Indus Valley Times

ଭିସୁଟ୍‌ରେ ରାଗିଂ ଘଟଣା ,୧୨ ଜଣ ଛାତ୍ର ହେଲେ ବହିଷ୍କୃତ

 Breaking News

ଭିସୁଟ୍‌ରେ ରାଗିଂ ଘଟଣା ,୧୨ ଜଣ ଛାତ୍ର ହେଲେ ବହିଷ୍କୃତ

ଭିସୁଟ୍‌ରେ ରାଗିଂ ଘଟଣା ,୧୨ ଜଣ ଛାତ୍ର ହେଲେ ବହିଷ୍କୃତ
September 30
09:55 2021

ନୂଆଦିଲ୍ଲୀ, ୩୦/୯ : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁଲସ୍ତ୍ୟ ଛାତ୍ରାବାସରେ ଗତ ୨୨ ତାରିଖ ମଧ୍ୟରାତ୍ରୀରେ ଜଣେ ତୃତୀୟ ବର୍ଷ ଛାତ୍ରଙ୍କୁ ହୋଇଥିବା ରାଗିଂ ଘଟଣାରେ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଏହି ରାଗିଂ ଘଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ କଲେଜରୁ ବହିଷ୍କୃତ କରାଯାଇଥିବା ବେଳେ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି ।
ଭିସୁଟ୍ରେ ରାଗିଂ ଘଟଣା ନେଇ ଖବର ପ୍ରସାରିତ ହେବା ପରେ ୨୪ ତାରିଖରେ ଶୃଙ୍ଖଳା କମିଟି ବୈଠକ ବସି ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ଯାହା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି ।
ବହିଷ୍କାର ଅବଧି ଶେଷ ପରେ ଏହି ଛାତ୍ରମାନେ ପୁନଃ ବିଶ୍ୱବିଦ୍ୟାଳୟରେ ଯୋଗଦାନ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବେ ଯେ ସେମାନେ ଭବିଷ୍ୟତରେ ଏଭଳି କାର୍ଯ୍ୟରେ ଆଉ ସମ୍ପୃକ୍ତ ରହିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ସେମାନଙ୍କୁ ସବୁଦିନ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।
ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ରାଗିଂ ଘଟଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଯେଭଳି ଭାବେ କୌଣସି ଅନୈତିକ କାର୍ଯ୍ୟରେ ଲିପ୍ତ ରହିବେ ନାହିଁ ସେନେଇ କର୍ତ୍ତୃପକ୍ଷଙ୍କୁ ସେମାନେ ଓ ତାଙ୍କ ଅଭିଭାବକମାନେ ଲିଖିତ ପ୍ରତିଶ୍ରୁତି ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି ।
ବିଶେଷକରି କ୍ୟାମ୍ପସ୍ରେ କିମ୍ବା କ୍ୟାମ୍ପସ୍ ବାହାରେ ମାଦକ ଦ୍ରବ୍ୟ କିମ୍ବା ଡ୍ରଗ୍ସ ସେବନ କରୁଥିବା ଅବସ୍ଥାରେ ଧରାପଡ଼ିଲେ ସେମାନଙ୍କୁ ତୁରନ୍ତ ବହିଷ୍କାର କରି ଦିଆଯିବ ବୋଲି କର୍ତ୍ତୃପକ୍ଷଙ୍କ ପ୍ରୋସିଡିଂରେ ଉଲ୍ଲେଖ ରହିଛି । ରାଗିଂ ଘଟଣା ନେଇ କର୍ତ୍ତୃପକ୍ଷ ପୀଡ଼ିତ ଛାତ୍ର ଓ ଅନ୍ୟ ୧୨ ଜଣ ଛାତ୍ରଙ୍କୁ ପଚରାଉଚରା ସମୟରେ ଛାତ୍ରାବାସ ହଲ୍ରେ ମଦ ପିଇବା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ।
ଯାହାକୁ କେନ୍ଦ୍ର କରି ଏହି ବିବାଦ ଉପୁଜିଥିଲା । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ନିଶା ସେବନ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଉକ୍ତ ଅଭିଯୋଗରେ ମୋହର ମାରିଥିବା ମଧ୍ୟ କୁହାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031