Indus Valley Times

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

 Breaking News

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
May 09
19:23 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୯/୫ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ୪୫ତମ ପ୍ରତିଷ୍ଠା ଦିବସ ଅବସରରେ ବାର୍ଷିକ ଉତ୍ସବ ମହାସମାରୋହରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସତୁରୀ ଦଶକରେ ସ୍ୱର୍ଗତ ନଟବର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଉଚ୍ଚ ଶିକ୍ଷା ଅନୁଷ୍ଠାନ ତାର ଲକ୍ଷ ପ୍ରାପ୍ତିରେ ସଫଳ ହୋଇଥିବା ପ୍ରକାଶ କରିବାସହ ପ୍ରତିଷ୍ଠାତା ମଣ୍ଡଳୀର ସଦସ୍ୟମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଅନେକ ପ୍ରତିକୂଳ ପରିସ୍ଥିତି ଓ ସମସ୍ୟା ମଧ୍ୟ ଦେଇ ଗତି କରିଥିବା ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ ସ୍ତରରେ ସଫଳତା ହାସଲ କରି ସୁନାମ ଅର୍ଜନ କରୁଥିବାରୁ ମନ୍ତ୍ରୀ ଶ୍ରୀ ଅମାତ ପ୍ରଶଂସା କରିବା ସହ ମହାବିଦ୍ୟାଳୟରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ।
ବାର୍ଷିକ ଉତ୍ସବରେ ଛାତ୍ର ପ୍ରତିନିଧି ଜିତେନ୍ଦ୍ର ବେହରା ମହାବିଦ୍ୟାଳୟରେ ସମସ୍ୟା ନେଇ ଉଦବେଶ ପ୍ରକାଶ କାରିବା ସହ ମହାବିଦ୍ୟାଳୟରେ ବହୁ ସମସ୍ୟା ଭିତରେ ରହିଥିବା ବେଳେ ମହାବିଦ୍ୟାଳୟରେ ପାଠ ପଢିବାକୁ ଚକ ଖଡି ନଥିବା ବେଳେ ପାଣି ସମସ୍ୟା , ଚେୟାର , କମନରୁମ ସମସ୍ୟା, ଇ ଲାଇବ୍ରେରୀ ସମସ୍ୟା ଆଦି ବିଷୟରେ କହିବା ସହ ଆଜି ପର୍ଯ୍ୟନ୍ତ ଜିଲ୍ଲାର ଏକ ମାତ୍ର ପୁରାତନ ମହାବିଦ୍ୟାଳୟ ହୋଇଥିବାବେଳେ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇ ନଥିବା ନେଇ ମୁଖ୍ୟ ଅତିଥି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ସଂଶୟ ଦୂର କରିବାକୁ ଯାଇ ମନ୍ତ୍ରୀ ଶ୍ରୀଅମାତ କହିଥିଲେଯେ, ବର୍ତମାନ ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକତା ଅନୁଯାୟୀ ସୁବିଧା ସୁଯୋଗ ସୃଷ୍ଟିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ମହାବିଦ୍ୟାଳୟର କର୍ମଚାରୀମାନେ ସରକାରୀ ମହାବିଦ୍ୟାଳୟର କର୍ମଚାରୀମାନଙ୍କ ଭଳି ବେତନ ପାଉଛନ୍ତି । ଯଦି ସରକାର ଆଗାମୀ ଦିନରେ ବେସରକାରୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରନ୍ତି ତାହେଲେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ନାମ ନିଶ୍ଚିତ ସେଥିରେ ସ୍ଥାନ ପାଇବ ବୋଲି ଶ୍ରୀଅମାତ ପ୍ରକାଶ କରିଥିଲେ ।
ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଛାତ୍ରଛାତ୍ରୀଙ୍କ ସଫଳତା ସହ ଅନୁଷ୍ଠାନର ପ୍ରଗତି ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀପାତ୍ର ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେବା ସହିତ ଜୀବନରେ ଲକ୍ଷ ସ୍ଥିର ହେଲେ ସଫଳତା ନିଶ୍ଚୟ ମିଳିବ ବୋଲି ପ୍ରକାଶ କରି ମହବିଦ୍ୟାଳୟର ବିକାଶ ଯାତ୍ରାରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ଅତିଥି ଭାବରେ ଛାତ୍ରସଂସଦର ଉପଦେଷ୍ଟା ଅଧ୍ୟାପକ ନିରଂଜନ ମିଶ୍ର ଉପସ୍ଥିତ ଥିବାବେଳେ ସାଂସ୍କୃତିକ ଉପଦେଷ୍ଟା ଅଧ୍ୟାପକ ପ୍ରବୀର କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ଓ ଅଧ୍ୟାପିକା ଗୀତାଂଜଳୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ବୃତ୍ତି ପରିକ୍ଷାରେ ସ୍କୁଲ ପାଇଁ ସଫଳତା ଆଣିଲେ ଦୁଇ ଛାତ୍ରୀ
ବୌଦ୍ଧ; ୯/୫: ଗତ ୨୦୨୨-୨୩ ଏନ୍‌.ଏମ୍‌.ଏ ବୃତ୍ତି ପରିକ୍ଷାରେ ବୌଦ୍ଧ ଏନ୍‌ଏସିର ବୁଟୁପାଲି ସରକାରୀ ୟୁପିଏସ ବିଦ୍ୟାଳୟର ଦୁଇ ଛାତ୍ରୀ ରିନା ମେହେର, ମୋନିଶା ମେହେର ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବୌଦ୍ଧ ଏନଏସିର ଏକମାତ୍ର ଏହି ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭି. ଚନ୍ଦ୍ରଶେଖର ରାଜୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ ଭୋଇ,ଶିକ୍ଷୟତ୍ରୀ ମଧୁଶ୍ରୀ ଦେବୀ, ମମତା ପଣ୍ଡା, ଗୀତାଞ୍ଜଳୀ ଆଚାରୀ, ଅମିତା ସାହୁ, ମନୋରମା ବଡମାଳୀ, ବୀଣାପାଣି ମହାଲିକ, ରତ୍ନମାଳା ନାୟକ ଓ ଅଭିଭାବକ ଅଭିଭାବିକା ଶିକ୍ଷାବିତ, ବୁଦ୍ଧିଜୀବୀ ଏହି କୃତ୍ତି ଛାତ୍ରୀ ଦ୍ୱୟଙ୍କୁ ସମ୍ବୋର୍ଦ୍ଧିତ ଓ ଶୁଭେଛା ଜଣାଇଥିଲେ ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଶିବିର
ବୌଦ୍ଧ,୯/୫ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୫୫ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୫୦ ଗୋଟି ବ୍ୟକ୍ତିଗତ ମାମଲା ଓ ୫ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।
