Indus Valley Times

ବୌଦ୍ଧ : ପୁଲିସ ପକ୍ଷରୁ ଚଢଉ ୧୩୦ କିଲୋ ଗଞ୍ଜେଇ ଜବତ

 Breaking News

ବୌଦ୍ଧ : ପୁଲିସ ପକ୍ଷରୁ ଚଢଉ ୧୩୦ କିଲୋ ଗଞ୍ଜେଇ ଜବତ

September 02
11:06 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨/୯: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଡେମ୍ ନିକଟରୁ ବୌଦ୍ଧ ପୁଲିସ ୧୩୦ କିଲୋ ଗଞ୍ଜେଇ ଜବତ କରିଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ନୂଆପଡ଼ା ଡେମ୍ ନିକଟରେ ଗଞ୍ଜେଇ ଚାଲାଣ ପାଇଁ ରଖାଯାଇଥିବା ବୌଦ୍ଧ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢଉ କରାଯାଇଥିଲା । ଡେମ୍ ନିକଟରେ କିଛି ଜରି ବସ୍ତା ଥିବା ଦେଖି ପୁଲିସ ଯାଞ୍ଚ କରିବା ପରେ ସେଥିରୁ ଗଞ୍ଜେଇ ଉଦ୍ଧାର କରାଯାଇଥିଲା ।
ଗଞ୍ଜେଇ ବସ୍ତା ଗୁଡ଼ିକୁ ଜବତ କରି ଓଜନ କରାଯିବା ପରେ ୧୩୦ କିଲୋ ହୋଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ମାମଲା ରେ କାହାରିକୁ ଗିରଫ କରାଯାଇନଥିବା ବେଳେ ବୌଦ୍ଧ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଝିଅ ହତ୍ୟା ଓ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ ମାମଲା, ସ୍ୱାମୀ ଓ ଶ୍ୱଶୁରକୁ ୨୦ ବର୍ଷ କାରାଦଣ୍ଡାଦେଶ
ବୌଦ୍ଧ,୨/୯: ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରଜଜ ଶନିବାର ଦିନ ଏକ ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ୨୦୦୦ଟଙ୍କା ଜରିମୋନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୁରୁମୁଣ୍ଡା ଗ୍ରାମର ନିତ୍ୟାନନ୍ଦ ମେହେରଙ୍କ ଝିଅ ଡୁଲେଶ୍ୱରୀ ମେହେରଙ୍କୁ ବାଉଁଶୁଣୀ ଥାନା ମଙ୍ଗଳାମୁଣ୍ଡା ଗ୍ରାମର ଟିକମଣୀ ମେହେର ଓରଫ ଟିକ ଙ୍କ ପୁଅ ରାକକୁମାର ମେହେରଙ୍କ ବିବାହ କରିଥିଲେ । ଡୁଲେଶ୍ୱରୀଙ୍କ ତିନି ଝିଅ ଓ ଗୋଟିଏ ପୁଅ । ଶ୍ୱଶୁର ଟିକ ମେହେର ବାହାଘର ପରଠାରୁ ବୋହୁ ଡୁଲେଶ୍ୱରୀକୁ ନିଯ୍ୟାତନା ଦେବା ସହ ଡୁଲେଶ୍ୱରୀର ବାପା ଓ ଭାଇଙ୍କୁ ଅପମାନିତ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା । ଡୁଲେଶ୍ୱରୀର ଲାଗି ଲାଗି ୩ ଗୋଟି ଝିଅ ହେବାରୁ ଶ୍ୱଶୁର ଟିକ ନିର୍ଯ୍ୟାତନା ଦେଇଆସୁଥିଲା ।
