Indus Valley Times

ବୌଦ୍ଧ : ସତା ହରାଇବାକୁ ବସିଲାଣି ନୂଆପଡା ଡ୍ୟାମ

 Breaking News

ବୌଦ୍ଧ : ସତା ହରାଇବାକୁ ବସିଲାଣି ନୂଆପଡା ଡ୍ୟାମ

ବୌଦ୍ଧ : ସତା ହରାଇବାକୁ ବସିଲାଣି ନୂଆପଡା ଡ୍ୟାମ
June 27
11:39 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୭/୬: ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଜଳଉତ୍ସ ରହିଛି । ହେଲେ ସରକାର ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜିଲ୍ଲାର ଚାଷୀମାନେ ଜଳସେଚନର ସୁବିଧା ପାଇପାରୁ ବଞ୍ଚିତ ହେଉଛନ୍ତି । ପୂର୍ବରୁ ଜଳସେଚନ ପାଇଁ ଯାହାରହିଛି ତାହା ହିଁ ବର୍ତ୍ତମାନ ଚାଲିଛି । ସେଥିମଧ୍ୟରୁ ନୂଆଁପଡା ଡ୍ୟାମ(ଲଇଗାଁ ଜଳସେଚନ ପ୍ରକଳ୍ପ) ଅନ୍ୟତମ ।
ଏହି ନୂଆପଡା ଡ୍ୟାମଟି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକର ବିରନରସିଂହପୁର ପଞ୍ଚାୟତର ନୂଆପଡା ଠାରେ ରହିଛି । ଦିନ ଥିଲା ନୂଆପଡା ଡ୍ୟାମଟି ଚାଷୀଙ୍କ ପାଇଁ ବରଦାନ ସଦୃଶ୍ୟ କାର୍ଯ୍ୟକରୁଥିଲା । ଏହି ଡ୍ୟାମରୁ ଅନେକ ଚାଷଜମିକୁ ଜଳସେଚନ ମାଧ୍ୟମରେ ପାଣି ମଡା ଯାଉଥିଲା । ହେଲେ ଏବେ ଆସ୍ତେ ଆସ୍ତେ ଏହି ଜଳସେଚନ ପ୍ରକଳ୍ପଟି ପୋତି ହେବାକୁ ବସିଲାଣି ଯାହାଫଳରେ ପ୍ରକଳ୍ପରେ ପର୍ଯ୍ୟପ୍ତ ପାଣି ରହୁନଥିବାରୁ ଚାଷୀମାନେ ଠିକ ସମୟରେ ଜମିକୁ ପାଣି ମଡାଇ ପାରୁ ନଥିବାର ଅଭିଯୋଗ ହେଉଛି । ବିଭାଗର ଦୂରଦୃଷ୍ଟିର ଅଭାବ ସାଙ୍ଗକୁ ଖାମଖିଆଲି କାର୍ଯ୍ୟ ଯୋଗୁଁ ଡ୍ୟାମଟି ପୋତି ହେବାକୁ ବସିଲାଣି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି ।
ବର୍ଷାଜଳକୁ ସଂରକ୍ଷିତ ରଖି ଜଳସେଚନ ମାଧ୍ୟମରେ ଜମିକୁ ପାଣି ଯୋଗାଇ ଦେବା ପାଇଁ ନୂଆପଡା ଠାରେ ଥିବା ବାଙ୍କମୁଣ୍ଡି ଜଙ୍ଗଲ ଦେଇ ବୋହି ଆସୁଥିବା ଗଉଡୁଣୀ ନାଳର ଦୁଇକଡରେ ଥିବା ଦୁଇଟି ପାହାଡକୁ ବନ୍ଧାଯାଇ ଜଳସେଚନର ସୁବିଧା କରିବା ପାଇଁ ୧୯୭୨ ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସରକାରଙ୍କ ପାଖକୁ ଏକ ପ୍ରସ୍ତାବ ଯାଇଥିଲା । ପରବର୍ତ୍ତି ସମୟରେ ପ୍ରସ୍ତାବ ମଞ୍ଜୁର ହେବା ପରେ ପ୍ରକଳ୍ପତ କାର୍ଯ୍ୟ ଆରମ୍ଭ ହୋଇଥିଲା ।
