Indus Valley Times

ବୌଦ୍ଧ: ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ

 Breaking News

ବୌଦ୍ଧ: ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ

June 13
10:47 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩/୬ : ବୌଦ୍ଧ ଟାଉନହଲ୍ ଠାରେ ଆଜି ଜିଲ୍ଲା କ୍ରିକେଟ ଆସୋସିଏସନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସୋସିଏସନର ସଦସ୍ୟଙ୍କ ସମେତ ଅନୁବନ୍ଧିତ କ୍ଲବ ସମୁହ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସଭାପତି ନିରଞ୍ଜନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଉପ-ସଭାପତି ଲମ୍ବୋଦର ପୁରୋହିତ, କୋଷାଧ୍ୟକ୍ଷ ଭବେଶ ଯୋଶୀ ବିଭିନ୍ନ ରିପୋର୍ଟ ଉପସ୍ଥାପନ କରିବାସହ ଉପସ୍ଥିତ ସଭ୍ୟମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲେ । ବିଗତ ବର୍ଷ ଗୁଡିକର ଅଡିଟ୍ ରିପୋର୍ଟ ସମେତ ଆଗାମୀ କ୍ରୀଡା ବର୍ଷର ବଜେଟ୍ ବୈଠକରେ ଉପସ୍ଥାପନ ହେବାସହ ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ।
ଜିଲ୍ଲା କ୍ରିକେଟ ଟିମ୍‌ର କୋଚ୍ ହେମନ୍ତ ଚଂପତ୍ତି ଜିଲ୍ଲା କ୍ରିକେଟର ସ୍ଥିତି, ଖେଳାଳୀଙ୍କ ଆବଶ୍ୟକତା ଏବଂ ପ୍ରଦର୍ଶନ ସଂପର୍କରେ ବୈଠକରେ ସୂଚନା ଦେଇଥିଲେ । ଗତ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ଓ କ୍ରିକେଟ କୋଚିଂ କ୍ୟାଂପ୍‌କୁ ବୈଠକରେ ପ୍ରଶଂସା କରାଯିବାସହ ଚଳିତବର୍ଷ ମଧ୍ୟ ଆୟୋଜନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ କୋଚିଂ କ୍ୟାଂପ୍ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।
ଜିଲ୍ଲା ମୁଖ୍ୟାଳୟସ୍ଥିତ ସରକାରୀ ଷ୍ଟାଡିୟମରେ ଏକ ଟର୍ଫ ୱିକେଟ ନିର୍ମାଣ କରାଗଲେ ଜିଲ୍ଲାର ଖେଳାଳୀମାନେ ଉପକୃତ ହୋଇପାରିବେ ବୋଲି ସଭ୍ୟମାନେ ମତ ଦେବାସହ ଅନ୍ୟାନ୍ୟ ଖେଳପରି ଷ୍ଟାଡିୟମରେ କ୍ରିକେଟକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଅନେକ ପୂର୍ବତନ କ୍ରିକେଟ ଖେଳାଳୀ ସଭ୍ୟ ଦାବି ଜଣାଇଥିଲେ ।
ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଯେ ଷ୍ଟାଡିୟମରେ ଟର୍ଫ ୱିକେଟ ନିର୍ମାଣ ପାଇଁ ପ୍ରଶାସନକୁ ଜିଲ୍ଲା କ୍ରିକେଟ ଆସୋସିଏସନ ତରଫରୁ ପୁଣିଥରେ ଅନୁରୋଧ କରାଯିବ । ଏହାର ସମସ୍ତ ଖର୍ଚ୍ଚ ଓଡିଶା କ୍ରିକେଟ ଆସୋସିଏସନ ବହନ କରିବାକୁ ରାଜିଥିବାରୁ କାହିଁକି ଷ୍ଟାଡିୟମରେ ଟର୍ଫ ୱିକେଟ ନିର୍ମାଣ ପାଇଁ ଅନୁମତି ମିଳିପାରୁନାହିଁ ବୋଲି କ୍ରିକେଟ କ୍ଲବ ଗୁଡିକ ଅସନ୍ତୋଷ ପ୍ରକାଶ କରିଥିଲେ । ବୈଠକରେ ଅନେକ ସାଙ୍ଗଠାନିକ ଓ ଆଇନଗତ ପଦକ୍ଷେପ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାର୍ଯ୍ୟକାରୀ କମିଟି ସଦସ୍ୟ ଆଶୁତୋଷ ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଭିନ୍ନ ସମସ୍ୟାକୁ ନେଇ ପ୍ରଶାସନ ସହ ଆଲୋଚନା କଲା ନାଗରିକ କମିଟି