ରେଡକ୍ରସ ପାଣ୍ଠିରୁ ୧୧ ଜଣଙ୍କୁ ୮୩ ହଜାର ଟଙ୍କା ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣଙ୍କୁ ୪୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ୨୩ ଗୋଟି ଅଭିଯୋଗର ତôତକାଳ ସମାଧାନ କରାଯାଇଥିଲା ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଂଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସମତେ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ବରିଷ୍ଠ ନାଗରିକ ମଞ୍ଚର ବୈଠକ
ବୌଦ୍ଧ,୯/୫ : ବୈାଦ୍ଧ ବିଜ୍ଞାପିତ ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାତ କୁମାର ସାହୁଙ୍କ ଅଧକ୍ଷତାରେ ଜିଲ୍ଲା ଟ୍ରକ ମାଲିକ ସଂଘ ସଭାଗୃହଠାରେ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରୁ ଇହଧାମ ତ୍ୟାଗ କରିଥିବା ବରିଷ୍ଠ ନାଗରିକମାନଙ୍କ ଆତ୍ମାର ସଦ୍‌ଗତି ସକାଶେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ବୈଠକରେ ସଂପାଦକ ବିଶ୍ୱନାଥ ମିଶ୍ର ମଞ୍ଚ ଗଠନ ଉପରେ ଆଲୋକପାତ କରିବାସହ ଗ୍ରାମାଞ୍ଚଳରେ ବାସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ, ମଞ୍ଚ ଗୃହ ନିର୍ମାଣ,ଠିକ ସମୟରେ ପୁଲିସ ପ୍ରସାଶନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଉ ନଥିବାରୁ ଆରକ୍ଷୀ ଅଧିକ୍ଷକଙ୍କ ସହ ସାକ୍ଷାତ କରିବା ଏବଂ ଜିଲ୍ଲାର ଗଠନମୂଳକ କାର୍ଯ୍ୟରେ ବରିଷ୍ଠ ନାଗରିକ ମାନଙ୍କୁ ସାମିଲ କରୁନଥିବାରୁ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି ଅଖିଳଚାନ୍ଦ ମହାପାତ୍ର,ଅକ୍ଷୟ କୁମାର ମହାନ୍ତି,ଉପ ସଭାପତି ଶିବ ପ୍ରସାଦ ମିଶ୍ର,ବରିଷ୍ଠ ଓକିଲ ସୁଧିର କୁମାର କଣ୍ଣ୍‌ର୍ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରୁ ସଂଗଠିତ କରି କିପରି ଜନହିତ କାର୍ଯ୍ୟ କରାଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଦିଆଯାଇଥିବା ଗୃହ ଏବଂ ଏହାର ମରାମତି କାର୍ଯ୍ୟ ସମାପନ କରାଯାଇଥିବାରୁ ନଗରପାଳ ମୃତ୍ୟୁଂଜୟ ମିଶ୍ରଙ୍କୁ ପ୍ରସଂଶା କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ସଦସ୍ୟ ହରିଶ ମିଶ୍ର,ବସନ୍ତ ପଟ୍ଟନାୟକ,ତ୍ରିପୁରେନ୍ଦ୍ର ସାହାଣୀ,ଜ୍ଞାନ ପଟ୍ଟନାୟକ, ଭଗବାନ ଆଚାର୍ଯ୍ୟ,ମହେଶ ପ୍ରସାଦ ଦଲାଲ,ପୁର୍ଣ୍ଣଚନ୍ଦ୍ର ସାହୁ ,ପଦ୍ମନାଭ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ବୈଠକରେ ଭାଗନେଇ ଆଲୋଚନାରେ ସାମିଲ ହୋଇଥିଲେ ।

ବୌଦ୍ଧରେ ବିଶ୍ୱ ରେଡକ୍ରସ ଦିବସ ପାଳିତ
