Legatus

ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ, ଐତିହାସିକ ରାମେଶ୍ୱର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ

 Breaking News

ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ବୌଦ୍ଧ ଗସ୍ତ, ଐତିହାସିକ ରାମେଶ୍ୱର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ

November 14
11:04 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪୧୧ : ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦିନିକିଆ ବୌଦ୍ଧଜିଲା ଗସ୍ତ କରି ଐତିହାସିକ ରାମଶ୍ୱେର ଓ ଗନ୍ଧରାଢୀ ମନ୍ଦିର ପରିଦର୍ଶନ କରିଛନ୍ତି ।
ବୌଦ୍ଧ ସର୍କିଟହାଉସଠାରେ ପ୍ରତିନିଧି ମଣ୍ଡଳୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ ଏହି ପ୍ରତିନିଧି ମଣ୍ଡଳୀ ବୌଦ୍ଧ ସହରର କେନ୍ଦ୍ରସ୍ଥଳରେ ଥିବା ସେମାବଂଶୀଙ୍କ ଦ୍ୱାରା ନବମ ଶତାବ୍ଦୀରେ ନିର୍ମିତ ଐତିହାସିକ ରାମେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ ।
ନାଲି ଡାଳିମ୍ବ ପଥରରେ ନିର୍ମିତ ଏହି ମନ୍ଦିରର କାରୁକାର୍ଯ୍ୟ ଦେଖି ପ୍ରତ୍ନତତ୍ୱ ବିଭାଗର ପ୍ରତିନିଧିମାନେ ଅଭିଭୁତ ହୋଇଥିଲେ । ସ୍ଥାନୀୟ ବୁଦ୍ଧିଜିବୀ ଓ ମନ୍ଦିର ପୂଜକମାନଙ୍କ ସହିତ ଆଲୋଚନା କରିବାପରେ ଏହି ପ୍ରାଚୀନ ମନ୍ଦିର ର ପାରିପାଶ୍ୱିର୍କ ଉନ୍ନୟନ ଓ ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବାକୁ ଆଲୋଚନା କରାଯାଇଥିଲା ।
ମନ୍ଦିରର ମୂଳ ଢାଞ୍ଚାକୁ କୌଣସି କ୍ଷତି ନପହଞ୍ଚାଇ ଚାରିପଟେ ପାଚେରୀ ନିର୍ମାଣ,ଅର୍ଦ୍ଧ ନିର୍ମିତ ମନ୍ଦିରର ଗର୍ଭଗୃହରେ ବାଲି ଫିଲିଂ ଓ ରକ୍ଷଣାବେକ୍ଷଣ,ଆଲୋକୀକରଣ,ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା,ଉଦ୍ୟାନର ବିକାଶ ଓ ଶୌଚାଳୟ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା । ମନ୍ଦିର ମଧ୍ୟରେ ବିକ୍ଷିପ୍ତ ଏବଂ ସୁକ୍ଷ୍ମ କାରୁକାର୍ଯ୍ୟର ଏକତ୍ରିକରଣ ଓ ସରଂକ୍ଷଣ କରାଯିବାକୁ ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଥିଲେ ।
ପରେ ଏହି ପ୍ରତିନିଧି ମଣ୍ଡଳୀ ବୌଦ୍ଧ ରାଜପ୍ରାସାଦ ନିକଟରେ ଅବସ୍ଥିତ ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରୁ ବୌଦ୍ଧ ବ୍ଲକ ଜଗତୀ ସ୍ଥିତ ଗନ୍ଧରାଢୀ ମନ୍ଦିରରେ ପ୍ରତିନିଧିମଣ୍ଡଳୀ ପହଞ୍ଚି ସେବକ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅଷ୍ଟମ ଶତାବ୍ଦୀରେ ଭଂଜ ବଂଶୀୟ ରାଜାଙ୍କ ଦ୍ୱାରା ନିର୍ମିତ ଏହି ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ଏବଂ ଏହାର ଐତିହାସିକ ବିଶେଷତ୍ୱ ସଂପର୍କରେ ଜାଣି ପ୍ରତିନିଧି ମଣ୍ଡଳୀ ଅଭିଭୁତ ହୋଇଥିଲେ ।
ଗୋଟିଏ ବେଦୀ ଉପରେ ନିର୍ମିତ ଏହି ଦୁଇଟି ପ୍ରାଚୀନ ମନ୍ଦିରରେ ସିଦ୍ଧେଶ୍ୱର ଓ ନୀଳମାଧବ ପୂଜା ପାଉଥିବାବେଳେ ମନ୍ଦିର ଚୂଡାରେ ଶକ୍ତି ଓ ଚକ୍ର ଅବସ୍ଥିତ । ମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟ ଯେକୌଣସି ପର୍ଯ୍ୟଟକ ଓ ଗବେଷକଙ୍କୁ ଏହି ପ୍ରାଚୀନ କିର୍ତିରାଜୀ ପ୍ରତି ସର୍ବଦା ଆକର୍ଷିତ କରିଥାଏ ।
ତେବେ ମନ୍ଦିରର ଆବଶ୍ୟକୀୟ ମରାମତି ନେଇ ସେବକମାନେ ପ୍ରତିନିଧି ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାବ୍ୟତୀତ ମନ୍ଦିର ମଧ୍ୟରେ ଆଲୋକୀକରଣ,ପାନୀୟଜଳ,ଶୌଚାଳୟ,ଉଦ୍ୟାନ ଆଦି ନିର୍ମାଣ କରାଯିବାକୁ ଆଲୋଚନା ହୋଇଥିଲା । ମନ୍ଦିର ଦ୍ୱୟର ସଂରକ୍ଷଣ ଉପରେ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା ।
ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ବିଭାଗ ମହାନିର୍ଦ୍ଦେଶକ କିଶୋର କୁମାର ବାସା ଓ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରର ସବେକ୍ଷଣ ପ୍ରତ୍ନତତ୍ୱବିତ ଡଃ. ସୁଶାନ୍ତ କୁମାର କରଙ୍କୁ ନାଗରିକ କମିଟିର ସମ୍ପାଦକ ତଥା ଗବେଷକ ବିଶ୍ୱେଶ୍ୱର ପୃଷ୍ଟି, ଐତିହାସିକ ରାମେଶ୍ୱର ମନ୍ଦିର ଓ ଗନ୍ଧରାଢୀ ମନ୍ଦିରର ଅବସ୍ଥିତି,ବିଶେଷତ୍ୱ,ଭବିଷ୍ୟତ କାର୍ଯ୍ୟ ପ୍ରଣାଳୀ ଓ ଏହାର ସଂରକ୍ଷଣର ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ ।
ପ୍ରତିନିଧି ମଣ୍ଡଳୀଙ୍କ ସହିତ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ,ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ.ପ୍ରଶାନ୍ତ କୁମାର ମହାପାତ୍ର,ମଡେଲ ଡିଗ୍ରୀ କଲେଜର ଇତିହାସ ବିଭାଗ ଅଧ୍ୟାପକ ଦିବ୍ୟରଂଜନ ତ୍ରିପାଠୀ,ଗନ୍ଧରାଢୀ ମହୋତ୍ସବ ଗବେଷଣା ଅନୁଷ୍ଠାନ ର ସଂପାଦକ ଚତୁର୍ଭୁଜ ଖମାରୀ,ଗବେଷକ ସତ୍ୟ ନାରାୟଣ ପାଣି,ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦ ଚନ୍ଦ୍ର ଦଳବେହେରା ଓ ଜିଲା ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930