୧୯୭୬ ମସିହାରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲା । ଏହି ପ୍ରକଳ୍ପ ଫଳରେ ବିରନରସିଂହପୁର ପଞ୍ଚାୟତ, ସାମ୍ପୋଚ ପଞ୍ଚାୟତ ଓ ଲୁଣିବାହାଲ ପଞ୍ଚାୟତର ପ୍ରାୟ ହଜାରେ ୪୦ ହେକ୍ଟର ଚାଷ ଜମିକୁ ଜଳ ସେଚନର ସୁବିଧା ହୋଇ ପାରିଥିବା ଜଣାଯାଏ । ଏହି ଲଇଗାଁ ଜଳସେଚନ ପ୍ରକଳ୍ପ ଆଗରୁ ଏହି ଅଞ୍ଚଳର ଚାଷୀମାନେ ମରୁଡିର ସମ୍ମୁଖୀନ ହେଉଥିଲେ । ପ୍ରକଳ୍ପ ହେବା ପରେ ସେମାନଙ୍କ ଏକ ବଡ ସମସ୍ୟା ଦୂର ହୋଇ ପାରିଥିଲା ।
ପ୍ରକଳ୍ପ ପରେ ଚାଷୀମାନେ ରବି ଓ ଖରିଫ ଉଭୟ ଚାଷ କରୁଥିଲେ । ହେଲେ ଏବେ ଏହି ପ୍ରକଳ୍ପଟି ପୋତି ହୋଇପଡିଥିବାରୁ ବର୍ତ୍ତମାନ ଆବଶ୍ୟକ ପରିମାଣର ପାଣି ଚାଷ ଜମିକୁ ଯୋଗାଇବା ସମ୍ଭବ ହୋଇ ପାରୁନାହିଁ । ଫଳରେ ପ୍ରତିବର୍ଷ ଚାଷୀ ମରୁଡିର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି । ଖରାଦିନେ ଆଗରୁ ଏହି ଡ୍ୟାମରେ ପ୍ରାୟ ୩୦ ଫୁଟ ପାଣି ରହୁଥିବା ବେଳେ ଏବେ ପ୍ରାୟ ୫ ଫୁଟ ପାଣି ରହିବା କଷ୍ଟକର ହୋଇ ପଡୁଛି । ବିଭିନ୍ନ ସମୟରେ ଡ୍ୟାମର ଉନ୍ନତି କରଣ ଓ ପଙ୍କ ଉଦ୍ଧାର ପାଇଁ ଆସିଥିବା ଅର୍ଥକୁ ପଙ୍କ ଉଦ୍ଧାର କରିବା ପରିବର୍ତ୍ଥେ କେନାଳର ଉନ୍ନତି କରଣ ଭିତରେ ସିମିତ ରଖାଯାଉଛି ।
ଏପରିକି ବିଭିନ୍ନ ଶାଖା କେନାଲ ଗୁଡିକ ପୋତି ହୋଇ ଯାଉଥିବାରୁ ପାଣି ଉପର ମୁଣ୍ଡରୁ ତଳକୁ ପହଞ୍ଚି ପାରୁନନାହଁ । ଫଳରେ ଚାଷୀ ଖରିଫ ହେଉ କି ରବି ହେଉ ଚାଷ ସମୟରେ ପାଣି ଭଲ ଭାବରେ ପାଇପାରୁନାହାନ୍ତି । ତଳମୁଣ୍ଡ ଚାଷୀ ଜମିରେ ପାଣି ମଡାଇବା ପାଇଁ ନାହି ନଥିବାର ଅସୁବିଧା ଭୋଗ କରୁଛନ୍ତି । ଏହି ପ୍ରକଳ୍ପ ଯେଉଁ ଲକ୍ଷ୍ୟ ନେଇ କରାଯାଇଥିଲା ତାହା ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ ବୋଲି ଚାଷୀ ମହଲରୁ ଅଭିଯୋଗ ହେଉଛି । ପ୍ରତିବର୍ଷ ବର୍ଷା ହେଲେ ପାହାଡରୁ ପାଣିରେ ଧୋଇ ହୋଇ ଗୋଡି.ବାଲି, ମାଟି ଧରଆଣିି ପାଣି ଡେମ ମଧ୍ୟରେ ପ୍ରବେଶ କରୁଛି । ଯାହାଫଳରେ ଆସ୍ତେ ଆସ୍ତେ ଡେମଟି ପୋତି ହେବାରେ ଲାଗିଲାଣି । ଯଦି ଡେମ ଭିତରୁ ପଙ୍କ, ବାଲି, ମାଟି କଡା ନ ଯାଏ ତାହାହେଲେ ଏହା ଦିନେ ସଂପୂର୍ଣ୍ଣ ପୋତି ହୋଇଯିବାର ସମ୍ଭାବନା ରହିଛି ।
ସୂଚନା ଯୋଗ୍ୟ ଯେ, ଏହି ଡେମଟି ଯେ ଖାଲି ଜଳସେଚନ ପାଇଁ ବ୍ୟବହାର ହେଉଛି ତାହା ନୁହଁ । ଏହା ଜିଲ୍ଲାର ଏକ ପ୍ରମୁଖ ପିକନିକ ସ୍ପଷ୍ଟ ଭାବରେ ଚିହ୍ନଟ ହୋଇଛି । ବିଭିନ୍ନ ସମୟରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଲୋକ ଏଠାକୁ ପିକନିକ କରିବା ପାଇଁ ଆସିଥାନ୍ତି । ହେଲେ ଏହାକୁ ଅଧିକ ଆକର୍ଷଣ କରାଗଲେ ଆହୁରି ଲୋକଙ୍କ ଭିଡ ଜମନ୍ତା । ସେଥିପ୍ରତି ପ୍ରଶାସନ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେହିପରି ଏଠାରେ ମାଛ ଚାଷ କରା ଯାଇଥାଏ ।