ବୌଦ୍ଧ,୯/୫ : ବୌଦ୍ଧରେ ଜିଲ୍ଲାସ୍ତରୀୟ ରେଡକ୍ରସ ଦିବସ ମହାସମାରୋହରେ ସୋମବାର ଦିନ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ବୌଦ୍ଧ ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ସମେତ ସଂସ୍କାର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ବାଉଁଶୁଣୀ,କେ.ବି.ହିଷ୍ଟ ମହାବିଦ୍ୟାଳୟ ବୁଟୁପାଲି,କେ.ଏନ . ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁରୁଣାକଟକ,ନବୀନ ପ୍ରସାଦ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାରାୟଣ ପ୍ରସାଦ ଓ ଜୟକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦମାମୁଣ୍ଡାରେ ନୂତନ ଭାବରେ ଯୁବ ରେଡକ୍ରସ ଶାଖା ଶୁଭାରମ୍ଭର ଉଦଘାଟନ କରିଥିଲେ ।
ସଦଭାବନା ସଭାଗୃହଠାରେ ଆୟୋଜିତ ସଭାରେ ଜିଲ୍ଲାପାଳ ସତ୍ୟରଂଜନ ସାହୁ ଅଧ୍ୟକ୍ଷତା କରି ଜିଲ୍ଲାରେ ଚାଲିଥିବା ରେଡକ୍ରସ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଗତ ଆର୍ଥିକ ବର୍ଷରେ ଜିଲ୍ଲାରେ ରେକର୍ଡ ପରିମାଣର(୧ କୋଟିରୁ ଉର୍ଦ୍ଧ୍ୱ) ଅର୍ଥ ସଂଗ୍ରହ କରାଯାଇଥିବାବେଳେ ଏହାକୁ ଦୁଇଗୁଣ କରାଯିବାର ଲକ୍ଷ ରଖାଯାଇଛି । ସେହିପରି ରାଜ୍ୟ ରେଡକ୍ରସକୁ ୨୫ଲକ୍ଷ ୯୫ ହଜାର ୪୧ ଟଙ୍କା ସହଯୋଗ ରାଶି ପଠାଇ ରେଡକ୍ରସ କାର୍ଯ୍ୟକ୍ରମ ପାଇଁ ରାଜ୍ୟର ବଛାବଛା ଜିଲ୍ଲା ମଧ୍ୟରେ ବୌଦ୍ଧଜିଲ୍ଲା ସ୍ଥାନ ପାଇ ପ୍ରଶଂସିତ ହୋଇଥିବାବେଳେ ଆଗାମୀ ଦିନରେ ଜିଲ୍ଲାକୁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ କରାଯିବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି ।
ପ୍ରତ୍ୟେକ ଜନଶୁଣାଣି ସମାଧାନ ଶିବିରରେ ଅସହାୟ,ଗରିବଲୋକମାନଙ୍କୁ ଚିକିତ୍ସା ଓ ଜୀବନ ଜିବିକା ପାଇଁ ରେଡକ୍ରସ ପାଣ୍ଠି ଜରିଆରେ ରେକର୍ଡ ପରିମାଣର ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ତେବେ ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ନେଇ ଜିଲ୍ଲାପାଳ ଶ୍ରୀସାହୁ ଉଦବେଗ ପ୍ରକାଶ କରିବା ସହିତ ଏହାର କାରଣ ଓ ନିରାକରଣ ପାଇଁ ଏବେ ବୈଷୟିକ ଟିମ୍ ଦ୍ୱାରା ଅନୁଧ୍ୟାନ କରାଯିବାକୁ ମନ୍ତ୍ରୀ ଶ୍ରୀଅମାତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପାଣି ପାଇଁ କିଡନୀ ରୋଗ ବ୍ୟାପୁଥିବା ଅଭିଯୋଗ ହେଉଥିବାବେଳେ ଜିଲାପାଳ ଶ୍ରୀସାହୁ ଏହାକୁ ଖଣ୍ଡନ କରିବା ସହିତ ଏହାର ପ୍ରକୃତ କାରଣ ଖୋଜିବାକୁ ପଡିବ ବୋଲି କହିଥିଲେ । ସେହିପରି ଯୁବପିଢୀ ନିଶା ଦ୍ୱାରା କବଳିତ ହୋଇଚାଲିଥିବାରୁ ନିଶାମୁକ୍ତ ଜିଲ୍ଲା ଗଠନ ପାଇଁ ଜିଲ୍ଲାପାଳ ଏହି ଅବସରରେ ଆହ୍ୱାନ ଜଣାଇବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ମୁଖ୍ୟଅତିଥି ଶ୍ରୀଅମାତ ଜିଲ୍ଲାରେ ଚାଲିଥିବା ରେଡକ୍ରସ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଶଂସା କରିବା ସହିତ କେବିକେ ଯୁକ୍ତ ଜିଲ୍ଲା ଭାବରେ ବୌଦ୍ଧକୁ ବାର୍ଷିକ ୧ କୋଟି ଟଙ୍କାର ଅତିରିକ୍ତ ଅନୁଦାନ ରାଜ୍ୟ ସରକାର ଯୋଗାଇ ଦେଉଥିବାରୁ ତାହାର ବିନିଯୋଗ କରି କିଡନୀ ରୋଗର ଚିକିତ୍ସା ପାଇଁ ଭିତିଭୂମି ସୃଷ୍ଟି କରିବାକୁ ଜିଲାପ୍ରଶସାନକୁ ପରାମର୍ଶ ଦେଇଥିଲେ । ଏଥିସହିତ ମନ୍ତ୍ରୀ ଶ୍ରୀଅମାତ ଉପସ୍ଥିତ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ସ୍ୱେଛାସେବୀ,ବ ୁଦ୍ଧଜିବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଶାମୁକ୍ତ ଜିଲ୍ଲା ଗଠନ ପାଇଁ ସଂକଳ୍ପର ଶପଥପାଠ କରାଇଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀସାହୁଙ୍କ ଉଦ୍ୟମରେ ବୌଦ୍ଧଜିଲ୍ଲାର ଐତିହ୍ୟ, ସଂସ୍କୃତି, ପରମ୍ପରା, ହସ୍ତଶୀଳ୍ପ, ବୟନ ଓ ମହାନଦୀର ପ୍ରାକୃତିକ ଶୋଭାରାଜିକୁ ନେଇ ପ୍ରସ୍ତୁତ ଏକ ବୃତ୍ତଚିତ୍ରକୁ ମୁଖ୍ୟଅତିଥି ଶ୍ରୀଅମାତ ଉଦଘାଟନ କରିଥିଲେ । ଏହା ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ସେହିପରି ବିଶ୍ୱ ରେଡକ୍ରସ ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ୫୧ ଜଣ ସ୍ୱେଛାକୃତ ରକ୍ତଦାନ କରିଥିଲେ । ସଭାରେ ସମ୍ମାନିତ ଅତିଥି ଭାବରେ ଜିଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ,ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର,ଅତିରକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜିଲାରେ ସର୍ବାଧିକ ରେଡକ୍ରସ ପାଣ୍ଠି ସଂଗ୍ରହ ପାଇଁ ଜିଲା ଅବକାରୀ ବିଭାଗ,ଜିଲ୍ଲା ଯୋଗାଣ ବିଭାଗ ଓ ବୌଦ୍ଧ ତହସିଲକୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।

ଜନପ୍ରତିନିଧିଙ୍କୁ ଅଣଦେଖା କରି ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ ଅନିୟମିତତା ନେଇ ଜିଲାପାଳଙ୍କୁ ଅଭିଯୋଗ
ବୌଦ୍ଧ,୯/୫ : ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଗାଇଦିଆଯାଇଥିବା ପଞ୍ଚଦଶ ଅର୍ଥ ଅନୁଦାନ ଖର୍ଚ୍ଚରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ଅଣଦେଖା ଓ ଅନ୍ଧାରରେ ରଖି ଯୋଜନା ପ୍ରସ୍ତୁତ କରାଯାଇ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଖୋଦ ଜନ ପ୍ରତିନିଧି ।