ବୌଦ୍ଧ,୧୨/୬ : ବୌଦ୍ଧ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଏକ ତିନି ଜଣିଆଁ ପ୍ରତିନିଧି ମଣ୍ଡଳୀ ସମ୍ପାଦକ ବିଶେଶ୍ୱର ପୃଷ୍ଟିଙ୍କ ନେତୃତ୍ୱରେ ଜିଲ୍ଲାବାସୀଙ୍କ ବିଭିନ୍ନ ସମସ୍ୟା ନେଇ ପ୍ରଶାସନ ସହ ଆଲୋଚନା କରିଛନ୍ତି । ନାଗରିକ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତିକ୍ରମେ ଏହି ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କୁ ସାକ୍ଷାତ କରି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ନୈରାଶ୍ୟଜନକ ଫଳ ନେଇ ଉଦବେଗ ପ୍ରକାଶ କରିବା ସହିତ ପିଜି ପାଠ୍ୟକ୍ରମ ଖୋଲାଯିବା,ବିସିଏ,ଡିସିଏ ଓ ଆଇଟି ଆଦି ପାଠ୍ୟକ୍ରମ ଖୋଲାଯିବା ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ, ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ନାଗରିକ କମିଟିର ପ୍ରତିନିଧି ମଣ୍ଡଳୀଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ କରାଯିବା ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀପାତ୍ର ପ୍ରତିନିଧି ମଣ୍ଡଳୀଙ୍କୁ ଜଣାଇଥିଲେ ।
ବୈଠକରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରଥମେ ବୌଦ୍ଧ ସହରବାସୀଙ୍କୁ ସ୍ୱଚ୍ଛ ଓ ବିଶୁଦ୍ଧ ପାନୀୟଜଳ ଯୋଗାଇଦିଆଯିବା ପରେ ପାନୀୟଜଳ ଯୋଗାଣ ପାଇଁ ମିଟର ସଂଯୋଗ କରାଯିବାକୁ ଏକ ଦାବିପତ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ,ସଚିବ ଓ ୫ ଟି ସଚିବଙ୍କୁ ପ୍ରେରଣ କରାଯାଇଛି । ପାନୀୟଜଳରେ ମିଟର ସଂଯୋଗ ପୂର୍ବରୁ ଖାଉଟିମାନଙ୍କୁ ଏହାର କାର୍ଯ୍ୟକାରୀତା ନେଇ ସଚେତନତା କରାଯିବାକୁ ମଧ୍ୟ ଦାବି କରାଯାଇଛି ।
ସେହିପରି ବୌଦ୍ଧ ଏନଏସିକୁ ପୌର ପରିଷଦର ମାନ୍ୟତା ପ୍ରଦାନ କରିବା ନିମନ୍ତେ ପ୍ରଶାସନିକ ପଦକ୍ଷେପ ଓ ତୁରନ୍ତ ଘୋଷଣା ଦାବିରେ ଜିଲ୍ଲାପାଳ ବୌଦ୍ଧ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ,ସଚିବ ଓ ୫ ଟି ସଚିବଙ୍କୁ ଦାବିପତ୍ର ପ୍ରେରଣ କରାଯାଇଛି । ଏହି ସାକ୍ଷାତ ଆଲୋଚନା ସମୟରେ ନାଗରିକ କମିଟି ପକ୍ଷରୁ ସତ୍ୟନାରାୟଣ ପାଣି,ଆଶୁତୋଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ
ବୌଦ୍ଧ,୧୨/୬ : ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ଗ୍ରାମପଞ୍ଚାତର ବଡମାଳ ଗ୍ରାମରେ ଏକ ବାଲ୍ୟାବିବାହକୁ ଚାଇଲ୍ଡ ଲାଇନ ପକ୍ଷରୁ ରୋକାଯାଇଥିବା ଜଣାପଡିଛି । ସୁଚନା ମୁତାବକ ମୁଣ୍ଡାପଡା ପଞ୍ଚାୟତର ବଡମାଳ ଗ୍ରାମର ଜଣେ ୧୭ ବର୍ଷିଆ ନାବାଳିକର ବିବାହ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ୧୧.୬.୨୩ରେ ହେବାକୁ ସ୍ଥିର ହୋଇଥିଲା ।