ଡ୍ୟାମର ତିନି ପାଖରେ ଜଙ୍ଗଲ ରହିଥିବାରୁ ଅନେକ ବନ୍ୟଜନ୍ତୁ ଏଠାକୁ ପାଣି ପିଇବାକୁ ଆସିଥାନ୍ତି । ତେଣୁ ଏହାର ରକ୍ଷଣା ବେକ୍ଷଣ ଠିକ ଭାବରେ କରାଯିବାର ଆବଶ୍ୟକତା ରହିଛି । ଏନେଇ ଅଧିକ୍ଷଣଯନ୍ତ୍ରୀଙ୍କୁ ପଚାରିବାରୁ ଖରିଫ ଓ ରବି ପାଇଁ ଯେତିକି ଆବଶ୍ୟକ ପାଣି ଯୋଗାଇ ଦିଆଯାଉଛି ଏବଂ ଡ୍ୟାମ ମଧ୍ୟରୁ ମାଟି ଉଠାଇବାର ବ୍ୟବସ୍ଥା ବର୍ତମାନ ନାହିଁ ବୋଲି କହିଥିଲେ ।
ସୁଚନା ଅଧିକାରରେ ତଥ୍ୟ ମାଗିଲେ ତଥ୍ୟ ଦେଉନାହାନ୍ତି ଅଧିକାରୀ, ଜିଲାପାଳଙ୍କ ପାଖରେ ଅଭିଯୋଗ କଲେ ଆବେଦନକାରୀ
ବୌଦ୍ଧ,୨୭/୬: ବୌଦ୍ଧ ଜିଲା ପୁର୍ତ୍ତବିଭାଗରେ ସୁଚନା ଅଧିକାର ନିୟମରେ ତଥ୍ୟ ମାଗିଲେ ଅଧିକାରୀ ତଥ୍ୟ ହେଉନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଶଙ୍କୁଲୋଇ ପଞ୍ଚାୟତର ପୁର୍ବତନ ସରପଞ୍ଚ ସନ୍ତୋଷ କୁମାର ବେହେରା ଗତ ତା୨.୩.୨୪ରିଖରେ ବୌଦ୍ଧ ପୁର୍ତ୍ତବିଭାଗର ଜନସୁଚନା ଅଧିକାରୀଙ୍କ ନିକଟରେ ସୁଚନା ଅଧିକାର ନିୟମ ଅନୁଯାୟୀ ସୁଚନା ପାଇବା ପାଇଁ ଦାଖଲ କରିଥିଲେ ।
ସେ ବିଭାଗକୁ କେଉଁ କେଉଁ ପାଣ୍ଠୀରୁ ଅନୁଦାପ ଆସୁଅଛି, ଚାରିଛକ ଠାରୁ ହରଭଙ୍ଗା , ଟିକପରପଡା ରାସ୍ତାରେ କେଉଁ କେଉଁ ସ୍ତାନରେ ଗାଡୱାଲ, କଲଭଟ ଓ ପିଚୁ ହୋଇଛି, କୋଠାବାଡି କେଉଁ କେଉଁ ସ୍ଥାନରେ ହୋଇଅଛି ଆଦି ବିଭିନ୍ନ କାମ ନେଇ ସୁଚନା ମାଗିଥିଲେ । କିନ୍ତୁ ବିଭାଗ ପକ୍ଷରୁ ସୁଚନା ଦେବା ବିଳମ୍ବ ହେତୁ ଗତ ତା ୨୩.୪.୨୪ରିଖରେ ଜିଲାପାଳଙ୍କ ନିକଟରେ ତଥ୍ୟ ଦେଉନଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ତା ୧.୫.୨୪ରିଖରେ ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ଏହା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା ।
ସୁଚନା ନ ପାଇବାରୁ ପୁଣି ଗତ ତା୨୪.୫.୨୪ରିଖରେ ଆବେଦନକାରୀ ଶ୍ରୀ ବେହେରା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସୁଚନା ତ ଦେବା ଦୁରର କଥା କୁଆଡେ ବିଭାଗୀାୟ ଯନ୍ତ୍ରୀ ଧମ୍‌କ ଚମକ ଦେଉଥିବା ନେଇ ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଣି ଜିଲାପାଳଙ୍କ କାର୍ଯ୍ୟାଳୟରୁ ତଦନ୍ତ କରି ପଦକ୍ଷେପ ନେବାକୁ ଗତ ତା ୭.୬.୨୪ରିଖରେ ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ହରଭଙ୍ଗା ବ୍ଳକରେ ଅଗ୍ନିକାଣ୍ଡ ଘଟଣା