ଜିଲ୍ଲାର କଣ୍ଟମାଳ ବ୍ଳକ ତରଫରୁ ୨୦୨୩- ୨୪ ଆର୍ଥକ ବର୍ଷ ପାଇ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପାଇଁ ପଠାଯାଇଥିବା ପ୍ରକଳ୍ପ ତାଲିକାରେ ହୋଇଥିବା ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇ ପଞ୍ଚଦଶ ଅର୍ଥ କମିଶନ ଅନୁାଦ ପାଇଁ କଣ୍ଟମାଳପଞ୍ଚାୟତ ସମିତିରେ ଆଲୋଚନା ହୋଇଥିବା ପ୍ରକଳ୍ପ ଗୁଡିକ ତାଲିକାରେ ଅର୍ନ୍ତଭୁକ୍ତ କରାଯାଈନାହିଁ । ଖୁଣ୍ଟିଗୋରା, ଖମନମୁଣ୍ଡା, ଓ କୁଳୁତାଯୋର ଗ୍ରାମପଞ୍ଚାୟତରେ ବହୁ ପ୍ରକଳ୍ପ ତାଲିକାରେ ସ୍ଥାନିତ ହୋଇଥିବା ବେଳେ କଣ୍ଟମାଳ, ଖଲିଆପାଲି, ବରଗୋଛା,ଗୁଡଭେଲିପଦର, ପଲସାଗୋରା,ଘିକୁଣ୍ଡି, ଦପଲା,ଯୋଗିନ୍ଦ୍ରପୁର, ଓ ବିଳାସପୁର ଗ୍ରାମପଞ୍ଚାୟତକୁ କେବଳ ବାଧ୍ୟତାମୁଳକ ପ୍ରକଳ୍ପ ତାଲିକାରେ ସ୍ଥାନିତ ହୋଇଅଛି ।
ଆହୁରୀ ମଧ୍ୟ ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ଆର୍ଥିକ ବର୍ଷରେ ଉପରସ୍ତ ଅନୁଦାନରେ ପାଇଥିବା ଗ୍ରାମପଞ୍ଚାୟତ ସବୁ ପୁର୍ନବାର ୨୦୨୩-୨୪ ରେ ପୁଣି ଅର୍ନ୍ତଭୁକ୍ତ କରାଯାଈଥିବା ନେଇ ଅଭିଯୋଗ କରିଛନ୍ତି । କଣ୍ଟମାଳ ବ୍ଳକରେ ତ୍ରିସ୍ତରୀୟ ଜନ ପ୍ରତିନିଧିଙ୍କୁ ସଂପୁର୍ଣ୍ଣ ଭାବେ ଅଣଦେଖା କରି ମାତ୍ର ୩/୪ ଗୋଟି ଗ୍ରାମପଞ୍ଚାୟତରେ ବହୁ ସଂଖ୍ୟାରେ ପ୍ରକଳ୍ପ ତାଲିକାରେ ସ୍ଥାନୀତ ହେବା ଦୁଖ ପରିତାପର ବିଷୟ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ଜନ ପ୍ରତିନିଧି ମାନେ ସୋମବାର ଦିନ ଜିଲାପାଳକୁ ତୁରନ୍ତ ଏଥି ପ୍ରତି ପଦକ୍ଷେପ ନେବା ସହ ୨୦୨୩-୨୪ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ପ୍ରକଳ୍ପ ତାଲିକାକୁ ବାତିଲ କରାଯଇ ନୁତନ ତାଲିକା ପ୍ରସ୍ତୁତ କରାଯିବାକୁ ଦାବୀ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ଜିଲାପରିଷଦସଭ୍ୟା ପଦ୍ମାଳୟା ପ୍ରଧାନ, ରୁଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ, ପଲଶାଗୋରା ସରପଞ୍ଚ ସୌଦାମିନି ମଲିକ ସୁଣ୍ଡିପଦର ସରପଞ୍ଚ ସୁଜାତା ଭୋଇ, ଖଲିଆପାଲି ସମିତିସଭ୍ୟ କେଦାର ନାଥ ସାହୁ, ଖଟଖଟିଆ ସମିତି ସଭ୍ୟା ଆଲାଦିନ ମହାଲିକ , ଖୁଣ୍ଟିଗୋରା ସମିତିସଭ୍ୟା ଭାରତୀ ସାହୁ, ରୁଣ୍ଡିମହୁଲ ସମିତି ସଭ୍ୟ ଲିଙ୍ଗରାଜ ଦନ୍ତାଙ୍କ ସମତେ ବହୁ ଜନ ପ୍ରତିନିଧି ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031