Indus Valley Times

ବୌଦ୍ଧ: ଜିଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧ: ଜିଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

May 19
21:21 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୫ : ଗୁରୁବାର ଦିନ ବନ୍ୟା ଜନିତ ପ୍ରାକୃତିକ ବିପର‌୍ୟ୍ୟୟ ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି ।
ଚଳିତବର୍ଷ ମୌସୁମୀ ଶୀଘ୍ର ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାବେଳେ ବୌଦ୍ଧ,କଂଟାମାଳ ଓ ହରଭଙ୍ଗାର କେତେକ ପଂଚାୟତ ଏବଂ ବୌଦ୍ଧ ଏନଏସିର ତଳି ଅଞ୍ଚଳ ଗୁଡିକରେ ବନ୍ୟା ସମ୍ଭାବନା ଥିବାରୁ ଡଙ୍ଗା, ଖାଦ୍ୟ ଶସ୍ୟ,ବନ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ବିଦ୍ୟୁତ ଓ ପାଣିର ସୁବିଧା କରିବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏଥିସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବ୍ୟକ୍ତିଗତ ଭାବରେ ବନ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସେଠାରେ ରହିଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ସହିତ ତାହାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହିତ ଉଚ୍ଚ ସ୍ଥାନରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଚିହ୍ନଟ କରାଯାଇ ସେଗୁଡିକୁ ପ୍ରସ୍ତୁତ ରଖାଯିବା ସହିତ ବନ୍ୟା ପରିସ୍ଥିତି ସମୟରେ ସେଗୁଡିକ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା ।
ବେସରକାରୀ ଡଙ୍ଗା ମାଲିକଙ୍କ ତାଲିକା ଓ ତାଙ୍କର ମୋବାଇଲ ନମ୍ବର ସଂଗ୍ରହ କରି ରଖାଯିବା ସହିତ ବନ୍ୟା ସମୟରେ ଆବଶ୍ୟକ ହେଲେ ସେମାନଙ୍କର ସହାୟତା ନିଆଯିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ସମୟରେ ବନ୍ୟାଞ୍ଚଳରେ ଥିବା ଲୋକମାନଙ୍କୁ ଆଗୁଆ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବା ସହିତ ସେମାନଙ୍କୁ ପୋଲିସ ସହାୟତାରେ ବନ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସ୍ଥାନାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେହିପରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚୁଡା,ଗୁଡ,ଚାଉଳ,କ୍ୟାଣ୍ଡେଲ,ଦିଆସିଲି ଆଦି ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଚ୍ଚ ସ୍ଥାନରେ ଥିବା ପଡିଆଗୁଡିକୁ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ପୁର୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକୀୟ ଜରୁରୀ ଔଷଧ,ସାପକାମୁଡା ଓ କୁକୁର କାମୁଡା ଔଷଧ ଆଦି ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ବନ୍ୟା ସମୟରେ ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଯୋଗାଇଦେବା ଓ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ଚିହ୍ନଟ କରି ରଖାଯିବାକୁ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ବୈଠକରେ ମତବ୍ୟକ୍ତ କରିଥିଲେ ।
