ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି
ଭୁବନେଶ୍ୱର, ୩୦/୯: ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି । ଡେଡଲାଇନ୍ ଅବଧିରୁ ଆଉ ଗୋଟେ ମାସକୁ ବୃଦ୍ଧି କରାଯାଇଛି । ଫଳରେ ଗାଡି ଚାଳକଙ୍କୁ ଆଶ୍ୱସ୍ଥିତି ମିଳିଛି । ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ନିଜ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ସମୟ ପାଇପାରିଛନ୍ତି ଗାଡ଼ି ଚାଳକ ।
ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥିସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଆବଶ୍ୟକ ସ୍ଥଳେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ହୋଇପାରେ । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ମଧ୍ୟରେ ଭିତ୍ତିଭୂମି କିପରି ସୁଦୃଢ କରାଯାଇଛି, ଲୋକଙ୍କ ସମସ୍ୟା କେତେ ମାତ୍ରାରେ ସୁଧୁରି ପାରୁଛି ତାହାର ତର୍ଜମା କରାଯିବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।