ଖବର ପାଇ ଚାଇଲ୍ଡ ଲାଇନର କର୍ମକର୍ତ୍ତା ଗତ ଶୁକ୍ରବାର ଦିନ ବଡମାଳ ଗ୍ରାମକୁ ଯାଇ ନାବାଳିକାକୁ ଉଦ୍ଧାର କରି ଶନିବାର ଦିନ ବୌଦ୍ଧ ଶିଶୁ ମଙ୍ଗଳ ସମିତିରେ ହାଜର କରିଥିଲେ । ନାବାଳିକା ଜଣକ ଦଶମ ପାଶ କରିଥିବା ବେଳେ ଶିଶୁ ମଙ୍ଗଳ ସମିତି ପାଖରେ ହାଜର କରାଯାଇଥିଲା
ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦାମୋଦର ସାହୁ ତାର ପରିବାରକୁ ବୁଝାସୁଝା କରିଥିଲେ । ନାବାଳିକାକୁ ହରଭଙ୍ଗା ବ୍ଲକର ବିରନରସିଂହପୁର ସ୍ଥିତ ରାମକୃଷ୍ଣ ବାଳାଶ୍ରମରେ ନେଇ ରଖଯାଇଅଛି । ଯଦି ସେ ପାଠ ପଢିବାକୁ ଆଗ୍ରହୀ ତେବେ ଶିଶୁମଙ୍ଗଳ ସମିତି ପକ୍ଷରୁ ସରକାରଙ୍କ ନିୟମ ଅନୁଯାଇ ସମସ୍ତ ସୁବିଧା ଯୋଗାଇଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
ମାରୱାଡି ଯୁବାମଂଚ ପକ୍ଷରୁ ମେଗାରକ୍ତ ଦାନ ଶିବିର, ୧୦୩ ୟୁନିଟ ରକ୍ତ ସଂଗ୍ରହ
ବୌଦ୍ଧ,୧୨/୬: ବୌଦ୍ଧ ମାରୱାଡି ଯୁବାମଂଚ ପକ୍ଷରୁ ରବିବାର ଦିନ ବୌଦ୍ଧ ରକ୍ତ ଭଣ୍ଡାର ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥିଭାବେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।
ମାରୱାଡି ଯୁବାମଂଚ ପକ୍ଷରୁ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଅମାତ ପ୍ରଶଂସା କରିଥିଲେ । ଏହି ଶିବିରରେ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଯୁବାମଂଚ ର ସଭାପତି କୁଶ ଅଗ୍ରୱାଲା, ସମ୍ପାଦକ ଅନିଷ ଅଗ୍ରୱାଲା, କୋଷାଧ୍ୟକ୍ଷ ମୋହିତ ଅଗ୍ରୱାଲା ଓ ମାରୱାଡି ଯୁବା ମଂଚ ର ସମସ୍ତ ସଦସ୍ୟ ମାନେ ସାମିଲ ଥିଲେ ।
ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ଅସହାୟ ମହିଳାଙ୍କ ଶବ ସତ୍କାର, ଝିଅ ଦେଲା ମୁଖଗ୍ନି
ବୌଦ୍ଧ,୧୩/୬: ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଜଣେ ଅସହାୟ ବୃଦ୍ଧା ଙ୍କର ଶବ ସତ୍କାର କରାଯାଇଛି । ବୃଦ୍ଧା ଜଣକ ହେଲେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଉଳଥୁପତକା ଗ୍ରାମର ଦୁହିତା ବେହେରା ୬୦ ବର୍ଷ ସେ ରାମ୍ଭିକଟା ତାଙ୍କର ସମ୍ପର୍କୀୟ ଙ୍କ ଘରକୁ କୌଣସି କାମରେ ଆସିଥିଲେ । ଗତକାଲି ସେ ଅସୁସ୍ଥ ହୋଇପଡିବାରୁ ୧୦୮ ଯୋଗେ ବୌଦ୍ଧ ଡାକ୍ତରଖାନାକୁ ଆଣିଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଥିଲା ।
ତାଙ୍କ ପାଖରେ ତାଙ୍କ ଝିଅ ଅନୁ ବେହେରା ଓ ଜଣେ ସମ୍ପର୍କୀୟ ଉପାସି ବେହେରା ଙ୍କ ଛଡା ଆଉ କେହି ନ ଥିବାରୁ ସେମାନେ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ସଙ୍ଗଠନକୁ ଲିଖିତ ଭାବେ ଜଣେଇବାରୁ ।
