ରୁଷ ଟ୍ୟାଙ୍କକୁ ରୋକିବା ପାଇଁ ବ୍ରିଜ୍ ସହ ନିଜକୁ ଉଡ଼ାଇ ଦେଲେ ଯୁକ୍ରେନ ଯବାନ
ନୂଆଦିଲ୍ଲୀ, ୨୬/୨ : ଗତ ୩ଦିନ ହେଲାଣି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷ। ବୋମା ବର୍ଷା ସହ ୟୁକ୍ରେନର ଛାତିକୁ ଋଷ ଚିରି ଚାଲିଛି। ଏମଧ୍ୟରେ ଅନେକଙ୍କ ଜୀବନ ଯାଇଥିବା ବେଳେ ୟୁକ୍ରେନର ଜଣେ ଯବାନ କରିଥିବା କାମ ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି।
ଦେଶପ୍ରତି ତାଙ୍କର କେତେ ଭଲପାଇବା ଥିଲା, ତାହା ସେ ଯାଉ ଯାଉ ପ୍ରମାଣ କରିଯାଇଛନ୍ତି। ପ୍ରଥମେ ଯେତେବେବେଳେ ଋଷ ସେନା ୟୁକ୍ରେନକୁ ପଶିବାକୁ ଉଦ୍ୟମ କରିଥିଲେ ସେତେବେଳେ ତାଙ୍କୁ ଏକ ବ୍ରିଜ୍ ଦେଇ ଆସିବାର ଥିଲା।
ଏହା ଦେଖି ୟୁକ୍ରେନ ଯବାନ ଭିଟାଲୀ ସ୍କକୁନ୍ ଭୋଲୋଡିମିରୋଭିଚ୍ ବ୍ରିଜକୁ ବୋମା ଲଗାଇ ଉଡ଼ାଇ ଦେବାକୁ ଚିନ୍ତା କରିଥିଲେ। ହେଲେ ବୋମା ଲଗାଇବା ପରେ ସେ ଆଉ ସେଠାରୁ ଫେରିଆସିବାକୁ ସମୟ ପାଇନଥିଲେ।
ଭିଟାଲୀ ସ୍କକୁନଙ୍କ ଏଭଳି କାମ ପାଇଁ ଋଷ ସେନାକୁ ୟୁକ୍ରେନ ମଧ୍ୟରେ ପ୍ରବେଶ କରିବାକୁ ଅଧିକ ସମୟ ଲାଗିଥିଲା ଏବଂ ସେହି ସମୟରେ ୟୁକ୍ରେନ ସେନା ଆକ୍ରମଣର ଜବାବ ଦେବାକୁ ନିଜକୁ ପ୍ରସ୍ତୁତ କରିନେଇଥିଲେ।
ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଋଷର ଟ୍ୟାଙ୍କରକୁ ରୋକିବା ପାଇଁ ଜେନିଚ୍ କାର୍ ବ୍ରିଜରେ ସେମାନଙ୍କୁ ଅଟକାଇବାର ଥିଲା। ଏନେଇ ବ୍ରିଜକୁ ଉଡ଼ାଇବା ପାଇଁ ଯୋଜନା କରାଯାଇଥିଲା। ଏହି କାମ କରିବା ପାଇଁ ଅଲଗା ବାଟାଲିଅନର ଇଞ୍ଜିନିୟର ଭିଟାଲୀ ସ୍କକୁନଙ୍କ ଡକାଯାଇଥିଲା। ଭିଟାଲୀ ସ୍କକୁନ ଜେନିଚ୍ କାର୍ ବ୍ରିଜରେ ବୋମା ଖଞ୍ଜିଥିଲେ ବି ସେଠାରୁ ବାହାରି ଆସିପାରିନଥିଲେ। ଏହାଫଳରେ ହୋଇଥିବା ବିସ୍ଫୋରଣରେ ତାଙ୍କର ପ୍ରାଣହାନୀ ଘଟିଥିଲା।