ଗତ ୨୫.୨.୨୦୨୨ରେ ଡୁଲେଶ୍ୱରୀର ବଡ ଝିଅ ଭାଗ୍ୟଶ୍ରୀର ବାହାଘର ରିଷିବନ୍ଧ ଗ୍ରାମରେ ସ୍ଥିର ହୋଇଥିଲା । ସ୍ୱାମୀ ରାଜକୁମାର ଓ ଶ୍ୱଶୁର ଟିକ ଡୁଲେଶ୍ୱରୀକୁ ବାପ ଘର ଲୋକ ଯାନିଯୌତୁକ ଆଣିବା କଥା କିନ୍ତୁ ବାପ ଘର ଲୋକଙ୍କ ଆର୍ଥିକ ସମ୍ବଳ ନଥିବାରୁ ଆଣିବାକୁ ସକ୍ଷମ ହୋଇନଥିଲେ । ବାହଘର ଦିନ ଜ୍ୱାଇଁ ବାଟ ବରଣ ସମୟରେ ଡୁଲେଶ୍ୱରୀର ଭାଇ ବାଟ ବରଣ କରିବାକୁ ଯାଉଥିବା ବେଳେ ଶ୍ୱଶୁର ଟିକ ମେହେର ଅଟକାଇଥିଲେ । କିନ୍ତୁ ବରଯାତ୍ରୀ ଦଳ ବିରକ୍ତି ହୋଇ ସିଧା ବେଦୀକୁ ଚାଲିଯାଇଥିଲେ । ଏଥିରେ ଶ୍ୱଶୁର ଟିକ ମେହେର ଅପମାନିତ ମନେ କରି ବିରକ୍ତି ହେବା ସହ ପ୍ରତିଶୋଧ ପରାୟଣ ହୋଇଥିଲେ ।
ଗତ ୨୭ ତାରିଖରେ ଘରୁ ବନ୍ଧୁ ବାନ୍ଧବ ଚାଲିଯିବା ପରେ ରାତିଗୋଟାଏ ହେବ ସ୍ୱାମୀ ରାଜକୁମାର ମେହେର ଏକ ଟାଙ୍ଗିଆ ଧରି ସ୍ତ୍ରୀ ଡୁଲେଶ୍ୱରୀ ଶୋଇଥିବା ଘର ଭିତରକୁ ଆସି ପାଟିତୁଣ୍ଡ କରି ତମ ମାନଙ୍କ ଲାଗି ମୋର ବାପା ଅପମାନିତ ହେଲା କହି ଟାଙ୍ଗିଆରେ ପ୍ରଥମେ ଡୁଲେଶ୍ୱରୀକୁ ହାଣିଥିଲା । ପରେ ପାଖରେ ଶୋଇଥିବା ସାନ ଝିଅ ଶ୍ରାବଣୀକୁ (୧୨) କୁ ମଧ୍ୟ ରାକକୁମାର ହାଣି ଦେଇଥିଲା । ପାଟିତୁଣ୍ଡ ଶୁଣି ପାଖ ପଡିଶା ଆସିବାରୁ ଅଭିଯୁକ୍ତ ରାକକୁମାର ଘଟଣା ସ୍ଥଳ ଚାଲିଯାଇଥିଲା । ସଙ୍ଗେ ସଙ୍ଗେ ଗୁରୁତର ଡୁଲେଶ୍ୱରୀ ଓ ଝିଅ ଶ୍ରାବଣୀକୁ ସୋନପୁର ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଶ୍ରାବଣୀର ମୃତ୍ୟୁ ହୋଇଯାଇଥିଲା ।
ଗୁରୁତର ଡୁଲେଶ୍ୱରୀକୁ ବୁର୍ଲା ମେଡିକାଲକୁ ପଠାଇଯାଇଥିଲା । ଡୁଲେଶ୍ୱରୀ ବୁର୍ଲା ମେଡିକାଲରେ କିଛି ଦିନ ଚିକିତ୍ସିତ ହେବା ପରେ ଫେରିଥିଲେ । ଏନେଇ ଡୁଲେଶ୍ୱରୀର ବାପା ନିତ୍ୟାନନ୍ଦ ମେହେର ଝିଅକୁ ଆକ୍ରମଣ ଓ ନାତୁଣିକୁ ହତ୍ୟା କରିଥିବା ନେଇ ବାଉଁଶୁଣୀ ଥାନାରେ ଗତ ୨୮.୨.୨୦୨୨ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଉଁଶୁଣୀ ପୁଲିସ ଥାନା କେସନଂ ୧୫/୨୨ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା । ଏହି ଘଟଣାରେ ପୁଲିସ ସ୍ୱାମୀ ରାକକୁମାର ମେହେର ( ୪୪) ଓ ଶ୍ୱଶୁର ଟିକମଣି ଓରଫ ଟିକ ମେହେର ( ୬୪) କୁ ଗିରଫ କରି ଗତ ୧.୩.୨୨ରେ କୋର୍ଟକୁ ଚାଲାଣ କରିଥିଲା ।