ବୌଦ୍ଧ,୨୭/୬: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ସକାଳେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ବହୁ ଫାଇଲ ପୋଡି ଯାଇଥିବା ନେଇ ଆଲୋଚନା ହେଉଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯିବାରୁ ଅଗ୍ନିକାଣ୍ଡ ବିଦ୍ୟୁତ ସଟସର୍କିଟ ଯୋଗୁଁ ହୋଇଥିବା ଜଣାପଡିଥିବା ବେଳେ ଅଗ୍ନିକାଣ୍ଡରେ ଅଫିସର ଏସିର ସମ୍ମୁଖରେ ଥିବା କ୍ୟାବିନେଟଟି ପୋଡିଯାଇଛି ।
କମ୍ଫୁଟର,ସ୍କାନର ଓ ଗୋଟିଏ ଫ୍ୟାନ ପୋଡିଥିବା ବେଳେ ଅଫିସର ସମସ୍ତ ଫାଇଲ ସୁରକ୍ଷିତ ଥିବା ବିଡିଓ କହିଛନ୍ତି ।
ଗଭୀର ନଳ କୂପକୁ ବିଦ୍ୟୁତ ସଂଯୋଗ ଦାବିରେ ନିର୍ବାହୀଯନ୍ତ୍ରୀଙ୍କୁ ଭେଟିଲେ ଚାଷୀ
ବୌଦ୍ଧ,୨୭/୬: ବୌଦ୍ଧଜିଲ୍ଲାରେ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଜିଲ୍ଲାରେ ଚାଷୀମାନଙ୍କ ଅନେକ ସମସ୍ୟା ରହିଛି । ହେଲେ ଚାଷୀଙ୍କ ସମସ୍ୟା ସମାଧାନ ହୋଇ ପାରୁନାହିଁ । ଯାହାଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଚାଷୀଙ୍କ ସମସ୍ୟା ନେଇ ଆଜି ଚାଷୀମାନେ ଉଠା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ଚାଷୀମାନେ ଭେଟି ଥିବା ଜଣାପଡିଛି । ସୂଚନା ମତେ, ମନମୁଣ୍ଡା ଅଂଚଳରେ ଅନେକ ଚାଷୀଙ୍କ ବିଲରେ ଗଭୀର ନଳ କୂପ ଖୋଳା ଯାଇଥିବା ବେଳେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ସେମାନଙ୍କ ନଳକୂପରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଯାହାଫଳରେ ଚାଷୀମାନେ ହଇରାଣ ହେଉଛନ୍ତି । ତୁରନ୍ତ ବିଦ୍ୟୁତ ସଂଯୋଗ କରିବା ଦାବିରେ ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ଦାବି କରିଥିବା ଜଣାପଡିଛି ।
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ
ବୌଦ୍ଧ,୨୭/୬: ବୌଦ୍ଧ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ ହୋଇଛି କ୍ଷ ବୌଦ୍ଧ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧ ଦିବସ ପାଳନ ଅବସରରେ ଅନେକ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଛି କ୍ଷ
ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କିସାନ ଉପସ୍ଥିତ ରହି ନିଜର ବକ୍ତବ୍ୟରେ ନିଶାଭ୍ୟାସ ଏକ ମାରାତ୍ମକ ରୋଗ ବୋଲି କହିଥିଲେ।