ଏଥି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲା ପ୍ରାଣୀ ଚିକିତ୍ସା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲାରେ ଓଡ୍ରାପଟିମ ପ୍ରସ୍ତୁତ ରଖାଯିବା ସହିତ ପାଣିପାଗ ସଂପର୍କରେ ଆଗୁଆ ସୂଚନା ପ୍ରଦାନ ପାଇଁ ଜରୁରୀକାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଜୁନ ୩୦ ସୁଦ୍ଧା ମାଟି ପକାଇ ଚାରା ରୋପଣ କରିବାକୁ ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ବ୍ଲିଚିଂ ପାଉଡର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଜଳସଂପଦ ବିଭାଗ ପକ୍ଷରୁ ନଦୀବନ୍ଧ ଓ ଆଡିବନ୍ଧ ଗୁଡିକ ଉପରେ ଦୃଷ୍ଟି ଦିଆଯିବା ସହିତ ଆବଶ୍ୟକୀୟ ମରାମତି କରିବା,ବନ୍ୟା ସମୟରେ ଜିଲା ଓ ପ୍ରତ୍ୟେକ ବ୍ଲକ କାର‌୍ୟ୍ୟାଳୟରେ କଣ୍ଟ୍ରୋଲ ରୁମ କାର‌୍ୟ୍ୟକ୍ଷମ କରିବା, ପ୍ରତିଦିନ ବର୍ଷା ପରିମାଣ ରେକର୍ଡ କରାଯିବା,ଏନଏସି ପକ୍ଷରୁ ସହରର ଡ୍ରେନ ଗୁଡିକ ସଫେଇ କରାଯିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ବନ୍ୟା ପରିସ୍ଥିତି ସମୟରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସ୍ୱୟଂ ସହାୟକ ଗୋଷ୍ଠୀ,ସ୍ୱେଛାସେବୀ ସଂଗଠନ ସହଯୋଗର ହାତ ବଢାଇବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ଆହ୍ୱାନ ଜଣାଇଥିଲେ ।
ଏହି ବୈଠକରେ ଜିଲା ଜରୁରୀକାଳୀନ ଅଧିକାରୀ ଅବନିକାନ୍ତ ସାହୁ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସନତ କୁମାର ନାଏକ,ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,କଂଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଦୁର୍ଘଟଣା ରୋକିବାକୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ
ବୌଦ୍ଧ,୧୯/୫ : ବୌଦ୍ଧ ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଚାଲିଥିବାବେଳେ ଏହାକୁ ରୋକିବା ପାଇଁ ବ୍ୟାପକ ସଚେତନତା କାର‌୍ୟ୍ୟକ୍ରମ କରାଯିବାକୁ ଗତ ସଡକ ସୁରକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ପରିପ୍ରେକ୍ଷିରେ ଜିଲ୍ଲାରେ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଭାବରେ ବସନ୍ତ କୁମାର ମହାନ୍ତି ଯୋଗଦେବାପରେ ଦୁର୍ଘଟଣା ସଂଖ୍ୟା କମାଇବାକୁ ଯୋଜନା କରି ମେ ୧୫ ତାରିଖ ଠାରୁ ମେ ୨୨ ଏକ ସପ୍ତାହ ବ୍ୟାପୀ ଗାଡିଚାଳକମାନଙ୍କୁ ସଚେତନ କରାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଏହି ସପ୍ତାହ ମଧ୍ୟରେ ବ୍ୟାପକ ଭାବରେ ଗାଡି ମୋଟର ଯାଞ୍ଚ କରାଯିବା ସହିତ ବେପରୁଆ ଗାଡିଚାଳକଙ୍କ ନାମରେ ଚାଲାଣ କରାଯାଇଥିବା ଜଣାଯାଇଛି । ମିଳିଥିବା ସୂଚାନ ମୁତାବକ ୪ ଦିନ ମଧ୍ୟରେ ୧୫୯ ଜଣ ଗାଡିଚାଳକଙ୍କ ନାମରେ ଚାଲାଣ କଟାଯାଇଛି ।
ସେହିପରି ମଧ୍ୟରେ ବିନା ହେଲମେଟରେ ଯାତ୍ରା କରୁଥିବା ୮୭ ଜଣ ବାଇକ୍ ଚାଳକଙ୍କ ନାମରେ ଚାଲାଣ କଟାଯାଇଥିବାବେଳେ ଦୁଇରୁ ଅଧିକ ଯାତ୍ରୀ ବସି ବାଇକ୍ରେ ଯାତ୍ରା କରୁଥିବା କାରଣରୁ ୧୦ ଜଣ ଓ ୨୫ ଜଣ ଗାଡି ଚାଳକଙ୍କ ଲାଇସେନ୍ସ ନିଳମ୍ବିତ କରାଯାଇଥିବା ଜଣାଯାଇଛି ।
ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଲଗାତାର ଭାବରେ ସପ୍ତାହ ବ୍ୟାପୀ ଏହି ଚଢାଉ ଦ୍ୱାରା ବେପରୁଆ ଗାଡି ଚାଳକଙ୍କ ଉପରେ ଲଗାମ ଲାଗି ପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଅଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30