ପରବର୍ତ୍ତୀ ସମୟରେ ମାମଲାଟି ଅତିରିକ୍ତ ଜିଲ୍ଲା ଦୌରଜଜଙ୍କ ଅଦାଲତରେ ଏସଟି ୫୦/୨୩ ହୋଇ ବିଚାର ହୋଇଥିଲା । ମାମଲାରରେ ସରକାରଙ୍କ ପକ୍ଷରୁ ୨୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଦାଲତ ପ୍ରମାଣ ଥିବା ନେଇ ଅଭିଯୁକ୍ତ ସ୍ୱାମୀ ରାଜକୁମାର ମେହେର ଓ ଶ୍ୱଶୁର ଟିକ ମେହେରଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ୨୦୦୦ ଟଙ୍କା ଜରିମୋନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ଜ୍ଞାନରଂଜନ ପଟ୍ଟନାୟକ ପରିଚାଳନା କରୁଥିଲେ ।
ବୌଦ୍ଧ ଜିଲ୍ଲାପରିଷଦ ମାସିକ ବିଭାଗୀୟ ସମୀକ୍ଷା ବୈଠକ
ବୌଦ୍ଧ,୨/୯: ବୌଦ୍ଧ ଜିଲ୍ଲାପରିଷଦର ମାସିକ ବିଭାଗୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୨ ତାରିଖକୁ ସାରା ଜିଲ୍ଲାରେ ସ୍ୱଚ୍ଛତା ଓ ନିଶା ନିବାରଣ ଦିବସ ରୂପେ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହରଭଙ୍ଗା ବ୍ଲକ ମନେରେଗା ଯୋଜନା କାର୍ଯ୍ୟକାରୀ କରିବାରେ ସବୁଠାରୁ ପଛୁଆ ରହିଥିବାବେଳେ କାର୍ଯ୍ୟରେ ଶ୍ରମିକ ନିୟୋଜନ ହେଉନଥିବା ନେଇ ଗୃହରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ଆଗାମୀ ଦିନରେ ଶୂନ୍ୟ ସହନଶୀଳତା ସହିତ ମନରେଗା କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖାଯିବା ସହିତ ଆବଶ୍ୟକ ସ୍ଥଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ୨୦୨୨ -୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଉଦ୍ୟାନ ବିଭାଗର ୧୦୪୭ ଟି ପ୍ରକଳ୍ପ ଅସଂପୁର୍ଣ୍ଣ ରହିଥିବାବେଳେ ଜଳଛାୟା ପ୍ରକଳ୍ପ ର ୧୦୫୮, ବନ ବିଭାଗର ୪୮୩,ଜଳସଂପଦ ବିଭାଗର ୪୪,କ୍ଷୁଦ୍ରଜଳସେଚନ ବିଭାଗର ୫୫ ଟି,ରେଶମ ଶିଳ୍ପ ୧୪ଟି,ପଞ୍ଚାୟତ ସମିତି ୭୯୮,ଗ୍ରାମପଞ୍ଚାୟତ ୧୯୬୬ଟି ଏହିଭଳି ସର୍ବମୋଟ ୫୪୬୫ ଟି ପ୍ରକଳ୍ପ ଅସଂପୁର୍ଣ୍ଣ ରହିଥିବାବେଳେ ତାହାର ସମୀକ୍ଷା କରାଯାଇ ତୁରନ୍ତ ପ୍ରକଳ୍ପ ସଂପୁର୍ଣ୍ଣ କିମ୍ବା ଅନୁଦାନ ଫେରାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଜିଲ୍ଲା ସମାଜ ମଙ୍ଗଳ ବିଭାଗର ୭୨୭ ଟି ଅଙ୍ଗନବାଡି କେନ୍ଦ୍ର ରହିଥିବାବେଳେ ସେଥିରୁ ୨ ଟି କେନ୍ଦ୍ର ବନ୍ଦ ରହିଥିବାବେଳେ ବାକି ସବୁ କାର୍ଯ୍ୟକ୍ଷମ ରହିଥିବା, ୮ ଟି ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଜିବିକା ମିଶନରେ ସ୍ୱୟଂ ସହାୟକ ଗାଷ୍ଠୀଙ୍କୁ ବ୍ୟାଙ୍କ ଲିଙ୍କେଜ କରାଇବାରେ ଲକ୍ଷଧାର୍ଯ୍ୟ ଠାରୁ କମ କାର୍ଯ୍ୟ ହୋଇଥିବାରୁ ଏହାର ସମୀକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନା ମୁତାବକ ବୌଦ୍ଧ ବ୍ଲକରେ ୧୭୯୮ ସ୍ୱୟଂ ସହାୟକ ଗାଷ୍ଠୀଙ୍କୁ ବ୍ୟାଙ୍କ ଲିଙ୍କେଜ କରାଇବାର ଲକ୍ଷଧାର୍ଯ୍ୟ କରାଯାଇଥିବାବେଳେ ୮୮୦ ଲକ୍ଷ ହାସଲ ହୋଇପାରିଛି ।
ସେହିପରି ହରଭଙ୍ଗା ବ୍ଲକରେ ୧୨୮୯ ରୁ ୫୧୦ ଓ କଣ୍ଟାମାଳ ବ୍ଲକରେ ୮୯୩ ରୁ ୪୨୮ ଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଲିଙ୍କେଜ କରାଯାଇପାରିଛି । ତେଣୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହତ ଜିବିକା ମିଶନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ ।
ଏସଏଚଜି ପ୍ରୋଫାଇଲ ରେ ବୌଦ୍ଧଜିଲ୍ଲା ୯୨.୪୦% ଲକ୍ଷ ହାସଲ କରି ରାଜ୍ୟରେ ତୃତୀୟ ସ୍ଥାନରେ ଥିବାବେଳେ ଲକ୍ଷପତି ଦିଦି ରେ ବୌଦ୍ଧ ଦ୍ୱିତିୟ ସ୍ଥାନ ଅଧିକାର କରିଥିବାରୁ ବିଭାଗୀୟ ଅଧିକାରୀଙ୍କ ପ୍ରଶଂସା କରାଯାଇଥିଲା । ସୁଭଦ୍ରା ଯୋଜନା ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାକୁ ନିର୍ଭୁଲ ଭାବରେ ପ୍ରସ୍ତୁତି ପାଇଁ ସମସ୍ତେ ସହଯୋଗ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଜିଲ୍ଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ ।
ଏହି ଯୋଜନାର ସଫଳତା ଓ ସାମୁହିକ ସଚେତନତା ପାଇଁ ଦୁତ ଭାବରେ ସମସ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଥିଲେ । ଜିଲ୍ଲା ସମନ୍ୱୟ ବୈଠକ ସମସ୍ତ ବିଭାଗୀୟ ଅଧିକାରୀ ନିଜର ଆତ୍ମସମୀକ୍ଷା କରି ଦକ୍ଷତା ବୃଦ୍ଧି କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକ କିପରି ସଫଳ ଭାବରେ ଲୋକଙ୍କ ନିକଟରେ ପହଞ୍ଚିପାରିବ ଏବଂ ବିଭାଗ ପକ୍ଷରୁ ଯୋଜନା କାର୍ଯ୍ୟକାରୀରେ ନିଶ୍ଚିତ ସଫଳତା ଦିଗରେ ଯତ୍ନବାନ ହେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବୈଠକରେ ଗ୍ରାମୀଣ ଆବାସ ଯୋଜନା, ମନରେଗା,ସ୍ୱଚ୍ଛ ଭାରତ ମିଶନ, ଉଦ୍ୟାନ ବିଭାଗ,ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ, ଜଙ୍ଗଲ, ଜଳସଂପଦ, କ୍ଷୁଦ୍ର ଜଳସେଚନ, ବିଦ୍ୟାଳୟ ଶ୍ରେଣୀଗୃହ. ଅଙ୍ଗନବାଡି କେନ୍ଦ୍ର ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା,ଏପିଡି ଚାର୍ଲସ ନାଏକଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୌଦ୍ଧଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଆଭାସୀ ବୈଠକ
