Indus Valley Times

ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ

 Breaking News

ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ

ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ
October 07
10:14 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେଇ ୧୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ଓ
କନ୍ଧମାଳ ଜିଲ୍ଲା ମୁଖ୍ୟ କୋଚ ଭେନୁସ କୁମାର ନାୟକ ଏବଂ ପ୍ରକାଶ ଦିଗଲଙ୍କ ତତ୍ୱାବଧାନରେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ କ୍ଷ ଏହି ପ୍ରତିଯୋଗୀତା ରାଜ୍ୟ କ୍ୱାନକିଡୋ ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ, ବିଶ୍ୱଜିତ ବାରିକଙ୍କ ନେତୃତ୍ୱରେ ରାଉରକେଲା ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା ।
ଏହାକୁ ରାଉରକେଲା ଏଡିଏମ ଶୁଭଙ୍କର ମହାପାତ୍ର, କ୍ୱାନକିଡୋର ସଭାପତି ସତ୍ୟବ୍ରତ ଓଝା, ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀଣ ଶର୍ମା ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏଥିରେ ନବୀନ ମଲ୍ଲିକ, କାହ୍ନା ଗୌଡ଼, ଆଦିତ୍ୟ ପ୍ରସାଦ କହଁର ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ସଚ୍ଚିଦାନନ୍ଦ ନାୟକ,ପ୍ରାଂଚିଶ ପ୍ରଧାନ, ଦୁର୍ଯ୍ୟେଧନ କହଁର ଓ ଆଦିତ୍ୟ ପ୍ରସାଦ ଚାରି ଜଣ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ତାମ୍ର ପଦକ ଶଙ୍କର ମହାଙ୍କୁଡ଼,ଲୋରୀ ପ୍ରଧାନ ,ଲିଙ୍କୁ ଦିଗାଲ,ଆନ୍ଦ୍ରିୟ ଦିଗାଲ ଓ ଅଂଶୁମାନ କହଁର ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି ।
ଦେଶୀ ମାଛ ମଡ଼କ: ଲକ୍ଷାଧିକ ଟଙ୍କାର କ୍ଷତିକୁ ନେଇ ଚିନ୍ତାରେ ଚାଷୀ
ବାଲିଗୁଡା,୭/୧୦: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡ଼କ ଦେଖାଯାଇଛି। ଉକ୍ତ ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡ଼କକୁ ନେଇ ସେ ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା କହିଛନ୍ତି। କିଛିଦିନ ତଳେ ସେ ତାଙ୍କ ପୋଖରୀରେ ମାଛ ଯାଆଁଳ ଛାଡ଼ିଥିବା ବେଳେ ସୋମବାର ସମସ୍ତ ମାଛ ଯାଆଁଳଗୁଡିକ ମରି ଭାସୁଥିବା ଦେଖିବାକୁ ମିଳିଛି।
ଏଠାରେ ମତ୍ସ ବିଭାଗର କୌଣସି ଅଧିକାରୀ ନ ଥିବା ବେଳେ କେଉଁ କାରଣରୁ ଏଭଳି ମଡ଼କ ଦେଖାଯାଇଛି ସେ ଜାଣିପାରୁ ନ ଥିବାରୁ ଅସହାୟତା ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଦାରିଙ୍ଗବାଡି ଅଞ୍ଚଳର ଲୋକେ ଆନ୍ଧ୍ର ମାଛ ଉପରେ ନିର୍ଭର କରିଆସୁଛନ୍ତି।
ହେଲେ କିଛି ବର୍ଷ ହେଲା ସରକାରଙ୍କ ମୋ ପୋଖରୀ ଯୋଜନାରେ ପୋଖରୀ ଓ ମାଛ ଚାଷକୁ ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଲୋକ ମାଛ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏବେ ମାଛ ମଡ଼କ ଯୋଗୁ ଏବେ ଚିନ୍ତା ବଢ଼ିଯାଇଛି ।
ମହଙ୍ଗା ପଡିଲା ପାହାଡ଼ ଉପରକୁ ଯାଇ ପାଠ ପଢିବା : ବଜ୍ରାଘାତ ରେ ତିନି ଛାତ୍ର ଆହତ
ବାଲିଗୁଡା,୭/୧୦:ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ। ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁରେ।
ଆହତମାନେ ହେଲେ ଯୁକ୍ତ ଦୁଇର ଛାତ୍ର ଧିରେନ ଦିଗାଲ, ଦଶମ ଶ୍ରେଣୀର ଛାତ୍ର ପିଙ୍କୁ ମଲ୍ଲିକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ପଞ୍ଚା ବେହେରା।ଗତକାଲି ଦିନ ୪ଟା ସମୟରେ ୩ଜଣ ଛାତ୍ର ଗାଁରେ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବା ପାଇଁ ଗାଁ ନିକଟରେ ଥିବା ଡିଗୀସରୁ ପାହାଡ଼କୁ ଯାଇଥିଲେ।
ସେମାନେ ପାହାଡ଼ ଉପରେ ଥିବା ସମୟରେ ଘନ ଘନ ବଜ୍ରାଘାତ ହେବା ସହିତ ବର୍ଷା ହୋଇଥିଲା। ଛାତ୍ରମାନେ କୌଣସି ଉପାୟରେ ପାହାଡ଼ ତଳକୁ ଆସିପାରି ନଥିଲେ। ଘନଘନ ବଜ୍ରାଘାତରେ ୩ଜଣ ଛାତ୍ର ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ।ତେବେ ସନ୍ଧ୍ୟାରେ ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ।
ପରିବାର ଲୋକେ ଓ ଗ୍ରାମବାସୀ ମିଶି ପାହାଡ଼ ଉପରକୁ ଯାଇ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ। ସେଠାରେ ୩ଜଣ ଛାତ୍ର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତି କରିଥିଲେ। ଧିରେନ ଦିଗାଲ ନାମଙ୍କ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ମୁଣ୍ଡାଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନାହିଁ। ଫଳରେ ଛାତ୍ରଛାତ୍ରୀଠାରୁ ଆରମ୍ଭ କରି ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାହାଡ଼ ଉପରକୁ ଯାଉଥିବା ବେଳେ ଗ୍ରାମବାସୀ ମଧ୍ୟ ଫୋନ୍ କରିବାକୁ ହେଲେ ପାହାଡ଼ ଉପରକୁ ଯାଇଥାନ୍ତି।
ଗାଁରେ ମୋବାଇଲ ଟାୱାର ବସିଛି ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାହାଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନେଟଓ୍ୱାର୍କ ପାଇଁ ପାହାଡ଼କୁ ଯାଇଥାନ୍ତି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅକ୍ଷମ ଥିବା ମୋବାଇଲ ଟାୱାରକୁ ତୁରନ୍ତ କାର‌୍ୟ୍ୟକ୍ଷମ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031