାର ଟେରାକୋଟା,ପୁରୀ ର ଗାଲିଚା,ଯାଜପୁର ର ଟସର ଓ ମୟୁରଭଞ୍ଜ ର ସବାଇ ଇତ୍ୟାଦି ପ୍ରଦର୍ଶିତ ହେବା ଓ ବ୍ରିକୟ ହେଉଛି । ମହୋତ୍ସବ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ହେଉଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930