Indus Valley Times

ବୌଦ୍ଧ ଜିଲ୍ଲାର ପୁରପଲ୍ଲିରେ ପାଳିତହେଲା ଶିଶୁ ଭିତିକ ପାରମ୍ପାରିକ ଖେଳ ପୁରା ଉଆଁଶ

 Breaking News

ବୌଦ୍ଧ ଜିଲ୍ଲାର ପୁରପଲ୍ଲିରେ ପାଳିତହେଲା ଶିଶୁ ଭିତିକ ପାରମ୍ପାରିକ ଖେଳ ପୁରା ଉଆଁଶ

August 27
22:40 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୮: ଆଜି ହେଉଛି ସପ୍ତପୁରୀ ଅମାବାସ୍ୟା । ଏହି ତିଥିକୁ ପଶ୍ଚିମ ଓଡିଶାରେ ପୁରା ଉଆଁଶ ବୋଲି କହିଥାନ୍ତି । ଏହି ଅମାବାସ୍ୟାରେ ବୌଦ୍ଧ ଜିଲ୍ଲାରେ ପୁର ପଲ୍ଲିରେ କାଚିକୁଢି ଖେଳ ବା ଘୁଡାଖେଳ ଶିଶୁ ମାନେ ଖେଳିଥାନ୍ତି । ଏହା ପଶ୍ଚିମ ଓଡିଶାରେ ଏକ ଶିଶୁ ଭିତିକ ପାରମ୍ପାରିକ ଖେଳ କହିଲେ ମଧ୍ୟ ଭୁଲ ହେବନାହିଁ ।
ବାଳିକାମାନେ କାଚିକୁଢି ଖେଳୁଥିବାବେଳେ ବାଳକ ମାନେ ଘୁଡା, ହାତୀ, ବାନରର ମାଟି ଓ କାଠ ପ୍ରତିକୃତିରେ ଚକ ଲଗାଇ ଟାଣି ଟାଣି ବାଳିକା ମାନଙ୍କ ଠାରୁ ନିଜ ଘୋଡା ବା ହାତୀ ବାହାନ ପାଇଁ ଦାନା ବା ଖାଦ୍ୟ ମାଗିଥାନ୍ତି । ବାଳିକା ମାନେ ସାତୋଟି ମାଟି କାଚିରେ ଉଖୁଡା, ମୁଗ, ହରଡ, ଶିମ୍ବ ମଞ୍ଜି, ମଟର , ତିଆସି ବୁଟ, କୋଳଥ, ମକା, ଏପରି ସାତ ପ୍ରକାରର ଭଜା ସାମଗ୍ରି ନୁଆ ଡାଲାରେ ରଖି ଗ୍ରାମର ମନ୍ଦିର ମଣ୍ଡପ କିମ୍ବା ସ୍କୁଲ ବାରଣ୍ଡାରେ ବସିଥାନ୍ତି ।
ନିଜ ନିଜ ଭିତରେ ଏହି ଖାଦ୍ୟ ସାମଗ୍ରି ଆଦାନ ପ୍ରଦାନ କରିବାସହ ବାଳକ ମାନେ ତାଙ୍କ ବାହାନ ପାଇଁ ମାଗିଲେ ତାଙ୍କୁ ଦାନା ଦେଇଥାନ୍ତି । ଏହି ଖେଳର ଅନ୍ୟ ଏକ ଉଦ୍ଦେଶ୍ୟ ହେଲାଯେ, ବାଳିକା ମାନଙ୍କୁ ଘର କରଣା ସଂପର୍କରେ ଅବଗତ କରାଇବା ଏବଂ ବାଳକ ମାନଙ୍କୁ ଯୁଦ୍ଧ ବିଦ୍ୟା ଓ ପୁରୁଷର କାର୍ଯ୍ୟ ସଂପର୍କରେ ଅବଗତ କରାଇବା ।
ଏହି ଖେଳପାଇଁ ହାଟ ବଜାରରେ ଅମାବାସ୍ୟାର କିଛିଦିନ ପୁର୍ବରୁ ନୂଆ ଡାଲିଆ, କୁଲା ଓ ମାଟିର କାଚି କୁଢି ସହ କାଠ ଓ ମାଟିରେ ନିର୍ମିତ ହାତୀ, ଘୁଡା, ବାନର ପ୍ରତିକୃତି ବିକ୍ରି ହୋଇଥାଏ । ଏହି ଖେଳ ପାଇଁ ବାଳକ ବାଳିକା ମାନେ ଯେତିକି ଉତ୍ସୁକ ହୋଇଥାନ୍ତି ଅଭିଭାବକ ମାନେ ମଧ୍ୟ ସେତିକି ତତ୍ପର ରହିଥାନ୍ତି ।
ଖେଳ ଶେଷରେ ବାଳକ ମାନେ ନିଜ ନିଜ ଭିତରେ ପ୍ରତିକୃତି ବା ବାହନ ମଧ୍ୟରେ ଲଢେଇ କରିଥାନ୍ତି । ଏବଂ କେତେକ ସ୍ଥାନରେ ବାନର ପ୍ରତିକୃତିର ଲାଙ୍ଗୁଡରେ ନିଆଁ ଲଗାଇ ସଂଧ୍ୟାରେ ପରିକ୍ରମା କରାଇଥାନ୍ତି । ଏହାକୁ ବିଜୟର ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ । ଏହି ପାରମ୍ପାରିକ ଖେଳ କେଉଁ ଆବାହମାନ କାଳରୁ ପଶ୍ଚିମ ଓଡିଶାର ପୁର ପଲ୍ଲିରେ ପାଳିତ ହୋଇ ଆସୁଅଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031