ସମ୍ମାନିତ ଅତିଥି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ଦୀର୍ଘଦିନ ଧରି ନିଶା ସେବନ କରି ଶାରୀରିକ ଓ ମାନସିକ ସ୍ତରରେ ଏହା ଉପରେ ନିର୍ଭରଶୀଳ ହୋଇ ପଡନ୍ତି ।
ନିଶା ଭଳି ଦ୍ରବ୍ୟକୁ ବ୍ୟବହାର କରି ଆଜିକାର ଯୁବ ସମାଜ ପଥ ଭ୍ରଷ୍ଟ ହେଇ ଯାଉଛନ୍ତି। ବିଶେଷ କରି କୁସଙ୍ଗରେ ପଡି ପିଲାମାନେ ନିଶା ସେବନର ଅଭ୍ୟାସକୁ ଛାଡି ପାରୁ ନାହାନ୍ତି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅଶ୍ଵିନୀ ପାଣ୍ଡେ , ବିଭୁ ପ୍ରସାଦ ମଲ୍ଲିକ, ବିରେନ୍ଦ୍ର ନାଏକ, ଦୀନେଶ ପଟ୍ଟନାୟକ,ମିଥିଲେଶ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବୌଦ୍ଧ : ଅବସରକାଳୀନ ସମ୍ବର୍ଦ୍ଧନା
ବୌଦ୍ଧ,୨୭/୬: ବୌଦ୍ଧ ବ୍ଲକ ପଲାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପଦ୍ମାଳୟା ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟର ଛାତ୍ର ଛାତ୍ରୀ ସହକାରୀ କର୍ମଚାରୀ ଏବଂ ଶିକ୍ଷା ବିଭାଗର ଉପରିସ୍ଥ କର୍ମଚାରୀଙ୍କ ପକ୍ଷରୁ ଦିଆ ଯାଇଅଛି ।
ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ନିରାଡ଼ମ୍ବର ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଗୋଷ୍ଠି ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ,ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା ଓ ସ୍ବରାଜ କହଁର, ସିଆରସିସି ରଶ୍ମି ରଂଜନ ଦାଶ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ, ସହକାରୀ ଶିକ୍ଷୟତ୍ରୀ ଗୀତାଞ୍ଜଳି ପାତ୍ର, ସଂଯୁକ୍ତା ଦାଶ ,ମମତା ବେରିହା, ଶିକ୍ଷକ ଦୁର୍ଗା ଶଙ୍କର ପରିଜା ଏବଂ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ଶ୍ରୀମତୀ ମିଶ୍ରଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଶ୍ରୀମତୀ ମିଶ୍ର ଜଣେ ମିଷ୍ଟଭାଷୀ , ମେଳାପି ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷୟିତ୍ରୀ ସଙ୍ଗେ ସଙ୍ଗେ ବିଭିନ୍ନ ଲେଖକ, ଲେଖିକା ସଂଗଠନ ସହ ଜଡ଼ିତ ଥିଲେ । ନିକଟରେ ଶ୍ରୀମତୀ ମିଶ୍ରଙ୍କର ଏକ ଶିଶୁ କବିତା ପୁସ୍ତକ ରଙ୍ଗ ରଙ୍ଗିଆ ସାରା ଦୁନିଆ ଉନ୍ମଚିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031