ସଂଗଠନର ସଂଯୋଜକ ରାମଚନ୍ଦ୍ର ମେହେର ଙ୍କ ନେତୃତ୍ୱରେ ସନ୍ତୋଷ ମେହେର, ରମେଶ ପ୍ରଧାନ, କ୍ରିଷ୍ଣା ମେହେର ,ନରସିଂହ ପାଳ, ଅରୁଣ ମେହେର, ମଦନ ମୋହନ ପ୍ରଧାନ ବିକାଶ ମେହେର ,ଇନ୍ଦ୍ରମଣି ମେହେର ଙ୍କ ସହିତ ସଭାପତି ମିନୁ ପ୍ରସାଦ ମିଶ୍ର ଯାଇ ବୌଦ୍ଧ ରାଜଘଟରେ ଯଥା ନୀତି ଅନୁଯାଇ ଶବସତ୍କାର କରିଥିବା ବେଳେ ତାଙ୍କର ଝିଅ ଅନୁ ବେହେରା ମୁଖାଗ୍ନି ଦେଇଥିବା ଜଣା ପଡିଛି ।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା କନିଷ୍ଠ ସାଂସ୍କୃତିକ ବୃତ୍ତି ପାଇଲେ ବୌଦ୍ଧ ର ନୃତ୍ୟଶିଳ୍ପୀ ପ୍ରତ୍ୟାଶା
ବୌଦ୍ଧ,୧୩/୬: ବୌଦ୍ଧ ର ପ୍ରତ୍ୟାଶା ମହାପାତ୍ର ଙ୍କର କଳାର ପାରଦର୍ଶିତା ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ର ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ର, ନୂଆଦିଲ୍ଲୀ ଦ୍ଵାରା ଜାତୀୟସ୍ତରରେ ଓଡ଼ିଶୀ ନୃତ୍ୟ ରେ ପ୍ରତିଭାସମ୍ପନ୍ନ ୧୦ ରୁ ୧୪ ବର୍ଷ ବୟସ୍କ ବାଳକ ଓ ବାଳିକା ମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଭିତ୍ତିରେ ମନୋନୀତ କରି ନିଜ ଦକ୍ଷତା ବିକାଶ ପାଇଁ ମାସିକ ବୃତ୍ତି ପ୍ରଦାନ କରିଥାଏ । ଦେଶରେ ଚଳିତ ବର୍ଷ ଓଡ଼ିଶୀ ନୃତ୍ୟ ରେ ୨୨ ଜଣ ଏହି ବୃତ୍ତି ପାଇବାରେ ଯୋଗ୍ୟତା ଅର୍ଜନ କରିଥିବାବେଳେ ସେମାନେ ଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲା ର ପ୍ରତ୍ୟାଶା ଜଣେ।
ପ୍ରତ୍ୟାଶା ଙ୍କ ହେତୁ ଏହି ସମ୍ମାନ ଜଣକ ବୃତ୍ତି ତାଙ୍କ ଗୁରୁ ପ୍ରଶାନ୍ତ କୁମାର ଭାଇନା ଙ୍କୁ ମଧ୍ୟ ମିଳିବା ପାଇଁ ବିଭାଗ ତରଫରୁ ସୂଚନା ମିଳିଛି। ପିତା ଆଶିଷ ମହାପାତ୍ର ଏବଂ ମାତା ଶ୍ରୀମତୀ ସୁଶ୍ରୀ ସଂଗୀତା ମହାପାତ୍ର ଙ୍କ କନିଷ୍ଠା କନ୍ୟା ପ୍ରତ୍ୟାଶା । ସେ କେନ୍ଦ୍ରୀୟ ବିଦ୍ୟାଳୟ,ବୌଦ୍ଧ ର ସପ୍ତମ ଶ୍ରେଣୀ ଛାତ୍ରୀ ।
ପ୍ରଥମ ଶ୍ରେଣୀ ଠାରୁ ଏପର୍ଯ୍ୟନ୍ତ ପ୍ରଣାମ ନୃତ୍ୟାନୁଷ୍ଠାନ, ବୌଦ୍ଧ ଠାରେ ଗୁରୁ ପ୍ରଫେସର ଡ଼ଃ ମନୋଜ କୁମାର ବେହେରା ଏବଂ ଗୁରୁ ପ୍ରଶାନ୍ତ କୁମାର ଭାଇନା ଙ୍କ ତତ୍ତ୍ଵକ୍ଷବଧାନରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରିଆସୁଛନ୍ତି। ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ରୁ ଏହି ସମ୍ମାନ ଜନକ କଳା ବୃତ୍ତି ପାଇବାର ଯୋଗ୍ୟତା ଅର୍ଜନ କରିଥିବାରୁ ପ୍ରଣାମ ନୃତ୍ୟାନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀମତୀ ସୁକାନ୍ତି ସିଂ,ସଭାପତି ବସନ୍ତ କୁମାର ସାହୁ ଙ୍କ ସହ ସମସ୍ତ କର୍ମକର୍ତ୍ତା ଖୁସି ପ୍ରକଟ କରିବା ସହ ପ୍ରତ୍ୟାଶା କୁ ଶୁଭେଚ୍ଛା ଜଣାଇଥିଲେ।
ଏବଂ ବିଶେଷ ଭାବରେ ଗୁରୁ ପ୍ରଫେସର୍ ଡ଼ଃ ମନୋଜ କୁମାର ବେହେରା ଏବଂ ଗୁରୁ ପ୍ରଶାନ୍ତ କୁମାର ଭାଇନା ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏଥି ପାଇଁ ବୌଦ୍ଧ ଜିଲ୍ଲା ର ବହୁ କଳାକାର, କଳା ଅନୁଷ୍ଠାନ ତଥା ବୌଦ୍ଧବାସୀ ଙ୍କ ତରଫ ରୁ ପ୍ରତ୍ୟାଶାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।


About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031