Indus Valley Times

ବୌଦ୍ଧ ଜିଲ୍ଲାରୁ ଆଉ ୩ ପଜିଟିଭ ଚିହ୍ନଟ

 Breaking News

ବୌଦ୍ଧ ଜିଲ୍ଲାରୁ ଆଉ ୩ ପଜିଟିଭ ଚିହ୍ନଟ

ବୌଦ୍ଧ ଜିଲ୍ଲାରୁ ଆଉ ୩ ପଜିଟିଭ ଚିହ୍ନଟ
November 17
21:44 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୧୭/୧୧: ବୌଦ୍ଧ ଜିଲ୍ଲାରେ ମଙ୍ଗଳବାର ଦିନ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଫଳରେ ମୋଟ ଆକ୍ରାନ୍ତଙ୍କୁ ମିଶାଇ ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୦୬ ହୋଇଛି । 

ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରେ ବୌଦ୍ଧ ସହରାରୁ ୧ ଜଣ, ହରଭଙ୍ଗା ବ୍ଲକ୍ ହାଟଗାଁ ଗ୍ରାମରୁ ୧ ଜଣ, ବୌଦ୍ଧବ୍ଲକ୍ ସରଣ୍ଡା ଗ୍ରାମରୁ ୧ ଜଣ ଅଛନ୍ତି । ଆଜିସୁଦ୍ଧା ବୌଦ୍ଧଜିଲ୍ଲାରେ ୨୬୨୦ ସୁସ୍ଥ ହୋଇଥିବା ବେଳେ ରିପୋର୍ଟ ଅପେକ୍ଷାରେ ୭୫ଜଣ, ୧୫ଜଣ ପ୍ଲାଜମା ଦାନ କରିଥିବା ଓ ୧୧ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଜିଓ ଟାଗିଂ ଆର.ଏଚ. ୟୁଥ ଆସୋସିଏସର ଜିଲ୍ଲାପାଳଙ୍କୁ ଦାବିପତ୍ର

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ,୧୭/୧୧: ବୌଦ୍ଧବ୍ଲକ ଆର.ଏଚ. ୟୂଥ ୟୁନିଅନ୍ ପକ୍ଷରୁ ବିଭିନ୍ନ ସମସ୍ୟା  ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ ଜିଓ ଟାଗିଂ ପାଇଁ ନିଯୁକ୍ତ ଯୁବକମାନେ ଅଦ୍ୟାବଧି କାର୍ଯ୍ୟ କରୁଛନ୍ତି କିନ୍ତୁ ବୌଦ୍ଧ ଜିଲ୍ଲାରେ ସେମାନଙ୍କୁ ଅନ୍ୟାୟ ଭାବେ ବାହାର କରିଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ  ଯୋଜନାର ହିତାଧିକାରୀ ମାନଙ୍କ ଠାରୁ କାଗଜପତ୍ର ସଂଗ୍ରହ, ଅନ୍ ଲାଇନ ପଂଜିକରଣ, ନିର୍ମାଣ କାର୍ଯ୍ୟର ବିଭିନ୍ନ ସ୍ତରର ଫଟୋ ଉତ୍ତୋଳନ ଆଦି କାର୍ଯ୍ୟ ୨୦୧୭ -୧୮ ମସିହାରୁ    ୨୦୧୯ -୨୦ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ କୌଣସି ସରକାରୀ ଆଦେଶ ନଥାଇ କାର୍ଯ୍ୟରୁ ଛଟେଇ କରାଯାଇଥିବା ଅଭିଯୋଗ କରିଛନ୍ତି । ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସମ୍ପର୍କରେ କୌଣସି ପତ୍ର ମଧ୍ୟ ଦିଆ ଯାଇନାହିଁ । ସେମାନଙ୍କ କାମ କରିଥିବା ସମୟର ବକେୟା ମଜୁରୀ ମଧ୍ୟ ପ୍ରଦାନ କରାଯାଇନଥିବା  ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଟେଭାପଦର ଗ୍ରାମର  ମୃତ ଅର୍ଜୁନ ପାତ୍ର ହତ୍ୟା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ ଦାବୀ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ.୧୭ା୧୧: ବୌଦ୍ଧଜିଲ୍ଲା ଚାରିଛକ ଅନ୍ତର୍ଗତ ସିଙ୍ଗାଣିବେଡା ଗ୍ରାମ ନିକଟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ କଡରେ ଏକ କ୍ଷତବିକ୍ଷତ ମୃତ ଦେହକୁ ଗତ ୩୦ତାରିଖରେ  ପୋଲିସ ଉଦ୍ଧାର କରିଥିଲା । ଅନୁସନ୍ଧାନପରେ ଶବଟି ତିଲେଶ୍ୱର ପଂଚାୟତ ଟେଭାପଦର ଗ୍ରାମର ଅର୍ଜୁନ ପାତ୍ରଙ୍କର ବୋଲି ଜଣାପଡିଥିଲା । ଅର୍ଜୁନ ପାତ୍ର ବାଲିଗୁଡାର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ମୃତ୍ୟୁ ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଂଚିବା ପରେ ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ନେଇ ପରୁଣାକଟକ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପକ୍ଷରୁ ପ୍ରଥମେ ଏହାକୁ  ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଆଜି ପରିବାର ଲୋକ ଅର୍ଜୁନଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ତାଙ୍କୁ ହତ୍ୟା କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଉକ୍ତ ଦାବୀପତ୍ରରେ ବାଣୀଭୂଷଣପୁର ପଂଚାୟତର ଭଉଁରୀପଥର ଗ୍ରାମର ଅର୍ଜୁନଙ୍କ ଜଣେବନ୍ଧୁ ଏହି ହତ୍ୟାକାଣ୍ଡ ପଛରେ ହାତଥିବା ଅନୁମାନ କରି ପରିବାର ଲୋକ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପରିବାରର ସମସ୍ତ ସଦସ୍ୟ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ  ଦାବି ଜଣାଇଛନ୍ତି । 