ବୌଦ୍ଧ,୨/୯: ବୌଦ୍ଧ ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମାଇକ୍ରୋ ପ୍ଲାନ ପ୍ରସ୍ତୁତ ହୋଇ ସାରି ଥିବାବେଳେ ସୁଭଦ୍ରା ଯୋଜନାର ଫର୍ମ ବଣ୍ଟନ ଆରମ୍ଭ ହୋଇଯାଇଛି ।
ଜିଲ୍ଲାରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବାଦ ନପଡିବେ ସେଥିପାଇଁ ବୈଠକରେ ଜିଲ୍ଲାପାଳ ଶ୍ରୀପଣ୍ଡା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରସ୍ତୁତ ମାଇକ୍ରୋ ପ୍ଲାନ ଅନୁଯାୟି ସମସ୍ତେ କାର୍ଯ୍ୟ କରିବେ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ତହସିଲଦାର ଓ ଥାନା ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ବୈଠକ କରାଯାଇ ଯୋଜନାକୁ ସଫଳ ଭାବରେ କାର୍ଯ୍ୟକାରୀ କରାଇବାକୁ ପରାମର୍ଶ ଦିଆଯାଇଥିଲା ।
ଯୋଜନାରେ ହିତାଧକାରୀମାନଙ୍କ ନିକଟରେ ଫର୍ମ ଉପଲବ୍ଧ କରାଇବା ପାଇଁ ଅଙ୍ଗନବାଡି କେନ୍ଦ୍ର ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲିଡ ବ୍ୟାଙ୍କ ମ୍ୟାନେଜର ସମସ୍ତ ବ୍ୟାଙ୍କ ଅଧିକାରୀଙ୍କ ସହିତ ବୈଠକ କରି ସୁଭଦ୍ରା ଡେବିଟ କାର୍ଡ ମାଗଣାରେ ପ୍ରଦାନ କରାଇବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଫର୍ମ ବିତରଣ କରିବା ସହିତ ସାଧାରଣ ସେବା କେନ୍ଦ୍ର ଜରିଆରେ ହିତାଧିକାରୀମାନେ ଆବେଦନ କରିପାରିବେ । କୌଣସି ହିତାଧିକାରୀ ଆବେଦନ ପ୍ରକ୍ରିୟାରେ ଯେପରି ସମସ୍ୟାର ସମ୍ମୁଖିନ ହେବେନାହିଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା ।
ଏହି ଯୋଜନାର ସଫଳତା ଓ ସାମୁହିକ ସଚେତନତା ପାଇଁ ଦୁତ ଭାବରେ ସମସ୍ତ ସରକାରୀ କର୍ମଚାରୀ କାର୍ଯ୍ୟ କରିବାକୁ ଜିଲାପାଳ ଆହ୍ୱାନ ଜଣାଇଥିଲେ । ଆଭାସୀ ବୈଠକରେ ନାଡାଲ ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଲାପାଳ ଓ ସହକାରୀ ନୋଡାଲ ଅଧିକାରୀ ଭାବରେ ଉପଜିଲ୍ଲାପାଳ କାର୍ଯ୍ୟ କରିବେ । ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30