ନାଏକପଡା ଗ୍ରାମକୁ ପାନୀୟ ଜଳ ଯୋଗଣ ଦାବୀରେ ଗ୍ରାମବାସୀଙ୍କ ବିକ୍ଷୋଭ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ

ବୌଦ୍ଧ.୧୭ା୧୧: ବୌଦ୍ଧ ଜିଲ୍ଲାରେ ପାନୀୟଜଳ ଯୋଗଣ  ସବୁ ଗ୍ରାମରେ ପହଞ୍ôଚ ନଥିବାବେଳେ ଯେଉଁ କିଛି ଗ୍ରାମକୁ ଜଳଯୋଗାଣ ହୋଇଛି , ତାହା ପୁଣି ଅଧପନ୍ତରିଆ ହୋଇ ପଡିଥିବା ଦେଖିବାକୁ ମିଳିଛି । ଯାହା ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତର ନାଏକପଡା ଗ୍ରାମରେ ଆଜକୁ ଦୀର୍ଘ ଦିନ ପାନୀୟଜଳ ଯୋଗଣ ବନ୍ଦ ରହିଛି । ଗ୍ରାମରେ ପୁର୍ବରୁ ଦିଆଯାଇଥିବା ପାଇପ ସବୁ ନଷ୍ଟ ହେବା ସହ ଭାଙ୍ଗରୁଜି ଯାଇଛି । ଗ୍ରାମବାସୀ ମାନେ ଏନେଇ ଜିଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କିଛି ସୁଫଳ ନ ପାଇବାରୁ ମଙ୍ଗଳବାର ଦିନ  ବୌଦ୍ଧ ଜିଲ୍ଲା ଭାରତୀୟ କିସାନ ସଂଘ  ସଭାପତି ସୁର୍ଯ୍ୟନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ ପାନୀୟଜଳ ଯୋଗଣ ବନ୍ଦ ଥିବାରୁ ଗ୍ରାମବାସୀ ମାନେ ପୋଖରୀ ଓ ନାଳର ଦୁଷିତ ପାଣି ପିଇ କାଛୁକୁଣ୍ଡିଆ ଆଦି ରୋଗଗ୍ରସ୍ତ ହେଉଛନ୍ତି । ଏପରିକି କେତେକ କିଡିନି ରୋଗରେ ଆକ୍ରାନ୍ତ ମଧ୍ୟ ହେଲେଣି । ଏଣୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବାକୁ ଦାବୀ କରିବା ସହ ବିକ୍ଷୋଭ କରିଥିଲେ । ।  କିଛି ସମୟ ପରେ ପାନୀୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଭଞ୍ଜକିଶୋର ମନୋହରୀ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପାଣି ଯୋଗାଇଦେବାକୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ ବିକ୍ଷାଭରୁ ଓହରିଥିଲେ । ବିକ୍ଷୋଭ ସମୟରେ ଗ୍ରାମର ବହୁ ପୁରୁଷ ଓ ମହିଳା ମାନେ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031